Unknown

 

 

 

 

 

 

 

 

 

 

 

ବିକ୍ରମଦେବ ବର୍ମା

ପ୍ରକାଶ କୁମାର ସେନାପତି

 

ପ୍ରଥମ ଅଧ୍ୟାୟ

ସାରସ୍ୱତ ଜୀବନୀ

 

ଓଡ଼ିଆ ସାହିତ୍ୟର ସମ୍ରାଟ୍‍ ବିକ୍ରମଦେବ ବର୍ମା ଏକ ସ୍ୱତନ୍ତ୍ର ପ୍ରତିଭାର ଅଧକାରୀ । ସେ ଏକାଧାରରେ ସୁସାହିତ୍ୟିକ, ପଣ୍ଡିତ, ଜ୍ୟୋତିର୍ବିଦ୍‌, ଦେଶପ୍ରେମୀ ଏବଂ ସର୍ବୋପରି ଜଣେ ହୃଦୟବାନ ମଣିଷ । ଜୟପୁର ଜମିଦାରୀର ଶେଷରାଜା ବିକ୍ରମଦେବ ଜୀବନ ସାରା ଦୁଃଖ ଯନ୍ତ୍ରଣାରେ ଛଟପଟ ହୋଇ କାଳାତିପାତ କରିଥିଲେ ସୁଦ୍ଧା ଓଡ଼ିଶା ତଥା ଓଡ଼ିଆ ସାହିତ୍ୟକୁ ତାଙ୍କ ଦାନ ଅତୁଳନୀୟ । ଜୀବନର ଅଧକାଂଶ ସମୟ ଆନ୍ଧ୍ର ପ୍ରଦେଶରେ ବିତେଇଥିଲେ ମଧ୍ୟ ଓଡ଼ିଶା ଓ ଓଡ଼ିଆଜାତିର ଉନ୍ନତି ସକାଶେ ସେ ସଂକଳ୍ପବଦ୍ଧ ହେଲେ । ଏକାଧିକ ଭାଷାକୁ ଆୟତ୍ତ କରି ସେ ତାଙ୍କ ପାଣ୍ଡିତ୍ୟର ପରାକାଷ୍ଠା ଦେଖାଇଛନ୍ତି । ସେ ଜଣେ ସୁଲେଖକ ତଥା ସାହିତ୍ୟ ପ୍ରେମୀ ଏବଂ ସାହିତ୍ୟର ପୃଷ୍ଠପୋଷକ ମଧ୍ୟ । ଉଭୟ ଆନ୍ଧ୍ର ଏବଂ ଉତ୍କଳରେ ବହୁ ସମ୍ମାନଜନକ ପଦପଦବୀରେ ସେ ଅଧଷ୍ଠିତ ଥିଲେ । ଆଧୁନିକ ଓଡ଼ିଆ ସାହିତ୍ୟର ମହାରଥୀ ରାଧାନାଥ ରାୟ, ଫକୀରମୋହନ ସେନାପତି, ମଧୂସୁଦନଙ୍କର ସେ ଥିଲେ ସମସାମୟିକ । ଓଡ଼ିଶାର ବିଭିନ୍ନନ୍ନ ବ୍ୟକ୍ତି ଏବଂ ଅନୁଷ୍ଠାନଦ୍ୱାରା ବିଭିନ୍ନନ୍ନ ପଦ ପଦବୀ ପାଇଲେ । ଓଡ଼ିଶାର ସର୍ବପୁରାତନ ଅନୁଷ୍ଠାନ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନରେ ସମ୍ମାନଜନକ ସଭାପତି ମଧ୍ୟ ସେ ଥିଲେ ।

 

ଏହି ସୁସାହିତ୍ୟିକ, ପଣ୍ଡିତ, ଜ୍ୟୋତିର୍ବିଦ୍‌, ଦେଶପ୍ରମୀ, ସଂସ୍କୃତି ସଚେତନ ରାଜର୍ଷି ବିକ୍ରମଦେବ ଭାଗ୍ୟଚକ୍ରର ପରିବର୍ତ୍ତନରେ ୬୨ ବର୍ଷ ବୟସରେ ଅପ୍ରତ୍ୟାଶିତଭାବେ ଜୟପୁର ଜମିଦାରୀର ଶେଷ ରାଜାଭାବେ ଅଭିଷିକ୍ତ ହୋଇଥିଲେ ।

 

ଜୟପୁର ରାଜବଂଶ :

 

ଜୟପୁର ରାଜ୍ୟର ଇତିହାସ ଅତିପ୍ରାଚୀନ । ପୂର୍ବକାଳରେ ଏହି ଜୟପୁର ରାଜ୍ୟର ନାମ ନନ୍ଦପୁର ଥିଲା । ଏଠାରେ ପ୍ରଥମେ ଶିଳା ବଂଶର ରାଜାମାନେ ଶାସନ କରୁଥିଲେ । ଖ୍ରୀଷ୍ଟାବ୍ଦ ୧୩୫୩ଠାରୁ ଖ୍ରୀଷ୍ଟାବ୍ଦ ୧୪୪୩ ପର୍ଯ୍ୟନ୍ତ ଏହି ବଂଶର ଗିରି ରାଜୁଙ୍କ ପୁତ୍ର ବିଶ୍ୱନାଥ ରାଜୁ (ଖ୍ରୀଷ୍ଟାବ୍ଦ ୧୩୫୩-୧୩୭୦), ଭୈରବ ରାଜୁ (୧୩୭୦-୧୩୯୬), ବିଶ୍ୱନାଥ ରାଜୁ (୨ୟ) (ଖ୍ରୀଷ୍ଟାବ୍ଦ ୧୩୯୬ - ୧୪୨୭) (ପୋଷ୍ୟପୁତ୍ର) ପ୍ରତାପଗିରି ରାଜୁ (୧୪୨୭-୧୪୪୩) ଶାସନ କରିଥିଲେ । ଏହି ବଂଶର ଶେଷ ରାଜା ପ୍ରତାପଗିରି ରାଜୁ ଥିଲେ ଅପୁତ୍ରିକ । ଏହି ସମୟରେ କାଶ୍ମୀର ରାଜାଙ୍କ ପୁତ୍ର ୨ୟ ପୁତ୍ର ଶ୍ରୀ ବିନାୟକ ଦେବ ସିଂହାସନ ପାଇଁ ଭାତ୍ରୁ ବିବାଦରୁ ନିଜକୁ ଦୂରେଇ ରଖିବାକୁ ଇଚ୍ଛା କରି କାଶୀସ୍ଥିତ ବିଶ୍ୱେଶ୍ୱର ମହାପ୍ରଭୁଙ୍କ ଶରଣାପନ୍ନ ହୋଇଥିଲେ । ସେଠାରେ ବିଶ୍ୱେଶ୍ୱର ମହାପ୍ରଭୁଙ୍କ ବରପ୍ରାପ୍ତ ହୋଇ ୧୪୪୩ ଖ୍ରୀଷ୍ଟାବ୍ଦରେ ନନ୍ଦପୁରରେ ଆସି ପହଞ୍ଚି ଥିଲେ । ଘଟଣାଚକ୍ରରେ ପ୍ରତାପଗିରି ରାଜୁଙ୍କ କନ୍ୟାସହ ବିନାୟକ ଦେବଙ୍କ ବିବାହ ସଂପନ୍ନ ହୋଇଥିଲା ଏବଂ ରାଜାଙ୍କ ମୃତ୍ୟୁପରେ ୧୪୪୩ ଖ୍ରୀଷ୍ଟାବ୍ଦରେ ଉତ୍ତରାଧକାରୀ ସୂତ୍ରରେ ସେ ଏହି ରାଜଗାଦି ଲାଭ କରିଥିଲେ । ଏହା ପରଠାରୁ ନନ୍ଦପୁରରେ ସୂର୍ଯ୍ୟବଂଶର ପ୍ରତିଷ୍ଠା ଆରମ୍ଭ ହେଲା ।

 

ବିନାୟକ ଦେବଙ୍କଦ୍ୱାରା ପ୍ରତିଷ୍ଠିତ ଏହି ସୂର୍ଯ୍ୟବଂଶର ଶାସନଧାରା ପରବର୍ତ୍ତୀ ୫୦୦ ବର୍ଷଧରି ନନ୍ଦପୁର ଏବଂ ପରେ ପରିବର୍ତ୍ତିତ ଜୟପୁର ରାଜ୍ୟରେ ଅବ୍ୟାହତ ରହିଲା । ଏହି ୫୦୦ ବର୍ଷ ମଧ୍ୟରେ ଏହି ରାଜ୍ୟ ଅନେକ ଉତ୍‌ଥାନ ପତନ ଦେଇ ଗତି କରିଥିଲା । ଏହି ବଂଶର ରାଜାମାନେ ବିଭିନ୍ନନ୍ନ ସମୟରେ ସେମାନଙ୍କ ପରାକ୍ରମ ବଳରେ ରାଜ୍ୟବିସ୍ତାର କରିଥିଲେ । ତା’ ସହିତ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମଧ୍ୟ ଆପ୍ରାଣ ଉଦ୍ୟମ କରିଥିଲେ । ଯାହାର ଅର୍ଥ ହେଲା ଏହି ରାଜ୍ୟରେ ଅନେକ ସୁବୃହତ୍‌ ପୁଷ୍କରଣୀ ଏବଂ ମନ୍ଦିରର ନିର୍ମାଣ । ଏହି ବଂଶର ସପ୍ତମ ରାଜା ବୀରବିକ୍ରମଦେବ (୧୬୩୭-୧୬୭୨)ଙ୍କ ସମୟରେ ସୁପ୍ରସିଦ୍ଧ ଗୁପ୍ତେଶ୍ୱର ମହାପ୍ରଭୁଙ୍କ ଆବିର୍ଭାବ ଘଟିଲା ଏବଂ ନନ୍ଦପୁରରୁ ଜୟପୁରକୁ ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲା । ଏହି ବଂଶର ରାଜାମାନେ ଯେମିତି ପରାକ୍ରମଶାଳୀ ଥିଲେ ସେହିପରି, ପ୍ରଜାବତ୍ସଳ, ସଂସ୍କୃତିପ୍ରେମୀ, ଆଧ୍ୟାତ୍ମ୍ୟବାଦୀ ଏବଂ ହୃଦୟବାନ ମଧ୍ୟ ଥିଲେ । ନିମ୍ନରେ ଏହି ବଂଶାବଳୀର ପରିଚୟ ଦିଆଗଲା ।

 

 

ରାଜାଙ୍କ ନାମ

ଜୀବନକାଳ (ଖ୍ରୀଷ୍ଟାବ୍ଦ)

୧.

ବିନାୟକଦେବ

୧୪୪୩ - ୧୪୭୬

୨.

ବିଜୟଚନ୍ଦ୍ରଦେବ

୧୪୭୬ -୧୫୧୦

୩.

ଭୈରବଦେବ

୧୫୧୦ - ୧୫୨୭

୪.

ବିଶ୍ୱନାଥଦେବ

୧୫୨୭ - ୧୫୭୧

୫.

ବଳରାମଦେବ

୧୫୭୧ - ୧୫୯୭

୬.

ଯଶୋବନ୍ତଦେବ

୧୫୯୭ - ୧୬୩୭

୭.

ବୀରବିକ୍ରମଦେବ

୧୬୩୭ - ୧୬୬୯

୮.

କୃଷ୍ଣଚନ୍ଦ୍ରଦେବ

୧୬୬୯ - ୧୬୭୨

୯.

ବିଶ୍ୱମ୍ବରଦେବ (୧ମ)

୧୬୭୨ - ୧୬୭୬

୧୦.

ମଲ୍ଲଜୀ ବର୍ମନ କୃଷ୍ଣଦେବ

୧୬୭୬ - ୧୬୮୧

୧୧.

ହରିଦେବ

୧୬୮୧ - ୧୬୮୪

୧୨.

ବଳରାମଦେବ (୨ୟ)

୧୬୮୪ - ୧୬୮୬

୧୩.

ରଘୁନାଥ କୃଷ୍ଣଦେବ

୧୬୮୬ - ୧୭୦୮

୧୪.

ରାମଚନ୍ଦ୍ରଦେବ (୧ମ)

୧୭୦୮ - ୧୭୧୧

୧୫.

ବଳରାମଦେବ (୩ୟ)

୧୭୧୧ -୧୭୧୩

୧୬.

ବିଶ୍ୱମ୍ବରଦେବ (୨ୟ)

୧୭୧୩ - ୧୭୫୨

୧୭.

ଲାଲକୃଷ୍ଣଦେବ

୧୭୫୨ - ୧୭୫୮

୧୮.

ବିକ୍ରମଦେବ (୧ମ)

୧୭୫୮ - ୧୭୮୧

୧୯.

ରାମଚନ୍ଦ୍ରଦେବ (୨ୟ)

୧୭୮୧ - ୧୮୨୫

୨୦.

ବିକ୍ରମଦେବ (୨ୟ)

୧୮୨୫ - ୧୮୬୦

୨୧.

ରାମଚନ୍ଦ୍ରଦେବ (୩ୟ)

୧୮୬୦ - ୧୮୮୯

୨୨.

କୋର୍ଟ ଅଫ ୱାର୍ଡ଼ସ୍‌

୧୮୮୯ - ୧୮୯୫

୨୩.

ବିକ୍ରମଦେବ (୩ୟ)

୧୮୯୫ - ୧୯୨୦

୨୪.

ରାମଚନ୍ଦ୍ରଦେବ (୪ର୍ଥ)

୧୯୨୦ -୧୯୩୧

 

ଏହି ବଂଶର ଶେଷତମ ଦାୟଦ ହେଉଛନ୍ତି ରାଜର୍ଷି ବିକ୍ରମଦେବ ବର୍ମା ।

 

ଜୟପୁର ରାଜବଂଶର ବିଂଶତମ ରାଜା ଥିଲେ ୨ୟ ବିକ୍ରମଦେବ (୧୮୨୫ - ୧୮୬୦) । ବିକ୍ରମଦେବ ବର୍ମାଙ୍କ ସେ ଥିଲେ ପିତାମହ । ଖ୍ରୀଷ୍ଟାବ୍ଦ ୧୮୬ରେ ରାଜା ୨ୟ ବିକ୍ରମଦେବଙ୍କ ମୃତ୍ୟୁପରେ ଜ୍ୟେଷ୍ଠପୁତ୍ର ୨ୟ ରାମଚନ୍ଦ୍ରଦେବ ରାଜା ହୋଇଥିଲେ । (୩ୟ) ରାମଚନ୍ଦ୍ରଦେବଙ୍କ ଅନୁଜ କୃଷ୍ଣଚନ୍ଦ୍ରଦେବ ଜଣେ ପଣ୍ଡିତ ତଥା ଦୟାଳୁ ଧାର୍ମିକ ବ୍ୟକ୍ତି ଥିଲେ । ରାମଚନ୍ଦ୍ରଦେବଙ୍କ ରାଜ୍ୟାଭିଷେକର କିଛିଦିନ ପରେ ଦୁଇ ଭାଇଙ୍କ ମଧ୍ୟରେ ମନାନ୍ତର ଘଟିବାରୁ କୃଷ୍ଣଚନ୍ଦ୍ରଦେବ ଜୟପୁର ଛାଡ଼ି ପ୍ରଥମେ ଗୁଣୁପୁର ତା’ପରେ ମାଡ଼ଗୁଲ ଏବଂ ଶେଷରେ ତତ୍‌କାଳୀନ ଗଂଜାମ ଜିଲ୍ଲା ଶିକାକୋଲ ତାଲୁକା ପର୍ବତାଲପେଟା ଶାସନରେ ଅବସ୍ଥାନ କଲେ । ପର୍ବତାଲପେଟା ବଂଶଧାରା ତୀରସ୍ଥ ଏକ ବ୍ରାହ୍ମଣ ଶାସନ । ୧୮୬୯ ମସିହା ଜୁନ୍‌ ମାସ ୨୮ ତାରିଖ ରବିବାର ରାତ୍ର ୨ ଘଣ୍ଟା ସମୟରେ ଉକ୍ତ ଗ୍ରାମରେ ହିଁ କୃଷ୍ଣଚନ୍ଦ୍ରଦେବଙ୍କ ଔରସରୁ ରେଖାଦେବୀଙ୍କ ଗର୍ଭରୁ ବିକ୍ରମଦେବ ବର୍ମା ଜନ୍ମଗ୍ରହଣ କରିଥିଲେ । ବିକ୍ରମଦେବଙ୍କ ଜନ୍ମପୂର୍ବରୁ ମାଡ଼ଗୁଲରେ ଅବସ୍ଥାନକାଳରେ କୃଷ୍ଣଚନ୍ଦ୍ରଦେବଙ୍କର ଏକ କନ୍ୟାସନ୍ତାନ ଜନ୍ମ ହୋଇଥିଲା । ତାଙ୍କ ନାମ ଥିଲା ସୁବର୍ଣ୍ଣଦେବୀ । ସୁବର୍ଣ୍ଣଦେବୀଙ୍କ ଜନ୍ମପରେ ଏକ ପୁତ୍ର ସନ୍ତାନ ଲାଭ ଆଶାରେ କୃଷ୍ଣଚନ୍ଦ୍ରଦେବ ପର୍ବତାଲପେଟା ନିକଟବର୍ତ୍ତୀ ମୁଖଲିଠାରେ ଶିବ ଆରାଧାନା କରିଥିଲେ । ତିନିପତ୍ରି ବିଶିଷ୍ଟ ଏକ ଲକ୍ଷ ଅକ୍ଷତ ବେଲପତ୍ରରେ ଚନ୍ଦନଦ୍ୱାରା ଶିବ ପଞ୍ଚାକ୍ଷର ମନ୍ତ୍ର ଲେଖି ପୂଜା କରିବା ପରେ ଯାଇ ବିକ୍ରମଦେବ ବର୍ମାଙ୍କ ଭଳି ଜଣେ ବିଜ୍ଞ, ପଣ୍ଡିତ, ସହୃଦୟ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥିଲେ ।

 

ଜୟପୁର ରାଜବଂଶର ଶେଷ ରାଜା ଯେ ରାଜପ୍ରାସାଦରେ ଜନ୍ମ ନ ହୋଇ ରାଜ୍ୟଠାରୁ ବହୁଦୂରରେ ଅଖ୍ୟାତ ପଲ୍ଲୀରେ ଜନ୍ମ ନେବେ ଏହା ଭାଗ୍ୟର ବିପର୍ଯ୍ୟୟ ଛଡ଼ା ଆଉ କ’ଣ ହୋଇପାରେ ! ଭାଗ୍ୟର ଏହି ଖେଳ ବିକ୍ରମଦେବଙ୍କୁ ସାରାଜୀବନ ଆବୋରି ବସିବ ଏକଥା ମଧ୍ୟ ସେତେବେଳେ ଜଣା ନ ଥିଲା ।

 

ଜାତକ :

 

ବିକ୍ରମଦେବ ବର୍ମା - ଜନ୍ମ ତା. ୨୮/୦୬/୧୮୬୯

ରବିବାର, ରାତ୍ର ୨ ଘଣ୍ଟା

 

ବାଲ୍ୟଜୀବନ :

 

ରାଜପ୍ରସାଦଠାରୁ ବହୁ ଦୂରରେ ନିରାଡ଼ମ୍ବର ଜୀବନ ଆରମ୍ଭ ହୋଇଥିଲା ବିକ୍ରମଦେବଙ୍କର । ଦୁଃଖ, ଯନ୍ତ୍ରଣା, ଅଭାବ, ଅସହାୟତାକୁ ହିଁ ଆଜୀବନ ଚିର ସାଥୀରୂପେ ପାଇଲେ ବିକ୍ରମଦେବ । ତଥାପି, ବାଲ୍ୟକାଳରୁ ତୁଳସୀ ଦୁଇପତ୍ରରୁ ବାସିଲା ପରି ବିକ୍ରମଦେବଙ୍କ ଅପୂର୍ବ ପ୍ରତିଭାର ପରିଚୟ ମିଳିଲା । ତାଙ୍କର ଶିକ୍ଷାପ୍ରତି ଆଗ୍ରହ, ଶାନ୍ତ, ସରଳ ବ୍ୟବହାର ବାର୍ତ୍ତା ଦେଇଥିଲା ଭବିଷ୍ୟତର ବିକ୍ରମଦେବଙ୍କ ଚାରିତ୍ରିକ ବୈଶିଷ୍ଟ୍ୟର । ଚାରିବର୍ଷ ବୟସରେ ବିକ୍ରମଦେବ ଶିକ୍ଷାଗ୍ରହଣ କରିବା ଆରମ୍ଭ କରିଥିଲେ । ପର୍ବତାଲପେଟା ଗ୍ରାମରେ ସ୍କୁଲ୍‌ ନ ଥିବା ଯୋଗୁଁ ପ୍ରଥମେ ପିତାମାତାଙ୍କଠାରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ବିକ୍ରମଦେବଙ୍କ ଶିକ୍ଷାଗ୍ରହଣ ସକାଶେ ପିତା କୃଷ୍ଣଚନ୍ଦ୍ରଦେବ ସପରିବାର ପର୍ବତାଲପେଟା ଛାଡ଼ି ନିକଟବର୍ତ୍ତୀ ବଂଶଧାରା ନଦୀର ଅପର ପାର୍ଶ୍ୱରେ ଥିବା ନଗରୀ କଟକ ଯାଇ ଅବସ୍ଥାନ କଲେ । ସେ ସମୟରେ ଉକ୍ତ ଅଞ୍ଚଳରେ ଇଂରାଜୀ ସ୍କୁଲ୍‌ କିମ୍ବା ଓଡ଼ିଆ ଚାଟଶାଳୀ ନ ଥିଲା । ନଗରୀ କଟକେ ହିଁ ଏକ ତେଲୁଗୁ ଏଲିମେଣ୍ଟାରୀ ସ୍କୁଲ୍‌ ଥିଲା । ଓଡ଼ିଶାର ନିମ୍ନ ପ୍ରାଇମେରୀ ସ୍କୁଲ୍‌ ସହ ତାହା ସମକକ୍ଷ । ବାଳକ ବିକ୍ରମଦେବଙ୍କ ବାଲ୍ୟ ଶିକ୍ଷା ସେଠାରେ ଆରମ୍ଭ ହୋଇଥିଲା । ସେଠାରେ ସେ ତିନିବର୍ଷ ତେଲୁଗୁ ଓ ଇଂରାଜୀ ଶିକ୍ଷା ଗ୍ରହଣ କରିଥିଲେ ଏବଂ ଘରେ ପୁରୋହିତ, ଭ୍ରାତା ରଘୁନାଥଙ୍କଠାରୁ ଓଡ଼ିଆ ଶିକ୍ଷା ଗ୍ରହଣ କରୁଥିଲେ । ପ୍ରାଚୀନ ଓଡ଼ିଆ ଭାଷାର କେଶବ କୋଇଲି, କାନ୍ତକୋଇଲି, ବାରମାସୀ କୋଇଲି, କହନ୍ତି ମାଏ ଶ୍ରୀକୃଷ୍ଣ ଆଗେ, ଗୋପୀଭାଷା, ମଥୁରା ମଙ୍ଗଳ, ରାସପଞ୍ଚଧ୍ୟାୟୀ, କମଳଲୋଚନ ଚଉତିଶା ଇତ୍ୟାଦି ରଘୁନାଥଙ୍କଠାରୁ ପଢ଼ୁଥିଲେ । ତେଲୁଗୁ ଭାଷାରେ ତାଙ୍କ ଗୁରୁ ଥିଲେ ବୁଚି ରାଜୁ । ତେଲୁଗୁ ଭାଷାର ସମସ୍ତ ପାଠ୍ୟପୁସ୍ତକ ସହ ବାଳରାମାୟଣ ଓ ସଂସ୍କୃତ ଭାଷାର କୃଷ୍ଣ ଶତକ, ନୀତି ମଞ୍ଜରୀ ପ୍ରଭୃତି ଅଧ୍ୟୟନ କରିଥିଲେ । ତତ୍‌ ସହିତ ଅମରକୋଷ ଅଭିଧାନକୁ ମୁଖେ ମୁଖେ ଆବୃତ୍ତି କରିପାରୁଥିଲେ-। ସ୍କୁଲ୍‌ ପାଠ୍ୟଭାବେ ମାନ୍ଦ୍ରାଜ ଅଞ୍ଚଳରେ ପ୍ରଚଳିତ ଇଂରାଜୀ ଫାଷ୍ଟ୍‌ ଏବଂ ସେକେଣ୍ଡ୍‌ ରିଡ଼ର୍‌ ପୁସ୍ତକ ପଢ଼ିଲେ । ଏହା ବ୍ୟତୀତ ସେ ପୁରୋହିତ ଗୋବର୍ଦ୍ଧନ ଏବଂ ପିତା କୃଷ୍ଣଚନ୍ଦ୍ରଦେବଙ୍କଠାରୁ ଜ୍ୟୋତିଷ ବିଦ୍ୟା ଅଧ୍ୟୟନ କରି ଜ୍ୟୋତିଷ ବିଦ୍ୟାରେ ଅସାଧାରଣ ପାଣ୍ଡିତ୍ୟ ଅର୍ଜନ କରିଥିଲେ । ପରବର୍ତ୍ତୀ ସମୟରେ ଏହି ବିଦ୍ୟାବଳରେ ସେ ଜଣେ ପ୍ରସିଦ୍ଧ ‘ଜ୍ୟୋତିଷ ଶାସ୍ତ୍ରବେତ୍ତା’ ଆଖ୍ୟା ପାଇବା ସହ ଜଟିଳ ବିଷୟମାନ ସମାଧାନ କରି ସୁଖ୍ୟାତି ଅର୍ଜନ କରିଥିଲେ । ଏପରିକି ତାଙ୍କଠାରୁ ଉପଯୁକ୍ତ ପରାମର୍ଶ ଗ୍ରହଣ ନ କରି କୌଣସି ଜ୍ୟୋତିଷ ପାଞ୍ଜି ଲେଖିପାରୁ ନ ଥିଲେ ।

 

ବାଳକ ବିକ୍ରମଦେବଙ୍କର ସ୍ମରଣ ଶକ୍ତି ଅତି ପ୍ରଖର ଥିଲା । ମାତ୍ର ଏଥିରେ ଅଧ୍ୟୟନ କରି ଅନେକ ଗୂଢ଼ତାକୁ ଖୁବ୍‌ ସହଜରେ ମନେରଖି ପାରୁଥିଲେ । ତାଙ୍କର ଏହି ଚମତ୍କାର ସ୍ମରଣ ଶକ୍ତିରେ ଶିକ୍ଷକମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଥିଲେ । ଶିଶୁ ବିକ୍ରମଦେବଙ୍କଠାରେ ବାଲ୍ୟକାଳରେ କଦାପି ଶିଶୁସୁଲଭ ଚପଳତା ଦେଖିବାକୁ ମିଳି ନ ଥିଲା । ବାଲ୍ୟକାଳୁ ଧୀର, ଶାନ୍ତ, ସ୍ୱଳ୍ପଭାଷୀ, ବିନୟ, ସାଧୁତା ତଥା ମଧୁର ବ୍ୟବହାର ଗୁଣ ଯୋଗୁଁ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଲେ । ଏହି ସବୁ ଗୁଣ ତାଙ୍କ ଶେଷଜୀବନ ପର୍ଯ୍ୟନ୍ତ ଅବ୍ୟାହତ ରହିଲା ।

 

ମାଡ଼ଗୁଲ୍‌ ରାଜାଙ୍କୁ ପୋଷ୍ୟପୁତ୍ର / ଦତ୍ତପୁତ୍ର :

 

ମାଡ଼ଗୁଲ୍‌ ଜମିଦାରୀ ପୂର୍ବେ ନନ୍ଦପୁର ରାଜ୍ୟର ଏକ ଅଂଶ ଥିଲା । ମାଡ଼ଗୁଲ୍‌ ବିଶାଖାପଟଣ ଜିଲ୍ଲା ଅନକାପଲ୍ଲୀ ସହରଠାରୁ ମାତ୍ର ୨୨ ମାଇଲ ଦୂରରେ ଅବସ୍ଥିତ । ଶୁଣାଯାଏ, ନନ୍ଦପୁର ରାଜ୍ୟର ପ୍ରଥମ ସୂର୍ଯ୍ୟବଂଶୀ ରାଜା ବିନାୟକଦେବ କାଶ୍ମୀରରୁ ଆସିଥିବାବେଳେ ତାଙ୍କ ସହ ଜଣେ ସମ୍ପର୍କୀୟ ଭାଇ ଆସିଲେ । ବିନାୟକଦେବ ନନ୍ଦପୁର ରାଜ୍ୟର ରାଜାଙ୍କ କନ୍ୟାକୁ ବାହାହୋଇ ସେଠାରେ ରାଜା ହେଲାପରେ ନିଜ ରାଜ୍ୟର ଅଂଶବିଶେଷ ମାଡ଼ଗୁଲ୍‌ ଜମିଦାରୀକୁ ଉକ୍ତ ଭାଇଙ୍କୁ ପ୍ରଦାନ କରି ରାଜା କରାଇଲେ । ଚୋଳ ଭୂପତିଦେବ କାଶ୍ମୀର ରାଜବଂଶର ଭୂପତି ସଂଜ୍ଞାକୁ ବ୍ୟବହାର କରି ନନ୍ଦପୁର ରାଜାଙ୍କ କରଜ ବା ସାମନ୍ତ ରାଜାରୂପେ ରାଜ୍ୟ ଶାସନ କଲେ । ଏହି ବଂଶର ୨୪ ତମ ରାଜା କୃଷ୍ଣଭୂପତିଦେବ ଖ୍ରୀଷ୍ଟାବ୍ଦ ୧୮୩୨ଠାରୁ ୧୮୭୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ । ସେ ଗୁଣୁପୁର ରାଜବଂଶଜ ଦୁଇକନ୍ୟା ସୀତାପାଟ ମହାଦେଇ ଓ ନୀଳମଣିଦେବୀଙ୍କ ପାଣିଗ୍ରହଣ କରିଥିଲେ । ରାଜା କୃଷ୍ଣଭୂପତିଦେବଙ୍କର କୌଣସି ପୁତ୍ର ସନ୍ତାନ ନ ଥିଲେ । କେବଳ ନୀଳମଣିଦେବୀଙ୍କ ଗର୍ଭରୁ ଆମ୍ମୀଦେବୀ ନାମକ କନ୍ୟା ଜନ୍ମଗ୍ରହଣ କରିଥିଲେ । ଏହି ଦୁଇରାଣୀ ଥିଲେ ବିକ୍ରମଦେବଙ୍କ ପିତା କୃଷ୍ଣଚନ୍ଦ୍ରଦେବଙ୍କ ମାଉସୀ । ଅପୁତ୍ରିକ ରାଜା କୃଷ୍ଣଭୂପତି ନାତି ସମ୍ପର୍କୀୟ ବିକ୍ରମଦେବଙ୍କୁ ପୋଷ୍ୟପୁତ୍ରଭାବେ ଗ୍ରହଣ କରିଥିଲେ । ଖ୍ରୀଷ୍ଟାବ୍ଦ ୧୮୭୫ରେ କୃଷ୍ଣଭୂପତିଙ୍କ ଦେହାନ୍ତ ପରେ ତାଙ୍କ ଉଇଲ୍‌ପତ୍ର ଅନୁସାରେ ଜ୍ୟେଷ୍ଠ ରାଣୀ ସୀତାପାଟ ମହାଦେଇ ନାତି ବିକ୍ରମଦେବଙ୍କୁ ମାଡ଼ଗୁଲ୍‌ ଆଣିବାକୁ ପ୍ରସ୍ତାବ ଦେଲେ । ସେହି ପ୍ରସ୍ତାବ ଅନୁସାରେ ଖ୍ରୀଷ୍ଟାବ୍ଦ ୧୮୭୬ରେ ବିକ୍ରମଦେବ ନିଜ ପିତାମାତାଙ୍କୁ ନଗରୀ କଟକେ ଛାଡ଼ି ମାଡ଼ଗୁଲ୍‌ ରାଜପ୍ରସାଦରେ ଆସି ରହିଲେ । ଏଠାକୁ ଆସିବାର ତିନିବର୍ଷ ପରେ ତାଙ୍କ ମାତୃବିୟୋଗ ଘଟିଲା । ତେଣୁ ସେ ତାଙ୍କ ପିତାଙ୍କ ନିକଟରେ ଆସି ରହିବାକୁ ଲାଗିଲେ ।

 

ଏହି ସମୟ ମଧ୍ୟରେ କୃଷ୍ଣଭୂପତିଦେବଙ୍କ ୨ୟ ରାଣୀ ନୀଳମଣିଦେବୀ ମୃତ ରାଜା ଲେଖିଥିବା ଉଇଲପତ୍ର ଜାଲ ଓ ମିଥ୍ୟା ବୋଲି କହି ୧୮୮୧ ଖ୍ରୀଷ୍ଟାବ୍ଦରେ ଏକ ମକଦ୍ଦମା ନିମ୍ନ ଅଦାଲତରେ ଦାୟର କଲେ ।

 

ନିମ୍ନ ଅଦାଲତ ନୀଳମଣିଦେବୀଙ୍କ ସପକ୍ଷରେ ରାୟ ଦେଇ କହିଲେ ଯେ, ଉକ୍ତ ଉଇଲ୍‌ ବିଶ୍ୱାସେଯାଗ୍ୟ ନୁହେଁ । ଫଳରେ ବିକ୍ରମଦେବଙ୍କ ଦତ୍ତପତ୍ର ସର୍ତ୍ତ ବାତିଲ୍‌ ହୋଇଗଲା । ଖ୍ରୀଷ୍ଟାବ୍ଦ ୧୮୮୨ରେ ବିକ୍ରମଦେବଙ୍କ ପିତା କୃଷ୍ଣଚନ୍ଦ୍ରଦେବ ନିମ୍ନ ଅଦାଲତର ରାୟ ବିରୁଦ୍ଧରେ ମାନ୍ଦ୍ରାଜ୍‌ (ଆଧୁନିକ ଚେନ୍ନାଇ) ହାଇକାର୍ଟରେ ଅପିଲ୍‌ କରି ନିଜେ ୨ୟ ପ୍ରତିବାଦୀ (Supplement Defendant) ରୂପେ ରହିଲେ । ନିମ୍ନ ଅଦାଲତର ରାୟକୁ ରଦ୍ଦକରି ରାଜା କୃଷ୍ଣଭୂପତିଙ୍କ ଉଇଲ୍‌ ସତ୍ୟବୋଲି ୧୮୮୪ ଖ୍ରୀଷ୍ଟାବ୍ଦରେ ହାଇକୋର୍ଟ ରାୟ ଦେଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଏହି ରାୟ ଘୋଷଣା ହେବାର କିଛିଦିନ ପୂର୍ବରୁ କୃଷ୍ଣଚନ୍ଦ୍ରଦେବ ଇହଧାମ ତ୍ୟାଗ କରିଥିଲେ । ପୂର୍ବରୁ ୯ ବର୍ଷ ବୟସରେ ମାତାଙ୍କୁ ହରାଇଥିବା ବିକ୍ରମଦେବ ୧୫ ବର୍ଷରେ ପିତାଙ୍କୁ ହରାଇ ଏକାବେଳେକ ଆଶ୍ରୟଶୂନ୍ୟ ହୋଇଗଲେ । ଏହାର ଦୁଇବର୍ଷ ପୂର୍ବରୁ ବଡ଼ ଭଉଣୀ ସୁବର୍ଣ୍ଣଦେବୀଙ୍କର ମଧ୍ୟ ଆକସ୍ମିକ ମୃତ୍ୟୁ ଘଟିଲା । ୧୮୮୧ ଖ୍ରୀଷ୍ଟାବ୍ଦରେ ପାରଳାଖେମୁଣ୍ଡିର ମହାରାଜା ଗୌରଚନ୍ଦ୍ର ଗଜପତିଙ୍କ ସହ ତାଙ୍କର ବିବାହ ହୋଇଥିଲା । ଶୁଣାଯାଏ ଯେ, ତାଙ୍କର ଏ ମୃତ୍ୟୁ ପଛରେ ଏକ ବିରାଟ ଷଡ଼ଯନ୍ତ୍ର ଥିଲା । ଏ ସକାଶେ ରାଜପରିବାରର କେତେଜଣ ଦଣ୍ଡିତ ମଧ୍ୟ ହୋଇଥିଲେ । ନିଜ ପରିବାରର ସମସ୍ତ ଅନ୍ତରଙ୍ଗ ସଦସ୍ୟଙ୍କୁ ମାତ୍ର ୫ ବର୍ଷ ମଧ୍ୟରେ ହରାଇବା ପରେ ତାଙ୍କର ନିଜର ବୋଲି ଆଉ କେହି ନ ଥିଲେ । କିଶୋର ବୟସରେ ଏହିଭଳି ଦାରୁଣ ଦୁଃଖକୁ ସେ ସାମନା କରି ସଂପୂର୍ଣ୍ଣ ଭାଙ୍ଗିପଡ଼ିଲେ ।

 

୧୮୮୪ ଖ୍ରୀଷ୍ଟାବ୍ଦରେ ହାଇକୋର୍ଟ ରାୟ ପ୍ରକାଶ ପାଇବା ପରେ ସେ ପୁଣି ମାଡ଼ଗୁଲରେ ଯାଇ ରହିଲେ । କିନ୍ତୁ ସେତେବେଳ ଯାଏଁ ସେ ନାବାଳକ ଥିବା ଯୋଗୁଁ ମାଡ଼ଗୁଲ ରାଜ୍ୟ କୋର୍ଟ ଅଫ୍‍ ୱାର୍ଡସ୍‌ ଅଧିନରେ ରହିଲା । ସେହି ସମୟରେ ବିକ୍ରମଦେବ ମାନ୍ଦ୍ରାଜ୍‌ ସିଭିଲ୍‌ ସର୍ଭିସ୍‌ ଅଫିସର୍‌ ଜେ. ଏସ୍‌. ବ୍ୟାର୍ଡସ୍‌ଙ୍କ ତତ୍ୱାବଧାନରେ ମାଡ଼ଗୁଲ୍‌ରୁ ବିଶାଖାପଟଣରେ ଆସି ରହିଲେ । ସେଠାରେ ସେ ଜେ.ଏସ୍‌. ବ୍ୟାର୍ଡ଼ସ୍‌ ସାହେବଙ୍କଠାରୁ ୧୮ ମାସ ଇଂରାଜୀ ଶିକ୍ଷା ଲାଭ କରିଥିଲେ ଏବଂ ନିଜ ଉଦ୍ୟମରେ ସଂସ୍କୃତ ମଧ୍ୟ ପଢ଼ିବାକୁ ଆରମ୍ଭ କରିଥିଲେ ।

 

ତଥାପି ବିକ୍ରମଦେବଙ୍କ ପରୀକ୍ଷାର ବେଳ ସରି ନ ଥିଲା । ୧୮୮୫ ଖ୍ରୀଷ୍ଟାବ୍ଦରେ କୃଷ୍ଣଭୂପତିଦେବଙ୍କ ୨ୟ ରାଣୀ ନୀଳମଣିଦେବୀଙ୍କ ଜାମାତା ବିଶ୍ୱମ୍ବର ଦେବଙ୍କ ପ୍ରରୋଚନାରେ ପୁଣିଥରେ ପୋଷ୍ୟପୁତ୍ର ବିରୁଦ୍ଧରେ ଇଂଲଣ୍ଡର ପ୍ରିଭିକାଉନ୍‌ସିଲ୍‌ରେ ମକଦ୍ଦମା ଦାୟର କଲେ । ନୀଳମଣିଦେବୀ ତାଙ୍କ ଏକମାତ୍ର କନ୍ୟା ଆମ୍ମୀଦେବୀଙ୍କ ବିବାହ ଜୟପୁର ରାଜବଂଶଜ ୩ୟ ରାମଚନ୍ଦ୍ରଦେବଙ୍କ ଭାଇ ବିଶ୍ୱମ୍ବରଦେବ (ବିକ୍ରମଦେବଙ୍କ ଦାଦା)ଙ୍କ ସହ କରିଥିଲେ । ଜାମାତା ବିଶ୍ୱମ୍ବରଦେବ ଚାହୁଁ ନ ଥିଲେ ବିକ୍ରମଦେବ ଉକ୍ତ ରାଜ୍ୟର ଉତ୍ତରାଧକାରୀ ହୁଅନ୍ତୁ ବୋଲି । ତେଣୁ ବିଶ୍ୱମ୍ବରଦେବ ଅପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରି ଏହି ମକଦ୍ଦମା କରିବାକୁ ନୀଳମଣୀଦେବୀଙ୍କୁ ଉତ୍ସାହିତ କରିଥିଲେ । ମକଦ୍ଦମା ଦାୟର ଫଳରେ ପ୍ରିଭିକାଉନ୍‌ସିଲ ମାନ୍ଦ୍ରାଜ୍‌ ହାଇକୋର୍ଟ ରାୟକୁ ବାତିଲ୍‌ କରି ନିମ୍ନ ଅଦାଲତର ରାୟକୁ ଗ୍ରହଣ କରିଥିଲେ । ଫଳତଃ ଚିରଦିନ ପାଇଁ ମାଡ଼ଗୁଲର ପୋଷ୍ୟପୁତ୍ର ହେବାର ସମସ୍ତ ଦ୍ୱାର ବନ୍ଦ ହୋଇଗଲା । ବିକ୍ରମଦେବ ପୁଣି ସଙ୍କଟରେ ପଡ଼ିଗଲେ । ପ୍ରିଭିକାଉନ୍‌ସିଲ୍‌ ରାୟ ପ୍ରକାଶିତ ହେବା ପୂର୍ବରୁ ନୀଳମଣିଦେବୀ ଇହଧାମ ତ୍ୟାଗ କରିଥିଲେ । ତେଣୁ କୋର୍ଟ ଅଫ୍‍ ୱାର୍ଡସ୍‌ ମାଡ଼ଗୁଲ୍‌ ରାଜ୍ୟକୁ ପୁଣି ସୀତା ପାଟମହାଦେବୀଙ୍କୁ ଅର୍ପଣ କଲେ ।

 

ପ୍ରିଭିକାଉନ୍‌ସିଲ୍‌ ରାୟ ପ୍ରକାଶ ପରେ ବିକ୍ରମଦେବଙ୍କ ଆର୍ଥିକସ୍ଥିତି ଅତିଶୋଚନୀୟ ହୋଇପଡ଼ିଲା । ତେଣୁ ସେ ତତ୍‌କାଳୀନ ଜୟପୁର ମହାରାଜା ୩ୟ ରାମଚନ୍ଦ୍ରଦେବଙ୍କଠାରୁ ମାସିକ ବୃତ୍ତି ଯାହା ପାଉଥିଲେ ୧୮୮୯ ଖ୍ରୀଷ୍ଟାବ୍ଦରେ ତାଙ୍କ ମୃତ୍ୟୁ ପରେ ସେହି ବୃତ୍ତି ମଧ୍ୟ ବନ୍ଦ ହୋଇଯାଇଥିଲା । ମାଡ଼ଗୁଲରୁ ସହାୟତା ଜନିତ ସମସ୍ତ ଆଶା ଶେଷ ହୋଇଗଲା । ଏପଟେ ଜୟପୁରରୁ କୌଣସି ସାହାଯ୍ୟ ମିଳୁ ନ ଥିଲା । ବିକ୍ରମଦେବ ଏହି ସମୟରେ ସମ୍ପୂର୍ଣ୍ଣ ନିଃସ୍ୱ ହୋଇ ଅଭାବ ଅନଟନରେ ବଞ୍ଚବା ପାଇଁ ସଂଗ୍ରାମ କରୁଥିଲେ । ଏହି ଦୁଃଖ ଦୈନ୍ୟ ଅଭାବ ଅନଟନ ଭିତରେ ସେ ଜୀବନକୁ ଚିହ୍ନିବା ଆରମ୍ଭ କରିଲେ । ଏହି ସମୟରେ ତାଙ୍କର ଦେଶ ସେବା ଓ ସାହିତ୍ୟ ସାଧନା ପ୍ରତି ତାଙ୍କ ମନ ବଳିଲା ।

 

ବିକ୍ରମଦେବ ଜୟପୁର ରାଜବଂଶର ସନ୍ତାନ ହୋଇଥିଲେ ସୁଦ୍ଧା ସେ କେବେ ମଧ୍ୟ ଜୟପୁର ମାଟି ମାଡ଼ି ନ ଥିଲେ । ତେଣୁ ରାଜପରିବାରର କୌଣସି ବ୍ୟକ୍ତିଙ୍କ ସହ ତାଙ୍କର ସମ୍ପର୍କ କିମ୍ବା ପରିଚୟ ନ ଥିଲା । ମହାରାଜା ରାମଚନ୍ଦ୍ରଦେବ (୩ୟ)ଙ୍କ ମୃତ୍ୟୁପରେ ସେ ପ୍ରଥମ ଥର ପାଇଁ ୧୮୮୯ ଖ୍ରୀଷ୍ଟାବ୍ଦରେ ଜୟପୁର ଗଲେ । ତାଙ୍କ ଉଦ୍ଦେଶ୍ୟ ଥିଲା ବିଧବା ବଡ଼ମାଆ ଓ ନାବାଳକ ଭାଇ ବିକ୍ରମଦେବ (୩ୟ)ଙ୍କୁ ଦେଖା କରି ସମବେଦନା ଜଣାଇବା । ଜୟପୁର ପହଞ୍ଚବା ପରେ ଜାଣିଲେ ଯେ, ବିକ୍ରମଦେବ (୩ୟ) ନାବଳକ ଥିବା ଯୋଗୁଁ ବର୍ତ୍ତମାନ ଜୟପୁର ରାଜ୍ୟ କୋର୍ଟ ଅଫ୍‍ ୱାର୍ଡ଼ସ୍‌ ଅଧନରେ ରହିଛି । ଭାଇ ବିକ୍ରମଦେବ (୩ୟ)ଙ୍କ ସହ ନାମଗତ ସାମଞ୍ଜସ୍ୟ ଥିବା ଯୋଗୁଁ ବିକ୍ରମଦେବ ନିଜ ନାମର ସ୍ୱତନ୍ତ୍ରତା ସକାଶେ ‘ବର୍ମା’ ସଂଜ୍ଞା ଗ୍ରହଣ କରିଥିଲେ । ଜୟପୁର ପହଞ୍ଚିବା ପରେ ବିକ୍ରମଦେବ ନିଜ ବଂଶଜମାନଙ୍କୁ ଦେଖି ବିହ୍ୱଳିତ ହୋଇପଡ଼ିଲେ । ପୁଣି ଜୟପୁରର ଅପରୂପ ପ୍ରକୃତି ଦର୍ଶନରେ ଆତ୍ମହରା ହୋଇପଡ଼ିଲେ । ଏଠାକୁ ଆସିବା ପରେ ବିକ୍ରମଦେବ ବର୍ମାଙ୍କ ଅବସ୍ଥା ଦେଖି ତତ୍‌କାଳୀନ ୱାର୍ଡସ୍‌ ଏଜେଣ୍ଟ ଟେଲର୍‌ ସାହେବ ମାସିକ ୩୫୦ ଟଙ୍କା ବୃତ୍ତି ମଞ୍ଜୁର କରିଥିଲେ । ସେଥିରେ ତାଙ୍କର କିଛି ପରିମାଣରେ ଆର୍ଥିକ ସଙ୍କଟ ଟଳିଯାଇଥିଲା । ଜୟପୁରରେ କିଛିଦିନ ଅବସ୍ଥାନ କରି ବିକ୍ରମଦେବ ପୁଣିଥରେ ବିଶାଖାପଟଣ ଫେରିଆସିଲେ । ଜୟପୁର ରାଜପରିବାର ସଦସ୍ୟଙ୍କୁ ନିଜର ସମ୍ପର୍କୀୟ ବୋଲି ସେ ଜୟପୁର ଯାଇଥିଲେ । କିନ୍ତୁ ସେମାନଙ୍କଠାରୁ ସେପରି କିଛି ଆତ୍ମୀୟତା ପାଇ ନ ଥିଲେ । ସମ୍ପର୍କର ପୁନଃସ୍ଥାପନା ପାଇଁ ଯାଇଥିବା ବିକ୍ରମଦେବ ସେଠାରୁ ଫେରିଲେ ଶତ୍ରୁତା ଆଚରଣର ସୂଚନା ନେଇ ।

 

ବ୍ରତ :

 

ଜୟପୁରରୁ ତିକ୍ତ ଅନୁଭୂତି ନେଇ ଫେରିବା ପରେ ୧୮୯୨ ଖ୍ରୀଷ୍ଟାବ୍ଦରେ ମାଡ଼ଗୁଲରେ ବିକ୍ରମଦେବ ବର୍ମାଙ୍କର ବ୍ରତୋପନୟନ ହୋଇଥିଲା । ଇତି ମଧ୍ୟରେ ସେ ଯୁବକ ହୋଇଯାଇଥିଲେ ସୁଦ୍ଧା ନିଜର କେହି ଗୁରୁଜନ ନ ଥିବା ଯୋଗୁଁ ବ୍ରତୋପନୟନ ହୋଇପାରି ନ ଥିଲେ । ଏହି ଉତ୍ସବର ସମସ୍ତ ଖର୍ଚ୍ଚ ମାଡ଼ଗୁଲ ରାଜ୍ୟର ଦାୟିତ୍ୱରେ ଥିବା ଆମ୍ମିଦେବୀଙ୍କ କନ୍ୟା ରାଜେନ୍ଦ୍ରମଣିଦେବୀ କରିଥିଲେ । ଏହି ବ୍ରତ ଭୋଜିରେ ମାଂସ ରାନ୍ଧିବା ପାଇଁ ବହୁ ପଶୁପକ୍ଷୀଙ୍କୁ ରଖାଯାଇଥିଲା । ଉକ୍ତ ପଶୁପକ୍ଷୀଙ୍କୁ ଦେଖି ସରଳ, ଅହିଂସାପ୍ରେମୀ ବିକ୍ରମଦେବ ସେମାନଙ୍କୁ ପ୍ରଥମେ ମୁକ୍ତ କଲେ ଯାଇ ବ୍ରତ କାର୍ଯ୍ୟ ହେବ ବୋଲି ଜିଦ୍‌ ଧରି ବସିଲେ । ଫଳରେ ନିରାମିଷ ଭୋଜି ପରେ ସେ ବ୍ରତଧାରଣ କରିଥିଲେ । ବ୍ରତୋପନୟନ ପରେ ବିକ୍ରମଦେବ ବିଶାଖାପଟଣ ଫେରିଲେ ।

 

ବିବାହ :

 

ଜୟପୁର ରାଜ୍ୟ ଅନ୍ତର୍ଗତ ଏକ କରଦ ରାଜ୍ୟ ଥିଲା ନବରଙ୍ଗପୁର । ସେହି ରାଜ୍ୟର ରାଜା ଥିଲେ ଚୈତନ୍ୟଦେବ । ୧୮୭୬ ଖ୍ରୀଷ୍ଟାବ୍ଦରେ ତାଙ୍କ ମୃତ୍ୟୁପରେ ତାଙ୍କର ଦୁଇ ରାଣୀ ରାଜ୍ୟର ଦାୟିତ୍ୱ ନେଇଥିଲେ । କିନ୍ତୁ ତତ୍‌କାଳୀନ ଜୟପୁର ରାଜା ବିକ୍ରମଦେବ (୩ୟ) ୧୮୯୬ ଖ୍ରୀଷ୍ଟାବ୍ଦରେ ରାଣୀମାନଙ୍କୁ ହଟେଇ ଉକ୍ତ କରଦ ରାଜ୍ୟକୁ ନିଜ ରାଜ୍ୟର ଅନ୍ତର୍ଭୁକ୍ତ କରିଦେଲେ । ଅବଶ୍ୟ ପରେ ରାଣୀମାନେ ଅଦାଲତର ଆଶ୍ରୟ ନେଇ ୧୯୦୦ ଖ୍ରୀଷ୍ଟାବ୍ଦରେ ରାଜ୍ୟ ଫେରିପାଇଲେ । କିନ୍ତୁ ରାଜା ବିକ୍ରମଦେବ (୩ୟ)ଙ୍କ ସହ ରାଣୀମାନଙ୍କ ମନାନ୍ତର ଘଟିଲା । ଇତି ମଧ୍ୟରେ ବଡ଼ରାଣୀଙ୍କ ମୃତ୍ୟୁ ଘଟିବା ଯୋଗୁଁ ସାନରାଣୀ ରାଜ୍ୟ ପରିଚାଳନା କଲେ । ବିକ୍ରମଦେବ ବର୍ମାଙ୍କ ଦୂରବସ୍ଥା ଦେଖି ସାନରାଣୀ ନିଜ ତରଫରୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ । ସାନରାଣୀ ଥିଲେ ବଲାଙ୍ଗୀର ରାଜ ପରିବାରର କନ୍ୟା । ସେ ତାଙ୍କ ପୁତୁରା (ଭାଇଙ୍କ ପୁତ୍ର) ନିରାକାର ସିଂହଦେବଙ୍କ ଝିଅ ହୀରାଦେବୀଙ୍କ ବିବାହ ବିକ୍ରମଦେବ ବର୍ମାଙ୍କ ସହ କରିବାକୁ ଚାହୁଁଥିଲେ । ନବରଙ୍ଗପୁର ରାଣୀଙ୍କ ସହ ରାଜା ବିକ୍ରମଦେବ (୩ୟ)ଙ୍କ ଶତ୍ରୁତା ଥିବା ଯୋଗୁଁ ସେ ଏହି ବିବାହକୁ ପ୍ରବଳ ବିରୋଧ କଲେ । ତଥାପି ସମସ୍ତ ବିରୋଧ ସତ୍ତ୍ୱେ ୧୯୦୮ ଖ୍ରୀଷ୍ଟାବ୍ଦରେ ନବରଙ୍ଗପୁର ରାଜପ୍ରାସାଦରେ ହିଁ ବିକ୍ରମଦେବଙ୍କ ବିବାହ ହୀରାଦେବୀଙ୍କ ସହ ସମ୍ପନ୍ନ ହେଲା । ଏହି ବିବାହ ଉତ୍ସବର ସମସ୍ତ ଅର୍ଥବ୍ୟୟ କରିଥିଲେ ନବରଙ୍ଗପୁରର ସାନରାଣୀ ।

 

ବିବାହ ଶେଷ ହେଲା । ବିକ୍ରମଦେବ ବର୍ମା ଯାଇ ରହିଲେ ବିଶାଖପାଟଣାରେ । କିନ୍ତୁ ଶେଷ ହେଲା ନାହିଁ ପ୍ରତିଶୋଧ । ବିବାହପୂର୍ବରୁ ବିକ୍ରମଦେବ (୩ୟ) ତାଙ୍କ କଥାକୁ ଅବମାନନା କରି ବିବାହ କଲେ ମାସିକ ଭତ୍ତା ଟ୩୫୦ /- ବନ୍ଦ କରିଦେବ ବୋଲି ଧମକ ଦେଇଥିଲେ । ବର୍ତ୍ତମାନ ସେ ପ୍ରତିଶୋଧ ନେବାକୁ ଯାଇ ସେହି ଧମକକୁ କାର୍ଯ୍ୟକାରୀ କରିନେଲେ । ଏହି ବୃତ୍ତି ବନ୍ଦ ବିରୁଦ୍ଧରେ ବିକ୍ରମଦେବ ମାସିକ ଟ ୮୦୦ ଟଙ୍କା ଦାବୀ କରି ଜୟପୁରର ସରକାରୀ ଏଜେଣ୍ଟ୍‌ଙ୍କଠାରେ ୧୯୦୯ ଖ୍ରୀଷ୍ଟାବ୍ଦରେ ଅଭିଯୋଗ କଲେ । ତାହା ଏଜେଣ୍ଟଙ୍କଦ୍ୱାରା ମଞ୍ଜୁର ହେଲା କିନ୍ତୁ ଏହି ମଞ୍ଜୁରୀ ବିରୋଧରେ ଜୟପୁର ରାଜା ମାନ୍ଦ୍ରାଜ ହାଇକୋର୍ଟରେ ଅପିଲ୍‌ କଲେ । ହାଇକୋର୍ଟ ବିଚାରରେ ବିକ୍ରମଦେବ ବର୍ମାଙ୍କର ଜୟ ହେଲା । ତେଣୁ ରାଜା ବିକ୍ରମଦେବ (୩ୟ) ହାଇକୋର୍ଟ ରାୟ ବିରୁଦ୍ଧରେ ପୁଣି ବିଲାତ ପ୍ରିଭିକାଉନ୍‌ସିଲ୍‌ରେ ଅପିଲ୍‌ କଲେ । ଏହି ମୋକଦ୍ଦମା ୧୯୦୯ ଖ୍ରୀଷ୍ଟାବ୍ଦରୁ ୧୯୨୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଚାଲିଲା ।

 

ମାସିକ ବୃତ୍ତି ବନ୍ଦ ହୋଇଯିବାପରେ ବିଶାଖାପଟଣ ଭଳି ଜାଗାରେ ଚଳିବାରେ କଷ୍ଟ ହୋଇପଡ଼ିଲା । ଗୋଟିଏ ପଟେ ପରିବାର ଭରଣପୋଷଣ ପୁଣି ଅପର ପଟେ ମକଦ୍ଦମା ଲଢ଼ିବା ସକାଶେ ଅର୍ଥର ଆବଶ୍ୟକତା - ବିକ୍ରମଦେବଙ୍କୁ ଆର୍ଥିକ ସଙ୍କଟର ଚରମ ସୀମାରେ ପହଞ୍ଚାଇ ଦେଇଥିଲା । ଆର୍ଥିକ ସାହାଯ୍ୟଭାବେ ଥିଲା ନବରଙ୍ଗପୁର ରାଣୀଙ୍କ ସାମାନ୍ୟ ଅର୍ଥ ସାହାଯ୍ୟ । ୧୯୦୮ ଖ୍ରୀଷ୍ଟାବ୍ଦରେ ମାନ୍ଦ୍ରାଜ୍‌ ବିଶ୍ୱବିଦ୍ୟାଳୟ ତାଙ୍କର ତିନୋଟି ତେଲୁଗୁ ପୁସ୍ତକ ଶ୍ରୀନିବାସ କଲ୍ୟାଣମ୍‍, ନାଗାର୍ଜୁନ ଚରିତମ୍‍ ଓ ମାନବତୀ ଚରିତମ୍‍ ଏଫ୍‍‌.ଏ, ବି.ଏ. ଏବଂ ଏମ୍‍.ଏ ଶ୍ରେଣୀ ସକାଶେ ମନୋନୀତ କଲେ । ଉକ୍ତ ବହିଗୁଡ଼ିକରୁ ରୟାଲିଟି ଆକାରରେ କିଛି ଅର୍ଥ ପାଇଲେ ।

 

୧୯୨୦ ଖ୍ରୀଷ୍ଟାବ୍ଦରେ ଜୟପୁର ମହାରାଜା ବିକ୍ରମଦେବ (୩ୟ) ତୀର୍ଥଯାତ୍ରା କରିବାକୁ ଯାଇ ଆଉ ଫେରି ନ ଥିଲେ । ପ୍ରୟାଗଠାରେ ହିଁ ତାଙ୍କର ମୃତ୍ୟୁ ଘଟିଲା । ତାଙ୍କ ପରେ ତାଙ୍କ ପୁତ୍ର ରାମଚନ୍ଦ୍ରଦେବ (୪ର୍ଥ) ଜୟପୁରରେ ରାଜା ହେଲେ । ସେ ରାଜା ହେବା ପୂର୍ବରୁ ବିଶାଖାପଟଣରେ ଅବସ୍ଥାନ କରୁଥିବା ବିକ୍ରମଦେବଙ୍କ ସୁନାମ ଓ ଖ୍ୟାତି ସମ୍ପର୍କରେ ଅବଗତ ଥିଲେ । ସେହି ସମୟବେଳକୁ ବିକ୍ରମଦେବ ବର୍ମାଙ୍କ ଅନେକଗୁଡ଼ିଏ ପୁସ୍ତକ ପ୍ରକାଶିତ ହୋଇ ମାନ୍ଦ୍ରାଜ୍‌ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇ ସାରିଥିଲା । ତେଲୁଗୁ ପାଠ୍ୟପୁସ୍ତକ ନିର୍ବାଚନ କମିଟିର ସଭ୍ୟ, ବିଶାଖାପଟଣର ଅବୈତନିକ ମାଜିଷ୍ଟ୍ରେଟ୍‌ ତଥା ଉତ୍କଳସମ୍ମିଳନୀର ସଭାପତି ଏବଂ ବିଶାଖାପଟଣର ଓଡ଼ିଆ ସମାଜର ସଂଗଠକ ଇତ୍ୟାଦି ବିଭିନ୍ନନ୍ନ ପଦପଦବୀରେ ଅଧିଷ୍ଠିତ ହୋଇ ସାରିଥିଲେ । ତେଣୁ ରାମଚନ୍ଦ୍ରଦେବ (୪ର୍ଥ) ରାଜସିଂହାସନ ଆରୋହଣ କରିବା ପରେ ପ୍ରଥମେ ବିକ୍ରମଦେବ ବର୍ମାଙ୍କ ସହ ସମ୍ପର୍କ ସ୍ଥାପନ କରି ଜୟପୁର ଆସି ଅବସ୍ଥାନ କରିବା ପାଇଁ ଅନୁରୋଧ କରିଥିଲେ ।

 

ନିଜର ପୁତୁରା ତଥା ଜୟପୁର ରାଜା ରାମଚନ୍ଦ୍ରଦେବ (୪ର୍ଥ)ଙ୍କ ଅନୁରୋଧ ରକ୍ଷାକରି ବିକ୍ରମଦେବ ଜୟପୁର ଆସି ପହଞ୍ଚିଲେ । ଜୟପୁର ପହଞ୍ଚିଲା ପରେ ଯୁବରାଜ ଭାଇ ରାମଚନ୍ଦ୍ରଦେବ (୪ର୍ଥ)ଙ୍କ ଭକ୍ତି, ସମ୍ମାନ ଓ ବ୍ୟବହାରରେ ତୃପ୍ତ ହୋଇ ମାସିକ ଭତ୍ତା ପାଇଁ ସେ କରିଥିବା ମକଦ୍ଦମା ପ୍ରିଭିକାଉନ୍‌ସିଲ୍‌ରୁ ପ୍ରତ୍ୟାହାର କରି ନେଇଥିଲେ । ମକଦ୍ଦମାରେ ଯଦି ବିକ୍ରମଦେବ ବର୍ମା ଜୟଯୁକ୍ତ ହୋଇଥାନ୍ତେ ତେବ ୧୧ ବର୍ଷ (୧୯୦୯ଠାରୁ ୧୯୨୦)ର ବେକୟା ମାସିକ ୨୦୦୦ ଟଙ୍କା ଭତ୍ତା ଓ କିଛି ଭୂସମ୍ପତ୍ତି ପ୍ରାପ୍ତ ହୋଇଥାନ୍ତେ । କିନ୍ତୁ ସେ ସବୁରେ ସେ ଆସକ୍ତ ନ ହୋଇ ପୁତୁରାର ଭକ୍ତି ଏବଂ ସମ୍ମାନବୋଧ ପ୍ରଦର୍ଶନରେ ପ୍ରୀତ ହୋଇ ପୂର୍ବ ବିବାଦର ପରିସମାପ୍ତି ଘଟାଇଲେ । ଅନ୍ୟପକ୍ଷରେ ରାମଚନ୍ଦ୍ରଦେବ ବିକ୍ରମଦେବଙ୍କୁ ଖ୍ରୀଷ୍ଟାବ୍ଦ ୧୯୯୦ଠାରୁ ମାସିକ ଏକ ହଜାର ଟଙ୍କା ଭତ୍ତା ଦେଇଥିଲେ ।

 

ବିଶାଖାପଟଣ ଛାଡ଼ି ସବୁଦିନ ପାଇଁ ଜୟପୁର ରାଜନଅରରେ ଆସି ରହିବାକୁ ରାମଚନ୍ଦ୍ରଦେବ ବିକ୍ରମଦେବଙ୍କୁ ଅନୁରୋଧ କରିଥିଲେ । କାରଣ ସେ ଜାଣିଲେ ବିକ୍ରମଦେବଙ୍କ ଭଳି ବିଦ୍ୱାନ, ଜୟପୁରଠାରେ ରହିଲେ ତାଙ୍କର ସମ୍ମାନ, ମର୍ଯ୍ୟାଦା ବଢ଼ିବ । କିନ୍ତୁ ବିଶାଖାପଟଣରେ ଦୀର୍ଘ ୩୫ ବର୍ଷ ରହି ବିକ୍ରମଦେବ ଯେଉଁ ସାହିତ୍ୟିକ ପରିବେଶ, ଅନୁଷ୍ଠାନଗୁଡ଼ିକୁ ତିଆରି କରିଥିଲେ ତଥା ଉଭୟ ଓଡ଼ିଆ ଏବଂ ଆନ୍ଧ୍ର ସଂସ୍କୃତିର ସମନ୍ୱୟ ପାଇଁ ଯେଉଁଭଳି ପଦେକ୍ଷପ ନେଇଥିଲେ ସେ ସବୁକୁ ଅଧାକରି ଛାଡ଼ି ଆସିପାରି ନ ଥିଲେ । ବିଶାଖାପଟଣ ଫେରିଲା ପରେ ଅବଶ୍ୟ ସର୍ବଦା ଜୟପୁର ସହିତ ଯୋଗାଯୋଗ ରକ୍ଷା କରୁଥିଲେ ।

 

ପାରିବାରିକ ଜୀବନ :

 

ବାଲ୍ୟକାଳରୁ ସୁଖର ସ୍ୱାଦ ପାଇ ନ ଥିବା ବିକ୍ରମଦେବ ଅଳ୍ପ ବୟସରୁ ପିତା ମାତା ତଥା ଏକମାତ୍ର ଭଉଣୀକୁ ହରାଇ ଥିଲେ । ମାଡ଼ଗୁଲ ରାଜ୍ୟର ପୋଷ୍ୟପୁତ୍ର ହେବାକୁ ନେଇ ଅନେକ ଝଡ଼ ଝଞ୍ଜା ଉଠିଲା, ମକଦ୍ଦମା ହେଲା । କିନ୍ତୁ ସେଠାରେ ପୋଷ୍ୟପୁତ୍ର ହୋଇପାରିଲେ ନାହିଁ । ନିରାଶ୍ରୟ ହୋଇ ନିଜ ଚେଷ୍ଟାରେ ବଞ୍ଚିବାକୁ ଚେଷ୍ଟା କରିଥିଲେ ସେ । ଜୟପୁର ରାଜପରିବାରଠାରୁ ଯାହାକିଛି ବୃତ୍ତି ପାଉଥିଲେ, ଜୟପୁର ରାଜା ବିକ୍ରମଦେବ (୩ୟ)ଙ୍କ ଅନିଚ୍ଛାରେ ବିବାହ କରିବା ଯୋଗୁଁ ସେହି ମାସିକ ବୃତ୍ତି ମଧ୍ୟ ବନ୍ଦ ହୋଇଗଲା । ବିବାହ ପରେ ବିଶାଖାପଟଣରେ ପରିବାର ଭରଣ ପୋଷଣ ସାଙ୍ଗକୁ ଜୟପୁର ରାଜ୍ୟରୁ ବୃତ୍ତି ପାଇବା ପାଇଁ ମକଦ୍ଦମା ସକାଶେ ଅର୍ଥ ପର୍ଯ୍ୟାପ୍ତ ଆବଶ୍ୟକତା ରହିଲା । ନବରଙ୍ଗପୁର ରାଣୀଙ୍କ ସାମାନ୍ୟ ଅର୍ଥ ସାହାଯ୍ୟ ଏହି ଅଭାବକୁ ଦୂର କରିପାରୁ ନ ଥିଲା । ତଥାପି ବିକ୍ରମଦେବ ଭାଙ୍ଗି ପଡ଼ି ନ ଥିଲେ । ଇତିମଧ୍ୟରେ ତାଙ୍କ ଲିଖିତ କିଛି ପୁସ୍ତକ ମାନ୍ଦ୍ରାଜ୍‌ ବିଶ୍ୱବିଦ୍ୟାଳୟର ପାଠ୍ୟପୁସ୍ତକ ପାଇଁ ମନୋନୀତ ହୋଇଥିଲା । ସେଥିରୁ ମଧ୍ୟ କିଛି ଅର୍ଥ ରୟାଲିଟି ଆକାରରେ ପାଉଥିଲେ ।

 

ସୌଭାଗ୍ୟକ୍ରମେ ବିକ୍ରମଦେବ (୩ୟ)ଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ରାମଚନ୍ଦ୍ରଦେବ (୪ର୍ଥ) ଜୟପୁରର ରାଜା ହେବାପରେ ବିକ୍ରମଦେବଙ୍କ ସହ ତାଙ୍କ ସୁସମ୍ପର୍କ ଯୋଗୁଁ ବହୁଦିନରୁ ଚାଲିଆସୁଥିବା ବିବାଦର ଅନ୍ତ ହୋଇ ଜୟପୁର ରାଜପରିବାର ସହ ସୁସମ୍ପର୍କ ସ୍ଥାପନ ହୋଇପାରିଲା । ବିକ୍ରମଦେବ ବର୍ମା ବୃତ୍ତି ପ୍ରାପ୍ତି ସକାଶେ ପ୍ରିଭିକାଉନ୍‌ସିଲ୍‌ରେ କରିବା ମକଦ୍ଦମାକୁ ପ୍ରତ୍ୟାହାର କରିବା ପରେ ରାମଚନ୍ଦ୍ରଦେବ (୪ର୍ଥ) ତାଙ୍କୁ ମାସିକ ଟ. ୧୦୦୦ ଙ୍କା. ପ୍ରଦାନ କରିଥିଲେ ।

 

ରାଜା ରାମଚନ୍ଦ୍ରଦେବଙ୍କ ସହ ସୁସମ୍ପର୍କ ସ୍ଥାପନ ଫଳରେ ପାରିବାରିକ ଅଶାନ୍ତିରୁ ମୁକ୍ତି ପାଇଲେ ବିକ୍ରମଦେବ ବର୍ମା । ପୁଣି ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ କିଛି ପରିମାଣରେ ଆଶ୍ୱସ୍ତ ହୋଇ ଉଠିଲେ । ଦୀର୍ଘ ଅର୍ଦ୍ଧଶତାବ୍ଦୀ (୫୨ବର୍ଷ)ର ଅଭାବ, ଅନଟନ, ଦୁଃଖ, ଦୁର୍ଦ୍ଦଶା ମାନସିକ ଅଶାନ୍ତିର ଅନ୍ତ ଘଟିବାକୁ ଆରମ୍ଭ କଲା ।

 

ଇତି ମଧ୍ୟରେ ବାହାଘରର ଦୁଇବର୍ଷ ପରେ ଅର୍ଥାତ୍‌ ୧୯୧୦ ଖ୍ରୀଷ୍ଟାବ୍ଦରେ ବିକ୍ରମଦେବଙ୍କର ଏକ କନ୍ୟା ସନ୍ତାନ ଜନ୍ମଲାଭ କଲା । ବିକ୍ରମଦେବ କନ୍ୟାଟିର ନାମ ରଖଲେ ‘ମଣିଦେବୀ’ । ମାତା ରେଖାଦେବୀ ଜଣେ ବିଦୂଷୀ ନାରୀ ଥିଲେ । ବାଲ୍ୟକାଳରୁ ମଣିଦେବୀଙ୍କୁ ଶାସ୍ତ୍ରନିପୂଣା କରିଥିଲେ । ପୁଣି ପିତାଙ୍କ ଚାରିତ୍ରିକ ଗୁଣର ପ୍ରଭାବ ମଧ୍ୟ ପଡ଼ିଲା ମଣିଦେବୀଙ୍କ ଉପରେ । ପାରିବାରିକ ଶାନ୍ତି ତଥା ଆର୍ଥିକ ଅବସ୍ଥାରେ ସ୍ୱଚ୍ଛଳତା ଆସିବା ପରେ ୧୯୨୫ ଖ୍ରୀଷ୍ଟାବ୍ଦରେ ଝିଅ ମଣିଦେବୀଙ୍କ ବିବାହ ଜୟପୁର ରାଜନଅରରେ ଅନୁଷ୍ଠିତ ହୋଇଥିଲା । ସିଂହଭୂମି ଜିଲ୍ଲା ଷଢ଼େଇକଳା ରାଜ୍ୟ ଇଚ୍ଛାଗଢ଼ ରାଜବଂଶର ସୁରେଶ୍ୱର ସିଂହଦେବଙ୍କ ଜ୍ୟେଷ୍ଠପୁତ୍ର କୁମାର ବିଦ୍ୟାଧର ସିଂହଦେଓଙ୍କ ସହ ଏହି ବିବାହ ସମ୍ପନ୍ନ ହେଲା । ଏହି ବାହାଘରର ସମସ୍ତ ଆୟୋଜନ ରାଜା ରାମଚନ୍ଦ୍ରଦେବ (୪ର୍ଥ) କରିଥିଲେ । ଓଡ଼ିଶା ତଥା ଓଡ଼ିଶା ବାହାରର ବହୁ ରାଜା, ମହାରାଜା ଏହି ଉତ୍ସବରେ ଯୋଗ ଦେଇଥିଲେ । କୁମାର ବିଦ୍ୟାଧର ସିଂହଦେବ ବିବାହ ପୂର୍ବରୁ ଏମ୍‍.ଏ. କରିସାରିବା ପରେ ଆଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ବିକ୍ରମଦେବଙ୍କର କୌଣସି ପୁତ୍ର ସନ୍ତାନ ନ ଥିବା ଯୋଗୁଁ କୁମାର ବିଦ୍ୟାଧରଙ୍କୁ ନିଜ ପାଖରେ ରଖିଲେ । ବିଶାଖାପଟଣରେ ସେ ଓକିଲାତି ଆରମ୍ଭ କରି ବେଶ୍‌ ସୁନାମ ଅର୍ଜ୍ଜନ କରିଥିଲେ । ତା’ ସହିତ ଇତିହାସ ଓ ପ୍ରତ୍ନତତ୍ତ୍ୱ ବିଷୟରେ ମଧ୍ୟ ଗବେଷଣା କରୁଥିଲେ । ସେ ନନ୍ଦପୁର ରାଜ୍ୟ ତଥା ଓଡ଼ିଶା ଇତିହାସ ବିଷୟରେ ଅନେକ ଗବେଷଣାଧର୍ମୀ ପୁସ୍ତକ ରଚନା କରିଛନ୍ତି । ପୁଣି ସେହି ସମୟରେ ପ୍ରକାଶିତ ଓଡ଼ିଶାର ଏକମାତ୍ର ଇଂରାଜୀ ପତ୍ରିକା ‘ବୈତରଣୀ’ର ସେ ସମ୍ପାଦକ ମଧ୍ୟ ଥିଲେ ।

 

ବିକ୍ରମ ଦେବଙ୍କର ପୁତ୍ର ସନ୍ତାନ ନ ଥିବା ଯୋଗୁଁ ତାଙ୍କର କିଛି ବନ୍ଧୁ ତାଙ୍କୁ ୨ୟ ବିବାହ କରିବା ସକାଶେ ପରାମର୍ଶ ଦେଇଥିଲେ । ମାତ୍ର ସେହି ପରାମର୍ଶକୁ ଗ୍ରହଣ ନ କରି ଆଜୀବନ ଏକ ପତ୍ନୀବ୍ରତ ଗ୍ରହଣ କରିଥିଲେ । ଝିଅ ମଣିଦେବୀଙ୍କ ବାହାଘର ପରେ ଜ୍ୱାଇଁ କୁମାର ବିଦ୍ୟାଧରଙ୍କୁ ପୁତ୍ରବତ୍‌ ଦେଖୁଥିଲେ ।

Image

 

ଦ୍ୱିତୀୟ ଅଧ୍ୟାୟ

Unknown

ଦେଶ ସେବା ଓ ସ୍ୱେଦଶ ପ୍ରୀତି

 

ବିକ୍ରମଦେବ ବର୍ମା ବିଶାଖାପଟଣରେ ୧୮୮୫ ଖ୍ରୀଷ୍ଟାବ୍ଦଠାରୁ ୧୯୩୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରହିଲେ । ବିଶାଖାପଟଣରେ ଅବସ୍ଥାନ କାଳରେ ତାଙ୍କ ଜୀବନରେ ଅନେକ ଝଡ଼ଝଞ୍ଜା ଆସିଛି । ସେହିସବୁ ଝଡ଼ଝଞ୍ଜାକୁ ସେ ଖୁବ୍‌ ସାହସର ସହ ସାମ୍ନା କରିଛନ୍ତି । କିନ୍ତୁ ଭାଙ୍ଗି ପଡ଼ିନାହାନ୍ତି । ଜୟପୁର ରାଜପରିବାର ସହ ମନାନ୍ତର ଏବଂ ମାଡ଼ଗୁଲ୍‌ ରାଜ୍ୟରେ ନିଜର ସ୍ଥିତି ଉପରେ ପ୍ରଶ୍ନବାଚୀ ଭିତରେ ସେ ନିଜର ଆଶ୍ରୟ ଖୋଜି ବୁଲିଛନ୍ତି । ତଥାପି ବି ସେ ଜୟପୁର ରାଜପରିବାର, ଓଡ଼ିଶା କିମ୍ବା ଓଡ଼ିଆ ଭାଷା ପ୍ରତି କେବେ ବି ବିମୁଖ ହୋଇନାହାନ୍ତି । ବରଂ ତେଲୁଗୁ ରାଜ୍ୟରେ ରହି ମଧ୍ୟ ଓଡ଼ିଆ ଭାଷା, ଓଡ଼ିଆ ଜାତି ପାଇଁ ସର୍ବଦା ଚିନ୍ତା କରୁଥାନ୍ତି । ଆଜୀବନ ସେ ଦୁଇଟି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ତାହା ହେଲା ଦେଶ ସେବା ଓ ସାହିତ୍ୟ ସାଧନ (ସାହିତ୍ୟ ଚର୍ଚ୍ଚା) ।

 

ଓଡ଼ିଶାଠାରୁ ସୁଦୂର ବିଶାଖାପଟଣରେ ରହି ତେଲୁଗୁ ଓ ଓଡ଼ିଆମାନଙ୍କ ଉନ୍ନତି ପାଇଁ ଚିନ୍ତା କରୁଥିଲେ ବିକ୍ରମଦେବ । ଉଭୟ ତେଲୁଗୁ ଓ ଓଡ଼ିଆମାନଙ୍କୁ ସମଦୃଷ୍ଟିରେ ଦେଖୁଥିଲେ । ଉଭୟ ଭାଷାର ଅନୁଷ୍ଠାନମାନଙ୍କୁ ସମାନ ସହାନୁଭୂତି ରହିଲା ତାଙ୍କର । ସେ ସର୍ବଦା ଉଭୟ ସଂସ୍କୃତିର ସମନ୍ୱୟ ପ୍ରତିଷ୍ଠା କରିବାକୁ ଚାହିଁଲେ । ତେଲୁଗୁ ଅଧ୍ୟୁଷିତ ଅଞ୍ଚଳରେ ରହିଲେ ସୁଦ୍ଧା ଓଡ଼ିଆର ଅଭିମାନ, ଓଡ଼ିଆ ପ୍ରୀତିକୁ ସେ ପରିତ୍ୟାଗ କରି ନ ଥିଲେ । ଏପରିକି ବେଶଭୂଷା, ଚାଲିଚଳଣୀରେ ମଧ୍ୟ ତାଙ୍କର ପରିବର୍ତ୍ତନ ଆସି ନ ଥିଲା । ସେ ସବୁର ଭିତରେ ରହି ସେ କେବଳ ଉଭୟ ଜାତିର ଉନ୍ନତି କଥା ହିଁ ଚିନ୍ତା କରି ଆସୁଥିଲେ । ତାଙ୍କର ସୁଉଦ୍ୟମରେ ଉଭୟ ଭାଷାର ଅନେକ ବ୍ୟକ୍ତି, ଏକାଧିକ ଅନୁଷ୍ଠାନ ତିଷ୍ଠି ରହିଲେ ।

 

ଜଗନ୍‍ମିତ୍ର ହଲ :

 

ବିକ୍ରମଦେବ ଜଣେ ବଡ଼ ନାଟ୍ୟେପ୍ରେମୀ ତଥା ନାଟ୍ୟକାର ଥିଲେ । ନାଟକର ବିକାଶ ତଥା ରଙ୍ଗମଞ୍ଚର ପ୍ରତିଷ୍ଠା ସକାଶେ ଏକ ଅଭିନବ ପଦେକ୍ଷପ ଗ୍ରହଣ କଲେ । ସେ ସମୟରେ ବିଶାଖାପଟଣଠାରେ ଜଗନ୍‍ମିତ୍ର ସମାଜ ନାମକ ଏକ ଅନୁଷ୍ଠାନ ଥିଲା । ସେ ଅନୁଷ୍ଠାନ ପାଇଁ ଏକ ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ କରାଇ ତାହାର ନାମକରଣ କଲେ ‘ଜଗନ୍‍ମିତ୍ର ହଲ୍‌’ । ପ୍ରାରମ୍ଭ ଅବସ୍ଥାରେ ଏହି ରଙ୍ଗମଞ୍ଚରେ କେବଳ ତେଲୁଗୁ ନାଟକ ଅଭିନୀତ ହେଉଥିଲା । କିନ୍ତୁ ପରେ ନିଜେ ବିକ୍ରମଦେବ ଏକ ଓଡ଼ିଆ ନାଟକ ଦଳ ଗଠନ କରି ଓଡ଼ିଆ ନାଟକ ଅଭିନୟ ଆରମ୍ଭ କଲେ । ଅନେକ ଓଡ଼ିଆ ନାଟ୍ୟକାରଙ୍କ ନାଟକ ଏଥିରେ ଅଭିନୀତ ହେଲା । ଜଗନ୍‍ମିତ୍ର ହଲରେ ଓଡ଼ିଆ ନାଟକର ପରିବେଷଣ ଫଳରେ ବିଶାଖାପଟଣରେ ରହୁଥିବା ଓଡ଼ିଆଙ୍କ ମଧ୍ୟରେ ଓଡ଼ିଆପ୍ରୀତିର ଜାଗରଣ ଦେଖାଦେଲା । ଏଥିରେ ଅନୁପ୍ରାଣୀତ ହୋଇ ବିକ୍ରମଦେବ ନାଟକ ରଚନା କରିବା ପାଇଁ ପ୍ରେରଣା ପାଇ ଏକାଧିକ ନାଟକ ରଚନା କରିଗଲେ । ସେ ମଧ୍ୟରୁ ‘ସଙ୍ଗୀତ ରାଧାମାଧବ ନାଟକ’ ଅଧିକ ଲୋକାଦୃତ ହୋଇଥିଲା । ତାହା ହେଲା ବିକ୍ରମଦେବଙ୍କ ପ୍ରଥମ ନାଟକ । ଏହାର କଥାବସ୍ତୁ, ପରିବେଷଣ ଶୈଳୀ, ଅଭିନେତାମାନଙ୍କ ଜୀବନ୍ତ ଅଭିନୟ ଦର୍ଶକମାନଙ୍କୁ ଅଭିଭୂତ କରିଦେଇଥିଲା-। ଯାହା଼ଫଳରେ ବିକ୍ରମଦେବଙ୍କ ଖ୍ୟାତି ଏବଂ ପ୍ରତିପତ୍ତି ସମଗ୍ର ଓଡ଼ିଶାରେ ଚହଳ ପକାଇଲା । ତାଙ୍କର କେତେକ ତେଲୁଗୁ ନାଟକ ମଧ୍ୟ ଏହି ରଙ୍ଗମଞ୍ଚରେ ଅଭିନୀତ ହୋଇଥିଲା । ସେ ମଧ୍ୟରେ ଥିଲା ‘ଶ୍ରୀନିବାସ କଲ୍ୟାଣମ୍‍’, ‘ନାଗାର୍ଜ୍ଜୁନ୍‌ ଚରିତମ୍‍’ ଓ ‘ମାନବତୀ ଚରିତମ୍‍’ ଇତ୍ୟାଦି ତେଲୁଗୁ ନାଟକଗୁଡ଼ିକ ଦେଖି ଦର୍ଶକମାନେ ମଧ୍ୟ ପ୍ରଶଂସାରେ ଶତମୁଖ ହୋଇ ଉଠିଲେ । ଫଳରେ ଉଭୟ ଆନ୍ଧ୍ର ଏବଂ ଓଡ଼ିଆରେ ବିକ୍ରମଦେବଙ୍କ ପ୍ରତିଭାର ବିକିରଣ ହେବାକୁ ଲାଗିଲା । ଏହି ରଙ୍ଗମଞ୍ଚ ନିର୍ମାଣ ଓ ଉପକରଣ ପାଇଁ ବହୁତ ଅର୍ଥ ବ୍ୟୟ ହୋଇଥିଲା । ଏଥି ପାଇଁ ବିକ୍ରମଦେବ ଦଶହଜାର ଟଙ୍କା ପ୍ରଦାନ କରିବାର ଶୁଣାଯାଏ । ନିଜେ ଅଭାବ ଅନଟନରେ ଥାଇ ସୁଦ୍ଧା ଉତ୍କଳ ସଂସ୍କୃତିର ଋଦ୍ଧିମନ୍ତ ସକାଶେ ସେ ଏତେ ଅର୍ଥ ପ୍ରଦାନ କରିଥିଲେ । କିନ୍ତୁ ୧୯୨୩ ମସିହାରେ ପ୍ରବଳ ଝଡ଼ତୋଫାନରେ ଉକ୍ତ ହଲଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ହଲଟି ନଷ୍ଟ ହୋଇଯିବା ପରେ ବିକ୍ରମଦେବ ଗଭୀର ଦୁଃଖ ପ୍ରକାଶ କରିଥିଲେ । ଦୁଃଖର କାରଣ ପର୍ଯ୍ୟାପ୍ତ ଅର୍ଥ ନଷ୍ଟ ଯୋଗୁଁ ନୁହେଁ, ବରଂ ଉଭୟ ସଂସ୍କୃତିର ପ୍ରାଣ ସ୍ପନ୍ଦନକୁ ବହନ କରିବା ଏକ ରଙ୍ଗମଞ୍ଚର ନଷ୍ଟ ଯୋଗୁଁ ।

 

ଜଗନ୍‍ମିତ୍ର ହଲ ନଷ୍ଟ ହୋଇଯିବା ପରେ, ସେଠାରେ ‘ଶ୍ରୀରାମ ଲୀଳା’ ନାମରେ ପୁଣି ଗୋଟିଏ ଅନୁଷ୍ଠାନ ସ୍ଥାପନ କରିଥିଲେ ସେ । ରାମଚରିତକୁ ନେଇ ନାଟକର ବିଷୟବସ୍ତୁର ପରିକଳ୍ପନା ଥିଲା । ତେଣୁ ଏହାର ନାମ ଶ୍ରୀରାମ ଲୀଳା ବୋଲି ରଖାଯାଇଥିଲା ।

 

Madras

12th December, 1911

"By command of his excellency the Viceroy and Governor General in council, this Certificate is Presented in this name of his most Gracious Majesty, Kirg George V, Empeor of India on the occasion of his majesty's coronation Durbar at Delhi to Sri Vikram Dev Barma Garu son of Sri Krushna Dev Garu in rocognition of his Charities and encouragement of scholarship."

Sd. A. Stewart

Ag. Chief Secretary,

The Government of Madras.

 

ଓଡ଼ିଆ ସମାଜ :

 

ବିଶାଖାପଟଣ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆଙ୍କ ଉନ୍ନତି କଳ୍ପେ ତାଙ୍କର ଦ୍ୱିତୀୟ ପଦକ୍ଷେପ ଥିଲା ‘ଓଡ଼ିଆ ସମାଜ’ର ଗଠନ । ଏହି ସମାଜ ମାଧ୍ୟମରେ ସେ ମାତୃଭାଷା ଓ ସେଠାକାର ଓଡ଼ିଆଙ୍କ ଦୂରବସ୍ଥା ଦୂର କରିଥିଲେ । ସେ ଦେଖଲେ ଯେ, ବିଶାଖାପଟଣରେ ବହୁ ଓଡ଼ିଆ ପରିବାର ଅଛନ୍ତି କିନ୍ତୁ ପରସ୍ପର ମଧ୍ୟରେ କୌଣସି ସମ୍ପର୍କ ବିନିମୟ କିମ୍ବା ସଙ୍ଗଠିତଭାବେ ଚଳିବାର ମାନସିକତା ନାହିଁ । ତେଣୁ ଏହି ଅସଂଗଠିତ ଓଡ଼ିଆଙ୍କୁ ସଙ୍ଗଠିତ ତଥା ସେମାନଙ୍କ ମନରେ ଓଡ଼ିଆ ଅଭିମାନକୁ ଜାଗ୍ରତ କରିବାକୁ ଏହି ଓଡ଼ିଆ ସମାଜକୁ ପ୍ରତିଷ୍ଠା କରିଥିଲେ । ଉକ୍ତ ଓଡ଼ିଆଙ୍କ ମଧ୍ୟରେ ମାତୃଭାଷା ଏବଂ ଓଡ଼ିଆ ଚଳଣୀକୁ ତ୍ୱରାନ୍ୱିତ କରିବାକୁ ଶିଷ୍ଟକରଣ ସମିତି ମଧ୍ୟ ଗଢ଼ିଲେ । ଯାହାକି ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଅନେକ ବର୍ଷପର୍ଯ୍ୟନ୍ତ ଏହି ସମାଜ ଓଡ଼ିଆଙ୍କ ଉନ୍ନତି ସକାଶେ ଅହରହ ଉଦ୍ୟମ କରିଥିଲା । ଦେଶ ମିଶ୍ରଣରେ ମଧ୍ୟ ଏହି ସମାଜ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ବିକ୍ରମଦେବ ବର୍ମା ନିଜେ ଏହାର ପ୍ରତିଷ୍ଠାତା ତଥା ସଭାପତି ଥିଲେ । ଏହି ସମାଜର କାର୍ଯ୍ୟକଳାପ ସମ୍ପର୍କରେ ଚିନ୍ତାମଣି ମହାନ୍ତି ତାଙ୍କ ‘ଜୟପୁର’ ପୁସ୍ତକରେ ଲେଖିଛନ୍ତି - “ଓଡ଼ିଶା ଦେଶ ମିଶ୍ରଣ ଆନ୍ଦୋଳନରେ ଏହି ସମାଜ ଯାହା କରିଅଛି, ତାହା ଓଡ଼ିଆ ପ୍ରାଣରେ ସର୍ବଦା ମୁଦ୍ରିତ ରହିବ । ସ୍ଥୂଳତଃ ଓଡ଼ିଆ ସମାଜ ସେ ଅଞ୍ଚଳର ତାତ୍କାଳିକ ଓଡ଼ିଆମାନଙ୍କ ପିଣ୍ଡରେ ପ୍ରାଣ ସଞ୍ଚାର କରିବାକୁ ସମର୍ଥ ହୋଇଅଛି । ଜଣେ ଆଦର୍ଶ ନେତାର ଯାହା କର୍ତ୍ତବ୍ୟ ବିକ୍ରମଦେବ ବର୍ମା ତାହା ଶତହସ୍ତ ହୋଇ ପାଳନ କରିଅଛନ୍ତି ।’’ (ପୃ-୧୧୨)

 

‘‘As citizens of the British Empire, as the inheritors of a great and historical civilization, as full and equal parteners with the British citizens in the glory and the responsibilites of the British Empire, we claim that our mother land should be lifted up from her present position of dependency to her deserved place as an equal member with the self governing dominious of the crown and that such a position would only become possible and honourable it the boon of self-government is granted immediately, making the Government responsible to the people.’’

 

(Address of welcome as the chairman of R.C. at the Special District Conference held at Vizagapatanam on 25th Nov. 1917)

ଓଡ଼ିଆ ସମାଜର ସଭାପତିଭାବରେ ସେ ଅନେକ ଜନହିତକର କାର୍ଯ୍ୟ କରିବା ସହ ସରକାରଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସରକାରୀ କାର୍ଯ୍ୟଗୁଡ଼ିକୁ ସୁଚାରୁରୂପେ ସମ୍ପାଦନ କରିଥିଲେ-। ସେତେବେଳେ ବିଶାଖାପଟଣ ଅଞ୍ଚଳର ଓଡ଼ିଆମାନେ ସରକାରୀ ଚାକିରୀ ପାଇବାରେ ଅସୁବିଧା ଥିଲା । ବିକ୍ରମଦେବ ବର୍ମା ଓଡ଼ିଆ ସମାଜର ସଭାପତିଭାବରେ ସରକାରଙ୍କୁ ଅନୁରୋଧ ଜଣାଇ କେତେଜଣଙ୍କୁ ସରକାରୀ ଚାକିରୀରେ ଅବସ୍ଥାପିତ କରିଥିଲେ । ସେ ଜିଲ୍ଲାବୋର୍ଡ଼, ମ୍ୟୁନିସିପାଲିଟି ଓ ଅନ୍ୟ ଉଚ୍ଚପଦସ୍ତ କର୍ମଚାରୀମାନଙ୍କ ସମ୍ମୁଖରେ ଉକ୍ତ ଅଞ୍ଚଳର ଓଡ଼ିଆଙ୍କ ଅଭାବ ଅସୁବିଧାକୁ ପୂରଣ କରିବା ସକାଶେ ଅନୁରୋଧ ପତ୍ରମାନ ଲେଖୁଥିଲେ । ଯାହାକି, ତାଙ୍କ ଦେଶସେବା ଓ ସ୍ୱଜାତିପ୍ରୀତିର ପରିଚୟ ପ୍ରଦାନ କରିଥାଏ ।

ପ୍ରଥମ ଅବସ୍ଥାରେ ଏହି ଓଡ଼ିଆ ସମାଜ ଅର୍ଥାଭାବ ଯୋଗୁଁ କିଛି କାର୍ଯ୍ୟ କରିପାରି ନ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ମାନ୍ଦ୍ରାଜ୍‌ ଲାଇବ୍ରେରୀ ଆକ୍ଟ ଅନୁସାରେ ଏହି ସମାଜ କିଛି କିଛି ଆର୍ଥିକ ସାହାଯ୍ୟ ପ୍ରାପ୍ତ ହୋଇ ଉନ୍ନତି କରିବାରେ ଲାଗିଲା । ସମାଜର ସ୍ଥାୟୀ ଗୃହଟିଏ ମଧ୍ୟ ନିର୍ମାଣ କରାଯାଇଥିଲା । ଯାହା ଫଳରେ ଓଡ଼ିଶାରୁ କିଛି ଛାତ୍ର ଏବଂ ଯେଉଁ ବିଶିଷ୍ଟ ଓଡ଼ିଆମାନେ ବିଶାଖାପଟଣ ଯାଉଥିଲେ ସେମାନେ ସମାଜର ଏହି ଗୃହରେ ଅବସ୍ଥାନ କରୁଥିଲେ ।

ଅବୈତନିକ ମାଜିଷ୍ଟ୍ରେଟ୍‌ :

ମାନ୍ଦ୍ରାଜ୍‌ ସରକାର ବିକ୍ରମଦେବ ବର୍ମାଙ୍କ ପାଣ୍ଡିତ୍ୟ, ସାଙ୍ଗଠନିକ ଦକ୍ଷତା ଓ ରାଜନୀତିକ ଅନୁଭୂତିକୁ ଆଖି ଆଗରେ ରଖି ୧୯୧୪ ଖ୍ରୀଷ୍ଟାବ୍ଦରେ ତାଙ୍କୁ ବିଶାଖାପଟଣର ଅବୈତନିକ ପ୍ରଥମଶ୍ରେଣୀ ବେଞ୍ଚ ମାଜିଷ୍ଟ୍ରେଟ୍‌ଭାବେ ନିଯୁକ୍ତ କରିଥିଲେ । ପାଞ୍ଚବର୍ଷ ଯାଏ ସେ ଏହି ପଦବୀରେ ରହି ସୂଚାରୁରୂପେ କାର୍ଯ୍ୟ ନିର୍ବାହ କରିଥିଲେ । ଏହି କାର୍ଯ୍ୟ ପାଇଁ ସେ ଜନସାଧାରଣ ତଥା ସରକାରଙ୍କ ପ୍ରଶଂସାଭାଜନ ହୋଇପାରିଥିଲେ । ପାଞ୍ଚବର୍ଷ ପୂର୍ତ୍ତି ପରେ ତାଙ୍କୁ ପୁଣିରେ ଉକ୍ତ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରାଗଲା । କିନ୍ତୁ ସେ ବିନୟର ସହ ତାକୁ ଏଡେଇ ଯାଇଥିଲେ ।

ଏହି ସମୟରେ ହିଁ ବିଶାଖାପଟଣ ଜିଲ୍ଲାବୋର୍ଡ଼ ଓ ମ୍ୟୁନିସିପାଲିଟିର ଦାୟିତ୍ୱ ତୁଲାଇବା ସକାଶେ ମାନ୍ଦ୍ରାଜ ସରକାରଙ୍କଠାରୁ ଅନୁରୋଧ ଆସିଲା । କିନ୍ତୁ ସେ ଏହି ଦାୟିତ୍ୱ ଗ୍ରହଣ କରିବାକୁ ମନା କରିଥିଲେ । କାରଣ ଏହି ବୋର୍ଡ଼ ଓ ମ୍ୟୁନିସିପାଲଟିଦ୍ୱାରା କାଞ୍ଜିଆ ହାଉସ୍‌ ଓ କଂସେଇଖାନା ପରିଚାଳିତ ହୋଇ ସେଥିରୁ କିଛି ଟିକସ ଆଦୟ କରାଯାଉଥିଲା । ବିକ୍ରମଦେବ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିଲେ ହିଁ ଯାଇ ଦାୟିତ୍ୱ ଗ୍ରହଣ କରିବେ ବୋଲି କହିଲେ । ନିରୀହ ପଶୁମାନଙ୍କୁ ହତ୍ୟା କରିବାକୁ ପ୍ରୋତ୍ସାହିତ କରୁଥିବା ଏହି ସଂସ୍ଥାରେ କାର୍ଯ୍ୟ କରିବାକୁ ସେ ଅନିଚ୍ଛା ପ୍ରକାଶ କରିଥିଲେ । ସେଥିରୁ ତାଙ୍କର ନିରୀହ ଜୀବଙ୍କ ପ୍ରତି ଅହେତୁକ ଦୟାର ପରିଚୟ ମିଳିଥାଏ । ଜୀବଙ୍କ ପ୍ରତି ଦୟାର ଅନ୍ୟଏକ ଆଭାସ ଆଗରୁ ମିଳିଲା ତାଙ୍କ ବ୍ରତୋପନୟନ ସମୟରେ । ନିମନ୍ତ୍ରିତ ଅତିଥିମାନଙ୍କ ଆହାର ସକାଶେ ଅନେକ ପକ୍ଷୀ ଓ ଜୀବନ୍ତ ମାଛ ରଖାଯାଇଥିଲା । କିନ୍ତୁ ବିକ୍ରମଦେବ ସେହି ନିରୀହ ଜୀବଗୁଡ଼ିକୁ ନ ଛାଡ଼ିଲେ ବ୍ରତ ହେବିନାହିଁ ବୋଲି ଘୋଷଣା କରିଥିଲେ-। ଫଳରେ ଉକ୍ତ ପକ୍ଷୀ ଓ ମାଛଗୁଡ଼ିକୁ ଛାଡ଼ି ଦିଆଯାଇଥିଲା ।

ଶିକ୍ଷାର ବିକାଶ :

ବିକ୍ରମଦେବ ଆଜୀବନ ଉଭୟ ଆନ୍ଧ୍ର ଏବଂ ଓଡ଼ିଶାରେ ଶିକ୍ଷାର ବିକାଶ ପାଇଁ ବିଭିନ୍ନନ୍ନ ଉଦ୍ୟମ କରିଥିଲେ । ଓଡ଼ିଆ ସମାଜର ସଭାପତି ଥିଲାବେଳେ ଗଞ୍ଜାମ ଜିଲ୍ଲାରୁ କିଛି ଛାତ୍ର ବିଶାଖାପଟଣରେ ଅଧ୍ୟୟନ ପାଇଁ ରହୁଥିଲେ । ସେହିମାନଙ୍କ ମଧ୍ୟରୁ ବହୁ ଗରୀବ ଛାତ୍ରଙ୍କୁ ଅର୍ଥ ପ୍ରଦାନ କରି ପଢ଼ିବାରେ ଉତ୍ସାହିତ କରିଥିଲେ । ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ମଧ୍ୟ ଯଥେଷ୍ଟ ଅର୍ଥ ସାହାଯ୍ୟ କରୁଥିଲେ । ଶିକ୍ଷା ସମାପ୍ତ ପରେ ଚାକିରୀ ପାଇଁ ସୁଦ୍ଧା ଅନୁରୋଧ ଜଣାଉଥିଲେ । ଓଡ଼ିଆ ସମାଜର ସ୍ଥାୟୀଗୃହ ନିର୍ମାଣ ପରେ ବହୁ ଛାତ୍ରଙ୍କୁ ଉକ୍ତ ଗୃହରେ ରଖି ଶିକ୍ଷା ଗ୍ରହଣ କରିବା ପାଇଁ ସୁଯୋଗ ଦେଇଥିଲେ ।

ଏତଦ୍‌ବ୍ୟତୀତ ସଂସ୍କୃତ, ଓଡ଼ିଆ ଓ ତେଲୁଗୁ ଭାଷାରେ ପାଣ୍ଡିତ୍ୟ ଯୋଗୁଁ ଶିକ୍ଷା ବିଷୟକ ବହୁ ଗୁରୁତ୍ୱପୂର୍ଣ୍ଣ ସଭାସମିତିରେ ଯୋଗଦେଇ ବିକ୍ରମଦେବ ଶିକ୍ଷାର ମାନବୃଦ୍ଧି ସକାଶେ ବହୁ ଭାବପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ । ସେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟର ତେଲୁଗୁ ପାଠ୍ୟପୁସ୍ତକ ନିର୍ବାଚନ କମିଟିର ସଭ୍ୟଭାବେ ମନୋନୀତ ହୋଇଥିଲେ । ଚାରିବର୍ଷ ପର୍ଯ୍ୟନ୍ତ ସେ ଏହି କାର୍ଯ୍ୟକୁ ସୁଚାରୂରୂପେ ସମ୍ପାଦନ କରିଥିଲେ । ପୁଣି ଏଲିମେଣ୍ଟାରି ଓ ସେକେଣ୍ଡରି ଶିକ୍ଷା ସମିତିର ଜଣେ ସ୍ଥାୟୀ ସଭ୍ୟ ଥିଲେ । କେବଳ ମାନ୍ଦ୍ରାଜ୍‌ ନୁହେଁ ଓଡ଼ିଶାର ଶିକ୍ଷା ବିଭାଗର ଉନ୍ନତି ପାଇଁ ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା । ୧୯୨୮ ଖ୍ରୀଷ୍ଟାବ୍ଦରେ ପାଟଣାଠାରେ ଓଡ଼ିଆ ଭାଷାର ଅନୁସନ୍ଧାନ କମିଟିରେ ଯୋଗଦେଇ ନିଜର ଅଭିମତ ପ୍ରକାଶ କରିଥିଲେ ।

ତାଙ୍କର ଏହି ନିଃସ୍ୱାର୍ଥ ଦେଶସେବା ଏବଂ ଶିକ୍ଷାର ବିକାଶରେ ମୁଗ୍‍ଧ ହୋଇ ବ୍ରିଟିଶ୍‌ ସରକାର ୧୯୧୧ ଡିସେମ୍ବର ୧୨ ତାରିଖରେ ତାଙ୍କୁ ଏକ ସନନ୍ଦ ପ୍ରଦାନ କରିଥିଲେ । ମାନ୍ଦ୍ରାଜ ସରକାରଙ୍କ ମୁଖ୍ୟ ଶାସନ ସଚିବ Mr. A. Stewart ଙ୍କ ସ୍ୱାକ୍ଷରରେ ପ୍ରଦାନ କରାଯାଇଥିବା ଏହି ସନନ୍ଦରେ ଉଲ୍ଲେଖ ଥିଲା ।

 

CERTIFICATE

 

Madras

12th, December, 1911

 

By command of his Excellency the Viceroy and Governor General in Council, this Certificate is presented in the name of his most Gracious Majesty, king George V. Emperor of India on the occasion of his Majesty's coronation darbar at Delhi.

 

To,

M.R.Ry. Shri Vikram Deo Varma Garu, Son of Shri Krishna Deo Garu in recognition of his Charities and encouragement of scholarship.

 

Sd. A. Stewart

Ag. Chief Secretary to the

Government of Madras

 

ସଭାସମିତି :

 

ବାଲ୍ୟକାଳରୁ ତେଲୁଗୁ ଅଞ୍ଚଳରେ ବଢ଼ି ତେଲୁଗୁ ଶିକ୍ଷାଲାଭ କରିଥିବାଯୋଗୁଁ ତେଲୁଗୁ ଭାଷା ଓ ସାହିତ୍ୟରେ ତାଙ୍କର ଅପୂର୍ବ ଦକ୍ଷତା ଥିଲା । କଥାବାର୍ତ୍ତା ଏବଂ ସାହିତ୍ୟ ରଚନା ସବୁ ତେଲୁଗୁ ଭାଷାରେ ହିଁ ଚାଲିଲା । ତେଣୁ ଅଧକାଂଶ ବ୍ୟକ୍ତି ତାଙ୍କୁ ତେଲୁଗୁ ଲୋକ ବୋଲି ଭାବୁଥିଲେ-। ତେଲୁଗୁ ଭାଷାରେ ଅନେକ ପତ୍ର ସେ ପାଉଥିଲେ ଏବଂ ସେ ମଧ୍ୟ ତେଲୁଗୁ ଭାଷାରେ ହିଁ ଉତ୍ତର ଦେଉଥିଲେ । ତେଲୁଗୁ ଭାଷାରେ ଦକ୍ଷତା ଥିବା ଯୋଗୁଁ ତାଙ୍କୁ ବହୁ ତେଲୁଗୁ ସଭାସମିତିକୁ ନିମନ୍ତ୍ରଣ ମିଳୁଥାଏ । ସେ ସେହି ନିମନ୍ତ୍ରଣ ସବୁକୁ ରକ୍ଷାକରି ସେହି ସବୁ ସଭାସମିତିରେ ଯୋଗ ଦେଉଥିଲେ-। ଉକ୍ତ ସଭାମାନଙ୍କରେ ଯୋଗଦେଇ ସେ ଅନେକ ସୁଚିନ୍ତିତ ଅଭିଭାଷଣ କରିଛନ୍ତି । ଆନ୍ଧ୍ର ଜାତୀୟ ଓ ସାହିତ୍ୟିକ ସମ୍ମିଳନୀରେ ଅନେକବାର ସଭାପତି ଆସନ ଅଳଙ୍କୃତ କରି ତେଲୁଗୁ ସାହିତ୍ୟର ଉନ୍ନତି ସକାଶେ ସହାୟତା କରିଛନ୍ତି । ଏହି ସଭାସମିତି ମଧ୍ୟରେ ୧୯୦୩ ଖ୍ରୀଷ୍ଟାବ୍ଦରେ ବିଶାଖାପଟଣଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଆନ୍ଧ୍ରଜିଲ୍ଲା ସମ୍ମିଳନୀରେ କାର୍ଯ୍ୟନିର୍ବାହୀ ସମିତିର ସଭାପତିଭାବେ ଦାୟିତ୍ୱ ତୁଲାଇଲେ । ପୁଣି ୧୯୧୭ ଖ୍ରୀଷ୍ଟାବ୍ଦରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ଜିଲ୍ଲା ସମ୍ମିଳନୀର କାର୍ଯ୍ୟନିର୍ବାହୀ ସମିତିର ସଭାପତିଭାବେ ଦାୟିତ୍ୱ ଗ୍ରହଣ କରି ସେ ଯେଉଁ ଅଭିଭାଷଣ ପ୍ରଦାନ କରିଥିଲେ ତାହା ତାଙ୍କ ସ୍ୱଦେଶ ପ୍ରୀତିର ପରିଚୟ ଦେଇଥାଏ ।

 

‘‘our enquiry has shown that there is a genuine longstanding and deep rooted desire on the part of the educated Oriya Classes of the Oriya speaking tracts of Madras for amalgamation of those tracts with Orissa under one administration. It is unquestionable that wherever the Oriya raiyots have learned something of the matter, they are entirely in favour of amalgamation.’’

ଏହା ବ୍ୟତୀତ ୧୯୨୩ ଖ୍ରୀଷ୍ଟାବ୍ଦରେ ସେ ଗୋଦାବରୀ ଜିଲ୍ଲାର ତୁନିଗ୍ରାମରେ ହୋଇଥିବା ଆନ୍ଧ୍ର ସାହିତ୍ୟ ପରିଷଦର ଦ୍ୱାଦଶ ବାର୍ଷିକ ସଭାର ସଭାପତି ଏବଂ ୧୯୨୮ରେ ପାରଳାଖେମୁଣ୍ଡି ନିକଟସ୍ଥ ମୁଖଲିଙ୍ଗମ୍‍ରେ ଆୟୋଜିତ ଐତିହାସିକ ସଭାର କାର୍ଯ୍ୟନିର୍ବାହିକା ସମିତିର ସଭାପତି ମଧ୍ୟ ସେ ଥିଲେ ।

ଉତ୍କଳ ସମ୍ମିଳନୀ ସଭାପତି :

ବିଶାଖାପଟଣରେ ରହୁଥିଲେ ସୁଦ୍ଧା ସେ ଓଡ଼ିଆ ଜାତି, ଭାଷା ଓ ସାହିତ୍ୟ ସମ୍ପର୍କରେ ସର୍ବଦା ଚିନ୍ତା କରୁଥିଲେ । ସେ ନିୟମିତ ଓଡ଼ିଶା ସହ ସମ୍ପର୍କ ରକ୍ଷାକରି ଜାତି ଓ ଭାଷାର ଉନ୍ନତି ପାଇଁ ଆଗେଇ ଆସିଥିଲେ । ଓଡ଼ିଆ ଜାତିର ସର୍ବପୁରାତନ ଅନୁଷ୍ଠାନ ଉତ୍କଳ ସମ୍ମିଳନୀର ସେ ଜଣେ ମୁଖ୍ୟ ପୃଷ୍ଠପୋଷକ ଏବଂ ସକ୍ରିୟ ସଦସ୍ୟ ଥିଲେ । ଉତ୍କଳ ସମ୍ମିଳନୀର ଅଧିବେଶନମାନଙ୍କରେ ଯୋଗଦେଇ ଦେଶମିଶ୍ରଣ, ନାରୀ ଜାତିର ଉନ୍ନତି, ସମାଜ ସଂସ୍କାରମୂଳକ ଏବଂ ଅନେକ ଗଠନମୂଳକ ପ୍ରସ୍ତାବ ପ୍ରଦାନ କରୁଥିଲେ ।

୧୯୦୩ ଖ୍ରୀଷ୍ଟାବ୍ଦରେ କଟକଠାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀର ଅଧିବେଶନରେ ସେ ପ୍ରସ୍ତାବ ଦେଇ କହିଲେ, “ମଧ୍ୟପ୍ରଦେଶର ଚିଫ୍‍ ‌କମିଶନର୍‌ ପଦରେ ପ୍ରତିଷ୍ଠିତ ଥିବା ସମୟରେ ବଙ୍ଗଦେଶର ବର୍ତ୍ତମାନ ଛୋଟଲାଟ ମହୋଦୟ ସମ୍ବଲପୁରରେ ଓଡ଼ିଆ ଭାଷାକୁ ଅଦାଲତର ଭାଷାରୂପେ ପୁନଃ ପ୍ରତିଷ୍ଠିତ କରିବା ଯୋଗୁଁ ଏ ସମ୍ମିଳନୀର ଆନ୍ତରିକ ଧନ୍ୟବାଦ ମହାମାନ୍ୟ ଛୋଟଲାଟଙ୍କ ଅବଗତି ନିମିତ୍ତ ପ୍ରାଇେଭଟ୍‌ ସେକ୍ରେଟେରୀଙ୍କ ନିକଟକୁ ପ୍ରେରିତ ହେଉ ।’’

ଏହି ପ୍ରସ୍ତାବକୁ ବିସ୍ତୃତଭାବେ ବୁଝାଇବାକୁ ଯାଇ ସେ କହିଲେ, “ଚିରକାଳରୁ ସ୍ଥାୟୀ ହୋଇଥିବା ଉତ୍କଳ ଭାଷା ସମ୍ବଲପୁର ଅଞ୍ଚଳ ସରକାରୀ ଅଦାଲତମାନଙ୍କରୁ ଉଠିଯାଇଥିଲା, ଏହା ଆପଣଙ୍କୁ ଅଗୋଚର ନାହିଁ । ଯଦି ସେପରି ଘଟିଥାନ୍ତା ନିଶ୍ଚୟ ସେ ପ୍ରଦେଶରେ ଆଉ ଓଡ଼ିଆ ଭାଷା ରହନ୍ତା ନାହିଁ । କାରଣ, କେବଳ ସାହିତ୍ୟାନୁରାଗରେ କୌଣସି ଭାଷା ଗଠିତ ହେଉଥିବାର ପ୍ରାୟ ଦେଖାଯାଏ ନାହିଁ । ପ୍ରୟୋଜନ ବିନା ସର୍ବସାଧାରଣ ପଠନଶ୍ରମ ସ୍ୱୀକାର କରନ୍ତି ନାହିଁ । ବର୍ତ୍ତମାନ ବିଦ୍ୟାଭିବୃଦ୍ଧି ତହିଁର ପରିଚାୟକ ଅଟେ । ମାନ୍ଦ୍ରାଜ୍‌ ବିଶ୍ୱବିଦ୍ୟାଳୟରେ ଦେଶ ପ୍ରଚଳିତ ଭାଷାମାନ ଅର୍ଥାତ୍‌ ତେଲୁଗୁ, ଦ୍ରାବିଡ଼, କର୍ଣ୍ଣାଟକ ପ୍ରଭୃତି ଭାଷାମାନ ବ୍ୟବହୃତ ହେଉଥିବାରୁ ସେଠା ଛାତ୍ରମାନେ ଉକ୍ତ ଭାଷାମାନଙ୍କୁ ନ ପଢ଼ିଲେ ଚଳେ ନାହିଁ । ଏହି କାରଣରୁ ସେ ଅଞ୍ଚଳରେ ସେହି ସେହି ଭାଷାମାନଙ୍କର ଉନ୍ନତି ହେଉଅଛି । ଏହି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପ୍ରଭୃତି ଦେଶୀୟଭାଷାମାନ ଉଚ୍ଚଶ୍ରେଣୀୟ ଛାତ୍ରମାନଙ୍କର ଆବଶ୍ୟକ ହେଉ ନ ଥିବାରୁ ଏଠାକାର ବାଳକମାନେ ଦେଶୀୟ ଭାଷା ପଠନରେ ହେଳା କରୁଅଛନ୍ତି । ଯଦି ଓଡ଼ିଆ ଭାଷା ସମ୍ବଲପୁର କେଚରୀମାନଙ୍କରୁ ଉଠିଯାଇଥାନ୍ତା, ପଠନ ବିଷୟ ଈଶ୍ୱର ଜାଣନ୍ତି; ଓଡ଼ିଆ ସମ୍ଭାଷଣ ସୁଦ୍ଧା ଲୋପ ହୋଇଥାଆନ୍ତା । ଏ ଦୀନଦୁଃଖୀ ଉତ୍କଳବାସୀଙ୍କଠାରେ କୃପାକରି ସମ୍ବଲପୁର ପ୍ରଦେଶରେ ଓଡ଼ିଆକୁ ପୁନଶ୍ଚ ରାଜକୀୟ ଭାଷାସ୍ୱରୂପ ସଂସ୍ଥାପନ କରିବା ହେତୁ ମାନନୀୟ ଶ୍ରୀ ବଙ୍ଗଳା ଛୋଟଲାଟଙ୍କୁ ଧନ୍ୟବାଦ ଦେବା ନିମିତ୍ତ ଏବଂ ଉକ୍ତ ସମ୍ବାଦ ପ୍ରାଇେଭଟ୍‌ ସେକ୍ରେଟେରୀଙ୍କଦ୍ୱାରା ସେ ମହୋଦୟଙ୍କୁ ଜଣାଇବା ନିମିତ୍ତ ମୁଁ ପ୍ରସ୍ତାବ କରୁଅଛି ।’’

ଓଡ଼ିଶା ଏବଂ ଓଡ଼ିଆ ଜାତି ଓ ଭାଷା ପ୍ରତି ତାଙ୍କର ଅହେତୁକ ମୋହକୁ ଉପଲବ୍ଧ କରି ସମ୍ମିଳନୀର କର୍ମକର୍ତ୍ତାଗଣ ପାରଳାଖେମୁଣ୍ଡିଠାରେ ୧୯୧୪ ଖ୍ରୀଷ୍ଟାବ୍ଦରେ ଅନୁଷ୍ଠିତ ଦଶମ ଅଧିବେଶନର ସଭାପତିରୂପେ ମନୋନୀତ କରିଥିଲେ । ଏହି ଅଧିବେଶନ ତତ୍‌କାଳୀନ ପାରଳାଖେମୁଣ୍ଡିର ନୂତନରାଜା ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଆହ୍ୱାନରେ ଆୟୋଜିତ ହୋଇଥିଲା-। ଉକ୍ତ ଅଧିବେଶନରେ ତତ୍‌କାଳୀନ ଓଡ଼ିଶାର ହଜାର ହଜାର ଶ୍ରୋତାଙ୍କ ସମେତ ବହୁ ବଶିଷ୍ଟ ବ୍ୟକ୍ତି ଯଥା; ଫକୀରମୋହନ ସେନାପତି, ଶଶିଭୂଷଣ ରଥ, ଜଗବନ୍ଧୁ ସିଂହ, ଗୋପବନ୍ଧୁ ଦାଶ, ବ୍ରଜ ସୁନ୍ଦର ଦାଶ ପ୍ରଭୃତି ଯୋଗ ଦେଇଥିଲେ । ଉତ୍କଳଗୌରବ ମଧୁସୂଦନ ଦାସ, ପଣ୍ଡିତ ନୀଳକଣ୍ଠ ଦାଶ, ନାରାୟଣ ଚନ୍ଦ୍ର ଧୀର ନରେନ୍ଦ୍ର, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଭଳି ବିଦ୍ୱାନମାନେ ଉଦ୍‌ବୋଧନ ଦେଇଥିଲେ । ଉକ୍ତ ସମ୍ମିଳନୀର ଏକ ସ୍ୱତନ୍ତ୍ର ବିଶେଷତ୍ୱ ଥିଲା । ତାହା ହେଲା, ଏହା ପୂର୍ବରୁ ଏହି ସମ୍ମିଳନୀ ଚାରୋଟି ରାଜ୍ୟରେ ବିଚ୍ଛିନ୍ନ ହୋଇ ରହିଥିବା ସମସ୍ତ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ର କରିବା ପାଇଁ ଦାବୀ କରି ଆସୁଥିଲା । କିନ୍ତୁ ଏହି ଅଧିବେଶନରେ ‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ’ ପାଇଁ ଦାବୀ କରାଗଲା । ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନର ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ ବିକ୍ରମଦେବ ବର୍ମା । ସେ ତାଙ୍କ ସଭାପତି ଅଭିଭାଷଣରେ ଯେଉଁ ସୁଦୀର୍ଘ ଓ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ ତାହା ସେହି ସମୟର ଉପଯୋଗୀ ଥିଲା ଏବଂ ସମସ୍ତଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା ।

ଉତ୍କଳ ସମ୍ମିଳନୀର ଅଭିଭାଷଣ :

“ସମ୍ମାନସ୍ପଦ ରାଜନ୍ୟବୃନ୍ଦ, ପ୍ରତିନିଧବର୍ଗ ଓ ଆଗନ୍ତୁକ ଭାଇମାନେ, ଉତ୍କଳ ସମ୍ମିଳନୀ ସମଗ୍ର ଓଡ଼ିଶା ଦେଶର ମହୋଚ୍ଚ ଏବଂ ସର୍ବୋତ୍କୃଷ୍ଟ ଜାତୀୟ ଅନୁଷ୍ଠାନ । ତାହାର ସଭାପତିରୂପେ ଆଜିଯାଏ ଗଣ୍ୟମାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ବରିତ ହୋଇଆସିଛନ୍ତି । ବିଗତ ପୁରୀ ଅଧିବେଶନରେ ଆମ୍ଭମାନଙ୍କର ଗୌରବର ଆଶ୍ରୟ ସ୍ୱନାମଧନ୍ୟ ମାନ୍ୟବର ମଧୁସୂଦନ ଦାସ, ସି.ଆଇ.ଇ. ସଭାପତିର ଆସନ ଅଳଙ୍କୃତ କରିଥିଲେ । ତାଙ୍କ ପରେ ମୋ ପରି ନଗଣ୍ୟ ବ୍ୟକ୍ତିର ନିର୍ବାଚନ କୌଣସି ଅଂଶରେ ସମ୍ମିଳନୀର ଗୌରବ ଓ ଗାରିମା ବୃଦ୍ଧି କରିବ ନାହିଁ । ଅଧିକନ୍ତୁ ସଭାପତିଙ୍କର ଆସନ ତଦ୍ଦ୍ୱାରା ଲୋକ ଦୃଷ୍ଟିରେ ମୂଲ୍ୟହୀନ ଥିବାର ପ୍ରତିପାଦିତ ହେବ ବୋଲି ମୋହର ଆଶଙ୍କା ଜନ୍ମିଅଛି । ଏହି ଆଶଙ୍କା କରି ଏବଂ ନିଜ ଅପାରଗତା ଓ ଅନୁପଯୁକ୍ତତା ସମ୍ବନ୍ଧେ ଆତ୍ମଜ୍ଞାନ ହେବାରୁ ମୁଁ ପ୍ରଥମତଃ ଅଭ୍ୟର୍ଥନା ସମିତିର ସାଗ୍ରହ ପ୍ରାର୍ଥନା ରକ୍ଷା କରିବାକୁ ଅସମ୍ମତ ଥିଲି । ଦେଶର ଅନେକ ଯୋଗ୍ୟତର ଏବଂ ପ୍ରବୀଣ ବ୍ୟକ୍ତି ଥାଉଁ ଥାଉଁ ମତେ କାହିଁକି ନିର୍ବାଚନ କଲେ, ଏହାର କାରଣ ମନ ମଧ୍ୟରେ ଖୋଜିବାକୁ ବସିଲି, ବୁଝିଲି ଅଭ୍ୟର୍ଥନା ସମିତି ଏ ଗୌରବ ମତେ ଦେଇନାହାନ୍ତି । ଯେଉଁ ଓଡ଼ିଆ ଜାତି ଜୟପୁର ଓ ବିଶାଖାପଟଣରେ ନିଜର ବ୍ୟକ୍ତିତ୍ୱ, ନିଜର ମାତୃଭାଷା ପର୍ଯ୍ୟନ୍ତ ଭୁଲିଯିବାକୁ କାଳକ୍ରମେ ଏବଂ ଅବସ୍ଥାର ବିପର୍ଯ୍ୟୟରେ ବାଧ୍ୟ ହୋଇଅଛନ୍ତି, ସେମାନଙ୍କ ସଜ୍ଞାପ୍ରାପ୍ତି ନିମିତ୍ତ ମାତୃସ୍ତନ୍ୟ ପାନରୁ ବଞ୍ଚିତ ପ୍ରାୟ ମାତୃଭାଷାର ଅନବରତ ଚର୍ଚ୍ଚାରୁ ବିରତ ମୋ ପରି ତାଙ୍କର ଜଣେ ଦୁର୍ବଳ ପ୍ରତିନିଧଙ୍କୁ ସଭାପତି ନିର୍ବାଚନ କରିଅଛନ୍ତି । ମତେ ବର୍ତ୍ତମାନ ଆପଣମାନେ ଯେଉଁ ସମ୍ମାନରେ ଗୌରବାନ୍ୱିତ କରିଅଛନ୍ତି, ତାହା ବାସ୍ତବିକ ମୋହର ବ୍ୟକ୍ତିଗତ ଗୌରବ ନୁହେଁ, ଏହା ମନେକରି ଅଭ୍ୟର୍ଥନା ସମିତିର ଆମନ୍ତ୍ରଣ ଗ୍ରହଣ କଲି । ବିଶାଖପଟଣର ଓଡ଼ିଆମାନଙ୍କ ପ୍ରତି ଆପଣଙ୍କ ମମତା ପ୍ରଶଂସନୀୟ । ମୋ ପକ୍ଷରୁ ଏବଂ ଜୟପୁର, ବିଶାଖପଟଣ ଓଡ଼ିଆମାନଙ୍କ ପକ୍ଷରୁ ମୁଁ ଏଥି ପାଇଁ ଆପଣମାନଙ୍କୁ ଅନ୍ତରର ସହିତ ଧନ୍ୟବାଦ ଦେଉଅଛି । ବିଗତ ବର୍ଷ ସମ୍ମିଳନୀ ସଭାରେ ଡି. ନରସିଂହ ରାଓ ପାଠକ ନାମକ ଜଣେ ବିଶାଖପଟଣର ଓଡ଼ିଆ ସେହି ଅଞ୍ଚଳରେ ଓଡ଼ିଆମାନଙ୍କ ଦୂରବସ୍ଥାର ପରିବର୍ତ୍ତନ ନିମନ୍ତେ ଯେଉଁ କରୁଣ ନିବେଦନ ପ୍ରକାଶ କରିଥିଲେ, ତାହା ଫଳରେ ସମ୍ଭବତଃ ଆଜି ବିଶାଖପଟଣର ସୋଦରମାନଙ୍କ ପ୍ରତି ଆପଣମାନଙ୍କର ଦୃଷ୍ଟି ପଡ଼ିଅଛି । ମୋହର ନିର୍ବାଚନର ଅନ୍ୟ ଅର୍ଥ, ଅପର କାରଣ ମୁଁ ପାଇପାରୁନାହିଁ । ଯାହାହେଉ ଏହା ଆପଣମାନଙ୍କର ଗଭୀର ହୃଦୟବତ୍ତା ଓ ଉଦାରତାର ପରିଚୟ ଦେଉଅଛି ।’’

ଯୁଦ୍ଧ :

ସାମ୍ରାଜ୍ୟର ଘୋର ଅସମୟରେ ପୃଥିବୀର ସର୍ବବିଧ୍ୱଂସକାରୀ ବିପ୍ଲବ ଓ ବ୍ୟୁତ୍ପାତ କାଳରେ ଆମ୍ଭମାନଙ୍କର ଏହି ସମ୍ମିଳନୀର ଦଶମ ଅଧିବେଶନ ହେଉଅଛି । ଇଉେରାପର ମହାଯୁଦ୍ଧ ବିଂଶତି ଶତାବ୍ଦୀର ଏକ ବିଶେଷ ଘଟଣା । ପୁନର୍ବାର କୁରୁକ୍ଷେତ୍ରର ଆବିର୍ଭାବ ହୋଇଅଛି । କୁରୁକ୍ଷେତ୍ର ଫ୍ରାନସ୍‌, ବେଲଜିୟମ୍‍କୁ ସ୍ଥାନାନ୍ତରିତ ହୋଇଅଛି, ମାତ୍ର ଉପସ୍ଥିତ ମହାଯୁଦ୍ଧର କାରଣ ଅନୁସନ୍ଧାନ କଲେ ଜଣାଯାଏ ଯେ, ଜର୍ମାନୀ ନିଜର ଅନ୍ୟାୟ ଲାଭ ଆଶାରେ ରାଜାମାନଙ୍କର ସ୍ୱାଧୀନତା ନଷ୍ଟ କରି ନିଜ ରାଜ୍ୟବୃଦ୍ଧି ପିପାସା ଚରିତାର୍ଥ କରିବା ଉଦ୍ଦେଶ୍ୟରେ ଏହି ଯୁଦ୍ଧ ଆରମ୍ଭ କରିଅଛି । ଜର୍ମାନୀ କ୍ଷୁଦ୍ର ରାଜ୍ୟସମୂହର ସ୍ୱାଧୀନତା ଓ ଅସ୍ତିତ୍ୱ ପର୍ଯ୍ୟନ୍ତ ଲୋପ କରିବାକୁ ଉଦ୍ୟମ କରିଅଛି । ଆନ୍ତର୍ଜାତୀୟ ପବିତ୍ର ସନ୍ଧି ସର୍ତ୍ତମାନ ଲଙ୍ଘନ କରି ବିଶ୍ୱାସଘାତକତାର ପରାକାଷ୍ଠା ଦେଖାଇଅଛି । ମାନବର ସଭ୍ୟତାକୁ ବହୁଦୂର ଏବଂ ବହୁବର୍ଷ ନିମନ୍ତେ ପଛକୁ ପକାଇ ଦେଇଅଛି । ଜଗତର ଶାନ୍ତି ଓ ସଭ୍ୟତା ପଥରେ ମହାଅନର୍ଥ, ଘୋର ବ୍ୟାଘାତ ଘଟାଇଅଛି । ଜର୍ମାନୀ କେବଳ ଇଂଲଣ୍ଡର ଶତ୍ରୁ ନୁହେଁ, ସେ ଯେଉଁ କାଣ୍ଡ ସବୁ କରିଅଛି, ଯୁଦ୍ଧରେ ସେ ଯେଉଁ ଅମାନୁଷିକ ଅତିମାନୁଷିକ ଦୌରାତ୍ମ୍ୟ ଓ ଦୁରାଚାରପନ୍ଥା ଅନୁସରଣ କରିଅଛି, ସେଥିରେ ସେ ସମଗ୍ର ମାନବ ଜାତିର ଶତ୍ରୁ ବୋଲି ମୁଁ କହିପାରେ । ଜର୍ମାନୀର ଏଭଳି ଦୌରାତ୍ମ୍ୟପୂର୍ଣ୍ଣ କାର୍ଯ୍ୟରେ ସଭ୍ୟ ଇଂଲଣ୍ଡର କି କର୍ତ୍ତବ୍ୟ ? ସେ ନୀରବ ନିଶ୍ଚଳ ରହିପାରେକି ? ସେପରି ନୀରବ ରହିଲେ ଜଗତର ଇତିହାସରେ ସଭ୍ୟ ଇଂଲଣ୍ଡର, ଶାନ୍ତିପ୍ରିୟ ଇଂରେଜୀ ଜାତିର ଆଉ ଗୌରବ ରହନ୍ତାକି ? ଯେଉଁ ଜାତି ଚିରକାଳ ନ୍ୟାୟ ଓ ଶାନ୍ତି ନିମନ୍ତେ ଜଗତରେ ସୁପ୍ରସିଦ୍ଧ, ଯେଉଁ ଜାତି ଶିକ୍ଷା ଓ ସଭ୍ୟତାର ପ୍ରସାର ତଥା ପ୍ରଚାର ନିମନ୍ତେ ସର୍ବଦା ତତ୍ପର, ଯେଉଁ ଦେଶପ୍ରମୀର ନ୍ୟାୟ ଓ ସତ୍ୟର ଧ୍ୱଜା ନିରନ୍ତର ଉଡ଼ୁଅଛି, ସେହି ଦେଶ ଓ ସେହି ଜାତି କି ଜର୍ମାନୀର ଅନାଚାର ସହ୍ୟ କରିବ ? ସନ୍ଧି ସ୍ଥାପନ ନିମନ୍ତେ ଆମ୍ଭମାନଙ୍କର ସମ୍ରାଟ ପଞ୍ଚମଜର୍ଜ ପ୍ରଭୃତି ଯତ୍ନ କରିଥିଲେ; କିନ୍ତୁ ଜର୍ମାନୀର ଦୂରଭିସନ୍ଧି ସମକ୍ଷରେ ସେ ସକଳ ଉଦ୍ୟମ ବୃଥା ହେଲା । ଯେଉଁ ଜର୍ମାନୀ ଏହି ଅଶାନ୍ତିକର ଯୁଦ୍ଧ ନିମନ୍ତେ ବହୁବର୍ଷ ଆଗରୁ ଅବୈଧ ଯତ୍ନ କରିଥିଲା, ସେ ଶାନ୍ତିର ପ୍ରସ୍ତାବ ଗ୍ରହଣ କରିବ କାହିଁକି ? ଏପରି ଅବସ୍ଥାରେ ଯୁଦ୍ଧ ଘୋଷଣା କରିବା ଛଡ଼ା ଇଂଲଣ୍ଡର ଉପାୟାନ୍ତର କ’ଣ ? ବେଲ୍‌ଜିୟମ୍‍ର ଧ୍ୱଂସ ସ୍ୱଚକ୍ଷୁରେ ଦେଖି ନୀରବ ହୋଇ ଇଂଲାଣ୍ଡ ରହିପାରନ୍ତାକି ? ଚତୁର୍ଦ୍ଦିଗରେ ପରିଖା ସମ ଜଳରାଶିରେ ପରିବେଷ୍ଟିତ ଦ୍ୱୀପ ମଧ୍ୟରେ ଔଦାସ୍ୟରେ ବସି ଆନ୍ତର୍ଜାତୀୟ ନିୟମ ଭଙ୍ଗ ହେବାର ଦେଖୁଥିଲେ ଇଂଲଣ୍ଡର ଅହଙ୍କାର, ଇଂରେଜ ଜାତିର ବିଶେଷତ୍ୱ ଆଉ ରହନ୍ତା କେଉଁଠାରେ ? ମନ୍ତ୍ରୀ ଆସ୍‌କ୍ୟୁ ସେଦିନ କହିଲେ, “ଇଂଲଣ୍ଡ ଏପରି ଭୀରୁ ନୀରବ ଉଦାସୀନଭାବରେ ରହିବା ଅପେକ୍ଷା ତାହାର ନାମ ଜଗତର ଇତିହାସ ପୃଷ୍ଠାରୁ ଏକାବେଳକେ ଲୋପାଇବା ବରଂ ଶ୍ରେୟସ୍କର ।’’ ନ୍ୟାୟ, ଧର୍ମ ଓ ଶାନ୍ତି ନିମନ୍ତେ, ସମଗ୍ର ଜଗତର ଉପକାର ନିମନ୍ତେ, ମାନବଜାତିର ସ୍ୱାଧୀନତା ଅକ୍ଷୂର୍ଣ୍ଣ, ଅପ୍ରତିହତ ରଖିବା ନିମନ୍ତେ ଇଂଲଣ୍ଡ ଅନ୍ୟ ଉପାୟ ନଦେଖି ଅବେଶଷରେ ଯୁଦ୍ଧ ଘୋଷଣା କରିଅଛି । “ଯତୋଧର୍ମ ସ୍ତତୋ ଜୟଃ’’ ଏହା ନିଶ୍ଚୟ । କିନ୍ତୁ କେବଳ ନୀତିବାକ୍ୟ ଖୋଲିଦେଇ ନୀରବ ରହିଲେ ଆମ୍ଭମାନଙ୍କର ଧର୍ମ ପ୍ରତି, ସତ୍ୟ ପ୍ରତି, ଶୃଙ୍ଖଳା ପ୍ରତି ବିଶେଷ ଆସ୍ଥା ଅଛି ବୋଲି କୁହାଯିବ ନାହିଁ । ନ୍ୟାୟପକ୍ଷରେ ଜୟକାମନା ମଧ୍ୟ ଯଥେଷ୍ଟ ନୁହେଁ । ସମାଜରେ ଶାନ୍ତି ସ୍ଥାପନ ନିମନ୍ତେ ଯେ ବ୍ୟାକୁଳ, ତାକୁ ନ୍ୟାୟ ପକ୍ଷରେ ସାହାଯ୍ୟ କରିବାକୁ ହେବ । ଭାରତ ସଦା ଶାନ୍ତିପ୍ରିୟ, ଭାରତୀୟମାନେ ସର୍ବଦା ନ୍ୟାୟର ପକ୍ଷପାତୀ । ରାଜଭକ୍ତି ସେମାନଙ୍କ ଅସ୍ଥିମଜ୍ଜାରେ ଏକୀଭୂତ ହୋଇ ଶତ ଶତବର୍ଷ ପର୍ଯ୍ୟନ୍ତ ଅବିଚଳିତ ଭାବରେ ରହିଅଛି; ଅତଏବ ଦେଶର ସକଳ ଶ୍ରେଣୀ, ସକଳ ସମ୍ପ୍ରଦାୟର ଲୋକେ ଯୁଦ୍ଧରେ ଇଂରେଜଙ୍କ ଜୟ କାମନା କରୁଅଛନ୍ତି । ଭାରତର ଯେଉଁଆଡ଼କୁ ଚାହିଁବ ଯୁଦ୍ଧ ନିମନ୍ତେ ଯଥାଶକ୍ତି ସାହାଯ୍ୟ ଦେବାକୁ ସମସ୍ତେ ବ୍ୟାକୁଳ । ସମସ୍ତେ ଏହି ବିଷୟରେ ଏକ ମତ । ଏପରି ମତୈକ୍ୟ, ଏପରି ରାଜଭକ୍ତିର ସରଳ ସ୍ୱାଭାବିକ ଅଭିବ୍ୟକ୍ତି ଅନ୍ୟ କୌଣସି ଘଟଣାରେ ଦେଖାଯାଇଅଛିକି ନା ସନ୍ଦେହ । ଦାନର ପ୍ରତିଦାନ ଅଛି । ଇଂରେଜ ଜାତି ଭାରତର ଏହି ସହାନୁଭୂତି ହୃଦୟଙ୍ଗମ କରିଅଛନ୍ତି ଏବଂ ଗୋରାଙ୍କ ପାର୍ଶ୍ୱରେ କଳା ସିପାହୀ ଏକଲକ୍ଷ୍ୟ, ଏକ ସାମ୍ରାଜ୍ୟ ରକ୍ଷା ଚେଷ୍ଟାରେ, ଏକ ପ୍ରବଳ ଚକ୍ରବର୍ତ୍ତୀଙ୍କ ନିମନ୍ତେ ଯୁଦ୍ଧ କରୁଅଛନ୍ତି; ଏହାହିଁ ଭାରତର ଗୌରବ ।

 

ଯୁଦ୍ଧ ଓ ଓଡ଼ିଶା :

 

ବିଚ୍ଛିନ୍ନ ହୋଇ ଶାସନାଧୀନରେ ରହିବାରୁ ଓଡ଼ିଆମାନଙ୍କର ସମୂହ ଶକ୍ତିର ବିକାଶ ପାଇପାରୁନାହିଁ । ଉତ୍କଳ ନାନା କାରଣରୁ ଶିକ୍ଷା ସମ୍ପର୍କରେ ପଛରେ ପଡ଼ିଅଛି । ତାହାର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ । ତାହାର ପୂର୍ବ ଗୌରବ ନାହିଁ । ପୁରାତନ ଐଶ୍ୱର୍ଯ୍ୟରେ ସେ ଗର୍ବ କରିବାକୁ ଆହୁରି ଶିକ୍ଷା କରିନାହିଁ ପୂର୍ବ ଯଶ ଆଣିବାକୁ ତାହାର ଉଦ୍ୟମ ନାହିଁ । ନୋହିଲେ କି ଆଜି ଏହି ଯୁଦ୍ଧବେଳେ ତାହାର ଇତିହାସ ପ୍ରସିଦ୍ଧ ପାଇକ ସେନାକୁ ସେ ଯୁଦ୍ଧକୁ ପଠାଇ ନ ଥାନ୍ତା ? ଯେଉଁ କୃଷକସେନା ବଳରେ ଗଙ୍ଗାଠାରୁ ଗୋଦାବରୀ ଯାଏଁ ଉତ୍କଳ ଅଖଣ୍ଡ ରାଜ୍ୟ ସଂସ୍ଥାପନ କରିଥିଲା, ଯେଉଁମାନଙ୍କର ପ୍ରବଳ ସ୍ୱାର୍ଥତ୍ୟାଗ ପ୍ରଭାବରେ ଓଡ଼ିଶା ତିନି ଶତ ବର୍ଷ ପର୍ଯ୍ୟନ୍ତ ମୁସଲମାନ୍‌ ସୈନ୍ୟଙ୍କ ଆକ୍ରମଣ ପ୍ରତିହତ କରିବାକୁ ସମର୍ଥ ହୋଇଥିଲା ସେମାନେ କାହାନ୍ତି ? ଆଜି ସେହି ସେନାନୀକୁ ଉତ୍କଳ ଯୁଦ୍ଧକ୍ଷେତ୍ରକୁ ପଠାଇ ପାରିଲେ ନିଜକୁ କୃତାର୍ଥ ମଣିଥାନ୍ତା । ସେ ଯାହାହେଉ ତାହାର ବର୍ତ୍ତମାନ ଅବସ୍ଥାରେ ସେ ଯାହା କରିପାରେ ଉତ୍କଳ ଯୁଦ୍ଧର ସାହାଯ୍ୟାର୍ଥେ ତାହା କରିଅଛି, ଏଥିରେ କୌଣସି ସନ୍ଦେହ ନାହିଁ । ଦେଶର ବିଭିନ୍ନନ୍ନ କେନ୍ଦ୍ରରେ ସଭାସମିତିମାନ ହୋଇଯାଇଅଛି । ଅନ୍ୟାନ୍ୟ ଭାରତୀୟ ଜାତିଙ୍କ ସହ ଓଡ଼ିଆ ଇଂରେଜଙ୍କ ଜୟ କାମନା କରୁଅଛି, କିନ୍ତୁ ଛିନ୍ନ ବିଚ୍ଛିନ୍ନ ହୋଇ ରହିଥିବାରୁ ଉତ୍କଳର ଅଂଶବିଶେଷର ସହାନୁଭୂତି ଓ ସାହାଯ୍ୟର ଫ଼ଳ ପରିଷ୍ଫୁଟ ହେଉନାହିଁ-। ବ୍ରହ୍ମପୁରଠାରେ ଦିନକର ସଭାରେ ପ୍ରାୟ ୩୦୦୦୦ ଟଙ୍କା ସ୍ୱୀକୃତ ହୋଇଅଛି । ଏକା ପାରଳା ରାଜାସାହେବ ଏକ ଲକ୍ଷ ଟଙ୍କା ଦାନ କରିଅଛନ୍ତି । ଜୟପୁର, ଗଞ୍ଜାମ, ଓଡ଼ିଶା, ସିଂହଭୂମି ସକଳ ସ୍ଥାନର କି ରାଜା କି ପ୍ରଜା ଯଥାଶକ୍ତି ଚାନ୍ଦା ଦେଇଅଛନ୍ତି । ଏସବୁ ଦାନର ପରିମାଣ ଭାରତର ଅନ୍ୟାନ୍ୟ ପ୍ରବଳ ଜାତିଙ୍କ ଦାନର ସ୍ରୋତରେ ସମ୍ମିଳିତ ହେବାରୁ ଉତ୍କଳ ତାହାର ବିଶେଷତ୍ୱ ଦେଖାଇବାକୁ ସୁବିଧା ପାଇନାହିଁ । ଯାହାହେଉ ମୁଁ ଆଶାକରେ ଯେ ଭାରତର ସମୂହ ରାଜଭକ୍ତି ଓ ସାହାଯ୍ୟ ଭିତରେ ଉତ୍କଳର ଅଂଶ ସରକାର ବାହାଦୁର ସ୍ଥିର କରିନେବେ । ସେ ଅଂଶ ସାମାନ୍ୟ ନୁହେଁ, ଏହା ଅନୁସନ୍ଧାନ କଲେ ସରକାର ବୁଝି ପାରିବେବୋଲି ମୋର ବିଶ୍ୱାସ; କିନ୍ତୁ ଏ ସବୁ ଅପେକ୍ଷା ଓଡ଼ିଆମାନେ ଏକତ୍ରିତ ହୋଇ ଏକ ସ୍ୱରରେ ଏହି ସମ୍ମିଳନୀ ରୂପ ପବିତ୍ର ମଞ୍ଚରୁ ପ୍ରବଳ ପ୍ରତାପ ସମ୍ରାଟଙ୍କ ପ୍ରତି ଯେଉଁ ରାଜଭକ୍ତି ଦେଖାଇବେ, ତାହା ଅତୁଳନୀୟ । ଏହାହିଁ ଓଡ଼ିଆଙ୍କ ସମୂହ ରାଜଭକ୍ତି ବିକାଶ ବୋଲି ଧରିବାକୁ ହେବ । ଆମ୍ଭେମାନେ ଇଂରେଜଙ୍କ ଜୟ କାମନା କରିବା ଏବଂ ତାଙ୍କ ବିଜୟ ଗୌରବରେ ନିଜକୁ ଗୌରବାନ୍ୱିତ ମନେକରିବା । ସମ୍ମିଳନୀ ପ୍ରତିବର୍ଷ ହେଉଅଛି; କିନ୍ତୁ ଯୁଦ୍ଧ ଯୋଗୁଁ ଏ ବର୍ଷର ଅଧିବେଶନ ସ୍ଥଗିତ ନ ହେବା ସମୀଚୀନ ହୋଇଅଛି, ଯେହେତୁ ଆମେମାନେ ମିଳିତ ହୋଇ ଏକତ୍ର ରାଜଭକ୍ତି ଦେଖାଇବାକୁ ସମର୍ଥ ହୋଇଥାଇଁ ଏବଂ ସମ୍ମିଳନୀ ନିମନ୍ତେ ପାରଳା ପ୍ରକୃଷ୍ଟସ୍ଥାନ । ଯେଉଁ ଓଡ଼ିଆ ରାଜା ଅକାତରରେ ଏକଲକ୍ଷ ଟଙ୍କା ଦାନ କଲେ, ସେହି ରାଜାଙ୍କର ରାଜ୍ୟରେ ହେବା ବଡ଼ ସୁନ୍ଦର ଓ ଉପଯୁକ୍ତ ହୋଇଅଛି । (କରତାଳି)

 

ଯୁଦ୍ଧ ଏକ ମହାଦୁଃଖର କାରଣ । ରାଜା ଓ ପ୍ରଜା ଉଭୟଙ୍କ ପକ୍ଷରେ ଅଶେଷ କ୍ଷତିକାରକ । ଏହି ସାଧାରଣ କ୍ଷତି ଓ କ୍ଷୋଭର ବିଷୟ ଉଲ୍ଲେଖ କରୁଁ କରୁଁ ଆମ୍ଭମାନଙ୍କର ଯେଉଁ ବିଶେଷ ଦୁଃଖ ଏ ବର୍ଷ ମଧ୍ୟରେ ଦୈବ ଦୁର୍ବିପାକରୁ ସଙ୍ଘଟିତ ହୋଇଅଛି, ତାହା ଉଲ୍ଲେଖ କରିବା ଆବଶ୍ୟକ ମନେକରେ ।

 

ସ୍ୱର୍ଗୀୟ ରାଜା ବାସୁଦେବ ରାଜମଣିଦେବ :

 

ଦୁଃଖର ବିଷୟ ପ୍ରତିସମ୍ମିଳନୀ ସଭାର କାର୍ଯ୍ୟାବଳୀ ଭିତରେ ଆମ୍ଭମାନଙ୍କୁ ଗୋଟିଏ ଶୋକ ପ୍ରକାଶ ନିର୍ଦ୍ଧାରଣ ଗୃହୀତ କରିବାକୁ ହେଉଅଛି । ଏଥିରୁ ସ୍ପଷ୍ଟ ଜଣାଯାଉଅଛି ଯେ, ଆମ୍ଭମାନଙ୍କର ମାତୃଭୂମି ଚିରଦୁଃଖିନୀ । ତା’ର ଶୋକୋଚ୍ଛ୍ୱାସର ବିରାମ ନାହିଁ । ବର୍ଷକୁ ବର୍ଷ ତାହାର କେହି ନା କେହି ଯୋଗ୍ୟ ସନ୍ତାନ ତାକୁ ଛାଡ଼ିଯାଇ ଅଛନ୍ତି । ସ୍ୱର୍ଗୀୟ ବାସୁଦେବ ରାଜମଣି ରାଜେଦବଙ୍କୁ ହରାଇ କିଏ ବିହ୍ୱଳ ନ ହେବ ? ମଞ୍ଜୁଷାରେ ତାଙ୍କର ସୁଖ୍ୟାତି ସୀମାବଦ୍ଧ ନ ଥିଲା । ରାଜା ବାସୁଦେବ ଜଣେ ନିରଭିମାନ ରାଜପୁରୁଷ ଥିଲେ । କ୍ଷତ୍ରିୟ ଧର୍ମ ତାଙ୍କର ପ୍ରତି କାର୍ଯ୍ୟରେ ପରିଲକ୍ଷିତ ହେଉଥିଲା । ସଂସ୍କୃତ, ତେଲୁଗୁ ଏବଂ ଓଡ଼ିଆ ସାହିତ୍ୟରେ ତାଙ୍କର ନିପୁଣତା ଥିଲା । ସେ ନିଜେ କୌଣସି ପୁସ୍ତକାଦି ଲେଖିଅଛନ୍ତି କି ନାହିଁ ସନ୍ଦେହ । ଯେ ଖଣ୍ଡିଏ କୋଇଲି ଲେଖିଅଛି ଏହି ଯୁଗରେ ସେ କବି ବୋଲି ମନରେ ଗର୍ବ କରୁଅଛି । ଯେଉଁ ବ୍ୟକ୍ତି ସାହିତ୍ୟ ପତ୍ରିକାରେ ଖଣ୍ଡିଏ ପ୍ରବନ୍ଧ ଲେଖଅଛି, ସେ ଆଧୁନିକ ଜଗତରେ ସାହିତ୍ୟକ ଓ ଲେଖକ ବୋଲି ପରିଚିତ । ଏହିପରି ସ୍ଥଳରେ ଯେଉଁ ରାଜା ଏପରି ବାହ୍ୟାଡ଼ମ୍ବର ଆଭାସ କିଛିହିଁ ଦେଖାଇ ନାହାନ୍ତି ତାଙ୍କୁ ସାହିତ୍ୟିକବୋଲି ଧରିବାକୁ ଆଧୁନିକ ଶିକ୍ଷିତ ମଣ୍ଡଳୀ କାହିଁକି ଅଗ୍ରସର ହେବେ ? କିନ୍ତୁ ରାଜା ବାସୁଦେବଙ୍କ ଚରିତ ଯେ ଜାଣିଅଛି ମୁକ୍ତ କଣ୍ଠରେ ସେ ସ୍ୱୀକାର କରିବ ଯେ ସ୍ୱର୍ଗୀୟ ରାଜା ମହୋଦୟଙ୍କ ପକ୍ଷରେ ସାହିତ୍ୟ ଚର୍ଚ୍ଚା ଏକ ପ୍ରକାର ବ୍ୟସନ ହୋଇପଡ଼ିଥିଲା । ସେ ଦିନରେ ପ୍ରାୟ ଆଠଘଣ୍ଟା କାଳ ଛାନ୍ଦ, ଚୌପଦୀ, କାବ୍ୟ, ନାଟକ, ପଦ୍ୟ ଇତ୍ୟାଦିର ଚର୍ଚ୍ଚା କରୁଥିଲେ । ସାହିତ୍ୟ ପାଇଁ ଆମ୍ଭମାନଙ୍କ ମଧ୍ୟରୁ କେତେଜଣ ସେଥିରେ ଅଷ୍ଟମାଂଶ ସମୟ ବ୍ୟୟ କରିଥାଉଁ ? ସେ ଜଣେ ଉଚ୍ଚଧରଣର କାବ୍ୟମୀମାଂସକ ଥିଲେ । ଛାନ୍ଦ, ବ୍ୟାକରଣ ଓ ଅଳଙ୍କାରରେ ତାଙ୍କର ଜ୍ଞାନ ବଡ଼ ଗଭୀର ଥିଲା । ଗୋଟିଏ ଛାନ୍ଦ ବା ପଦ୍ୟ ପାଠ ହେବାମାତ୍ରେ ଅନ୍ୟାନ୍ୟ ଭାଷାର ସାହିତ୍ୟ ମଧ୍ୟରେ ଉକ୍ତ ଭାବର କବିତା ସେ ଆବୃତ୍ତି କରି ଏକ ସହିତ ଅନ୍ୟର ଯେ ତୁଳନା କରିପାରୁଥିଲେ ତାହା ଅତି ଅଳ୍ପ ବ୍ୟକ୍ତିଙ୍କ ପକ୍ଷରେ ସମ୍ଭବ । ତାଙ୍କ ସ୍ମରଣ ଶକ୍ତିର ପ୍ରଶଂସା କରି ଜଣେ ପଣ୍ଡିତ ଦିନେ କହିଥିଲେ-- “ମଞ୍ଜୁଷାର ରାଜା ନିଜେ ଗୋଟିଏ, ଜୀବନ୍ତ Encyclopadea (ବିଶ୍ୱକୋଷ) ।’’ ଏହିପରି ଜଣେ ବିଶିଷ୍ଟ କୃତୀ ସନ୍ତାନକୁ ହରାଇ ଉତ୍କଳ ମାତାଙ୍କର ବଦନ ଆଜି ବିଷର୍ଣ୍ଣ, ମଳିନ ହୋଇଅଛି ।

 

ପରିବାରରେ କୌଣସି ଦୁଃଖ ଦୁର୍ବିପାକର ଘଟଣା ଘଟିଲେ ବନ୍ଧୁବାନ୍ଧବମାନେ ସହାନୁଭୂତି ପ୍ରକାଶ କରି ସେହି ଦୁଃଖର ଲାଘବ କରିଥାନ୍ତି । କିନ୍ତୁ ଦୁଃଖର ବିଷୟ ଓଡ଼ିଶାର ଏ ବର୍ଷ ସେ ଭାଗ୍ୟ ମଧ୍ୟ ନାହିଁ । ତାହାର ବନ୍ଧୁବର୍ଗଙ୍କ ଭିତରୁ ଶ୍ରଦ୍ଧେୟ ରେଭେନ୍‌ସା ସାହେବ ମଧ୍ୟ ଇହ ଜଗତରୁ ଅନ୍ତହୃତ ହୋଇଅଛନ୍ତି । ଯେଉଁ ବିଦେଶୀୟମାନେ ଶାସକରୂପେ ଆମ୍ଭମାନଙ୍କ ଦେଶକୁ ଆସି ଅଛନ୍ତି, ସେମାନଙ୍କ ମଧ୍ୟରୁ ଉତ୍କଳବନ୍ଧୁ ରେଭେନ୍‌ସା ସାହେବଙ୍କ ନାମ ଚିରସ୍ମରଣୀୟ । ଯେ କୌଣସି ସ୍ଥାନରେ ହେଉ ନା କାହିଁକି ଯେଉଁ ବ୍ୟକ୍ତି ଓଡ଼ିଆ ଭାଷା ଓ ଓଡ଼ିଆଜାତି ପ୍ରତି ସଦୟ ସେ ଆମ୍ଭମାନଙ୍କ ଭକ୍ତି ଓ କୃତଜ୍ଞତାର ପାତ୍ର । ଉତ୍କଳର ଯେ କୌଣସି ଅଂଶରେ ହେଉ, ଯେଉଁମାନେ ଓଡ଼ିଆ ପ୍ରତି ସାଦର ସହାନୁଭୂତି ପ୍ରକାଶ କରୁଅଛନ୍ତି ବା କରିଅଛନ୍ତି ସେମାନେ ଓଡ଼ିଆ ଜାତିର ପ୍ରକୃତ ବନ୍ଧୁ । ପୂର୍ବେ ଜନ୍‌ବିମସ୍‌ ସାହେବ ସାହିତ୍ୟ କ୍ଷେତ୍ରରେ ଓଡ଼ିଆମାନଙ୍କ ପାଇଁ ଯାହା କରିଯାଇଥିଲେ, ଶିକ୍ଷାପ୍ରସାର ଓ ଆର୍ଥିକ ଉନ୍ନତି ନିମନ୍ତେ ତାହା ରେଭେନ୍‌ସା ସାହେବ କରିଅଛନ୍ତି । ମହାଦୁର୍ଭିକ୍ଷ ନ’ଅଙ୍କ ସମୟରେ ରେଭେନ୍‌ସା ସାହେବ ଓଡ଼ିଶାର କମିଶନର ଥିଲେ । ୧୩ ବର୍ଷ କାଳ ସେ କମିଶନରରୂପେ କାର୍ଯ୍ୟ କରି ଓଡ଼ିଶାର ସକଳ ପ୍ରକାର ଭବିଷ୍ୟତ ଉନ୍ନତିର ମୂଳଭିତ୍ତି ସ୍ଥାପନ କରିଥିଲେ । ତାଙ୍କ ପ୍ରତିଷ୍ଠିତ ରେଭେନ୍‌ସା କଲେଜ ହେତୁ ଓଡ଼ିଶାରେ ଉଚ୍ଚ ଇଂରେଜୀ ଶିକ୍ଷାର ପ୍ରଚାର । ଯେତେବେଳେ ଓଡ଼ିଆଭାଷା ଉଠିଯାଇ ତାହା ବଦଳରେ ବଙ୍ଗଳା ଭାଷା ପ୍ରଚଳିତ ହେବାର ପ୍ରସ୍ତାବ ହୋଇଥିଲା ରେଭେନ୍‌ସା ସାହେବ ତେତେବେଳେ ନିର୍ଭୀକ ଭାବରେ ଓଡ଼ିଆ ଭାଷାର ପକ୍ଷ ସମର୍ଥନ କରିଥିଲେ । ତାଙ୍କର ମତାନୁକୁଲ୍ୟରେ ଓଡ଼ିଶାରେ ଆମ୍ଭମାନଙ୍କ ସ୍ୱଭାଷାର ମହତ୍ତ୍ୱ ଓ ଅସ୍ତିତ୍ୱ ରହିଲା । କଟକର ପ୍ରିଣ୍ଟିଂ କମ୍ପାନୀ ଛାପାଖାନା ତାଙ୍କ ସାଧୁ ଉଦ୍ୟମର ଫଳ । କଟକର ବାଳିକା ବିଦ୍ୟାଳୟ ପ୍ରଭୃତି ନାନାବିଧ ଶିକ୍ଷାନୁଷ୍ଠାନ ତାଙ୍କ ଉଦ୍ୟମରେ ପ୍ରତିଷ୍ଠିତ । ସ୍ଥୂଳରେ କହିଲେ, ବର୍ତ୍ତମାନ ଓଡ଼ିଶାର ସକଳ ପ୍ରକାର ଉନ୍ନତି ମୂଳରେ ରେଭେନ୍‌ସା ସାହେବଙ୍କ ଯତ୍ନ ଓ ଉଦ୍ୟମ ବିଦ୍ୟମାନ । ଓଡ଼ିଆମାନେ ତାଙ୍କ ଭାଷାର ଅସ୍ତିତ୍ୱ ନିମନ୍ତେ ରେଭେନ୍‌ସା ସାହେବଠାରେ ଋଣୀ । ଓଡ଼ିଶା ଛାଡ଼ି ଗଲେ ସୁଦ୍ଧା ଓଡ଼ିଆମାନଙ୍କର ହିତଚିନ୍ତା ତାଙ୍କ ହୃଦୟରେ ଜାଗରୁକ ଥିଲା । ଦୁଇତିନିବର୍ଷ ପୂର୍ବେ ଓଡ଼ିଆଙ୍କ ଶିକ୍ଷୋନ୍ନତି ନିମନ୍ତେ ସେ ଏକ ସହସ୍ର ଟଙ୍କା ପଠାଇ ଦେଇଥିଲେ । ଏ ଶ୍ରେଣୀର ‘ମା’ ବାପା’ ଶାସନକର୍ତ୍ତା ଆଜିକାଲି କ୍ୱଚିତ୍‌ ଦେଖାଯାନ୍ତି । ପ୍ରଜାମାନଙ୍କ ପ୍ରତି ମାୟା ମମତା ପ୍ରକାଶ କରି ତାଙ୍କ ହୃଦୟ କିଣିନେବା ଭଳି ଶାସନ କର୍ମଚାରୀ ଖୋଜି ପାଇବା ସହଜ ନୁହେଁ । ଅନ୍ୟାନ୍ୟ ମହାପୁରୁଷଙ୍କ ପରି ରେଭେନ୍‌ସା ସାହେବ୍‌ ନିଜ ସ୍ମୃତି ନିଜେ ଗଢ଼ିଯାଇଅଛନ୍ତି । କାଳକ୍ରମେ ଉକ୍ତ ସ୍ମୃତିର ଉତ୍ତରୋତ୍ତର ବୃଦ୍ଧି ହେଉଅଛି । ରେଭେନ୍‌ସା ସାହେବଙ୍କ ସ୍ମୃତି ଓଡ଼ିଆଙ୍କ ହୃଦୟରେ ସଦା ଜାଗରୁକ ଥିବ । ତାଙ୍କ ନିଜକୃତ ସ୍ମୃତିଚିହ୍ନ ଅପେକ୍ଷା ଓଡ଼ିଆମାନେ ଉଚ୍ଚତର ସ୍ମୃତିର ବ୍ୟବସ୍ଥା କରିବା ସମ୍ଭବପର ନୁହେଁ । ସ୍ୱଚ୍ଛ ଏବଂ ପବିତ୍ର ହୃଦୟର ସରଳ ଭକ୍ତିବ୍ୟଞ୍ଜକ କୌଣସି ଉପାୟରେ ସମ୍ମିଳିତ ସମଗ୍ର ଓଡ଼ିଆ ଜାତି ଏକ ସମୟରେ ତାଙ୍କ ପ୍ରତି ଆନ୍ତରିକ ସ୍ନେହ ଓ କୃତଜ୍ଞତା ଦେଖାଇ ପାରିଲେ ଓଡ଼ିଆମାନେ ନିଜକୁ ଧନ୍ୟ ଓ କୃତାର୍ଥ ମନେକରନ୍ତେ । ତାହାର ଅଭାବରେ ଆମ୍ଭେମାନେ ବର୍ତ୍ତମାନ ସେହି ସମୂହଭକ୍ତିର ସୂଚନା ଏହି ସମ୍ମିଳନୀରେ ଦେଖାଇବାକୁ ବସିଅଛୁ । ସମ୍ମିଳନୀରେ ରାଜେନୈତିକ ଓଡ଼ିଶାର ଜଣେ ବନ୍ଧୁଙ୍କ ବିୟୋଗରେ ଦୁଃଖ ପ୍ରକାଶ କରାହେଉଅଛି । ଏଥିରୁ ସ୍ପଷ୍ଟ ଜଣାହେଉଛି ଯେ, ଓଡ଼ିଆର ଜାତୀୟ ପ୍ରାଣ ଅଖଣ୍ଡ ଓ ଅବିଚ୍ଛିନ୍ନ। ଯେକୌଣସି ଅଞ୍ଚଳର ସୁଖ ଦୁଃଖରେ ସମଗ୍ର ଓଡ଼ିଆ ଜାତି ସୁଖଦୁଃଖ ଅନୁଭବ କରୁଅଛି । ଓଡ଼ିଆ ହୃଦୟରେ ଏହି ସ୍ୱାଭାବିକ ଅନୁଭୂତି ବିରୁଦ୍ଧରେ ଶାସନ ଭେଦ ନୀତି ସୁଦ୍ଧା ଅନ୍ତରାୟ ହୋଇ ଛିଡ଼ାହୋଇପାରୁ ନାହିଁ, ଏହା ଚିହ୍ନି ରଖିବା ଦରକାର ।

 

ଭାଷାସୂତ୍ରରେ ଓଡ଼ିଆମାନେ ଏକ ଶାସନାଧୀନରେ ରହିବା ବାଞ୍ଛନୀୟ, ଏହା ସେମାନେ ଅନେକ ଦିନରୁ କହି ଆସୁଅଛନ୍ତି । କୌଣସି କୃତ୍ରିମ ରୀତିରେ ଏହି ଭାଷା ମିଳନର ଅନ୍ତରାୟ ହେଲେ ତାହା ସମାଜର ହିତକାରକ ହୁଏ ନାହିଁ । ଏହି କଥା ଆମ୍ଭମାନଙ୍କର ମହାଶୟ ବଡ଼ଲାଟ ଲର୍ଡ ହାର୍ଡିଞ୍ଜ ତାହାଙ୍କର ୨୭ ତାରିଖ ଅଗଷ୍ଟ ସନ୍‌ ୧୯୯୦ର ସୁପ୍ରସିଦ୍ଧ ଉଲ୍ଲେଖେରେ ପ୍ରତିପାଦନ କରି ଅଛନ୍ତି ।

 

ଭାଷା, ଜାତି; ପୂର୍ବପରମ୍ପରା ଇତ୍ୟାଦିରେ ଯେଉଁମାନେ ଏକ ଓ ଅବିଚ୍ଛିନ୍ନ, ସେମାନେ ଏକା ପ୍ରାଦେଶିକ ଶାସନାଧୀନ ହୋଇ ରହିବା ବାଞ୍ଛନୀୟ, ଏହି ନୀତି ଆମ୍ଭମାନଙ୍କ ସଦାମୟ ବଡଲାଟ ଲର୍ଡ ହାର୍ଡିଞ୍ଜ ଦେଖାଇଅଛନ୍ତି । ପୁଣି ଏହି ସୂତ୍ରରେ ପ୍ରତ୍ୟେକ ପ୍ରାଦେଶିକ ଶାସନର ସ୍ୱାତନ୍ତ୍ର୍ୟ ସମ୍ପାଦିତ ଓ ସରଂକ୍ଷିତ ହେବାର ସେ ସୂଚନା ଦେଇଅଛନ୍ତି । ବଙ୍ଗାଳିମାନଙ୍କ ଚିତ୍କାର କିମ୍ବା ରାଜେନୈତିକ ଦୁର୍ବିନୀତତା ଫଳରେ ବଙ୍ଗର ପୁନର୍ମିଳନ ହୋଇନାହିଁ । ତାଙ୍କର ଏହି ସିଦ୍ଧାନ୍ତ ଏକ ଉନ୍ନତ ରାଜନୀତି ଉପରେ ପ୍ରତିଷ୍ଠିତ ବୋଲି ମୋହର ଆନ୍ତରିକ ଧାରଣା । ପ୍ରାଦେଶିକ ଶାସନ ସ୍ୱାତନ୍ତ୍ର୍ୟ ଭାରତବାସୀଙ୍କ ପକ୍ଷେ ପ୍ରଧାନ ଆକାଙ୍‌କ୍ଷାର କଥା । ଲର୍ଡ ହାର୍ଡ଼ିଞ୍ଜଙ୍କ ଶାସନରେ ସମସ୍ତ ଘଟଣାବଳୀ ସେହି ଦିଗକୁ କ୍ରମେ ଅଗ୍ରସର ହେଉଅଛି, ଏଥିରେ କୌଣସି ସନ୍ଦେହ ନାହିଁ । ଦିଲ୍ଲୀ ବୋମା ଆଘାତ, କାନପୁର ଗୋଳମାଳ, କୋମାଗାତାମାରୁ ପ୍ରକରଣ, ଦକ୍ଷିଣ ଆଫ୍ରିକାରେ ଭାରତବାସୀଙ୍କ ସମସ୍ୟା ଇତ୍ୟାଦିରେ ଲର୍ଡ ହାର୍ଡିଞ୍ଜ ଯେଉଁ ଉଦାରତା ଉଚ୍ଚ ହୃଦୟବତ୍ତା ଦେଖାଇଅଛନ୍ତି, ତାହା ଭାରତ ଇତିହାସରେ ଚିରସ୍ମରଣୀୟ ହୋଇ ରହିବ । ତାଙ୍କ ଶାସନ କାଳରେ ସେ ଯେଉଁ ସବୁ ନୀତି ପ୍ରବର୍ତ୍ତନ କରିଅଛନ୍ତି, ଶାସକ ଓ ଶାସିତମାନଙ୍କ ମଧ୍ୟରେ ଯେଉଁ ସହାନୁଭୂତି ସାହଚର୍ଯ୍ୟ ସଂସ୍ଥାପନର ଚେଷ୍ଟା କରି ଅଛନ୍ତି ସେ ସବୁର ଫଳ କ୍ରମେ ଭାରତରେ ଫଳିବ ଏବଂ ଦେଶବାସୀମାନେ କ୍ରମେ ଉନ୍ନତ ହେବେ । ସେ ଯେଉଁ ଶାସନ ସଂସ୍କାରର ସୂତ୍ରପାତ କରିଅଛନ୍ତି, ତାହା କାର୍ଯ୍ୟକାରୀ ହେବା ପାଇଁ କେତେକ କାଳ ଲାଗିବ । ଅତଏବ ତାଙ୍କର ଶାସନକାଳ ବଢ଼ାଇବା ପାଇଁ କେତେକ ଦିନପୂର୍ବେ ଯେଉଁ ଆନ୍ଦୋଳନ ହୋଇଥିଲା ସେଥିରେ ଓଡ଼ିଆମାନଙ୍କର ସମ୍ପୂର୍ଣ୍ଣ ସହାନୁଭୂତି ଅଛି ବୋଲି ମୋହର ବିଶ୍ୱାସ । ଅନ୍ୟାନ୍ୟ ଭାରତୀୟ ଜାତିଙ୍କ ସହ ଓଡ଼ିଆମାନେ ସାଧାରଣଭାବରେ ଲର୍ଡ ହାର୍ଡିଞ୍ଜଙ୍କ ଉଦାର ଶାସନର ସୁଫଳ ଭୋଗ କରୁଅଛନ୍ତି । କେବଳ ସେ ନିମନ୍ତେ ନୁହେଁ, ଓଡ଼ିଆମାନେ ଲର୍ଡ ହାର୍ଡିଞ୍ଜଙ୍କଠାରେ କୃତଜ୍ଞ ରହିବାର ବିଶେଷ କାରଣ ଅଛି । ଏଥିପୂର୍ବେ କୌଣସି ବଡଲାଟ ଓଡ଼ିଶାର ରାଜଧାନୀରେ ପଦାର୍ପଣ କରିନଥିଲେ । ଲର୍ଡ ହାଡ଼ର୍ଥିଞ୍ଜଙ୍କ ସମୟରେ ଓଡ଼ିଆମାନେ ତାଙ୍କ ରାଜଧାନୀରେ ପ୍ରବଳ ପ୍ରତାପ ସମ୍ରାଟ ପ୍ରତିନିଧଙ୍କ ଅଭ୍ୟର୍ଥନା ଓ ଅଭିନନ୍ଦନ କରିବାକୁ ସମର୍ଥ ହୋଇଥିଲେ । ଏହି କାରଣରୁ ଓଡ଼ିଆମାନେ ବଡଲାଟଙ୍କଠାରେ ଚିରକୃତଜ୍ଞ । ଓଡ଼ିଆମାନେ ଆଶା କରନ୍ତି ଯେ, ବଡଲାଟ ମହୋଦୟ ତାଙ୍କ ଅଳ୍ପକାଳ ଅବସ୍ଥାନରେ ସୁଦ୍ଧା ଓଡ଼ିଆଙ୍କ ବ୍ୟକ୍ତିତ୍ୱ ଓ ବିଶେଷତ୍ୱ ସମ୍ବନ୍ଧରେ କିଛି ଅନୁଭୂତି ସଂଗ୍ରହ କରିଯାଇଅଛନ୍ତି । କଟକ ନଗର ପ୍ରତି ତାଙ୍କର ଶୁଭାଗମନ ଘଟଣା ଓଡ଼ିଆମାନଙ୍କ ଇତିହାସରେ ଜଡ଼ିତ ରହିବ । ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବା ନିମନ୍ତେ ଓଡ଼ିଆମାନେ ଉଦ୍‌ବେଗପୂର୍ଣ୍ଣ ପ୍ରାଣରେ ଆଶା କରୁଅଛନ୍ତି । ଦୁଃଖର ବିଷୟ ଏପରି ମହାନ୍‌ ମହାଶୟ ବ୍ୟକ୍ତିଙ୍କର କ୍ରମାନ୍ୱୟରେ ଦୁଇଗୋଟି ଶୋକର ଘଟଣା ହୋଇଯାଇଛି । ତାଙ୍କ ପତ୍ନୀବିୟୋଗରେ ଯେଉଁ ଦୁଃଖ ହୋଇଥିଲା ତାହା ତାଙ୍କ ପୁତ୍ରନିହତରେ ଦ୍ୱିଗୁଣିତ ହୋଇଅଛି । ଭଗବାନ ତାଙ୍କର ଶୋକସନ୍ତପ୍ତ ହୃଦୟରେ ଶାନ୍ତିବାରି ସେଚନ କରନ୍ତୁ । ଓଡ଼ିଆମାନେ ତାଙ୍କର ଏହି ଦୁଃଖରେ ଦୁଃଖୀ, ଏହା ଉଲ୍ଲେଖ କରିବା ବାହୁଲ୍ୟ ମାତ୍ର ।

 

ଦେଶ ମିଶ୍ରଣ :

 

ଏହା ଲର୍ଡ ହାର୍ଡିଞ୍ଜଙ୍କ ପରି ଉଦାର ଉଚ୍ଚମନା ଶାସନକର୍ତ୍ତାଙ୍କ ସମୟରେ ସମ୍ଭବ ହୋଇପାରେ । ଓଡ଼ିଆମାନଙ୍କ ଅବସ୍ଥା ସେ ଉତ୍ତମରୂପେ ହୃଦୟଙ୍ଗମ କଲେ ଏବଂ ଏତାଦୃଶ ଅବସ୍ଥା ପ୍ରଜାଙ୍କ ପକ୍ଷେ ଓ ଶାସନ ପକ୍ଷେ ଶ୍ରେୟସ୍କର ନୁହେଁ ବୋଲି ସେଥିରେ ଜାଣିପାରିଲେ କୌଣସି ପ୍ରାଦେଶିକ ଶାସନ କର୍ତ୍ତୃପକ୍ଷଙ୍କ ଆପତ୍ତି ଅଥବା ସ୍ୱାର୍ଥପର ଲୋକମାନଙ୍କ ଚିତ୍କାର ପ୍ରତି ଭ୍ରୁକ୍ଷେପ ନ କରି ତାଙ୍କ ପ୍ରବର୍ତ୍ତିତ ଭାଷାସୂତ୍ରରେ ଭାତୃସଂଯୋଗ ନୀତିବିଚ୍ଛିନ୍ନ ଓଡ଼ିଆମାନଙ୍କ ପ୍ରତି ପ୍ରୟୋଗ କରିବେ ବୋଲି ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ଓଡ଼ିଆମାନେ ନିଜ ବ୍ୟକ୍ତିତ୍ୱ ଲୋପର ଆଶଙ୍କା କରିବାରୁ ସେମାନଙ୍କର ଉକ୍ତ ଆଶଙ୍କା ନିରାକରଣ ନିମନ୍ତେ ସେମାନଙ୍କୁ ବଙ୍ଗଳାରୁ ପୃଥକ୍‌ ରଖାଯିବା ଆବଶ୍ୟକବୋଲି ଗଭର୍ଣ୍ଣର ତାଙ୍କର ଏକ ଡେସ୍ପାଚରେ ଉଲ୍ଲେଖ କରିଥିଲେ । କେବଳ ବଙ୍ଗଳାରୁ ପୃଥକ୍‍ ରହିବାଦ୍ୱାରା ସେମାନଙ୍କ ଆଶଙ୍କା ନିରାକରଣ ହେଲା କି ? ପ୍ରବଳ ଜାତିଙ୍କ ନିଷ୍ପେସିଣ ଓ ନିର୍ଯ୍ୟାତନାରେ, ଆଧପତ୍ୟ ଓ ଆକ୍ରମଣରେ ଆଜି ଲକ୍ଷ ଲକ୍ଷ ଓଡ଼ିଆଙ୍କ ବ୍ୟକ୍ତିତ୍ୱ ସଂସ୍ଥାପନ ଓ ସଂରକ୍ଷଣ ଆଶା ବହୁଦୂରକୁ ଚାଲିଯାଇ ନାହିଁକି ? ତାଙ୍କର ମୂଳଭାଷା ନାନାଭାବରେ ବିକୃତ ଦୂଷିତ ହେଉନାହିଁକି ? ଆକୃତି, ପ୍ରକୃତି, ଆଚାର, ବ୍ୟବହାର, ଭାଷା, ଭାବ ଇତ୍ୟାଦି ସକଳ ବିଷୟରେ ଭାରତର ଅନ୍ୟାନ୍ୟ ଜାତିଙ୍କଠାରୁ ଓଡ଼ିଆମାନେ ପୃଥକ୍‍ ବୋଲି ବଡ଼ ବଡ଼ ଶାସନ କର୍ମଚାରୀ ଏବଂ ଘଟଣା ବିଶେଷରେ ଗଭର୍ଣ୍ଣର ମଧ୍ୟ ଘୋଷଣା କରିଆସିଅଛନ୍ତି । ଓଡ଼ିଆଙ୍କର ଏହି ପାର୍ଥକ୍ୟ ଓ ସ୍ୱାତନ୍ତ୍ର୍ୟ ରକ୍ଷାକରିବା ଗଭର୍ଣ୍ଣରଙ୍କ କର୍ତ୍ତବ୍ୟ ନୁହେଁକି ? ବଙ୍ଗରୁ ବିଚ୍ଛିନ୍ନ ରହିବା ମାତ୍ରକେ ଓଡ଼ିଆମାନଙ୍କର ଏହି ସ୍ୱାତନ୍ତ୍ର୍ୟ ରକ୍ଷା ବିଧାନ ସମ୍ପୂର୍ଣ୍ଣ ହେଲାକି ? ମାନ୍ଦ୍ରାଜ ଅନ୍ତର୍ଗତ ଓଡ଼ିଆ ପ୍ରଦେଶ, କି ଜୟପୁର କି ଗଞ୍ଜାମ ଏହା ପ୍ରାକୃତିକ ଓଡ଼ିଶାର ଏକ ଅବିଚ୍ଛିନ୍ନ ଅଂଶ । ପ୍ରାୟ ସମସ୍ତ ଗଞ୍ଜାମ ଜିଲ୍ଲା ଓ ଜୟପୁର ଓଡ଼ିଆ ରାଜାମାନଙ୍କଦ୍ୱାରା ଅଧକୃତ ଏବଂ ଓଡ଼ିଆ ଲୋକଙ୍କଦ୍ୱାରା ଅଧ୍ୟୁଷିତ ହେଲେ ସୁଦ୍ଧା ଦୁଃଖର ବିଷୟ କ୍ଷମତାଶାଳୀ ତୈଲିଙ୍ଗମାନଙ୍କ ପ୍ରଭାବରେ ଓଡ଼ିଆଶକ୍ତି ଏକାବେଳେ ମ୍ରିୟମାଣ ହୋଇଅଛି । ଓଡ଼ିଆ ଆଜି ମୁଣ୍ଠ ଟେକି ଚାଲିପାରୁନାହିଁ । ବିଦ୍ୟାଳୟରେ, ଅଫିସରେ, ରାଜକାର୍ଯ୍ୟରେ ଓଡ଼ିଆ ଏକପ୍ରକାର ବର୍ଜିତ । ଓଡ଼ିଆ ଛାତ୍ର, ନିଜ ଜାତୀୟଭାଷା ଅଧ୍ୟୟନ, ଓ ନିଜ ଜାତୀୟ ସାହିତ୍ୟ ଚର୍ଚ୍ଚାରୁ ବଞ୍ଚିତ । ରାଜଦ୍ୱାରରେ ଓଡ଼ିଆ ଅଚିହ୍ନିତ ଓ ଅପମାନିତ-। ସିଂହଭୂମିର ଅବସ୍ଥା ତଥୈବଚ । ଓଡ଼ିଆ ଦେଶ ଆଜି ଖଣ୍ଡବିଖଣ୍ଡିତ । ଏଥିରେ ଓଡ଼ିଆ କିପରି ତାହାର ପାର୍ଥକ୍ୟ ରଖିପାରିବ ? ପ୍ରାୟ ଦଶବର୍ଷ ହେଲା ଓଡ଼ିଆମାନେ ଏହି ବିଚ୍ଛିନ୍ନ ଉତ୍କଳ ପ୍ରଦେଶର ଏକୀକରଣ ନିମନ୍ତେ ଆନ୍ଦୋଳନ କରିଆସୁଛନ୍ତି । ସଭାସମିତି ହୋଇଯାଇଅଛି, ନିବେଦନ ଆବେଦନର ବିରାମ ନାହିଁ, କିନ୍ତୁ ଦୁଃଖର ବିଷୟ - ସରକାର ବାହାଦୂର ନିଶ୍ଚଳ ହୋଇ ରହିଅଛନ୍ତି । ସେଦିନ ସମ୍ବଲପୁର ମଧ୍ୟପ୍ରଦେଶର ଅନ୍ତର୍ଗତ ଥିବାରୁ ଯେ ଅସହ୍ୟ ଅସୁବିଧା ଭୋଗ କରୁଥିଲା, ତାହା ଆପଣମାନଙ୍କର ସ୍ମୃତିର ଅତୀତ ନୁହେଁ । କେତେକ କାଳଯାଏ ସେମାନେ କିପରି ନିର୍ଯ୍ୟାତନା ଓ ନିଷ୍ପେଷଣ ଭୋଗ କରିଥିଲେ ତାହା ପାସୋରି ହୋଇନାହିଁ । ଆଜିଯାଏ ମେଦିନୀପୁର ଅଞ୍ଚଳର ଓଡ଼ିଆମାନେ ବଙ୍ଗଳା ଅକ୍ଷରରେ ତ ଜଗନ୍ନାଥ ଦାସଙ୍କ ଭାଗବତ ଲେଖୁଅଛନ୍ତି । ଉତ୍କଳ ବଙ୍ଗ ସହିତ ସଂଶ୍ଲିଷ୍ଟ ଥାଇ ମେଦିନୀପୁର ଓଡ଼ିଆଙ୍କ କିଛି ଅଭିବୃଦ୍ଧି ହୋଇପାରିନାହିଁ । ଯେଉଁମାନେ କହନ୍ତି, ଉଚ୍ଚତର ଜାତିମାନଙ୍କ ସଂଶ୍ରବ ଜାତି ପକ୍ଷରେ ଶ୍ରେୟସ୍କର, ସେମାନେ ଏଥିରେ କି ଉତ୍ତର ଦେବ । ଏହିପରି ଭାବରେ ପ୍ରବଳ ଜାତିଙ୍କର ଆଧପତ୍ୟରେ ଜୀବନଯାପନ କଲେ ଆତ୍ମବିସ୍ମୃତି ଘଟିବ କାହିଁକି ? ଏହି ଆତ୍ମବିସ୍ମୃତିରୂପୀ ରୋଗ ଥରେ ଆକ୍ରମଣ କଲେ ଜାତିର ଆଉ ଗତ୍ୟନ୍ତର ରହିବ ନାହିଁ । ମେଦିନୀପୁରର କାନ୍ଥି ଅଞ୍ଚଳରେ ଓଡ଼ିଆଙ୍କର ଦୂରବସ୍ଥା ଶୀଘ୍ର ନିରାକରଣ ହେବାର ନୁହେଁ । କୌଣସି ବ୍ୟକ୍ତି ବା ସମାଜ ବଳହୀନ ହେଲେ ତାହାର ଆତ୍ମବୋଧ ରହେ ନାହିଁ । ଆଜି ମେଦିନୀପୁର ଅଞ୍ଚଳସ୍ଥ ଓଡ଼ିଆମାନେ ନିର୍ବାସିତ ପ୍ରାୟ ଓଡ଼ିଆ ଦେଶର ବାହାରରେ ପଡ଼ିଅଛନ୍ତି । ଶାସନସମ୍ପର୍କ ବିଚ୍ଛେଦ ହେବା ସହିତ ଅନ୍ୟ ଓଡ଼ିଆଙ୍କ ସହ ସେମାନଙ୍କ ସାମାଜିକ ବନ୍ଧନଶିଳ ହୋଇ ଯାଉଅଛି । ସେହି ପ୍ରଦେଶସ୍ଥ ଓଡ଼ିଆଙ୍କର କିପରି ସଂଜ୍ଞାପ୍ରାପ୍ତି ହେବ, ସେମାନେ କିପରି ନିଜ ଜାତିର ଲୋକଙ୍କୁ ଚିହ୍ନିବେ ଏବଂ ତାଙ୍କ ପିତୃପିତାମହଙ୍କ ପ୍ରତି ଗୌରବରେ ତାଙ୍କ ଇତିହାସରେ ଶ୍ରଦ୍ଧାପ୍ରକାଶ କରିବେ, ଏହା ସମ୍ମିଳନୀର ଗୋଟିଏ ବିଶିଷ୍ଟ କାର୍ଯ୍ୟ ହେବା ଉଚିତ ବୋଲି ମୁଁ ମନେକରେ । ସେମାନଙ୍କୁ ବୁଝାଇଦେବାକୁ ହେବ, ଓଡ଼ିଆ ଜାତିର ଇତିହାସ ଅଛି, ଗୌରବ ଅଛି । ପୁରୀ, କୋଣାର୍କ, ଭୁବନେଶ୍ୱର ଯେଉଁ ଓଡ଼ିଆ ହସ୍ତର ନୈପୁଣ୍ୟ, ବୁଦ୍ଧିର ବିଚକ୍ଷଣତା, ହୃଦୟର ପ୍ରଶସ୍ତତାର ପରିଚୟ ଦେଉଅଛି, ସେ ଓଡ଼ିଆର ଶକ୍ତି, ତାହାର ବ୍ୟକ୍ତିତ୍ୱ ଲୋପ ହେବ ନାହିଁ । ଓଡ଼ିଆ ବୋଲି ପରିଚୟ ଦେବାରେ ସେମାନଙ୍କର ଅପମାନ ଓ ଲଜ୍ଜାର କିଛି କାରଣ ନାହିଁ । ବର୍ତ୍ତମାନ ଓଡ଼ିଆ ପାଲିଙ୍କି ବାହାକ ହୋଇପାରେ, କିନ୍ତୁ ତାହାର ପୂର୍ବପୁରୁଷମାନେ ତ ପାଲିଙ୍କି ପରିବର୍ତ୍ତେ ଦେଉଳର ଯେଉଁସବୁ ପ୍ରସ୍ତର ଉତ୍ତୋଳନ କରି ପାରିଅଛନ୍ତି, ତାହା ଦେଖି ଆଧୁନିକ ଯୁଗ ମଧ୍ୟ ଆଶ୍ଚର୍ଯ୍ୟରେ ଆବାକ୍‌ ହେଉଅଛି । ସେହି ଓଡ଼ିଆଙ୍କର ବଂଶଧର ବୋଲି ପରିଚୟ ଦେବାକୁ ଲଜ୍ଜା କାହିଁକି ? ଆମ୍ଭମାନଙ୍କୁ ଗଭର୍ଣ୍ଣରଙ୍କ ଦ୍ୱାରସ୍ଥ ହେବା ସହିତ ଦେଶମିଶ୍ରଣ ସମ୍ବନ୍ଧେ ନ୍ୟାୟସଙ୍ଗତ ଓ ଆଇନାନୁମୋଦିତ ଆନ୍ଦୋଳନ କରିବାକୁ ହେବ । ଯେଉଁମାନେ ବୁଝି ନାହାନ୍ତି ସେମାନଙ୍କୁ ବୁଝାଇବାକୁ ହେବ, ପ୍ରତିଗ୍ରାମରେ ପ୍ରତିସହରରେ ଏହି ଦେଶମିଶ୍ରଣ ଆନ୍ଦୋଳନର ସୂତ୍ରପାତ କରିବାକୁ ହେବ । ଏହି ଆନ୍ଦୋଳନ କେତେକ ଶିକ୍ଷିତ ବ୍ୟକ୍ତିଙ୍କ ମଧ୍ୟରେ ଆବଦ୍ଧ ନାହିଁ, ଏହା ଓଡ଼ିଆର ସରଳ ସ୍ୱାଭାବିକ ଆକାଙ୍‌କ୍ଷା ଏବଂ ଓଡ଼ିଆର ଘରେ ଘରେ ଦେଶମିଶ୍ରଣ ଆଶା ଉଦ୍ରେକ ହୋଇଅଛି, ଏହିକଥା ସରକାର ଜାଣନ୍ତୁ, ପ୍ରଚାରକ ଯାଇ ଏହି ଆନ୍ଦୋଳନ ଦୃଢ଼ୀଭୂତ କରନ୍ତୁ; ଦେଖିବେ ଲୋକଙ୍କର ପ୍ରାର୍ଥନା ସରକାର ଅଗ୍ରାହ୍ୟ କରିବେ ନାହିଁ । ଯୁକ୍ତି ଅକାଟ୍ୟ ହେଉ ପଛକେ, ତାହାର ପଶ୍ଚାତ୍‌ ଦେଶପ୍ରମୀର ଲୋକସମୂହର ଆର୍ତ୍ତନାଦ ସମର୍ଥନ କରିବାକୁ ନ ଥିଲେ ଯେ କୌଣସି ବିଷୟ ‘ଅବାଞ୍ଛନୀୟ ଓ ଅନାବଶ୍ୟକ’ ବୋଲି ସରକାର କହିଦେଇପାରନ୍ତି । ସମ୍ମିଳନୀ ରାଜେନୈତିକ ଅନୁଷ୍ଠାନ ନୁହେଁ । ଅତଏବ ଭିନ୍ନ ଭିନ୍ନ ଶାସନରେ ରହିବାରୁ ଓଡ଼ିଆଙ୍କ ଶାସନ ସମ୍ବନ୍ଧୀୟ କି ଅଭାବ ଅଭିଯୋଗ ଅଛି ସେ ସକଳର ଆଲୋଚନା ମୁଁ, ଏଠାରେ କହିବାକୁ ପ୍ରସ୍ତୁତ ନୁହେଁ; କିନ୍ତୁ ସ୍ଥୂଳଭାବରେ ଏତିକି ଜଣାଇପାରେ ଯେ, ଶାସନ ସମ୍ପର୍କୀୟ ଅନେକ ତ୍ରୁଟି, ଅନେକପ୍ରକାର ଅସନ୍ତୋଷ ଦେଶମିଶ୍ରଣ ହେଲେ ଆଉ ରହନ୍ତା ନାହିଁ । ସରକାର ଯାହା କହନ୍ତୁ, ଗଞ୍ଜାମର ତେଲଙ୍ଗା ଭାଇମାନେ ଯାହା କହନ୍ତୁ, ରକ୍ତର ଆକର୍ଷଣ କଦାପି ଶିଥିଳ ହେବାର ନୁହେଁ । ଯେଉଁମାନଙ୍କର ପ୍ରାଣର ଆଶା, ଭରସା, ଆଚାର, ବ୍ୟବହାର, ସାମାଜିକ ରୀତିନୀତି ବହୁ ଶତାବ୍ଦୀର ଇତିହାସରେ ଦୃଢ଼ଭାବରେ ଗଠିତ ଓ ଜାଗ୍ରତ ହୋଇ ଆସିଅଛି, ସେମାନଙ୍କୁ ବିଚ୍ଛିନ୍ନ ରଖିବା ପ୍ରକୃତିର ବିରୁଦ୍ଧାଚରଣ ମାତ୍ର । ଭାରତ ପରି ମହାଦେଶର ପ୍ରାଦେଶିକ ଜାତୀୟ ବ୍ୟକ୍ତିତ୍ୱ ଏକ ଭାଷାଭାଷୀ ଭୂମିଖଣ୍ଡରେ ସୀମାବଦ୍ଧ ନହେଲେ ପ୍ରାଦେଶିକ ଜାତୀୟ କଲ୍ୟାଣ ତଥା ଭବିଷ୍ୟତରେ ଭାରତୀୟ ମହା ଜାତୀୟତାର ଆଶା ସୁଦୂର ପରାହତ । ସରକାର ଯେ ଏହି କଥା ବୁଝିନାହାନ୍ତି, ତାହା ନୁହେଁ । ଏହି ଉଦ୍ଦେଶ୍ୟରେ ପଣ୍ଡିତ ପ୍ରବର ଗ୍ରିଏରସନ୍‌ ସାହେବ ଭାରତର ଗୋଟିଏ ନୂତନ ମାନଚିତ୍ର ସୃଷ୍ଟି କରିଅଛନ୍ତି, ତାହା ଓଡ଼ିଆଭାଷୀ ବୋଲି ଗ୍ରିଏରସନ ସାହେବ ଯେଉଁ ଭୂଭାଗ ନିର୍ଣ୍ଣୟ କରିଅଛନ୍ତି, ତାହା ଓଡ଼ିଆଙ୍କର ଅଭିପ୍ରାୟ ସମ୍ପୂର୍ଣ୍ଣରୂପେ ସମର୍ଥନ କରୁଅଛି । ଗ୍ରିଏରସନ୍‌ ମାନଚିତ୍ର ପାଖରେ ପକାଇ ଓଡ଼ିଆଙ୍କ ଆବେଦନ ଆଲୋଚନା କଲେ ସରକାର ଦେଖିବେ ଯେ, ତାଙ୍କ ଦାବୀ କୌଣସି ପ୍ରକାର ଅପ୍ରାକୃତ ଓ ଅସମୀଚୀନ ନୁହେଁ । ରାଜା ପ୍ରଜା ସମସ୍ତେ ଏକ ସ୍ୱରରେ ଏହି ମିଳନ ପ୍ରାର୍ଥନା କରିଅଛନ୍ତି । ପାରଳାର ସ୍ୱର୍ଗୀୟ ପଦ୍ମନାଭ ନାରାୟଣ ଦେବ ଏହି ମିଳନ ଆକାଙ୍‌କ୍ଷା ପୋଷଣ କରିଥିଲେ । ବଳରାମ ମହାରଣାଙ୍କଠାରୁ ଆରମ୍ଭ କରି ନରସିଂହ ଦାସଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ମିଳନ ପାଇଁ ବ୍ୟାକୁଳ ଥିଲେ । କବି ମଧୁସୂଦନ ଏହି ମିଳନର ‘ଶୁଭ ଶଙ୍ଖଧ୍ୱନି’ ବଜାଇ ଅଛନ୍ତି । ଚେଷ୍ଟା କଲେ ଏହି ମିଳନ ଯେ ଦିନେ ସମ୍ପୂର୍ଣ୍ଣ ସିଦ୍ଧ ହେବ, ଏଥିରେ ସନ୍ଦେହର କାରଣ କିଛି ନାହିଁ । ନୂତନ ଆଶାରେ ପ୍ରାଣକୁ ଉଜ୍ଜୀବିତ ରଖି କାର୍ଯ୍ୟକ୍ଷେତ୍ରରେ ପ୍ରବେଶ କରିବାକୁ ହେବ । ସମ୍ବାଦପତ୍ରମାନେ ଏ ବିଷୟରେ ସର୍ବଦା ଆନ୍ଦୋଳନ କରନ୍ତୁ ଏବଂ ଲୋକେ ଏହି ମିଳନ ପାଇଁ ବ୍ୟାକୁଳତା ଦେଖାନ୍ତୁ । କବି ଏହି ମିଳନ କବିତା ଲେଖନ୍ତୁ, ବକ୍ତା ଏହି ମିଳନ ବତ୍କୃତା ଦିଅନ୍ତୁ, ଦେଖିବେ ଏହି ହୃଦୟର ଆବେଗପୂର୍ଣ୍ଣ ଆକାଙ୍‍କ୍ଷା ସରକାର ଦିନେ ପୂରଣ କରିବେ ଏବଂ ଭଗବାନ୍‌ ଆମ୍ଭମାନଙ୍କର ନିଶ୍ଚୟ ସହାୟ ହେବେ ।

 

କିନ୍ତୁ ନିଜ ଗୋଡ଼ରେ ଛିଡ଼ାହେବାକୁ ନ ଶିଖଲେ ବାହାରର ଯେଡ଼େ ସାହାଯ୍ୟ ଓ ଅବଲମ୍ବନ ହେଉ ନା କାହିଁକି ତାହାଦ୍ୱାରା କିଛି ହେବ ନାହିଁ । ସ୍ୱାବଲମ୍ବନଶୀଳ ବ୍ୟକ୍ତିର ନିଜେ ଭଗବାନ୍‌ ସହାୟ ହୁଅନ୍ତି । ପ୍ରଥମେ କୌଣସି ବିଷୟରେ ଯୋଗ୍ୟତା ସମ୍ପାଦନ ପାଇଁ ଯେତେଗୁଡ଼ିଏ ଉପକରଣ ଆବଶ୍ୟକ, ତନ୍ମଧ୍ୟରେ ଶିକ୍ଷା ସର୍ବ ପ୍ରଥମ ଓ ସର୍ବ ପ୍ରଧାନ ।

 

ଶିକ୍ଷା :

 

ଶିକ୍ଷାବିହୀନ ହେଲେ ଆମ୍ଭେମାନେ ସଭ୍ୟ ହେବାର ତେଣିକି ଥାଉ କ୍ରମେ ପଶୁତ୍ୱ ପ୍ରାପ୍ତ ହେବାର ଆଶଙ୍କା ପୂର୍ଣ୍ଣମାତ୍ରାରେ ଅଛି । ଓଡ଼ିଆ ଜାତି ପୂର୍ବକାଳରେ ଶିକ୍ଷାଦୀକ୍ଷାରେ ପ୍ରବୀଣ ଥିଲା । ହୃଦୟକୁ ଉଚ୍ଚ କରିବା, ମନୁଷ୍ୟର ଦେବତା ସୁଲଭଗୁଣ ବିକାଶ କରିବା ଏବଂ ମନକୁ ସଂସ୍କାର କରିବା ଯେକୌଣସି ଶିକ୍ଷାର ଉଦ୍ଦେଶ୍ୟ । ଯେଉଁ ଭାଷାରେ,ଭାବରେ ଦିଆଯାଉ ଶିକ୍ଷାର ପ୍ରଧାନ ଲକ୍ଷ୍ୟ ମନୁଷ୍ୟତା ପ୍ରାପ୍ତି । ପୁରାକାଳରେ ଓଡ଼ିଆମାନେ ଏହି ମନୁଷ୍ୟତା ପ୍ରାପ୍ତି ନିମନ୍ତେ ଯେ ଶିକ୍ଷିତ ହେଉଥିଲେ, ଏହାର ଭୂରି ଭୂରି ପ୍ରମାଣ ମିଳୁଅଛି । କିନ୍ତୁ ଆଧୁନିକ ଯୁଗରେ ସେମାନଙ୍କ ଶିକ୍ଷାର ଅବସ୍ଥା କ’ଣ ? ସେମାନେ ନବ୍ୟଶିକ୍ଷାର ବହୁଦୂରରେ ପଡ଼ିଅଛନ୍ତି ଏବଂ ପୁରାତନ ଯାହା ଟିକିଏ ଥିଲା, ତାହା ମଧ୍ୟ ଲୋପ ପାଇଅଛି । ଅବଧାନ ଚାହାଳୀ ଦେଖିବାକୁ ନାହିଁ କି ସ୍କୁଲ କଲେଜର ମଧ୍ୟ ଯଥେଷ୍ଟ ଆଭାସ ନାହିଁ । ଏପରି ଜାତିଟା ନ ନୀରେ ନ ତୀରେ ହୋଇପଡ଼ିଛି । କୌଣସି ଲୋକକୁ ସାକ୍ଷର କରିବାମାତ୍ରେ ଶିକ୍ଷା ଦିଆଗଲା ବୋଲି କୁହାଯିବ ନାହିଁ । ଭାରତବର୍ଷ ଭିତରୁ ଓଡ଼ିଶାରେ ଯେତେ ସାକ୍ଷର ବ୍ୟକ୍ତି ଅଛନ୍ତି, ବୋଧହୁଏ ଅନ୍ୟ କୌଣସି ପ୍ରଦେଶରେ ନାହାନ୍ତି । ଏହି କଥା ସରକାର ରିପୋର୍ଟାଦିରୁ ମଧ୍ୟ ଜଣାଯାଏ । ଏହା ମଧ୍ୟ ଆଧୁନିକ ଶିକ୍ଷାବିସ୍ତାର ଚେଷ୍ଟାର ଫଳ ବୋଲି ବୋଧହୁଏ ନାହିଁ । ଉତ୍କଳରେ ଯେଉଁସବୁ ଅବଧାନ ଚାଟଶାଳୀ ଚୌପାଠୀର ବ୍ୟବସ୍ଥା ଥିଲା ଏବଂ ବର୍ତ୍ତମାନ ଉଠିଯାଇଅଛି, ତାହା ଫଳରେ ଦେଶପ୍ରମୀର ଅସ୍ପୃଶ୍ୟ ଜାତିର ଲୋକମାନେ ମଧ୍ୟ ଭାଗବତ ପଢ଼ିବା ଭଳି ସାକ୍ଷର ହୋଇଥିଲେ । କିନ୍ତୁ ବର୍ତ୍ତମାନ ଯେଉଁସବୁ ଶିକ୍ଷା ସଂସ୍କାର ପ୍ରବେଶ କଲାଣି ସେଥିରେ ଓଡ଼ିଶାର ଏହି ପୂର୍ବରୀତି ଆଉ ଅଧିକ ଦିନ ସକାଶେ ରହିବ କି ନାହିଁ ସନ୍ଦେହର ବିଷୟ । ଅଧକାଂଶ ସାକ୍ଷର ବୋଲି ଯଦି ଧରାଯାଏ, ଯାହା ହେଲେ ମଧ୍ୟ ଜାତି ଶିକ୍ଷିତବୋଲି କୁହାଯିବ ନାହିଁ । ବର୍ତ୍ତମାନ ଆମ୍ଭ ଦେଶପ୍ରମୀର ଯେ ଶିକ୍ଷାନୁଷ୍ଠାନର ଅଭାବ ଅଛି, ଏଥିରେ କୌଣସି ଦ୍ୱିରୁକ୍ତି ହୋଇ ନ ପାରେ । ଜୟପୁର ବିଶାଖପଟଣ ଅଞ୍ଚଳ ଓଡ଼ିଆପ୍ରଧାନ ସ୍ଥଳମାନଙ୍କରେ ଓଡ଼ିଆ ପ୍ରାଥମିକ ବିଦ୍ୟାଳୟର ଏକାନ୍ତ ଅଭାବ ପରିଲକ୍ଷିତ ହେଉଅଛି । ସେହିଠାରେ ଓଡ଼ିଆ ପରିବର୍ତ୍ତେ ଓଡ଼ିଆ ବାଳକମାନେ ତେଲୁଗୁ ଶିଖବାକୁ ବାଧ୍ୟ ହେଉଅଛନ୍ତି । ଏ ପ୍ରତି ସରକାର କିମ୍ବା ଲୋକଙ୍କର ଦୃଷ୍ଟି ଅଦ୍ୟାବଧ ପଡ଼ିନାହିଁ । ପାଦ୍ରି ମିସନାରୀମାନେ ଯାହା କରୁଅଛନ୍ତି, ତାହା ବାଦେଦେଲେ ଓଡ଼ିଆ ଶିକ୍ଷା ପ୍ରଚାର ନିମନ୍ତେ ସେହି ଅଞ୍ଚଳରେ କୌଣସି ଉତ୍ସାହ, କୌଣସି ଉଦ୍ୟମ ନାହିଁ । ଏହିପରି ଚତୁର୍ଦ୍ଦିଗରେ ଶିକ୍ଷାର ଅଭାବ ପରିଲକ୍ଷିତ ହେଉଅଛି । ଏପରି ଅବସ୍ଥାରେ କେଉଁ ପ୍ରଣାଳୀର ଶିକ୍ଷା ଦିଆଯିବା ଉଚିତ, ଏହି ବିଷୟର ଆଲୋଚନାରେ ପ୍ରବୃତ୍ତ ହେଲେ କି ଲାଭ ହେବ-? ଶିକ୍ଷା ତ ନାହିଁ, ସେଥିରେ ପ୍ରଣାଳୀ ନିରୂପଣ ପାଇଁ ଏତେ ବ୍ୟାକୁଳତା କାହିଁକି ? ତଥାପି କେବଳ ଶିକ୍ଷାର ପରିମାଣ ପ୍ରତି ଦୃଷ୍ଟି ଦେଲେ ଚଳିବ ନାହିଁ । କ୍ଷୁଧାରେ ପ୍ରପୀଡ଼ିତ ବୋଲି ଏଣୁ ତେଣୁ ଆହାର ଯୋଗାଇଲେ ଚଳିବ ନାହିଁ । ଖାଦ୍ୟ ଏପରି ହେବା ଉଚିତ; ଯଦ୍ଦ୍ୱାରା ରକ୍ତବୃଦ୍ଧି ହେବ, ଅଙ୍ଗ ସବଳ ଓ ସତେଜ ହେବ । ତାହା ନ ହେଲେ ଅଜୀର୍ଣ୍ଣ ରୋଗରେ ଆକ୍ରାନ୍ତ ହେବା ଅସମ୍ଭବ ନୁହେଁ । ଶିକ୍ଷାର ପ୍ରକୃତି ପ୍ରତି ଦୃଷ୍ଟି ନ ଦେଲେ ତାହା ଅଶିକ୍ଷାଠାରୁ ଭୟଙ୍କର ହୋଇଉଠିବ ଏବଂ ଜାତି ମାନସିକ ଅଜୀର୍ଣ୍ଣ ରୋଗରେ ଗ୍ରସ୍ତ ହେବା ବିଚିତ୍ର ନୁହେଁ । ଏହି କଥା ଆମ୍ଭଦେଶର ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ସାଧାରଣ ଗ୍ରାମୀୟ ବୋର୍ଡ଼ ପାଠଶାଳା ପର୍ଯ୍ୟନ୍ତ ସକଳ ସ୍ଥାନରେ ପ୍ରଯୁଜ୍ୟ ।

 

ସବୁକଥା ପରି ଶିକ୍ଷାର ମଧ୍ୟ ଗୋଟିଏ ଆଦର୍ଶ ରଖିବାକୁ ହେବ । ସେ ଆଦର୍ଶ ଜାତିର ପାରିପାର୍ଶିକ ଅବସ୍ଥା, ଜାତିର ପୂର୍ବପରମ୍ପରାର ଅନୁକୂଳ ହେବା ଆବଶ୍ୟକ । ଏକ କଥାରେ ଆଦର୍ଶ ଏପରି ହେବା ଉଚିତ ଯେ, ତାହା ଗ୍ରହଣ କରି ତଦ୍ଦ୍ୱାରା ଅନୁପ୍ରାଣିତ ହୋଇ ଜାତି ଉପରକୁ ଉଠିପାରିବ । ବର୍ତ୍ତମାନ ଓଡ଼ିଆଙ୍କ ଭାଗ୍ୟରେ ଦୁଇଗୋଟି ବିଶ୍ୱବିଦ୍ୟାଳୟ ପଡ଼ିଅଛି । ଆଉ କେତେଦିନ ପରେ ପାଟଣା ବିଶ୍ୱବିଦ୍ୟାଳୟ ମଧ୍ୟ ସଂସ୍ଥାପିତ ହେବ । ଗୋଟିଏ ଜାତି ତିନିଗୋଟି ବିଶ୍ୱବିଦ୍ୟାଳୟରେ ବିଭକ୍ତ ହୋଇ ଶିକ୍ଷିତ ହେଲେ ଜାତିର ଗୋଟିଏ ଆଦର୍ଶ ରହିବ କି ? ଅନ୍ୟ ବିଷୟମାନଙ୍କରେ ଯେପରି ଶିକ୍ଷାରେ ମଧ୍ୟ ସେପରି ଏକ Common standard ସମାନ ପ୍ରଣାଳୀ ଓ ଆଦର୍ଶ ରହିବା ଅବଶ୍ୟକ । ମାନ୍ଦ୍ରାଜ ଅଞ୍ଚଳରେ ବିଶ୍ୱବିଦ୍ୟାଳୟରେ ସଂସ୍କୃତକୁ ଯେ ସ୍ଥାନ ଦିଆଯାଇଅଛି କଲିକତାରେ ତାହା ନୁହେଁ । ଜଣେ କଟକର ଗ୍ରାଜୁଏଟ୍‌ ଜଣେ ଗଞ୍ଜାମର ଗ୍ରାଜୁଏଟ୍‌ଙ୍କ ଅପେକ୍ଷା ସଂସ୍କୃତରେ ଅଧିକ ପାରଦର୍ଶି ଓ ମାତୃଭାଷାରେ ଅଧିକ ପ୍ରବୀଣ । ଏହିପରି ଯେ ପାର୍ଥକ୍ୟ ଅନ୍ୟତ୍ର ରହୁନାହିଁ; ଏହା କହିବା ମୋହର ଅଭିପ୍ରେତ ନୁହେଁ । କିନ୍ତୁ ଏକ ଜାତି ନିମନ୍ତେ ଏକ ବିଶ୍ୱବିଦ୍ୟାଳୟ, ଏକ ଆଦର୍ଶ ଏକ ଶିକ୍ଷାପ୍ରଣାଳୀ ଅଧିକତର ଉପଯୋଗୀ ଓ ସ୍ୱାସ୍ଥ୍ୟକର ବୋଲି ମୋହର ଧାରଣା । କିନ୍ତୁ ଏହା କେତେଦୂର ସମ୍ଭବ ସରକାର ଓ ବ୍ୟକ୍ତିମାନଙ୍କର ଆଲୋଚନାର ବିଷୟ । କେତେଦିନ ପୂର୍ବେ ଧରାକୋଟର ମାନ୍ୟବର ରାଜାସାହେବ ସମସ୍ତ ଓଡ଼ିଆ ଭାଷୀ ପ୍ରଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ଏକ ଶିକ୍ଷାକର୍ତ୍ତୃପକ୍ଷଙ୍କ ଅଧୀନରେ ରହିବା ବାଞ୍ଛନୀୟ ବୋଲି ବ୍ୟବସ୍ଥାପକ ସଭାରେ ଯେଉଁ ପ୍ରସ୍ତାବ ଉତ୍‌ଥାପନ କରିଥିଲେ, ତାହା ଗୃହୀତ ହେଲେ ଅନେକାଂଶରେ ଶିକ୍ଷାର ଏକ ଆଦର୍ଶ ଓ ସମାନ ହୋଇପାରେ ।

 

ଶିକ୍ଷାର ଆଦର୍ଶ ସମ୍ବନ୍ଧେ କହୁଁ କହୁଁ ସତ୍ୟବାଦୀର ଆଦର୍ଶ ହାଇସ୍କୁଲ୍‌ କଥା ମନେପଡ଼ିଲା-। ସତ୍ୟବାଦୀ ସ୍କୁଲ୍‌ ମୁଁ ଦେଖିନାହିଁ; କିନ୍ତୁ ଲୋକମୁଖରେ ଓ ସମ୍ବାଦପତ୍ରାଦିଦ୍ୱାରା ତାହାର ପରିଚୟ ପାଇପାରିଅଛ । ତ୍ୟାଗର ଜ୍ୱଳନ୍ତ ଆଦର୍ଶ ଦେଖାଇ ସତ୍ୟବାଦୀ ସ୍କୁଲ୍‌ର ପ୍ରତିଷ୍ଠାତାମାନେ ଏହି ନୂତନ ସ୍କୁଲ୍‌ ନୂତନ ଧରଣରେ, ନୂତନ ଆଦର୍ଶରେ ଚଳାଉଅଛନ୍ତି । ଶୁଣିପାରିଅଛି, ସେଠାରେ ସେମାନେ ‘ମନୁଷ୍ୟ ଗଢ଼ୁଅଛନ୍ତି’ । ଶିକ୍ଷକମାନେ ପ୍ରାଚୀନ ପୁରାଣ କଥିତ ଆଚାର୍ଯ୍ୟାଦିର କାର୍ଯ୍ୟ କରୁଅଛନ୍ତି । ଶିକ୍ଷକ ଆଚାର୍ଯ୍ୟ ନ ହେଲେ, ଅର୍ଥାତ୍‌ ଶିକ୍ଷା ଆଚରଣରେ ପରିଣତ ନ ହେଲେ ତାହାର ଫଳ କିଛି ହୁଏ ନାହିଁ । ମନୁଷ୍ୟତା ପ୍ରାପ୍ତିନିମିତ୍ତ ସେମାନେ ଛାତ୍ରମାନଙ୍କୁ ଯେଉଁ ମାର୍ଗରେ ଚଳାଉଥିବାର ଜଣାଯାଏ, ତାହା ସର୍ବଥା ଅନୁକରଣୀୟ-। ଆମ୍ଭମାନଙ୍କ ଦେଶପ୍ରମୀର ଏହିପରି ସ୍କୁଲର ସଂଖ୍ୟା ଏପରି ସ୍ୱାର୍ଥତ୍ୟାଗୀଙ୍କ ସଂଖ୍ୟା ବୃଦ୍ଧି ହେଉ ଏବଂ ସତ୍ୟବାଦୀର ଉଚ୍ଚ ଉତ୍କଳ ଆଦର୍ଶରେ ଦେଶର ଶିକ୍ଷାନୁଷ୍ଠାନ ସକଳ ଚାଳିତ ହେଉ, ଏହା ମୋହର ଆନ୍ତରିକ ଇଚ୍ଛା ଏବଂ ଭଗବାନ ଏହି ସ୍କୁଲ୍‌ର ଅନୁଷ୍ଠାତାମାନଙ୍କ କାର୍ଯ୍ୟରେ ସହାୟ ହୁଅନ୍ତୁ, ଏହାହିଁ କାମନା ।

 

ସିଂହଭୂମି ଅଞ୍ଚଳରେ ଓଡ଼ିଆ ଶିକ୍ଷା ପ୍ରଚାରର ଯେପରି ଅଭାବ ଅଛି, ଗଞ୍ଜାମ ବିଶାଖପଟଣରେ ମଧ୍ୟ ତଦୃପ । ସିଂହଭୂମିରେ ଯେପରି ଓଡ଼ିଆ ଶିକ୍ଷକଙ୍କ ଅଭାବ ଅଛି, ଏହି ଅଞ୍ଚଳରେ ମଧ୍ୟ ସେହିପରି ଅଭାବ ରହିଅଛି । ଏଥିପ୍ରତି ଗଭର୍ଣ୍ଣରଙ୍କ ଶୁଭଦୃଷ୍ଟି ନ ପଡ଼ିଲେ ଓଡ଼ିଆଙ୍କର ଉନ୍ନତି ଆଶା ବିଡ଼ମ୍ବନା ମାତ୍ର । ତେଲୁଗୁମାନେ ଯେତେ ଶିକ୍ଷିତ ହୁଅନ୍ତୁ ସେମାନେ ଓଡ଼ିଆରେ ଶିକ୍ଷା ଦେଇପାରିବେ ନାହିଁ ଏବଂ ଓଡ଼ିଆ ଆଦର୍ଶ, ଓଡ଼ିଆର ବ୍ୟକ୍ତିତ୍ୱ ଓ ବିଶେଷତ୍ୱ ତେଲୁଗୁମାନେ ରକ୍ଷା କରିବେ ବା କିପରି ? ସମ୍ମିଳନୀ ଚେଷ୍ଟାକଲେ କେତେକ ଓଡ଼ିଆ ଶିକ୍ଷକ ଏ ଅଞ୍ଚଳକୁ ଆମଦାନୀ କରାଇପାରନ୍ତି । ସେଥି ପାଇଁ ଗଞ୍ଜାମ ଓଡ଼ିଆ ସମାଜ ପ୍ରଭୂତ ଉଦ୍ୟମ କରୁଥିବାର ଜଣାଯାଏ-। ଅନ୍ୟମାନଙ୍କୁ ସେହି କାର୍ଯ୍ୟରେ ସାହାଯ୍ୟ ଦେବାକୁ ହେବ । ରସଲେକାଣ୍ଡାରେ ଓଡ଼ିଆ ହାଇସ୍କୁଲ୍‌ ପ୍ରତିଷ୍ଠିତ ହୋଇଅଛି । ଏହା ଗଭର୍ଣ୍ଣରକୁ ଧନ୍ୟବାଦ ଦେଉଅଛି-। ପରନ୍ତୁ ଓଡ଼ିଆ ଶିକ୍ଷକ ନିଯୋଗ ପ୍ରତି ବିଶେଷ ମନୋଯୋଗ ନ ଦେଲେ ସରକାର ଯେଉଁ ଉଦ୍ଦେଶ୍ୟରେ ରସଲେକାଣ୍ଡାଠାରେ ହାଇସ୍କୁଲ୍‌ ବସାଇଅଛନ୍ତି ସେହି ଉଦ୍ଦେଶ୍ୟ ଅପୂର୍ଣ୍ଣ ରହିବ-। ଅନ୍ୟତ୍ର ଶିକ୍ଷକାଭାବ ପୂରଣ କରିବା ନିମିତ୍ତ ବ୍ରହ୍ମପୁର ଟ୍ରେନିଂ ସ୍କୁଲ୍‌ ଉଚ୍ଚ ଗ୍ରେଡ୍‌ ସ୍କୁଲରେ ପରିଣତ ହୋଇଅଛି । ଏହା ଅବଶ୍ୟ ଆନନ୍ଦର କଥା । ଆଶା କରାଯାଏ, ସରକାର ବାହାଦୂର ଜୟପୁର ପ୍ରତିଶିକ୍ଷାର ସୁବିଧା କରିଅଛନ୍ତି । ଆମ୍ଭମାନଙ୍କର ସାହିତ୍ୟିକ ଅନୁଷ୍ଠାନଗୁଡ଼ିକ ମଧ୍ୟ ତଦୃପ କରିବାକୁ ହେବ । ଜ୍ଞାନର ବିଭିନ୍ନ ବିଭାଗରେ ଭିନ୍ନ ଭିନ୍ନ ଧରଣର ପୁସ୍ତକମାନ ପ୍ରକାଶ କରିବାକୁ ହେବ । ପୁରାତନ ସାହିତ୍ୟପ୍ରତି ଲୋକଙ୍କର ଆଗ୍ରହ ଓ ଆସ୍ଥା ଉଦ୍ରେକ କଲେ ଆଧୁନିକ ସାହିତ୍ୟ ଅନୁଶୀଳନରେ ମଣିକାଞ୍ଚନ ସଂଯୋଗର ଯତ୍ନ କରିବାକୁ ହେବ । ନୂତନ ଧରଣର ନବଯୁଗର ଉପଯୋଗୀ କବିତା ରଚନାରେ ଆରାଧାନା ଯେଉଁ ମାର୍ଗ ଦେଖାଇଛନ୍ତି, ଗଦ୍ୟ ଲେଖିବାରେ ବି ମଧୁସୂଦନ ଯେଉଁ ପ୍ରତିପତ୍ତି ସଂସ୍ଥାପନ କରିଅଛନ୍ତି, ନାଟକ ପ୍ରଣୟନରେ ଶ୍ରୀଯୁକ୍ତ ରାମଶଙ୍କର ରାୟ ଯେଉଁ କୃତିତ୍ୱର ପରିଚୟ ଦେଇଅଛନ୍ତି, ଉପନ୍ୟାସରେ ଭକ୍ତି ଭାଜନ ଫକୀରମୋହନ ଉଚ୍ଚସାହିତ୍ୟର ଯେଉଁ ମାର୍ଗ ଦର୍ଶାଇଅଛନ୍ତି, ସେ ସମସ୍ତ ଆମ୍ଭ ଓଡ଼ିଆ ଜାତିକୁ ଏକ ପ୍ରକାର ଉଜ୍ଜୀବିତ କରିରଖିଅଛି । ଓଡ଼ିଆ ଜାତି ବର୍ତ୍ତମାନ ଯୁଗରେ ଏମାନଙ୍କ ଲେଖାରୁ ତାଙ୍କର ମାନସିକ ଖାଦ୍ୟ ସଂଗ୍ରହ କରୁଅଛନ୍ତି । କିନ୍ତୁ ଗୋଟିଏ ପ୍ରକାଣ୍ଡ ଜାତି ନିମନ୍ତେ ଏକ କୋଟିରୁ ଅଧିକ ଓଡ଼ିଆ ଜୀବଙ୍କ ନିମନ୍ତେ ଏହି ଚାରିଜଣଙ୍କଦ୍ୱାରା ବହୁ ଯତ୍ନରେ ସଞ୍ଚିତ ସୁଦ୍ଧିଷ୍ଟ ଖାଦ୍ୟ ମଧ୍ୟ ଯଥେଷ୍ଟ ନୁହେଁ । ନାନା ପ୍ରକାର ଗ୍ରନ୍ଥ, ବିଭିନ୍ନ ପ୍ରକାର ଉପନ୍ୟାସ, କାବ୍ୟ ନାଟକ ଆବଶ୍ୟକ । ବର୍ତ୍ତମାନ ସବୁ ବିଭାଗରେ ଅଭାବ । ଦୁଃଖର ବିଷୟ ଆଜିଯାଏ ଓଡ଼ିଆରେ ଖଣ୍ଡିଏ ଉଚ୍ଚଧରଣର ଅଭିଧାନ ସଙ୍କଳିତ ହୋଇନାହିଁ । ଏହି ପାରଳାର ପଣ୍ଡିତ ଶ୍ରୀ ଗୋପୀନାଥ ନନ୍ଦ ବହୁ ପରିଶ୍ରମ କରି ଖଣ୍ଡିଏ ଅଭିଧାନ ପ୍ରଣୟନ କରିଅଛନ୍ତି । ତାହା ଅଦ୍ୟାବଧ ପ୍ରକାଶ ହୋଇପାରିନାହିଁ । ନିଜେ ସେ ପ୍ରଭୂତ ଉଦ୍ୟମ କଲେଣି । କେଉଁଥିରେ ନ ପାରି ଉତ୍କଳ ସାହିତ୍ୟ ସମାଜ ହାତରେ ସେ କାର୍ଯ୍ୟଟି ଦେଇଅଛନ୍ତି । ସମାଜର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଅଭିଧାନ ଖଣ୍ଡ ଛାପାହୋଇ ପାରିନାହିଁ-। ଆଶା କରାଯାଏ, ଆମ୍ଭମାନଙ୍କ ଜୀବନରେ ତାହା ଦେଖିବାକୁ ପାଇବୁଁ । ଆଜିଯାଏ ସାହିତ୍ୟସମାଜ କୌଣସି ଗ୍ରନ୍ଥ ପ୍ରକାଶ କରିବାର ମୁଁ ଜାଣିନାହିଁ । ଅନ୍ତତଃ ଏହି ଅଭିଧାନ ଖଣ୍ଡି ଛପାଇଲେ ସମାଜର ଗୌରବ ବଢ଼ନ୍ତା । ଆନନ୍ଦର ବିଷୟ କେତେକ ରାଜା ଓଡ଼ିଆ ସାହିତ୍ୟ ଚର୍ଚ୍ଚାରେ ମନୋଯୋଗ ଦେଇଥିବା ଆଭାସ ମିଳିଅଛି । ସେମାନେ ଯେ ଯାହା କ୍ଷେତ୍ରରେ କିଛି ନା କିଛି କରୁଅଛନ୍ତି, ଏହା ଅବଶ୍ୟ ଶୁଭର ଲକ୍ଷଣ ।

 

କରଣ, କ୍ଷତ୍ରିୟ, ବ୍ରାହ୍ମଣ ଇତ୍ୟାଦି ସମ୍ଭ୍ରାନ୍ତଙ୍କ ଘରେ ସ୍ତ୍ରୀମାନେ ଶିକ୍ଷା ପାଇବାର ଶୁଣାଯାଇଥାଏ; କିନ୍ତୁ ସେମାନଙ୍କର ଅଧକାଂଶ ସାକ୍ଷରା ମାତ୍ର । ଅକ୍ଷର ଚିହ୍ନିବା ମାତ୍ରେ ସେମାନେ ଯେ ଶିକ୍ଷିତାଙ୍କ ମଧ୍ୟରେ ଗଣ୍ୟ ହେବେ, ତାହା ନୁହେଁ । ନାରୀଗଣଙ୍କୁ ଏପରି ଶିକ୍ଷା ଦିଆଯିବା ଉଚିତ, ଯଦ୍ୱାରା ସେମାନେ ନାରୀସୁଲଭ ଦୟା, ପ୍ରୀତି, ମାୟା, ମମତା, ଶୁଶ୍ରୁଷା ଇତ୍ୟାଦି ସଦ୍‌ଗୁଣ ପ୍ରତି ସମଧିକ ଆସ୍ଥାବତୀ ହେବେ ଏବଂ ମାନବ ସମାଜକୁ ସମଧିକ ସୁଖ, ଶାନ୍ତି ଓ ମଙ୍ଗଳ ଆନୟନ କରିବେ । ଆମ୍ଭେମାନେ ସ୍ତ୍ରୀଶିକ୍ଷା ପ୍ରତି ଯେଉଁ ଉଦାସୀନତା ଦେଖାଇଅଛୁଁ ତାହା ଦେଶ ପକ୍ଷରେ ଘୋର ଅମଙ୍ଗଳର ଲକ୍ଷଣ । ସ୍ତ୍ରୀ ଶିକ୍ଷା ପ୍ରତି ଉଦାସୀନତା ଯେପରି ନିନ୍ଦନୀୟ ଏବଂ କ୍ଷତିକାରକ, ସାହିତ୍ୟ ପ୍ରତି ଆସ୍ଥାବାନ୍‌ ନ ହେବା ତେତିକି କ୍ଷୋଭର ବିଷୟ । ସୁଖାଦ୍ୟ ଯେପରି ଶରୀରକୁ ସବଳ, ସତେଜ କରେ, ସୁସାହିତ୍ୟ ସେପରି ଜାତିର ମାନସିକ ତେଜ ବିକାଶ କରେ । ଜାତିର ମସ୍ତିଷ୍କ ସତେଜ ନ ରଖିଲେ ତାହାର ମଜ୍ଜାଗତ ଶକ୍ତି କ୍ଷୀଣ ହୋଇଯାଏ ଓ ଜାତି କ୍ରମେ ଦୁର୍ବଳ ହୋଇଉଠେ । ସର୍ବତ୍ର ସର୍ବସମୟରେ ସାହିତ୍ୟିକମାନେ, କବି ଓ ଜାତିର ନେତା ହୋଇଥାଆନ୍ତି । ଅର୍ଥାତ୍‌ ମନ ଯେପରି ଶରୀରକୁ ଚାଳନ କରେ ପ୍ରତିଭାଶାଳୀ ସାହିତ୍ୟକମାନେ ସେପରି ଜାତିକୁ ଚାଳନ କରିଥାଆନ୍ତି । ଆମ୍ଭମାନଙ୍କର ଏହି ମାନସିକ ଉନ୍ନତି ପାଇଁ ଜାତୀୟ ସାହିତ୍ୟର ଅଭିବୃଦ୍ଧି ନିମନ୍ତେ ବିଶେଷଭାବରେ ଯତ୍ନ କରିବା ଆବଶ୍ୟକ ମନେକରେ । ଉତବଙ୍ଗ ଏହି କ୍ଷେତ୍ରରେ ଯାହା କରିଅଛି, ତାହା ଆମ୍ଭମାନଙ୍କ ସର୍ବତୋଭାବେ ଅନୁକରଣୀୟ । କେବଳ ବଙ୍ଗଳାରେ ସାହିତ୍ୟ ପରିଷଦ ଅଛିବୋଲି ଆମ୍ଭେମାନେ ନାମରେ ମାତ୍ର ସାହିତ୍ୟସମାଜମାନ ସ୍ଥାପନ କଲେ ଚଳିବ ନାହିଁ । ଅନ୍ଧ୍ରମାନେ ଏହି କେତେକ ବର୍ଷ ମଧ୍ୟରେ ଯାହା କରୁଅଛନ୍ତି, ବର୍ତ୍ତମାନ ସେମାନଙ୍କର ଏକାଡେମୀ ଓ ସାହିତ୍ୟିକ ସଙ୍ଘମାନେ ତାହା ନିମନ୍ତେ ଏପରି କିଛି ସୁବେନ୍ଦାବସ୍ତ କରିବେ । ଗଞ୍ଜାମ ଓଡ଼ିଆମାନେ ଟିକିଏ ସଜ୍ଞାପ୍ରାପ୍ତ ହୋଇଅଛନ୍ତି । ସେମାନେ ନିଜ ଅଭାବ ଅସୁବିଧା କହିବାକୁ ଉଦ୍ୟମ କଲେଣି । କିନ୍ତୁ ଜୟପୁର, ସିଂହଭୂମ ଓଡ଼ିଆଙ୍କର ତାହା ମଧ୍ୟ ନାହିଁ । ଅତଏବ ସରକାର ବାହାଦୂର ଏହି ବିଭାଗମାନଙ୍କ ପ୍ରତି ବିଶେଷ ଦୃଷ୍ଟି ନ ଦେଲେ ଉନ୍ନତି ଅସମ୍ଭବ । ଯେଉଁଠାରେ ବାଳକମାନଙ୍କ ପ୍ରତି ଶିକ୍ଷାର ଏପରି ଅବସ୍ଥା, ସେଠାରେ ସ୍ତ୍ରୀଶିକ୍ଷା ସମ୍ବନ୍ଧେ ବିଶେଷ କହିବା ନିଷ୍ପ୍ରୟୋଜନ । କିନ୍ତୁ ଯେଉଁମାନେ ମନୁଷ୍ୟର ଅର୍ଦ୍ଧାଙ୍ଗସ୍ୱରୂପ ଗୃହୀତ ହୁଅନ୍ତି, ଯେଉଁମାନଙ୍କ ଉପରେ ଆମ୍ଭମାନଙ୍କ ପୁତ୍ରକନ୍ୟାଙ୍କ ଭାବୀ ଜୀବନର ଭାର ରହିଅଛି, ସେମାନେ ପ୍ରକୃତ ମାତା, ପ୍ରକୃତ ଭଗିନୀ ଓ ପ୍ରକୃତ ପତ୍ନୀ ନ ହୋଇପାରିଲେ ଦେଶର ଉନ୍ନତି କେଉଁଆଡ଼ୁ ହେବ ? ପକ୍ଷୀର ଗୋଟିଏ ଡେଣା ବାନ୍ଧିଦେଇ ତାକୁ ଉଡ଼ିବାକୁ ଦେଲେ ସେ ଉଡ଼ିପାରିବକି ? ସେହିପରି ଜାତିର ଏତେଗୁଡ଼ିଏ ପ୍ରାଣୀ ଶିକ୍ଷାବିହୀନ ହୋଇ ରହିଲେ ସେହି ଜାତିର ଉନ୍ନତି ଅସମ୍ଭବ । ପୁରାକାଳରେ ହିନ୍ଦୁ ରମଣୀମାନେ ସୁଶିକ୍ଷିତା ଥିଲେ ।

 

ସୀତା, ସାବିତ୍ରୀ, ଦମୟନ୍ତୀ ହିନ୍ଦୁ ଚରିତ୍ରର ଚରମ ଦୃଷ୍ଟାନ୍ତ । ଲୀଳାବତୀଙ୍କ ପରି ବିଦ୍ୟାବତୀଙ୍କୁ ପାଇ ଯେ କୌଣସି ଦେଶ ଗର୍ବ କରିବ । କିନ୍ତୁ ସେସବୁ ପୁରାଣର କଥା ହୋଇଯାଇଅଛି । ପ୍ରାଚୀନକାଳର ରମଣୀଗଣଙ୍କ ଚରିତ୍ରର ରମଣୀୟତା ଆଣିବାକୁ ଅନେକ କାଳ ଲାଗିବ । ପୁରାଣ କଥା ଛାଡ଼ନ୍ତୁ, ଓଡ଼ିଶାର କରଣକୁଳମଣ୍ଡନା ମାଧବୀ ଦାସୀଙ୍କ କଥା କିଏ ନ ଜାଣେ ? ଯେଉଁ ମହାତ୍ମା ଚୈତନ୍ୟଦେବ ନାରୀମୁଖ ସଦର୍ଶନ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ, ସେ ମାଧବୀଙ୍କ ଶିକ୍ଷାଦୀକ୍ଷାରେ ମୁଗ୍‍ଧ ହୋଇ ନିୟମଭିଁ କରି ତାଙ୍କୁ ଦର୍ଶନ ଦେଇଥିବା ଶୁଣାଯାଏ । ଆଉଜଣେ ଏହି ଆଧୁନିକ ଯୁଗରେ ସାହିତ୍ୟଚର୍ଚ୍ଚା କରି ସଂସ୍କୃତ ପ୍ରଭୃତିରେ ନିପୁଣତାର ପରିଚୟ ଦେଉଅଛନ୍ତି । ରାଧାନାନୀ ଧରାକୋଟର ଜଣେ ବ୍ରାହ୍ମଣ ଘରର ବିଧବା । ତାଙ୍କର ସେହି ଶିକ୍ଷାର ଆଭାସ ବର୍ତ୍ତମାନ ସ୍ତ୍ରୀ ସମାଜରେ କାହିଁ ? ସ୍କୁଲ୍‌ମାନ ଯଥେଷ୍ଟ ରୂପରେ ନ ହେଉ ବୋଲିବାକୁ ହେବ । ଭୋଜ ବିକ୍ରମାଦିତ୍ୟଙ୍କଠାରୁ ଆରମ୍ଭ କରି ସୁଢ଼ଳ, ରାମଚନ୍ଦ୍ର ପର୍ଯ୍ୟନ୍ତ ରାଜାମାନଙ୍କଦ୍ୱାରା ଭାରତର ସଂସ୍କୃତ ତଥା ପ୍ରାଦେଶିକ ଭାଷାର ସାହିତ୍ୟ ପରିପୁଷ୍ଟ ହୋଇ ଆସିବାର ଜଣାଯାଏ । ଓଡ଼ିଶାର ନରପତିମାନଙ୍କ ମଧ୍ୟରୁ କେତେକଙ୍କଠାରେ ଏହି ସାହିତ୍ୟ ଅନୁରାଗ ଦେଖାଯାଏ, ଏହା ଅତି ଆନନ୍ଦର କଥା । ରାଜା ଏବଂ ବୃତ୍ତୀଶ୍ୱରମାନେ ନିଜେ ସାହିତ୍ୟଚର୍ଚ୍ଚା କରିବା ସହିତ ଅନ୍ୟାନ୍ୟ ଶକ୍ତିଶାଳୀ ସାହିତ୍ୟିକମାନଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ପ୍ରକାରେ ସାହାଯ୍ୟ ଦେଇ ସାହିତ୍ୟର୍ଚ୍ଚାର କ୍ଷେତ୍ର ବଢ଼ାଇଲେ ଆହୁରି ଭଲ ହୁଅନ୍ତା ।

ସଂସ୍କାର :

ଆଜିକାଲି ଆମ୍ଭମାନଙ୍କ ଦେଶପ୍ରମୀର ସଂସ୍କାର କରିବାକୁ କେତେକଙ୍କର ପ୍ରୟାସ ଦେଖାଯାଉଅଛି । କିନ୍ତୁ କାହିଁକି ଯେ ସଂସ୍କାର ଆବଶ୍ୟକ, ତାହା କେହି ସ୍ଥିର କଲାପରି ଜଣାଯାଏନାହିଁ । ଦେଶର ବର୍ତ୍ତମାନ ଅବସ୍ଥାରେ ଆମ୍ଭମାନଙ୍କର ଆଚାର, ବ୍ୟବହାର, ସାମାଜିକ ରୀତିନୀତିରେ କୌଣସି ପରିବର୍ତ୍ତନ ଘଟାଇବା ସମୀଚୀନ ନୁହେଁ । ବରଂ ପୁରାତନ ପ୍ରତି ପ୍ରାଚୀନ ସାମାଜିକ ରୀତିନୀତି ପ୍ରତି ଲୋକଙ୍କର ଅସ୍ଥା ଓ ଆଗ୍ରହ ବଢ଼ାଇବା ଆବଶ୍ୟକ ବୋଲି ମୁଁ ମନେକରେ । ଜାତିର ଯାହା ସମ୍ବଳ, ତାହା ଛାଡ଼ିଦେଇ କେବଳ ଅନୁକରଣର ପଶ୍ଚାମାବକ କଲେ କିଛି ଫଳ ହେବ ନାହିଁ । ଏହାଦ୍ୱାରା ମୁଁ ପ୍ରକାଶ କରୁନାହିଁ ଯେ, ଆମ୍ଭମାନଙ୍କ ସମାଜରେ କୌଣସି ତ୍ରୁଟି ବା ଦୋଷ ନାହିଁ । କେଉଁ ସମାଜରେ ବା ତାହା ନାହିଁ ? ଆମ୍ଭମାନଙ୍କ ସମାଜ ପରି ପ୍ରାଚୀନ ସମାଜ ନାନା ଅବସ୍ଥା ଅତିକ୍ରମ କରି ଆସିବାରୁ କାଳକ୍ରମେ ତହିଁରେ ସେପରି ଅନେକ ତ୍ରୁଟି ବା କୁସଂସ୍କାର ପ୍ରବେଶ କରିବା ସ୍ୱାଭାବିକ । ସେସବୁର ନିରାକରଣ ସର୍ବଦା ବାଞ୍ଛନୀୟ, କିନ୍ତୁ ତାହା କରିଥିବାବେଳେ “ଶେନୈଃ ପନ୍ଥା ଶେନୈଃ ପନ୍ଥା ଶେନୈଃ ପର୍ବତଲଙ୍ଘନଂ’’ ନୀତି ଅବଲମ୍ବନ କରିବା ଶ୍ରେୟସ୍କର ।

ଉପସଂହାର :

ଏପରି ଦେଶର ଉନ୍ନତି ବିଧାୟକ ଅନ୍ୟାନ୍ୟ ବିଭାଗ ଅର୍ଥାତ୍‌ କୃଷି, ଶିଳ୍ପ, ବାଣିଜ୍ୟ ସମ୍ବନ୍ଧରେ ପୂର୍ବବର୍ତ୍ତୀ ସମ୍ମିଳନୀର ସଭାପତିମାନେ ବିଶେଷଭାବରେ କହିଦେଇ ଯାଇଅଛନ୍ତି । ସେ ସମସ୍ତର ଆମ୍ରଡେନ୍‌ ବର୍ତ୍ତମାନ ନିଷ୍ପ୍ରୟୋଜନ । ଗୋଟିଏ ଜାତିକୁ ଉନ୍ନତି ପରେ ଅଗ୍ରସର କରିବାକୁ ହେଲେ ତାହାର ଏହି ସମସ୍ତ ବିଭାଗର ଉତ୍କର୍ଷ ସମ୍ପାଦନ କରିବାକୁ ହେବ । କିନ୍ତୁ ଏହିସବୁ କାର୍ଯ୍ୟ ବର୍ଷକରେ ବା ଦଶ ବର୍ଷରେ ହେଲାନାହିଁ ବୋଲି କ୍ଷୋଭ ପ୍ରକାଶ କରି କାର୍ଯ୍ୟକ୍ଷେତ୍ରରୁ ନିବୃତ୍ତ ହେଲେ ଚଳିବ ନାହିଁ । ଶତବର୍ଷବ୍ୟାପୀ ଉଦ୍ୟମ, ଆନ୍ଦୋଳନ ଆବଶ୍ୟକ । କଠୋର ସ୍ୱାର୍ଥତ୍ୟାଗ, ପ୍ରତିଭାଶାଳୀମାନଙ୍କର ଶକ୍ତି ଓ ସମାର୍ଥ ବିନିଯୋଗ ଆବଶ୍ୟକ ।

ଉତ୍କଳର ସ୍ଥାନେ ସ୍ଥାନେ କୌଣସି କୌଣସି ବ୍ୟକ୍ତିବିଶେଷଙ୍କ କାର୍ଯ୍ୟରେ ଏହି ଜାତୀୟ କଲ୍ୟାଣ ନିମନ୍ତେ ଯେତେ ସାମାନ୍ୟ ହେଉ ପଛକେ, ଉତ୍ସାହ ଏବଂ ଆତ୍ମୋତ୍ସର୍ଗ ସଂପ୍ରତି ଦେଖାଯିବା ବିଶେଷ ଆଶାପ୍ରଦ । ଲୋକଙ୍କ ମଧ୍ୟରେ ସମ୍ମିଳନୀ ଯେ ଏ ପ୍ରବୃତ୍ତି ଜାଗରଣ କରାଇନାହିଁ, ଏହା କୁହାଯାଇ ନ ପାରେ । ସମ୍ମିଳନୀ କ’ଣ କାର୍ଯ୍ୟ କଲାବୋଲି ସମ୍ମିଳନୀ ଅଧିବେଶନପରେ ପଚାରିବା କିମ୍ବା ବର୍ଷକ ପରେ ଅନ୍ୟ ଅଧିବେଶନ ସମୟରେ ସେ ସମ୍ବନ୍ଧରେ କେତେଗୁଡ଼ିଏ ନିରାଶାବାଣୀ କହି ବୀତଶ୍ରଦ୍ଧା ହେବା ବିଶ୍ୱାସୀ ମାନବର କର୍ତ୍ତବ୍ୟ ନୁହେଁ ।’’

 

ଓଁ ଶାନ୍ତିଃ, ଶାନ୍ତିଃ, ଶାନ୍ତିଃ ।

ପରଳାଖେମୁଣ୍ଡି

ଶ୍ରୀ ବିକ୍ରମଦେବ ବର୍ମା

୨୬/୦୨/୧୯୧୪

ସଭାପତି - ଉତ୍କଳ ସମ୍ମିଳନୀ

 

(ଦଶମ ଅଧିବେଶନ)

 

ବିକ୍ରମଦେବ ବର୍ମାଙ୍କ ଏହି ଭାବପୂର୍ଣ୍ଣ ଅଭିଭାଷଣ ଶୁଣି ଉପସ୍ଥିତ ଶ୍ରୋତାମଣ୍ଡଳୀ ଅଭିଭୂତ ହୋଇପଡ଼ିଲେ । ସେମାନେ ବାସ୍ତବ ସମସ୍ୟାଗୁଡ଼ିକୁ ହୃଦୟଙ୍ଗମ କରିବାକୁ ଲାଗିଲେ । ତେଲୁଗୁ ଅଞ୍ଚଳରେ ରହିସୁଦ୍ଧା ମାତୃଭାଷା ଓ ମାତୃଭୂମି ପ୍ରତି ବିକ୍ରମଦେବଙ୍କ ଅପୂର୍ବ ମମତ୍ୱବୋଧର ପରିଚୟ ପାଇଲେ । ସମ୍ମିଳନୀ ଶେଷରେ ଉକ୍ତ ସମ୍ମିଳନୀର ଆହ୍ୱାନକାରୀ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହୋଦୟ ବର୍ମା ମହାଶୟଙ୍କୁ ଧନ୍ୟବାଦ ଦେବା ଅବସରରେ କହିଲେ “ସଭାପତି ମହୋଦୟଙ୍କ ସଦ୍‌ଗୁଣାବଳୀ ଆପଣମାନଙ୍କର ଅବିଦିତ ନୁହେଁ । ସେ ଏହି ମହାସଭାର କାର୍ଯ୍ୟାବଳୀ ଯେପରି ଦକ୍ଷତା ସହକାରେ ଚଳାଇଛନ୍ତି, ସେଥିରୁ ତାଙ୍କ କାର୍ଯ୍ୟକାରିତାର ପରିଚୟ ମିଳୁଅଛି । ନାନାବିଧ ବୈଷୟିକ କାର୍ଯ୍ୟରେ ବ୍ୟସ୍ତଥିଲେ ସୁଦ୍ଧା ଆମ୍ଭମାନଙ୍କର ଅନୁରୋଧ ରକ୍ଷାକରି ଏହି ସମ୍ମିଳନୀର ଦାୟିତ୍ୱପୂର୍ଣ୍ଣ ସଭାପତି ଆସନ ଗ୍ରହଣ କରିଥିବାରୁ ତାହାଙ୍କୁ ମୁଁ ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛି ।’’

 

ଦୁଇଦିନ ଧରି ଚାଲିବା ଏହି ସମ୍ମିଳନୀର ଦୁଇଟି ରାତ୍ରିରେ ସେଠାକାର ପଦ୍ମନାଭ ରଙ୍ଗାଳୟର କଳାକାରମାନଙ୍କଦ୍ୱାରା ଦୁଇଟି ନାଟକ ପ୍ରଦର୍ଶିତ କରାଯାଇଥିଲା । ଏହି ଦୁଇଟି ନାଟକ ହେଲା ପଦ୍ମନାଭ ନାରାୟଣଦେବଙ୍କ ‘ବାଣ ଦର୍ପଦଳନ’ ଓ ଉକ୍ତ ରଙ୍ଗାଳୟର ମ୍ୟାନେଜର ଶ୍ରୀଯୁକ୍ତ ଅପଥା ପରିଚ୍ଛାଙ୍କ ‘ବିଜୟ ବସନ୍ତ’ । ବିକ୍ରମଦେବ ଉକ୍ତ ଦୁଇଟି ନାଟକ ଦେଖିବାପରେ ଅଭିନେତାମାନଙ୍କ ଅଭିନୟରେ ମୁଗ୍ଧ ହୋଇ ନାଟକର ବିକାଶ ସକାଶେ ଉକ୍ତ ନାଟ୍ୟସଂସ୍ଥାକୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଥିଲେ ।

 

ଉତ୍କଳ ସମ୍ମିଳନୀ ପାରଳାଠାରେ ଅନୁଷ୍ଠିତ ହେବା ସମୟରେ ସେଠାରେ ଆହୁରି କେତେକ ସଭାସମିତିର ଆୟୋଜନ କରାଯାଇଥିଲା । ‘କୈନ୍ଦ୍ରିକ ଉତ୍କଳ ଯୁବକ ସମ୍ମିଳନୀ’ର ପ୍ରଥମ ବାର୍ଷିକ ଉତ୍ସବ ଆୟୋଜନ ଉକ୍ତ ସମ୍ମିଳନୀ ମଞ୍ଚ ଉପରେ ହିଁ ତା’ପରଦିନ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିକ୍ରମଦେବ ବର୍ମା ସଭାପତିତ୍ୱ କରି କହିଲେ, -“ପ୍ରତିବର୍ଷ ଉତ୍କଳ ସମ୍ମିଳନୀ ଅଧିବେଶନପରେ ସେହି ମଞ୍ଚରେ ଯୁବକ ସମ୍ମିଳନୀ ଆୟୋଜନ କରାଯିବ । ଯାହାଫଳରେ ଅଗ୍ରଜମାନଙ୍କ ମଧ୍ୟରେ ଯଦି କିଛି ଅଭାବ ରହେ, ତେବେ ତାହାର ପୂରଣ ସକାଶେ ଯୁବେଗାଷ୍ଠୀ ତତ୍ପରତା ପ୍ରକାଶ କରିବେ । ଏହି ପ୍ରସ୍ତାବ ତତ୍‌କାଳୀନ ଯୁବେଗାଷ୍ଠୀ ଉପରେ ଗଭୀର ପ୍ରଭାବ ପକାଇପାରିଲା । ପୁଣି ତା’ପରଦିନ ସେଠାରେ ହିଁ ‘ବୈଷ୍ଣବ ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ବିକ୍ରମଦେବ ଭଗବତଗୀତାର ଧର୍ମଯୋଗ, କର୍ମଯୋଗ, ଜ୍ଞାନଯୋଗ, ଭକ୍ତିଯୋଗ ସମ୍ପର୍କରେ ଅତି ଚମତ୍କାର ଏବଂ ପାଣ୍ଡିତ୍ୟପୂର୍ଣ୍ଣ ଅଭିଭାଷଣ ଦେଇ ଶ୍ରୋତାମାନଙ୍କୁ ଅଭିଭୂତ କରିଦେଇଥିଲେ । ସେହି ସଭାରେ ବିକ୍ରମଦେବଙ୍କ ରଚିତ ଏକ ସଂସ୍କାରଧର୍ମୀ ସଙ୍ଗୀତ ଗାନ କରାଯାଇଥିଲା । ଏହି ଗୀତ ମଧ୍ୟରେ ଭଣ୍ଡସନ୍ୟାସୀ ଓ ଦୁର୍ନୀତିଗ୍ରସ୍ତ ବାବାଜୀମାନଙ୍କୁ ବ୍ୟଙ୍ଗ କରାଯାଇଥିଲା । ସଭାରେ ଉପସ୍ଥିତ କିଛି ଅସାଧୁ ବୈଷ୍ଣବ ଅପଦସ୍ତ ହେଲାଭଳି ମଧ୍ୟ ମନେ ହୋଇଥିଲା । ସଙ୍ଗୀତଟି ହେଲା –

 

ନାହିଁ ନାହିଁ ତେଳ ମୁକ୍ତି ଭାବିଲେ ॥ ପଦ ॥

 

ପ୍ରାତଃ ସମୟରେ

 

କାକର ପାଣିରେ

 

ପାଣିକୁଆ ପରି ବୁଡ଼ିଲେ ହେଲେ ॥ ୧ ॥

 

ପାଉଁସେ ଧୂସର

 

ହୋଇବୃଦ୍ଧ ଖର-

 

ରୀତିରେ ଚମରେ ଗଡ଼ିଲେ ହେଲେ ॥ ୨ ॥

 

ନାମକୁ ଭାଲକୁ,

 

ଛାପରେ ଦେହକୁ

 

ମଣ୍ଡି ବାଘ ପରି ଦିଶିଲେ ହେଲେ ॥ ୩ ॥

 

ଜଟାକୁ ମୁଣ୍ଡରେ,

 

ଦାଢ଼ୀକି ଥୋଡ଼ିରେ

 

ପୋଷି ଭାଲୁ ପରି ବୁଲିଲେ ହେଲେ ॥ ୪ ॥

 

ଗୋଟି ଗୋଟି ଧରି,

 

ମାଳିଲେଖା କରି

 

 

ଗୋ ମୁଖେ ଛୋଲିରେ ଜପିଲେ ହେଲେ ॥ ୫ ॥

 

 

ହୋଇ ଜ୍ଞାନୟତ

 

ବିକ୍ରମ ବନ୍ଦିତ

 

ହରିରେ ଶରଣାପନ୍ନ ନୋହିଲେ ॥ ୬ ॥

 

ପାରଳାଖେମୁଣ୍ଡି ଅଧିବେଶନର ଦୁଇବର୍ଷପରେ ୧୯୧୬ ଖ୍ରୀଷ୍ଟାବ୍ଦରେ ବାଲେଶ୍ୱରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଦ୍ୱାଦଶ ଅଧିବେଶନରେ ଯୋଗଦେଇ ବିକ୍ରମଦେବ ବର୍ମା ଏକ ପ୍ରସ୍ତାବ ଆଗତ କରି କହିଲେ - “ବିଶାଖାପଟଣ ଜିଲ୍ଲାସ୍ଥିତ କରଣମାନେ ଓଡ଼ିଆ ହୋଇଥିଲେ ସୁଦ୍ଧା ଶିକ୍ଷାବିଭାଗୀୟ କର୍ତ୍ତୃପକ୍ଷମାନେ ସେମାନଙ୍କୁ ଓଡ଼ିଆବୋଲି ଗ୍ରହଣ କରୁ ନ ଥିବା ଅତି ଶୋଚନୀୟ ବିଷୟ । ସେମାନଙ୍କର ମାତୃଭାଷା ଓଡ଼ିଆ ଏବଂ ଜନଗଣନାରେ ତାଙ୍କୁ ଓଡ଼ିଆ ବୋଲି ଦର୍ଶାଯାଇଛି । କିନ୍ତୁ ସରକାର ବାହାଦୂର ସେମାନେ ଓଡ଼ିଆ ନୁହଁନ୍ତି ବୋଲି କହି ଅନେକ କାର୍ଯ୍ୟରେ ଉପେକ୍ଷା କରୁଛନ୍ତି । ଏହାଦ୍ୱାରା ଓଡ଼ିଆ ଜାତିର ଏକ ବିଶେଷ କ୍ଷତି କରାଯାଉଛି । ସମ୍ମିଳନୀ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଉ ଯେ, ସରକାର ସେମାନଙ୍କୁ ଓଡ଼ିଆଭାବେ ଗ୍ରହଣ କରନ୍ତୁ ।’’

 

୧୯୦୩ ଖ୍ରୀଷ୍ଟାବ୍ଦରେ ବିଶାଖାପଟଣଠାରେ ଆରମ୍ଭ ହୋଇଥିଲା ‘ଆନ୍ଧ୍ରଜିଲ୍ଲା ସମ୍ମିଳନୀ’-। ଆନ୍ଧ୍ରଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସକାଶେ ଏହି ସମ୍ମିଳନୀର ପରିକଳ୍ପନା କରାଯାଇଥିଲା-। ଏହାର ପ୍ରଥମ ସମ୍ମିଳନୀରେ ବିକ୍ରମଦେବ ବର୍ମା ସଭାପତିତ୍ୱ କରିଥିଲେ । ଏହି ସମ୍ମିଳନୀରେ ସେ ଅନେକବାର ସଭାପତିତ୍ୱ କରି ବହୁ ଜାତୀୟ ତଥା ଦେଶାତ୍ମେବାଧରେ ଭରପୁର ସାରଗର୍ଭକ ଅଭିଭାଷଣମାନ ପ୍ରଦାନ କରିଥିଲେ । ଏମିତି ଭାଷଣ ଦେଉଥିଲେ ଯେ, କେହି ତାଙ୍କୁ ଅଣଆନ୍ଧ୍ର-ଓଡ଼ିଆ ବୋଲି କହିପାରୁ ନ ଥିଲେ । ଖ୍ରୀଷ୍ଟାବ୍ଦ ୧୯୧୭ ରେ ବିଶାଖାପଟଣଠାରେ ଅନୁଷ୍ଠିତ ସମ୍ମିଳନୀରେ ସେ କହିଲେ “ବ୍ରିଟିଶ୍‌ ସାମ୍ରାଜ୍ୟର ଅଧବାସୀଭାବେ ଏକ ମହୀୟାନ ଐତିହାସିକ ସଭ୍ୟତାର ଉତ୍ତରାଧକାରୀରୂପେ ଏବଂ ବ୍ରିଟିଶ୍‌ପ୍ରଜାପୁଞ୍ଜକ ସହିତ ବ୍ରିଟିଶ୍‌ ସାମ୍ରାଜ୍ୟର ଖ୍ୟାତି ଓ ଦାୟିତ୍ୱର ସମାନ ଓ ସମ୍ପୂର୍ଣ୍ଣ ଅଂଶୀଦାରସ୍ୱରୂପ ଆମ୍ଭମାନଙ୍କ ଦାବୀ ଏହି ଯେ, ଆମ୍ଭମାନଙ୍କର ମାତୃଭୂମି ତା’ର ବର୍ତ୍ତମାନ ପରାଧିନ ଅବସ୍ଥାରୁ ଉନ୍ନୀତ ହୋଇ ସାମ୍ରାଜ୍ୟର ସ୍ୱାୟତ୍ତଶାସନ ଭୋଗୀ ଅନ୍ୟାନ୍ୟ ଅଂଶପରି ସମାନ ଅଧିକାର ପାଇବା ଉଚିତ । ଏପରି ସମାନ ଅଧିକାର ପାଇଁ ସେ ସର୍ବଥା ଉପଯୁକ୍ତ । ଯଦି ଭାରତ ବର୍ଷକୁ ଆତ୍ମଦାୟିତ୍ୱପୂର୍ଣ୍ଣ ସ୍ୱାୟତ୍ତଶାସନ ପ୍ରଦାନ କରାଯାଏ, ତେବ ବ୍ରିଟିଶ୍‌ ସାମ୍ରାଜ୍ୟ ମଧ୍ୟରେ ଅନ୍ୟାନ୍ୟ ସ୍ୱାୟତ୍ତ ଶାସନ ଭୋଗୀ ଅଞ୍ଚଳ ସହିତ ଭାରତବର୍ଷ ସମକକ୍ଷ ହୋଇପାରିବ ଓ ଏହି ସମାନ ଅଧିକାର ତା’ ପକ୍ଷରେ ସମ୍ମାନଜନକ ହେବ, ନେଚତ ତାହା ଅସମ୍ଭବ-।’’

 

ତେଲୁଗୁ ସାହିତ୍ୟର ବିକାଶ ଦିଗରେ ମଧ୍ୟ ବିକ୍ରମଦେବଙ୍କ ଅବଦାନ ଅତୁଳନୀୟ । ଉଭୟ ପ୍ରାଚୀନ ଓ ଆଧୁନିକ ତେଲୁଗୁ ସାହିତ୍ୟର ସମସ୍ୟା ଓ ସମାଧାନ ପାଇଁ ଉଚ୍ଚମାନର ନିବନ୍ଧମାନ ଲେଖି ସମସାମୟିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ କରାଉଥିଲେ । ତେଲୁଗୁ ସାହିତ୍ୟ ପ୍ରତି ତାଙ୍କ ନିଷ୍ଠା ଯୋଗୁଁହିଁ ୧୯୨୩ ମସିହାରେ ତେଲୁଗୁ ସାହିତ୍ୟର ସର୍ବୋଚ୍ଚ ପ୍ରତିଷ୍ଠାନ ‘ଆନ୍ଧ୍ର ସାହିତ୍ୟ ପରିଷଦ’ର ସଭାପତିଭାବେ ନିର୍ବାଚିତ ହୋଇଥିଲେ । ଉକ୍ତ ବର୍ଷ ଗୋଦାବରୀ ଜିଲ୍ଲା ସ୍ଥିତ ‘ତିନି’ ଗ୍ରାମରେ ଅନୁଷ୍ଠିତ ଉକ୍ତ ପରିଷଦର ବାର୍ଷିକ ଉତ୍ସବରେ ସଭାପତିତ୍ୱ କରି ସେ ଯେଉଁ ବତ୍କୃତା ଦେଇଥିଲେ, ତାହା ତେଲୁଗୁ ସାହିତ୍ୟପ୍ରାଣ ଶ୍ରୋତାଙ୍କୁ ମୁଗ୍ଧ କରିଦେଇଥିଲା ।

 

୧୯୨୮ ସାଲରେ ପ୍ରାଚୀନ କଳିଙ୍ଗର ରାଜଧାନୀ ତଥା ଇତିହାସ ପ୍ରସିଦ୍ଧ ମୁଖଲିଙ୍ଗ (ପାରଳାଖେମୁଣ୍ଡି ନିକଟବର୍ତ୍ତୀ)ଠାରେ ‘କଳିଙ୍ଗ ଦିବସ’ ପାଳନ କରାଯାଇଥିଲା । ଏହାର ଆୟୋଜକ ଥିଲେ ଆନ୍ଧ୍ର ଇତିହାସ ଗବେଷଣା ପରିଷଦ । କଳିଙ୍ଗର ପ୍ରାଚୀନତା ତଥା ଅତୀତ ଗୌରବର ପର୍ଯ୍ୟାଲୋଚନା ପାଇଁ ଉକ୍ତ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ସ୍ଥାନଟି ପାରଳାଖେମୁଣ୍ଡି ନିକଟବର୍ତ୍ତୀ ହୋଇଥିବା ଯୋଗୁଁ ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଉକ୍ତ ଉତ୍ସବର ସମସ୍ତ ଖର୍ଚ୍ଚ ବହନ କରିବା ସହ ନିଜ ପ୍ରାସାଦ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ । ଏହି ଉତ୍ସବର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଥିଲେ ବିକ୍ରମଦେବ ବର୍ମା ।

 

ଏହି ଉତ୍ସବଟି ୩ଦିନ ଧରି ଚାଲିଲା ଏବଂ ଏଥିରେ ସଭାପତିତ୍ୱ କରିଥିଲେ ବ୍ରହ୍ମପୁରର ସ୍ୱନାମଧନ୍ୟ ଆଇନଜୀବୀ ସାର୍‌ ପର୍ଶୁରାମ ପାତ୍ର । ଏଥିରେ ଉଭୟ ଆନ୍ଧ୍ର ଏବଂ ଉତ୍କଳର ବହୁ ବିଶିଷ୍ଟ ଐତିହାସିକ, ଗବେଷକ, ସାହିତ୍ୟିକ, ସାମ୍ବାଦିକ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ପଣ୍ଡିତ ନୀଳକ ଦାସ, ଶଶିଭୂଷଣ ରଥ, ରାମମୂର୍ତ୍ତି ପାନ୍ତୁଲୁ, ସୂର୍ଯ୍ୟ ପ୍ରସାଦ ରାଓ, ତ୍ରିଲୋଚନ ପାତ୍ର, ସୀତାପତି ରାଓ, ନାରାୟଣ ରାଓ, ରାଘବରାଓ, ମଳୟ ଶାସ୍ତ୍ରୀ ଡକ୍ଟର ଶେଷଗିରି ରାଓ, ରାମଦାସ, ରାମଲିଙ୍ଗମ୍‍ ପାନ୍ତୁଲୁ, ଡକ୍ଟର କୃଷ୍ଣ ସ୍ୱାମୀ, ଅଧ୍ୟାପକ ସୁବାରାଓ ପ୍ରଭୃତି ପ୍ରଧାନ । ଉତ୍ସବର ପ୍ରାରମ୍ଭ ଦିବସରେ ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷଭାବେ ବିକ୍ରମଦେବ ବର୍ମା ତେଲୁଗୁ ଭାଷାରେ ଯେଉଁ ଅଭିଭାଷଣ ପ୍ରଦାନ କରିଥିଲେ ତାହା ଐତିହାସିକ ଗବେଷଣାପୂର୍ଣ୍ଣ ଏବଂ ପ୍ରଭାବଶାଳୀ ହୋଇଥିଲା-

 

ତାଙ୍କ ଭାଷଣ ଇତିହାସ ସମ୍ପର୍କରେ ଗବେଷଣା କରୁଥିବା ଗବେଷକମାନଙ୍କ ପାଇଁ ପଥପ୍ରଦର୍ଶକରୂପେ କାମ କରିଥିଲା । ସେ କହିଲେ, - “ଇତିହାସ ଜନ ସମାଜର ଭଲ ଏବଂ ମନ୍ଦ ବୁଝାଇ ସୁ ଚରିତ୍ରବାନ କରାଇଥାଏ । ଇତିହାସ ବିହୀନ ଦେଶ ସଭ୍ୟ ଦେଶମାନଙ୍କରେ ଗଣିତ ହୋଇପାରେ ନାହିଁ । କେହି କେହି କହନ୍ତି କି ଭାରତରେ ପ୍ରାଚୀନ ଚରିତ୍ର ନାହିଁ । କିନ୍ତୁ ସେ ବାକ୍ୟ ଅସତ୍ୟ ଅଟେ । ସମଗ୍ର ଭାରତର ପ୍ରାଚୀନ ଇତିହାସ ଏକାକାଳରେ ରଚିତ ହୋଇ ନ ଥିଲେ ହେଁ, ଭାରତାନ୍ତର୍ଗତ ବିଭିନ୍ନ ଦେଶମାନଙ୍କ ପ୍ରାଚୀନ - ଚରିତାଂଶନିୟ ବେଦରେ, ଧର୍ମଶାସ୍ତ୍ରମାନଙ୍କରେ, ଅର୍ଶାସ୍ତ୍ରମାନଙ୍କରେ, ପୁରାଣମାନଙ୍କରେ, ଅନ୍ୟ ନାଟକାଦି ପୁସ୍ତକମାନଙ୍କରେ ଏବଂ ଶିଳାତାମ୍ରାଦି ଶାସନମାନଙ୍କରେ ବର୍ଣ୍ଣିତ ହୋଇଅଛି । ସେ ସବୁର ସତ୍ୟାର୍ଥ ସମୀଚୀନରୂପେ ହୃଦୟଙ୍ଗମ କରି ଆମ୍ଭ ଦେଶର ସାଙ୍ଗେତିହାସ ପ୍ରଣୟନ କରିବା କଷ୍ଟତମ କାର୍ଯ୍ୟ ଅଟେ । ଇତିହାସ ଲେଖକ ଉପରୋକ୍ତ ପୁସ୍ତକାଦିଙ୍କ ମାତ୍ର ନୁହେଁ; ଗଭର୍ଣ୍ଣର ରେକର୍ଡ଼, ଯବନେତିହାସ, ଇଂରାଜୀଙ୍କ ପ୍ରଣୀତ ପୁସ୍ତକ ଏବଂ ବୌଦ୍ଧ, ଜୈନ ଧର୍ମଗ୍ରନ୍ଥମାନଙ୍କୁ ପଢ଼ିବାକୁ ହେବ । କିନ୍ତୁ ଗବେଷକଙ୍କ ପ୍ରଯତ୍ନାବଳୀର ବାଲ୍ୟଦଶା ଆହୁରି ଦୂର ହୋଇନାହିଁ । ତାହାର ମୁଖ୍ୟକାରଣ ହେଉଅଛି ଧନାଭାବ । ଆମଦେଶର ପଣ୍ଡିତମାନେ ପ୍ରାୟଶଃ ଧନୀ ନୁହଁନ୍ତି, ଧନୀମାନେ ପ୍ରାୟଶଃ ପଣ୍ଡିତ ନୁହଁନ୍ତି । ଦୁଃଖର ବିଷୟ ଏହି ଯେ ଧନୀମାନେ ଏ ଦିଗରେ ନିଜ ଧନ ବ୍ୟୟ କରିବାକୁ କୁଣ୍ଠିତ । ଅତଏବ କାର୍ଯ୍ୟ ସୂଚାରୁରୂପେ ଚଳିପାରୁ ନାହିଁ । ଧନୀମାନେ ଇତିହାସର ପ୍ରୟୋଜନକୁ ଭଲରୂପେ ଜାଣି ତାହା ନିର୍ଦ୍ଧାରଣ ନିମିତ୍ତ ନିଜଧନରୁ କେତେକ ଅଂଶ ବ୍ୟୟ କରିବା ସମୁଚିତ ।’’

 

ବିକ୍ରମଦେବ ବର୍ମାଙ୍କ ଜାତୀୟ ପ୍ରୀତି କେବଳ ଉପରୋକ୍ତ ବିଷୟମାନଙ୍କ ମଧ୍ୟରେ ସୀମିତ ନ ଥିଲା। ବରଂ ଜାତି ଓ ଦେଶର ପ୍ରତ୍ୟେକ ସମସ୍ୟାକୁ ସେ ଅନୁଧ୍ୟାନ କରି ସେଥି ପାଇଁ ସମାଧାନର ସୂତ୍ର ବାହାର କରୁଥିଲେ । ବିକ୍ରମଦେବଙ୍କ ଅନ୍ୟତମ ଉଲ୍ଲେଖଯୋଗ୍ୟ ସାହାସିକ ପଦେକ୍ଷପ ଥିଲା ଦୁର୍ଭିକ୍ଷ ସମୟରେ । ଥରେ ବିଶାଖାପଟଣ ଅଞ୍ଚଳରେ ଘୋର ଦୁର୍ଭିକ୍ଷ ପଡ଼ିଲା ଖାଦ୍ୟଶସ୍ୟର ଅଭାବରେ ଲୋକହନ୍ତସନ୍ତ ହେବାକୁ ଲାଗିଲେ । ସେହି ସମୟରେ ଜିଲ୍ଲା କଲେକ୍ଟର ମାଳ ଅଞ୍ଚଳ ମାଲକାନ୍‌ଗିରିରେ ଅବସ୍ଥାନ କରୁଥିଲେ । ବିକ୍ରମଦେବ ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ସେ ତୁରନ୍ତ ତାରଦ୍ୱାରା ମାନ୍ଦ୍ରାଜ ଲାଟ ସାହେବଙ୍କୁ ଦୁର୍ଭିକ୍ଷର ଭୟାବହ ସମ୍ପର୍କରେ ଅବଗତ କରାଇଲେ । ଗଭର୍ଣ୍ଣର ସେହି ତାର ପାଇ କଲେକ୍ଟରଙ୍କୁ ଯଥାଶିଘ୍ର ବିଶାଖାପାଟାଣା ଯିବାକୁ ଆଦେଶ ଦେଲେ । ଫଳରେ କଲେକ୍ଟର ମହାଶୟ ତୁରନ୍ତ ରେଳରେ ଆସି ବିଶାଖାପଟଣ ପହଞ୍ଚଲେ । ବିକ୍ରମଦେବ ପୂର୍ବରୁ ଖବର ପାଇ କଲେକ୍ଟରଙ୍କୁ ସାକ୍ଷାତ୍‍ କରିବା ସକାଶେ ରେଳଷ୍ଟେସନ୍‍ରେ ଉପସ୍ଥିତ ଥିଲେ । କଲେକ୍ଟର ରେଳଗାଡ଼ିରୁ ଓହ୍ଲାଇବା ସହିତ ବିଦ୍ରୁପ କରି ପଚାରିଲେ - ଏଠାରେ ତ ସବୁ ଆନନ୍ଦରେ ଥିବାଭଳି ଜଣାପଡ଼ୁଛନ୍ତି ଦୁର୍ଭିକ୍ଷ ଆଉ କାହିଁ ।’’ ଏହାଶୁଣି ବିକ୍ରମଦେବ କହିଲେ ଏହି ରେଳଷ୍ଟେସନ୍‌ରେ ଆପଣ ଦୁର୍ଭିକ୍ଷ ଦେଖିପାରିବେ ନାହିଁ । ଆସନ୍ତାକାଲି ଡାକ ବଙ୍ଗଳାଠାରେ ଦୁର୍ଭିକ୍ଷର ଅସଲି ରୂପ ଦେଖପାରିବେ ବୋଲି କହି ବିଦାୟ ନେଇଥିଲେ । ତା’ପରଦିନ ପ୍ରାୟ ୨୦ ହଜାର ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କୁ ନେଇ ବଙ୍ଗଳା ସମ୍ମୁଖରେ ଦୁର୍ଭିକ୍ଷର କରାଳ ମୂର୍ତ୍ତି ଦେଖାଇଥିଲେ । କଲେକ୍ଟର ମହାଶୟ ଦୁର୍ଭିକ୍ଷର ପ୍ରକୃତ ରୂପ ଦେଖି ଘଟଣାର ଗୁରୁତ୍ୱ ଉପଲବ୍ଧ କରିବା ସହିତ ଦୁଇଶହ ବସ୍ତା ଚାଉଳ ବାଣ୍ଟିବା ପାଇଁ ଆଦେଶ ଦେଲେ । ପୁଣି ପରବର୍ତ୍ତୀ ସମୟରେ ଦୁର୍ଭିକ୍ଷର ମୁକାବିଲା ସକାଶେ ଉପଯୁକ୍ତ ପଦେକ୍ଷପ ନିଆଯାଇଥିଲା । ଏହି କାର୍ଯ୍ୟ ପାଇଁ ବିକ୍ରମଦେବ ଅପୂର୍ବ ଲୋକପ୍ରିୟତା ହାସଲ କରିଥିଲେ । ଉଭୟ ସରକାର ଏବଂ ଜନସାଧାରଣଙ୍କଠାରୁ ସେ ପ୍ରଶଂସିତ ହୋଇଥିଲେ । ଏହିଭଳି ଏକ ସତ୍‌କାର୍ଯ୍ୟ ସକାଶେ ଭାରତ ସରକାର ୧୯୧୧ ଖ୍ରୀଷ୍ଟାବ୍ଦରେ ତାଙ୍କୁ ପ୍ରଶଂସା କରି ଏକ ମାନପତ୍ର ପ୍ରଦାନ କରିଥିଲେ ।

 

CERTIFICATE

 

Madras

12th, December, 1911

 

By command of his Excellency the Viceroy and Governor General in Council, this Certificate is presented in the name of his most Gracious Majesty, king George V. Emperor of India on the occasion of his Majesty's coronation darbar at Delhi.

 

To,

 

M.R.Ry. Shri Vikram Deo Varma Garu, Son of Shri Krishna Deo Garu in recognition of his Charities and encouragement of scholarship.

Sd. A. Stewart

Ag. Chief Secretary,

The Government of Madras

 

ଡକ୍ଟର ଆନିବେସାନ୍ତଙ୍କଦ୍ୱାରା ଆରମ୍ଭ କରାଯାଇଥିବା ‘ହୋମରୁଲ୍‌ ମୁଭ୍‌ମେଣ୍ଟ’ (Homerule Movement) ସେତେବେଳ ସମଗ୍ର ଭାରତବର୍ଷରେ ସଫଳତା ଲାଭ କରିସାରିଥିଲା । ବିକ୍ରମଦେବ ଉକ୍ତ ଆନ୍ଦୋଳନର ଜଣେ ପ୍ରମୁଖ ସମର୍ଥକ ଥିଲେ । ତା’ସହ ସେ ନିଜ ଅଞ୍ଚଳର ବ୍ୟକ୍ତିମାନଙ୍କୁ ଉକ୍ତ ମୁଭ୍‌ମେଣ୍ଟ୍‌ରେ ଯୋଗଦେବା ପାଇଁ ବିଭିନ୍ନ ସଭାସମିତିମାନଙ୍କରେ ଉଦ୍‌ବୋଧନ ମଧ୍ୟ ଦେଉଥିଲେ । ନିଜେ ଜାତୀୟ କାର୍ଯ୍ୟରେ ନିୟୋଜନ ହୋଇ ଅନ୍ୟମାନଙ୍କୁ ମଧ୍ୟ ସାମିଲ୍‍ କରିବାକୁ ପ୍ରେରଣା ଦେଉଥିଲେ ।

 

ସ୍ତ୍ରୀଶିକ୍ଷା ଉପରେ ଗୁରୁତ୍ୱ :

 

ବିକ୍ରମଦେବ ଜଣେ ସମାଜ ସଚେତନ ମଣିଷ ଥିଲେ । ସାମାଜିକ କୁସଂସ୍କାରକୁ ଦୂରକରି ସେ ଏକ ସୁସ୍ଥ ସମାଜ ଗଠନ କରିବାକୁ ସର୍ବଦା ଆଗ୍ରହ ପ୍ରକାଶ କରିଥିଲେ । ବିଭିନ୍ନ ସଭା ସମିତିରେ ଭାଷଣ ପ୍ରସଙ୍ଗରେ ହେଉ କିମ୍ବା ଲୋକଙ୍କ ସହ ପ୍ରତ୍ୟକ୍ଷଭାବରେ ମିଳାମିଶି କରି ହେଉ, ସେ ସୁସ୍ଥ ସମାଜର ସ୍ୱପ୍ନ ହିଁ ଦେଖୁଥିଲେ । ସ୍ତ୍ରୀଶିକ୍ଷା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ । ତାଙ୍କ ମତରେ ସ୍ତ୍ରୀପୁରୁଷଙ୍କ ମିଳିତ ଉଦ୍ୟମରେ ହିଁ ପରିବାର ଏବଂ ସମାଜ ମଧ୍ୟରେ ସୁସଂହତି ରକ୍ଷା କରାଯାଇପାରିବ । ସ୍ତ୍ରୀ ଶିକ୍ଷାର ଅଭାବଯୋଗୁଁ ଅନ୍ୟାନ୍ୟ ଦେଶ ତୁଳନାରେ ଭାରତ ବର୍ଷ ପଛେଇ ରହିଛି ।

 

ଆମ ଦେଶପ୍ରମୀର ନାରୀମାନେ ଅସୂର୍ଯ୍ୟଂପଶ୍ୟା ଆଖ୍ୟା ନେଇ ଜ୍ଞାନର ଆଲୋକଠାରୁ ଦୂରେଇ ରହି ନିଜର କ୍ଷତି କରିବା ସହ ସମାଜର ମଧ୍ୟ ଅନେକ କ୍ଷତି କରୁଛନ୍ତି । ସେ ସ୍ତ୍ରୀ ଶିକ୍ଷାର ବିକାଶ ପାଇଁ ଅନେକ ଅର୍ଥ ବ୍ୟୟ କରିଛନ୍ତି । ସଭା ସମିତିରେ ପ୍ରସ୍ତାବମାନ ଦେଇଛନ୍ତି ଏବଂ ତାହାକୁ କାର୍ଯ୍ୟକାରୀ କରିବା ସକାଶେ ପାରୁପର୍ଯ୍ୟନ୍ତ ଚେଷ୍ଟା ମଧ୍ୟ କରିଛନ୍ତି ।

 

ଅନ୍ୟପକ୍ଷରେ ସେ ଜଣେ ସଂସ୍କାରକ ମଧ୍ୟ । ଏହି ସଂସ୍କାର ପ୍ରବଣତା ପାଇଁ ତାଙ୍କୁ ଅନେକ ରକ୍ଷଣଶୀଳ ବୋଲି କହିଥାନ୍ତି । କିନ୍ତୁ ତାଙ୍କ ମନୋଭାବ ସବୁବେଳେ ହିଁ ସୃଜନାତ୍ମକ ଥିଲା-। ସାମାଜିକ ସଂସ୍କାର ସମ୍ପର୍କରେ ତାଙ୍କର ମତଥିଲା, “ପ୍ରାଚୀନ ଆଦର୍ଶର ସାର ନେଇ ନୂତନ ଗଠିତ ହେଉ ।’’ ଯାହା ଆମ ପରିବେଶ ସହ ଅନୁକୂଳ ନୁହେଁ, ସେହିଭଳି ସଂସ୍କାର ଯେତେ ଭଲ ହେଲେ ମଧ୍ୟ ତାହା ଗ୍ରହଣୀୟ ନୁହେଁ । ଆମ ଦେଶର ଲୋକଙ୍କ ମାନସିକତାକୁ ନେଇ ସଂସ୍କାର ପ୍ରଚଳିତ ହେବା ଦରକାର ଏବଂ ଯାହାକୁ ଲୋକେ ଠିକ୍‌ ବୋଲି ଭାବିବେ ନାହିଁ ସେହିଭଳି ସଂସ୍କାର ଏହି ମାଟିରେ ଉଧେଇପାରିବ ନାହିଁ । ଯଦି ଲୋକଙ୍କୁ ନସୁହାଇଲା ଭଳି ସଂସ୍କାର ବାଧ୍ୟବାଧ୍ୟକତାରେ ପ୍ରୟୋଗ କରାଯିବ ତେବ ତାହା ବହୁ ଦିନ ପର୍ଯ୍ୟନ୍ତ ତିଷ୍ଠିପାରିବ ନାହିଁ ।

 

କମିଟି କମିଶନ ନିକଟରେ ସାକ୍ଷ୍ୟ ପ୍ରଦାନ :

 

ସଭା ସମିତିରେ ଭାଷଣ ପ୍ରସଙ୍ଗରେ ତଥା ପ୍ରତ୍ୟକ୍ଷଭାବେ ସମାଜିକ ସଂସ୍କାର ଆଣିବା ପାଇଁ ଯେଉଁଭଳିଭାବେ ବିକ୍ରମଦେବ ଚେଷ୍ଟା କରୁଥିଲେ, ଠିକ୍‌ ସେହିଭଳି ସରକାରଙ୍କଦ୍ୱାରା ଗଠିତ ବିଭିନ୍ନ କମିଟି ଓ କମିଶନମାନଙ୍କରେ ମଧ୍ୟ ମୂଲ୍ୟବାନ ସାକ୍ଷ୍ୟମାନ ପ୍ରଦାନ କରିଥିଲେ । ସେ ଯେଉଁସବୁ ସାକ୍ଷ୍ୟ ପ୍ରଦାନ କରୁଥିଲେ ଉକ୍ତ ବିଷୟମାନଙ୍କରେ ତାଙ୍କର ଅନୁଭୂତି ଏବଂ ସମାଜରେ ତାଙ୍କରି ଖ୍ୟାତି ଯୋଗୁଁ କମିଟି କମିଶନ ବିକ୍ରମଦେବଙ୍କ ମତକୁ ସର୍ବଦା ଅଧିକ ଗୁରୁତ୍ୱ ଦେଉଥିଲେ । ଏହି କମିଟି କମିଶନମାନଙ୍କରେ ଓଡ଼ିଆଭାଷା, ଓଡ଼ିଆ ଜାତିର ଉନ୍ନତି ତଥା ସାମାଜିକ ସମସ୍ୟା ଏବଂ ଜାତୀୟ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବମାନ ଦେଇଛନ୍ତି ସେ ।

 

ଦେଶମିଶ୍ରଣ :

 

ସେହି ସମୟରେ ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକ ଶାସନାଧନ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାକୁ ଇଂରେଜ ସରକାରଙ୍କୁ ଦାବୀ କରାଗଲା । ଏହି ଦାବୀ ଏତେ ସୁସଂଗଠିତଭାବେ ଅବସ୍ଥାପିତ କରାଗଲା ଯେ, ବ୍ରିଟିଶ୍‌ ସରକାର ଏହାର ସମାଧାନ ପାଇଁ ବାଧ୍ୟ ହୋଇଥିଲେ । ଫଳତଃ ମାନ୍ଦ୍ରାଜ ଅଞ୍ଚଳରେ ବସବାସ କରିଥିବା ଓଡ଼ିଆମାନଙ୍କ ମତ ସଂଗ୍ରହ କରିବା ସକାଶେ ସରକାରଙ୍କ ତରଫରୁ ୧୯୨୪ରେ ଏକ କମିଶନ ଗଠନ କରାଗଲା । ଏଥିରେ ଓଡ଼ିଶାର ସମସ୍ତ ଗଡ଼ଜାତର ପଲିଟିକାଲ ଏଜେଣ୍ଟ ସି. ଏଲ୍‌. ଫିଲି୍‍ଫ‌ ଏବଂ ବିଶାଖାପଟଣ ଜିଲ୍ଲା କଲେକ୍ଟର ଏ.ସି.ଡି୍‍ଫ‌ଙ୍କୁ ସରକାରଙ୍କ ତରଫରୁ କମିଟିର ମୁଖ୍ୟଭାବେ ନିଯୁକ୍ତି କରାଗଲା । ଏହି କମିଟି ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ମତ ସଂଗ୍ରହ କରିଥିଲେ । ୧୯୨୪ ଖ୍ରୀଷ୍ଟାବ୍ଦରେ ଗଠିତ ଏହି କମିଟି ‘ଫିଲି୍‍‌ଫ ଡଫ୍‍ କମିଶନ’ ଭାବରେ ପରିଚିୟ ଲାଭ କରିଥିଲା । ଉକ୍ତ କମିଶନ ତତ୍‌କାଳୀନ ଗଞ୍ଜାମ ଓ ବିଶାଖାପଟଣ ଜିଲ୍ଲାର ଓଡ଼ିଆମାନଙ୍କ ମତ ସଂଗ୍ରହ କରିଥିଲେ । ସେଥିରେ ବିକ୍ରମଦେବ ବର୍ମା ବିଶାଖାପଟଣ ଓଡ଼ିଆ ସମାଜର ସଭାପତିଭାବରେ ବହୁ ଓଡ଼ିଆଙ୍କୁ ସାଂଗରେ ନେଇ ଦେଶମିଶ୍ରଣ ସପକ୍ଷରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ମାନ୍ଦ୍ରାଜ ପ୍ରଦେଶର ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶା ସହ ମିଶିବା ଏକାନ୍ତ ଉଚିତ ବୋଲି ବିଭିନ୍ନ ଯୁକ୍ତି ଦେଖାଇ ଏକ ସ୍ମାରକୀ ପ୍ରଦାନ କରିଥିଲେ । ଏହି ସ୍ମାରକୀ ପାଠକରିବା ପରେ ଫିଲି୍‍‌ଫ ଡଫ୍‍ ତାଙ୍କ ରିପୋର୍ଟରେ ଲେଖିଲେ -“ our enquiry has shown that there is a genuine longstanding and deep rooted desire on the part of the educated Oriya Classes of the Oriya speaking tracts of Madras for amalgamation of those tracts with Orissa under one administration. It is unquestionable that wherever the Oriya raiyots have learned something of the matter, they are entirely in favour of amalgamation.’’ ଆବଶ୍ୟ ଏହି ରିପୋର୍ଟ ଉପରେ ସରକାର କୌଣସି ପ୍ରତିକ୍ରିୟା ନ ଦେଖାଇ ଚୁପ୍‌ ରହିଲେ ।

 

ଇଂରେଜ ସରାକର ଭାରତରେ ବାଲ୍ୟ ବିବାହ ବନ୍ଦ (ସାରଦା ଆଇନ) ନିମନ୍ତେ ୧୯୨୯ ମସିହାରେ ଏକ ଆଇନ ପ୍ରଣୟନ କରିବା ସକାଶେ ଚେଷ୍ଟା କରିଥିଲେ । ସାରଦା ଆଇନ କାର୍ଯ୍ୟକାରୀ କରିବାପୂର୍ବରୁ ସରକାର ସେ ସମ୍ପର୍କରେ ଜନମତ ସର୍ଭେ ପାଇଁ ଏକ କମିଟି ଗଠନ କରିଥିଲେ । ସେତେବେଳ ଉକ୍ତ ଆଇନ ସପକ୍ଷରେ ଏବଂ ବିପକ୍ଷରେ ଭିନ୍ନ ଭିନ୍ନ ମତ ଶୁଣାଗଲା । ବିକ୍ରମଦେବ ବର୍ମା ଉକ୍ତ କମିଟିରେ ବାଲ୍ୟ ବିବାହ ସପକ୍ଷରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ପୁରାଣ ଶାସ୍ତ୍ରରେ ବିଶ୍ୱାସୀ ବିକ୍ରମଦେବ ଭିନ୍ନ ଧର୍ମାବଲମ୍ବୀ ବିଜାତୀୟ ସରକାରଦ୍ୱାରା ହିନ୍ଦୁ ସଂପ୍ରଦାୟର ସମାଜ ସଂସ୍କାର ବାଞ୍ଛନୀୟ ନୁହେଁ ବୋଲି ମତ ଦେଇଥିଲେ । ବିଶେଷକରି ଆଇନ ମାଧ୍ୟମରେ ଧର୍ମରେ ଅଯଥା ହସ୍ତେକ୍ଷପକୁ ସେ ପସନ୍ଦ କରି ନ ଥିଲେ । ତାଙ୍କ ମତରେ ହିନ୍ଦୁ ସମାଜରେ ଝିଅମାନଙ୍କୁ ୧୦ ବର୍ଷ କିମ୍ବା ୧୨ ବର୍ଷରେ ବାହା କରିବା ଉଚିତ । ପରେ ୧୪/୧୫ ବର୍ଷ ବୟସରେ ସେମାନେ ଗର୍ଭଧାରଣ କରିବାରେ ସକ୍ଷମ ହୋଇପାରିବେ ବୋଲି ସେ ସାକ୍ଷ୍ୟ ପ୍ରଦାନ କରିଥିଲେ ।

 

୧୯୨୯ ମସିହାରେ ବ୍ରିଟିଶ୍‌ ସରକାର କୃଷକମାନଙ୍କ ସମସ୍ୟା ଅନୁଧ୍ୟାନ ତଥା କୃଷକମାନଙ୍କ ଉନ୍ନତି ସକାଶେ ଏକ କମିଶନ ବସାଇଲେ । ଯାହାକି Royal Commission on labour ନାମରେ ପରିଚିତ । ଏହି କମିଶନ ଭାରତର ବିଭିନ୍ନ ସ୍ଥାନ ବୁଲି ସାକ୍ଷ୍ୟ ଗ୍ରହଣ କରୁଥିଲେ । ଏହି କମିଶନକୁ ମଧ୍ୟ ବିକ୍ରମଦେବ ବିଶାଖାପଟଣଠାରେ ସାକ୍ଷ୍ୟ ଦେଇଥିଲେ । ସେ କହିଲେ “ଜୟପୁର ଓ ଗଞ୍ଜାମ ଜିଲ୍ଲାର ମାଳଅଞ୍ଚଳରୁ ପ୍ରତିବର୍ଷ ଲକ୍ଷ୍ୟାଧିକ ଲୋକ ସୁଦୂର ଆସାମ ଯାଇ ସେଠାକାର ଚା’ ବଗିଚାରେ କୁଲି କାମ କରନ୍ତି । ସେହି ବଗିଚାଗୁଡ଼ିକ ବିଲାତର କେତେକ ଧନୀ ଗୋରାଙ୍କ ସମ୍ପତ୍ତି । ସେମାନେ ଏ ଅଞ୍ଚଳରୁ ଲୋକ ନେଇ ଚା’ ବଗିଚାରେ କାମ କରାନ୍ତି । ଏଠାରୁ କୁଲି ସଂଗ୍ରହ କରିବା ପାଇଁ ସ୍ଥାନେ ସ୍ଥାନେ କେତେଗୋଟି କୁଲି ସଂଗ୍ରହ କେନ୍ଦ୍ର (Assam Tea Labour Depot) ଖୋଲାଯାଇଛି । ତନ୍ମଧ୍ୟରୁ ଜୟପୁର ନିକଟସ୍ଥ କୋରାପୁଟ କେନ୍ଦ୍ର, ପାର୍ବତୀପୁର ଓ ପାରଳାଖେମୁଣ୍ଡି କେନ୍ଦ୍ରମାନ ପ୍ରଧାନ । ଏପରି କେନ୍ଦ୍ର ଖୋଲି ଏ ଅଞ୍ଚଳର ଲୋକମାନଙ୍କୁ ନେବା ପାଇଁ ଭାରତ ସରକାର ଆସାମ ଗୋରାମାନଙ୍କୁ ବିଶେଷ ସାହାଯ୍ୟ କରୁଥିବାର ଜଣାଯାଏ । ଲୋକମାନେ ଯେତେ ଦରିଦ୍ର ହୁଅନ୍ତୁ, ସେମାନେ ତ ଦେଶର ସମ୍ପତ୍ତି । ସେମାନଙ୍କୁ ସ୍ଥାନାନ୍ତରିତ କରିବାଦ୍ୱାରା ଏ ଅଞ୍ଚଳରେ ଜନସମ୍ପଦ କମ୍‍ ହେଉଅଛି । ସେଥିପ୍ରତି ଦୃଷ୍ଟିଦେଇ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ପରାମର୍ଶ ଦିଅନ୍ତୁ ।’’

 

ପୂର୍ବ ଆଲୋଚିତ ‘ଫିଲି୍‍‌ଫ ଡଫ୍‍’ କମିଶନ ତାଙ୍କ ରିପୋର୍ଟ ପ୍ରକାଶ କଲେ । କମିଶନ ସ୍ୱତନ୍ତ୍ର ଓଡ଼ିଶା ଗଠନ ସପକ୍ଷରେ ମତପ୍ରକାଶ କରିଥିଲେ ସୁଦ୍ଧା ସରକାର ତାହା କାର୍ଯ୍ୟକାରୀ କରି ନ ଥିଲେ । ପୁନଶ୍ଚ ଦେଶମିଶ୍ରଣ ସଂସ୍କାର ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ସରକାର ୧୯୨୭ ମସିହାରେ ସାଇମନ୍‍ କମିଶନ (Saimon Commision) ଗଠନ କରିଥିଲେ । ୧୯୨୮ ମସିହାରେ ଏହି କମିଶନ ବିଭିନ୍ନ ଅଞ୍ଚଳବୁଲି ଅନୁଧ୍ୟାନ କରିଥିଲେ । କିନ୍ତୁ ସାଇମନ୍‍ କମିଶନ ‘ଫିଲି୍‍‌ଫ ଡଫ୍‍’ କମିଶନଠାରୁ ଭିନ୍ନ ରିପୋର୍ଟ ପ୍ରଦାନ କଲେ । ଏହି ରିପୋର୍ଟରେ ମାନ୍ଦ୍ରାଜ ଅଞ୍ଚଳର ଓଡ଼ିଆଙ୍କ ଦାବୀ ବିପକ୍ଷରେ ମତଦେଲେ । ତେଣୁ ବିକ୍ରମଦେବ ଉକ୍ତ ରିପୋର୍ଟକୁ ତର୍ଜ୍ଜମା କରି ୧୯୩୦ ଜାନୁୟାରୀ ୧୫ ତାରିଖରେ Madras Oriyas and the Simon Commission ଶୀର୍ଷକ ଏକ ପୁସ୍ତକ ଛେପଇ ବାଣ୍ଟିଲେ । ତାହା ନିମ୍ନରେ ପ୍ରଦତ୍ତ ହେଲା :

 

MADRAS ORIYAS AND THE SIMON COMMISSON

 

The recommendation for a boundary Commission along with a few words of sympathy in the Report of the Simon Commission seems to have caught the imagination of some of our friends. The readers have to realise that the problem of the Oriyas is quite distinct, and separate from the larger one of a federation of India on the basis of linguistic provinses. The realisation in this first place a language like Malayalam may not require a province unless the question of the inclusion of her States like Cochin and Travancore also in the federation is solved. The Assamese, after the amalgamation of Bengalee population in the Burmavalley in Assam may not be able to stand-for a province Sindh has to be eternally spoon-fed by the Federal Government. Orissa with her 1 1/2 crores of people can not be kept waiting till the proposed Commission sits and decides the genaral question, no one knows when. Again political leaders in India may not welcome such a commission before the basic political relations between India and England are decided. The proposal to constitute a commission is thus uncalled for under the present conditions and circumstances.

 

STILL RECOMMENDATIONS !

 

We have long passed the stage of recommendations. The readers of Blue Books from 1902 to 1905 will see that the Government of Lord Curzon made their recommendations after a long and elaborate enquiry. The coronation despatches of 1911 speak of the grave injustice done to Orissa and resulted only in creating confusion worse confounded by adding the present political Orissa. Division to the newly created province of Bihar and Orissa. The Montford Report made a special recommendation to the reformed Government to take early action regarding Orissa and Bihar as an urgent and immediate case for their consideration. Agitation from the people has been continuous, persistent, and vigorous and spread all over the Oriya speaking tracts public opinion on this question was so strong that the Government of India was obliged to appoint the Phillip-Duff Commission for a detailed enquiry. The Government of Orissa deputed a special officer for the collection of further materials. The Simon Commission appointed a sub-committee to make detailed proposals on this question. Why then a fresh enquiry and the question made a part of the general one of the creation of provinces in India on a language basis ? This, to say the least, is only an attempt to hood-wink public opinion on the pleae of an enquiry.

 

FOR THE ENQUIRY

 

The Sub-Committee of Simon Commission seems to have tackled the question neither properly nor fairly so for as their recommendations relate to the Oriya speaking tracts of Madras. No reason was assigned why the Vizag. Agency as also the Taluks of Sompeta, Paralakimidi and Tekkali in Ganjam are to be excluded from the proposed Oriya province. From a reply given to Sriman Biswanath Das Mahasay to a series of his interpellations, the Government of Madras admitted that figures of Vizagapatam Agency have not been called for, by the Commission and that they had to furnish only such information as was required by them. These porve beyond doubt that the Sub-Committee has not at all considered the necessity of the inclusion of Vizag Agency in the new Oriya Province. In my article published in the "East Coast" as also in the Dailies of Madras, I have clearly shown from official reports how the Vizag Agency is predominatly Oriya a fact recognised by the Government in all its reports and publications. Oriyas form the majority of the population in the Agency. Oriya has been the court language and the language taught to the Khonds ever since the British occupation of the Agency. Again Khonds have all their kinsmen in the adjoining Oriya tributary States and British areas of Orissa. I have quotted Mr. Macpherson and other special officers deputed to the Khond area with thier findings that the Oriyas even in the fiftees of the last century had as close and intimate a relation with the Khonds as they have today. Some military authorities were also quotted in my letter sowing the stratajic importance of this proposal. Regrettable therefore, that the inclusion of this extensive and important area should have altogther been omitted by a set of gentelmen who called themselves responsible and earnest.

 

IMPORTANCE OF THE AREA AND VIEW OF THE ANDHRAS

 

The Oriya portion of Vizagapatam Agency consists of about 12000 (twelve thousand) square miles surrounded on three sides by the Oriya speaking tracts of the Orissa Division, the Oriya Agency tracts of Ganjam and the Tributary States of Orissa. This vast area is being connected with the Railway system connecting the Central Provinces with the sea board at Vizagapatam. The Agency with its vast area of forests, fertile plains and the mineral wealth is bound to play and important part in the economic history at any province to which it may be attached. If this vast area is to be added to the Andhra province to be you not only decide the entire Khond and Savera population between two provinces, but also undo all the work done during a period of 100 Years of British rules and leave a big discontented minority cummunity of Oriyas in the Andhra country which will neither add to their peaceful growth nor be conducive to a peaceful administration. With this view the Andhra leaders never claimed the Vizag Agency for inclusion in the proposed Andhra province. This is seen from the pamphlet published by the Andhra Prpvincial Commitee as also from the written and oral evidence of the joint select committee of both Houses of parliament on the Government of India Bill of 1919. Let not any one, therefore, be deceloved by the recommendation of the Simon Commission so far as Orissa is concerned. We cannot allow scattered limbs of Orissa to be turn as under in the way proposed by a commission which never waited to solve the problem. The proper course for the Criyas, therefore, is not to accept the recommendations, unless the Oriya speaking tracts of the Vizagapatam Agency are included in the proposed Oriya province.

 

Vizagapatam

Sree Vikrama Deo Varma

15-01-30

 

 

ଜୟପୁର ରାଜ୍ୟପ୍ରାପ୍ତି :

 

ବିଶାଖାପଟଣରେ ଅବସ୍ଥାନ କରି ଓଡ଼ିଆ ଭାଷା ଓ ଜାତିର ଉନ୍ନତି ପାଇଁ ଚିନ୍ତା କରୁଥିବା ବିକ୍ରମଦେବଙ୍କୁ ୬୨ ବର୍ଷ ବୟସରେ ଅପ୍ରତ୍ୟାଶିତଭାବେ ଜୟପୁର ରାଜ୍ୟର ରାଜପଦବୀ ମିଳିଲା । ଜୟପୁରର ରାଜା ୪ର୍ଥ ରାମଚନ୍ଦ୍ରଦେବ ଭ୍ରମଣରେ ଯାଇ ଗଙ୍ଗା ଯମୁନାର ମିଳନସ୍ଥଳ ପବିତ୍ର ପ୍ରୟାଗଠାରେ ଖ୍ରୀଷ୍ଟାବ୍ଦ ୧୯୩୧ ଫେବୃୟାରୀ ୨୦ ତାରିଖରେ ଇହଧାମ ତ୍ୟାଗ କଲେ । ଖ୍ରୀଷ୍ଟାବ୍ଦ ୧୯୨୦ରୁ ୧୯୩୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଜୟପୁର ରାଜ୍ୟକୁ ରାଜତ୍ୱ କରିବା ଏହି ରାଜାଙ୍କ ବିୟୋଗରେ ରାଜ୍ୟବାସୀ ଶୋକାକୁଳ ହୋଇପଡ଼ିଲେ । ବିକ୍ରମଦେବଙ୍କୁ ସେ ପିତାଙ୍କ ଭଳି ମାନୁଥିଲେ । ତେଣୁ ଏହାଙ୍କ ମୃତ୍ୟୁରେ ବିକ୍ରମଦେବ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଲେ ।

 

ଚତୁର୍ଥ ରାମଚନ୍ଦ୍ରଦେବଙ୍କର କୌଣସି ପୁତ୍ର ସନ୍ତାନ ନ ଥିଲେ । ସେ ପାଇଁ ତାଙ୍କ ମୃତ୍ୟୁ ପରେ ଜୟପୁର ରାଜସିଂହାସନର ଉତ୍ତରାଧକାରୀ କିଏ ହେବ ତାହା ଏକ ସମସ୍ୟା ସୃଷ୍ଟି ହେଲା । ବ୍ରିଟିଶ୍‌ ସରକାର ଏହି ସମସ୍ୟାର ସମାଧାନ କରିବାକୁ ଯାଇ ୧୯୩୧ ଖ୍ରୀଷ୍ଟାବ୍ଦ ଜୁନ୍‌ମାସ ୫ ତାରିଖରେ ଘୋଷଣା କଲେ ଯେ, ଜୟପୁର ରାଜବଂଶର ଏକମାତ୍ର ସୁଯୋଗ୍ୟ ଉତ୍ତରାଧକାରୀ ବିକ୍ରମଦେବ ବର୍ମା ଜୟପୁର ରାଜସିଂହାସନ ଆରୋହଣ କରିବେ । ଏହି ସୁସମ୍ବାଦ ଉଭୟ ଆନ୍ଧ୍ର ଏବଂ ଓଡ଼ିଶାରେ ଆନନ୍ଦର ଲହରୀ ସୃଷ୍ଟି କଲା । ବିକ୍ରମଦେବଙ୍କ ଭଳି ଜଣେ ପଣ୍ଡିତ, ବିଦ୍ୱାନ, ଦେଶପ୍ରେମୀ ଜୟପୁରର ରାଜା ହେବା ଜୟପୁର ରାଜ୍ୟ ପାଇଁ ସୌଭାଗ୍ୟର କଥା ଥିଲା । କେବଳ ରାଜ୍ୟ ପାଇଁ ନୁହେଁ ସମଗ୍ର ଉତ୍କଳବାସୀ ଏବଂ ଓଡ଼ିଆ ସାହିତ୍ୟ ପ୍ରତି ମଧ୍ୟ ଶୁଭ ସଂକେତ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ ।

 

ବିକ୍ରମଦେବ ବର୍ମା କେବେ ସୁଦ୍ଧା ରାଜପଦବୀ ପାଇଁ ଆଶାୟୀ ନ ଥିଲେ । ବରଂ ରାଜପଦବୀ ଏକ ପୋଷାକୀୟ ବୋଝ ବୋଲି ମନେକରିଥିଲେ । କିନ୍ତୁ ଭାଗ୍ୟର ବିଚିତ୍ର ଖେଳରେ ସେ ଜୟପୁରର ରାଜସିଂହାସନରେ ଅଭିଷିକ୍ତ ହେଲେ । ରାଜପଦବୀ ପାଇବା ପୂର୍ବରୁ ଜଣେ ଜ୍ୟୋତିଷ ତାଙ୍କ ଭାଗ୍ୟରେ ରାଜଯୋଗ ଅଛି ବୋଲି ଭବିଷ୍ୟବାଣୀ କରିଥିଲେ । କିନ୍ତୁ ସେ ତାକୁ ଅତି ହାଲୁକାଭାବେ ଗ୍ରହଣ କରିଥିଲେ । ଏହି ଶୁଭ ସମ୍ବାଦ ଶୁଣି ମଧ୍ୟ ସେ ଆନନ୍ଦରେ ଅଧର ହୋଇଯାଇ ନ ଥିଲେ ; ବରଂ ଏହି ଦାୟିତ୍ୱକୁ ସୂଚାରୁରୂପେ ସଂପାଦନ କରିବାକୁ ଦୃଢ଼ ପରିକର ହୋଇଥିଲେ ।

 

ଉକ୍ତ ଖବର ଘୋଷଣା ହେବା ପରଦିନ ଅର୍ଥାତ୍‌ ଜୁନ୍‌ ୬ ତାରିଖରେ ବିକ୍ରମଦେବ ବିଶାଖାପଟଣରୁ ଜୟପୁର ଅଭିମୁଖେ ଯାତ୍ରା କଲେ । ଯାତ୍ରା ପରେ ବିଭିନ୍ନ ସ୍ଥାନରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଯାଇଥିଲା । ଜୟପୁରର ପ୍ରବେଶଦ୍ୱାର ନିକଟରେ ଜୟପୁରର ହଜାର ହଜାର ନରନାରୀ, ରାଜକର୍ମଚାରୀ, ଜ୍ଞାନୀ, ଗୁଣୀ ତାଙ୍କୁ ଶୁଭ ଅଭ୍ୟର୍ଥନା ଜଣାଇଥିଲେ । ନୂତନ ରାଜାଙ୍କର ସ୍ୱାଗତ ସକାଶେ ଏକ ସ୍ୱତନ୍ତ୍ର ମଣ୍ଡପ ତିଆରି କରାଯାଇଥିଲା । ପ୍ରବେଶଦ୍ୱାରଠାରୁ ଉକ୍ତ ମଞ୍ଚ ପର୍ଯ୍ୟନ୍ତ ବାଣ, ବାଦ୍ୟ, ଶଙ୍ଖ ନାଦସହ ଏକ ବିରାଟ ପଟୁଆର କରି ତାଙ୍କୁ ଉକ୍ତ ମଣ୍ଡପ ନିକଟକୁ ଅଣାଯାଇଥିଲା । ପଣ୍ଡିତମାନଙ୍କ ବେଦଧ୍ୱନୀ, ସାଧାରଣ ଜନତାଙ୍କ ଜୟଜୟକାର ଏବଂ ବାଦ୍ୟଯନ୍ତ୍ରର କୋଳାହଳର ମହାଆଡ଼ମ୍ବର ମଧ୍ୟରେ ନୂତନ ମହାରାଜାଙ୍କୁ ରାଜନଅର ଭିତରକୁ ନିଆଯାଇଥିଲା । ଏହିଭଳି ଜଣେ ସୁଯୋଗ୍ୟ, ବିଖ୍ୟାତ ତଥା ପଣ୍ଡିତବ୍ୟକ୍ତିଙ୍କୁ ରାଜାଭାବେ ପାଇ ଜୟପୁରବାସୀ ନିଜକୁ ଧନ୍ୟ ମନେ କରୁଥିଲେ । ସେହିଦିନ ହିଁ ମାହେନ୍ଦ୍ରବେଳାରେ ନୂତନ ମହାରାଜା ଶ୍ରୀ ଶ୍ରୀ ଶ୍ରୀ ବିକ୍ରମଦେବ ବର୍ମା ଯଥାରୀତି ବିଶାଳ ଜୟପୁର ରାଜ୍ୟର ରାଜସିଂହାସନରେ ଅଭିଷିକ୍ତ ହେଲେ । ଏପଟେ ବିକ୍ରମଦେବ ରାଜସିଂହାସନରେ ଅଭିଷିକ୍ତ ହେଉଥିଲାବେଳେ ସେପଟେ ବ୍ରାହ୍ମଣମାନେ ମନ୍ଦିରମାନଙ୍କରେ ଷୋଡ଼ଶୋପଚାର କରୁଥିଲେ ।

 

ତା’ ପରଦିନ ଜୁନ୍‌ ୬ ତାରିଖରେ ରାଜ ଦରବାରର ଆୟୋଜନ କରାଗଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହ ଶହ ଜ୍ଞାନୀ, ଗୁଣୀ, ପଣ୍ଡିତ, ଉଚ୍ଚପଦସ୍ଥ କର୍ମଚାରୀଙ୍କ ଉପସ୍ଥିତିରେ ମହାରାଜା ତାଙ୍କ ଶାସନର ଆଭିମୁଖ୍ୟ ସମ୍ପର୍କରେ ଘୋଷଣା କରିଥିଲେ । ଯଦି ଭବିଷ୍ୟତରେ ନୂତନ ରାଜକର୍ମଚାରୀଙ୍କ ନିଯୁକ୍ତି ହୁଏ ତେବେ ରାଜ୍ୟର ଶିକ୍ଷିତ ଓଡ଼ିଆଙ୍କୁ ସର୍ବପ୍ରଥମେ ଅଗ୍ରାଧକାର ଦିଆଯିବ ବୋଲି ସୂଚନା ଦେଇଥିଲେ । ଏହି ସୂଚନା ଶୁଣି ଉପସ୍ଥିତ ସଜ୍ଜନମଣ୍ଡଳୀ ତଥା ଶିକ୍ଷିତବର୍ଗ ନୂତନ ଆଶା ପ୍ରାପ୍ତ ହୋଇଥିଲେ । ତାଙ୍କର ଅନ୍ୟାନ୍ୟ ପଦେକ୍ଷପ ମଧ୍ୟରେ ଦେଶ, ଜାତି ଓ ଭାଷାର ଉନ୍ନତି ମୁଖ୍ୟ ସ୍ଥାନ ଗ୍ରହଣ କରିଥିଲା । ଉକ୍ତ ନୂତନ ପଦେକ୍ଷପଗୁଡ଼ିକ ଶୁଣି ସମଗ୍ର ରାଜ୍ୟରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଥିଲା ।

 

ସିଂହାସନ ଆରୋହଣ କଲାପରେ ବିକ୍ରମଦେବ ସର୍ବପ୍ରଥମେ ରାଜ୍ୟ ତଥା ରାଜ୍ୟର ସର୍ବସାଧାରଣଙ୍କ ଅଭାବ ଅସୁବିଧା ପ୍ରତି ଅଧିକ ଦୃଷ୍ଟି ଦେଇଥିଲେ । ରାଜକାର୍ଯ୍ୟର ଆଙ୍ଗିକ ଆତ୍ମିକରେ କିଛି ପରିବର୍ତ୍ତନ କରିଥିଲେ । ରାଜନୀତିରେ ସଂସ୍କାର, ରାଜକାର୍ଯ୍ୟରେ କଠୋର ବ୍ୟବସ୍ଥା ପାଳନ ଏବଂ କିଛି ପ୍ରଜାପୀଡ଼କ ବିଧାନର ଉଚ୍ଛେଦ ତଥା ନୂତନ ନିୟମର ପ୍ରଣୟନ କରାଗଲା । ଶହ ଶହ ବର୍ଷରୁ ଚଳି ଆସୁବା ଭେଟି ପ୍ରଥାକୁ ସେ ଉଠାଇ ଦେଇଥିଲେ । ପୂର୍ବରୁ ଏକ ନିୟମ ପ୍ରଚଳିତ ଥିଲା, ଯଦି କୌଣସି ପ୍ରଜା ରାଜାଙ୍କୁ ମିଶିବାକୁ କିମ୍ବା ନିଜର ଅଭାବ ଅସୁବିଧା ଜଣେଇବାକୁ ଆସେ ତେବେ ଭେଟିଭାବରେ କିଛି ଅର୍ଥ ରାଜକୋଷକୁ ପ୍ରଦାନ କରିବାକୁ ପଡ଼ୁଥିଲା-। କିନ୍ତୁ ନୂତନ ରାଜାଙ୍କ ଭେଟି ଟିକସ୍‌ ବନ୍ଦ ଘୋଷଣା ଫଳରେ ପ୍ରଜାମାନଙ୍କ ମଧ୍ୟରେ ରାଜାଙ୍କ ପ୍ରତି ଭକ୍ତି ଆହୁରି ବଢ଼ିଗଲା । ପ୍ରଜାଙ୍କ ଅଭାବ ଅସୁବିଧା ଶୁଣିବାକୁ ଅର୍ଥନେବା - ଏହା ଏକ ଅମାନବୀୟ କାର୍ଯ୍ୟ ବୋଲି ସେ ବିଚାର କରିବା ସହ ଏହା ରାଜଧର୍ମର ପରିପନ୍ଥୀ ବୋଲି କହିଲେ । ଏହାପରେ ପ୍ରଜାମାନେ ଅବାଧରେ ରାଜାଙ୍କ ପାଖକୁ ଆସି ନିଜର ସମସ୍ୟା କଥା ଜଣଶଉଥିଲେ । ଯଦି କେହି ପ୍ରଜା ଭକ୍ତିରେ କିଛି ଫୁଲଫଳ ଆଣିଥାଏ, ତାହା ସେ ଗ୍ରହଣ କରୁଥିଲେ । କିନ୍ତୁ ତାହା ଯଦି କିଣି ଆଣିଥାଏ ତେବେ ତାହା ମଧ୍ୟ ଫେରାଇ ଦେଉଥିଲେ ।

 

ବିକ୍ରମଦେବ ବର୍ମା ଏତେବଡ଼ ଜୟପୁର ରାଜ୍ୟର ରାଜା ହୋଇ ସୁଦ୍ଧା ନିରାଡ଼ମ୍ବର ଜୀବନ ଅତିବାହିତ କରୁଥିଲେ । ମହାରାଜା ସୁଲଭ କୌଣସି ବଡ଼ିମା ତାଙ୍କର ନ ଥିଲା । ସାଧାରଣ ମଣିଷ ଭଳି ଜୀବନ ବିତାଇବାକୁ ସେ ଭଲପାଉଥିଲେ । ସମସ୍ତଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ ତଥା ସମସ୍ତ ଶ୍ରେଣୀ ବା ବର୍ଗର ଲୋକଙ୍କ ସହ ମିଶିବାରେ ତାଙ୍କର କୁଣ୍ଠା ନ ଥିଲା । ସାନବଡ଼, ପଣ୍ଡିତ ଜ୍ଞାନୀଙ୍କୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିବାରେ ସେ ଅଦ୍ୱିତୀୟ । ବେଶଭୂଷା କଥାବାର୍ତ୍ତା ଅତି ସାଧାରଣ । ଅଳଙ୍କାର ମଣ୍ଡନ ଏବଂ ଉପବେଶନ ମଧ୍ୟ ନିରାଡ଼ମ୍ବର । ଖଣ୍ଡେ ପିନ୍ଧା ଲୁଗା ଏବଂ ଦେହ ଘୋଡ଼ାଇବାକୁ ଖଣ୍ଡେ ଚାଦର ପରିଧାନ କରି ସାଧାରଣ ଚୌକୀରେ ବସି ପ୍ରଜାଙ୍କ ସହ ଆଳାପ ଆଲୋଚନାରତ ବିକ୍ରମ ଦେବଙ୍କୁ ଦେଖି ଯେକେହି ମଧ୍ୟ ଭ୍ରମରେ ପଡ଼ିଯାଏ । ରାଜା ହୋଇ ମଧ୍ୟ ଋଷିସୁଲଭ ଗୁଣାବଳୀରେ ପରିପୂର୍ଣ୍ଣ । ତେଣୁ ହିଁ ତାଙ୍କୁ ବିଦ୍ୱାନମାନେ ‘ରାଜର୍ଷି’ ଆଖ୍ୟା ଦେଇଥିଲେ । ଏହିଭଳି ସୁଯୋଗ୍ୟ ମାନବବାଦୀ ରାଜାଙ୍କୁ ପାଇ ଜୟପୁର ରାଜ୍ୟ ନିଜକୁ ଗୌରବାନ୍ୱିତ ମନେ କରୁଥିଲେ । ବିକ୍ରମଦେବ ବର୍ମା ରାଜ୍ୟପ୍ରାପ୍ତି ଖବର ପାଇ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଜ୍ଞାନୀ, ଗୁଣୀ, ସାହିତ୍ୟିକମାନଙ୍କଠାରୁ ବିଭିନ୍ନ ଶୁଭେଚ୍ଛା ବାର୍ତ୍ତାମାନ ଆସି ପହଞ୍ଚଲା ।

 

ସଂସ୍କୃତିର ମହାନ୍‌ ପୀଠ - ଜୟପୁର ରାଜନଅର :

 

ବିକ୍ରମଦେବ ବର୍ମା ରାଜସିଂହାସନ ଆରୋହଣ ପୂର୍ବରୁ ଦେଶ ସେବା ତଥା ମାତୃଭୂମି ମାତୃଭାଷାର ଉନ୍ନତି ପାଇଁ କାର୍ଯ୍ୟ କରିବା ସହ ସାହିତ୍ୟ ସାଧନା ଓ ସଂଗଠନରେ ମଧ୍ୟ ମନୋନିବେଶ କରିଥିଲେ । ରାଜାହେବାପୂର୍ବରୁ ତାଙ୍କର ତେଲୁଗୁ ପୁସ୍ତକ ଶ୍ରୀନିବାସ କଲ୍ୟାଣମ୍‍, ନାଗାର୍ଜ୍ଜୁନ ଚରିତମ୍‍ ଓ ମାନବତୀ ଚରିତମ୍‍ ୧୯୦୮ ଖ୍ରୀଷ୍ଟାବ୍ଦରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟର ଏ୍‌. ଏ, ବି.ଏ., ଏବଂ ଏମ୍‍.ଏ. ଶ୍ରେଣୀର ପାଠ୍ୟପୁସ୍ତକଭାବେ ମନୋନୀତ ହୋଇସାରିଥିଲା । ଓଡ଼ିଆ ‘ସରସ ଗୀତାବଳୀ’ (କବିତା ସଙ୍କଳନ), ‘ଭଗବତ ଗୀତା ମହାତ୍ମ୍ୟ’, ‘ଋତୁବର୍ଣ୍ଣନା’, ‘ଉତ୍କଳ ରତ୍ନମାଳିକା’ (କବିତା ସଙ୍କଳନ), ‘ଦ୍ୱିଜାଚମନ ବିଧାନଂ’ (୧୯୨୪) ଏବଂ ‘କାଦମ୍ବରୀ କଥାସାର (୧୯୨୫) ପ୍ରଭୃତି ପୁସ୍ତକ ଏବଂ ସମସାମୟିକ ପତ୍ରିକାମାନଙ୍କରେ ଅନେକ ପ୍ରବନ୍ଧ ପ୍ରକାଶିତ ହୋଇସାରିଲା । ଜୟପୁରର ରାଜସିଂହାସନ ଆରୋହଣ ପରେ ଉତ୍କଳରେ ରହି ଦେଶ, ଜାତି ଓ ଭାଷାର ଉନ୍ନତି କରିବା ସକାଶେ ପର୍ଯ୍ୟାପ୍ତ ସୁଯୋଗ ମିଳିଲା ଶ୍ରୀ ବିକ୍ରମଦେବ ବର୍ମାଙ୍କୁ । ଏହିସବୁ କାର୍ଯ୍ୟର ସାଂସ୍କୃତିକ ପ୍ରାଣକେନ୍ଦ୍ରର ପୀଠ ହୋଇଗଲା ଜୟପୁର ରାଜନଅର । ପୂର୍ବରୁ ହିଁ ତାଙ୍କର ପାଣ୍ଡିତ୍ୟ ସମ୍ପର୍କରେ ଉଭୟ ଆନ୍ଧ୍ର ଏବଂ ଉତ୍କଳର କବି, ପଣ୍ଡିତ, ସାହିତ୍ୟିକ ଏବଂ ଦେଶପ୍ରେମୀମାନେ ଅବଗତ ଥିଲେ । ତେଣୁ ବିକ୍ରମଦେବ ଜୟପୁରର ରାଜାହେବାପରେ ଉଭୟ ଭାଷାର ପଣ୍ଡିତ ବିଦ୍ୱାନ ଓ ଦେଶପ୍ରେମୀମାନେ ଆସି ଏଠାରେ ସାହିତ୍ୟ ଚର୍ଚ୍ଚା ଓ ଦେଶ ସେବା ପାଇଁ ଏକତ୍ରିତ ହେଲେ । ରାଜ୍ୟପାଳନ ସାଙ୍ଗକୁ ଦେଶ ସେବା ତଥା ସାହିତ୍ୟ ସାଧନ ଏକ ସଙ୍ଗରେ ସୁଚାରୁରୂପେ ଚାଲିଲା । ରାଜ୍ୟର ବିଭିନ୍ନ ସ୍ଥାନର ସାହିତ୍ୟ ସମ୍ପର୍କିତ ଏବଂ ଅନ୍ୟାନ୍ୟ ସମସ୍ୟାମୂଳକ ପତ୍ର ସବୁ ସେ ପ୍ରାପ୍ତ ହେଉଥିଲେ । ପ୍ରତ୍ୟେକ ଚିଠି ପଢ଼ି ସେଥିର ପ୍ରତ୍ୟୁତ୍ତର ସେ ନିଜେ ଲେଖି ଦେଉଥିଲେ । ପୁଣି ବିଭିନ୍ନ ପତ୍ରପତ୍ରିକାମାନଙ୍କୁ ନିଜସ୍ୱ ଲେଖାସବୁ ନିଜ ହସ୍ତାକ୍ଷରରେ ଲେଖି ପ୍ରେରଣ କରୁଥିଲେ ।

 

ଖ୍ରୀଷ୍ଟାବ୍ଦ ୧୯୩୧ରେ ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ ସମ୍ପର୍କରେ ଅନୁଧ୍ୟାନ କରୁଥିବା ‘ଓଡ଼ନେଲ୍‌ କମିଟି’ ଜୟପୁରରେ ପହଞ୍ଚଥିଲେ । ଏସ୍‌.ପି. ଓଡନେଲ୍‌ ଲେ ଏହି କମିଟିର ଅଧ୍ୟକ୍ଷ । ୧୯୨୭ ରେ ଗଠିତ ସାଇମନ୍‍ କମିଶନ୍‌ରେ କୌଣସି ଭାରତୀୟ ସଭ୍ୟ ନ ଥିବା ଯୋଗୁଁ ଭାରତୀୟ ଜାତୀୟ କଂଗ୍ରେସର ନେତାମାନେ ଉକ୍ତ କମିଟିକୁ ବିରୋଧ କରିଥିଲେ । ତେଣୁ ଓଡେନଲ୍‌ କମିଟି ଗଠନବେଳେ ଭାରତୀୟ ସଭ୍ୟଭାବେ ଆସାମର ବିଶିଷ୍ଟ ଆଇନଜୀବୀ ତରୁଣ ରାମ ଫୁକାନ୍‌ ଓ ବମ୍ବେର ରାଜନୀତିଜ୍ଞ ଏଚ୍‌. ଏମ୍. ମେହେଟ୍ଟାଙ୍କୁ ସରକାର ମନୋନୀତ କରିଥିଲେ-। ରାଜା ବିକ୍ରମଦେବ ବର୍ମା ନିଜ ଅଞ୍ଚଳର ଶହ ଶହ ଲୋକଙ୍କୁ ନେଇ ଓଡ଼ିଶା ସପକ୍ଷରେ କମିଟି ଆଗରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ଜୟପୁର ଅଞ୍ଚଳର ମୋଟ ଜନସଂଖ୍ୟାର ଶତକଡ଼ା ୯୬ ଭାଗ ଓଡ଼ିଆ ଏବଂ ମାତ୍ର ଶତକଡ଼ା ୪ ଭାଗ ତେଲୁଗୁ ଭାଷାଭାଷୀ ବସବାସ କରୁଥିବାର ପ୍ରମାଣ ଉପସ୍ଥାପନ କରିଥିଲେ । ତେଣୁ ଉକ୍ତ ଅଞ୍ଚଳକୁ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶ ସହ ମିଶ୍ରଣ କରିବା ଯୁକ୍ତିଯୁକ୍ତ ବୋଲି ଦାବୀ କରିଥିଲେ ।

 

ବିକ୍ରମଦେବ ଜୟପୁରର ରାଜ ସିଂହାସନ ଆରୋହଣ କରିବାପରେ ବିଶାଖପାଟଣା ସହ ତାଙ୍କର ସାଂସ୍କୃତିକ ସମ୍ପର୍କ ଏକରକମ ଛିନ୍ନ ହୋଇଯିବାରେ ଲାଗିଲା । ସେଠାକାର ଓଡ଼ିଆ ସମାଜର ସେଥିଲେ ପ୍ରାଣ ପ୍ରତିଷ୍ଠାତା । ତାଙ୍କ ଅନୁପସ୍ଥିତିରେ ଉକ୍ତ ସଂଗଠନ ନିଷ୍କ୍ରିୟ ହେବାକୁ ଲାଗିଲା । ପୁଣି ବିକ୍ରମଦେବଙ୍କୁ ସଭାପତି ପଦ ମଧ୍ୟ ପରିତ୍ୟାଗ କରିବାକୁ ପଡ଼ିଲା । ସେ ସଭାପତି ପଦ ତ୍ୟାଗ କରି ଉକ୍ତ ଦାୟିତ୍ୱକୁ ନିଜର ସୁଯୋଗ୍ୟ ଜାମାତା କୁମାର ବିଦ୍ୟାଧର ସିଂହଦେବଙ୍କୁ ଅର୍ପଣ କଲେ । ବିଶାଖାପଟଣରେ ଓକିଲାତି ସହ ଇତିହାସ ଗବେଷଣାରେ ନିମଗ୍ନ କୁମାର ବିଦ୍ୟାଧର ଓଡ଼ିଆ ସମାଜର ସଭାପତି କାର୍ଯ୍ୟ ତୁଲାଇବା ସକାଶେ ସମ୍ମତି ପ୍ରଦାନ କରିଥିଲେ ।

 

ପୃଷ୍ଠପୋଷକତା :

 

ନିୟମିତ ସାହିତ୍ୟରେ ନିମଗ୍ନ ବିକ୍ରମଦେବ ସାହିତ୍ୟର ପୃଷ୍ଠପୋଷକ ମଧ୍ୟ । ସାହିତ୍ୟର ପ୍ରତିଷ୍ଠା ହେଉ ଅବା ସାହିତ୍ୟିକମାନଙ୍କ ସମସ୍ୟାର ସମାଧାନ ହେଉ, ସେ ଅକାତରେ ସମସ୍ତ ପଦେକ୍ଷପ ଗ୍ରହଣ କରୁଥିଲେ । ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ପ୍ରତ୍ୟେକ୍ଷ ସମ୍ପର୍କ ରଖି ସାହିତ୍ୟ ସେବା କରୁଥିଲେ । ଜୟପୁର ରାଜ୍ୟର ରାଜା ହେବାପୂର୍ବରୁ ବିଶାଖାପଟଣରେ ଅବସ୍ଥାନ କାଳରେ ଆନ୍ଧ୍ରର ଜଣେ ପଣ୍ଡିତ ପଞ୍ଚାଗ୍ନି ଆଦିନାରାୟଣ ଶାସ୍ତ୍ରୀଙ୍କ ‘ବାତ୍ସାୟନ କାମସୂତ୍ର’କୁ ନେଇ ବିବାଦ ଉପୁଜିଲା । ଶାସ୍ତ୍ରୀ ମହାଶୟ ସଂସ୍କୃତ ପୁସ୍ତକରୁ ତେଲୁଗୁ ଭାଷାରେ ‘ବାତ୍ସାୟନ କାମସୂତ୍ର’କୁ ଅନୁବାଦ କରିଥିଲେ । ଏହାକୁ ସେ ନିଜେ ମୁଦ୍ରଣ କରି ୧୦ ଟଙ୍କା ଦାମ୍‍ରେ ବିକ୍ରୀ କରୁଥିଲେ । ପୁସ୍ତକଟି ପର୍ଯ୍ୟାପ୍ତ ପରିମାଣରେ ବିକ୍ରୀ ହେଉଥିଲା । ଏହାଦେଖି ଅନ୍ୟଜଣେ ଈର୍ଷାଳୁ ପଣ୍ଡିତ ଉକ୍ତ ପୁସ୍ତକଟି ଅଶ୍ଲୀଳ ଏବଂ ସମାଜରେ ଏହାର କୁପ୍ରଭାବ ପଡ଼ୁଛି କହି ମାନ୍ଦ୍ରାଜ ସରକାରଙ୍କୁ ଜଣେଇଲେ । ମାନ୍ଦ୍ରାଜ୍‌ ସରକାର ଉକ୍ତ ପୁସ୍ତକଟିକୁ ଅଶ୍ଲୀଳ ପୁସ୍ତକଭାବରେ ପରିଗଣିତ କରି ବାଜ୍ୟାପ୍ତ କରିଦେଲେ ଏବଂ ଶାସ୍ତ୍ରୀ ମହୋଦୟଙ୍କୁ ଦଣ୍ଡବିଧାନ କରିବାକୁ ଆଦେଶ ଦେଲେ । ଶାସ୍ତ୍ରୀ ମହାଶୟଙ୍କ ଘରେ ଏବଂ ବଜାରରେ ବିକ୍ରୀ ସକାଶେ ବା ସମସ୍ତ ପୁସ୍ତକକୁ ଜବତ କରିଦିଆଗଲା । ଏହି ଖବର ତତ୍‌କାଳୀନ ଖବରକାଗଜର ମୁଖ୍ୟପୃଷ୍ଠାରେ ପ୍ରକାଶ ପାଇଲା ।

 

ଖବର କାଗଜ ପୃଷ୍ଠାରୁ ବିକ୍ରମଦେବ ଉକ୍ତ ବିଷୟ ପଢ଼ି ସରକାରଙ୍କୁ ତୀବ୍ର ପ୍ରତିବାଦ କରିଥିଲେ ଏବଂ ବିଭିନ୍ନ ଯୁକ୍ତି ଦର୍ଶାଇ ଏକ ନିବନ୍ଧ ପ୍ରସ୍ତୁତ କରି ଉକ୍ତ ପୁସ୍ତକଟି ଅଶ୍ଲୀଳ ନୁହେଁ ବୋଲି ପ୍ରମାଣ କରିଥିଲେ । ସେହି ସମୟରେ ଏହି ବିଷୟ ସମଗ୍ର ରାଜ୍ୟରେ ଚହଳ ପକାଇଲା । ପରିଶେଷରେ ସରକାର ବିକ୍ରମଦେବଙ୍କ ଯୁକ୍ତିକୁ ମାନିନେଇ ଶାସ୍ତ୍ରୀ ମହାଶୟଙ୍କୁ ନିର୍ଦ୍ଦୋଷ କରିବା ସହ ଜବତ ପୁସ୍ତକ ସବୁ ଫେରାଇ ଦେଇଥିଲେ । ପରେ ଶାସ୍ତ୍ରୀ ମହାଶୟ ହାଇଦ୍ରାବାଦରୁ ବିଶାଖପଟଣ ଆସି ବିକ୍ରମଦେବଙ୍କୁ ନିଜର କୃତଜ୍ଞତା ଜଣାଇଲେ ।

 

ବିଶାଖାପଟଣରେ ଅବସ୍ଥାନ କାଳରେ ୧୯୧୯ ମସିହାରେ ଓଡ଼ିଆ ସାହିତ୍ୟର ନାରୀକବି ଅପୂର୍ଣ୍ଣା ପଟ୍ଟନାୟକ ବିକ୍ରମଦେବଙ୍କ ସାହାଯ୍ୟାର୍ଥେ ନିଜର ସ୍ୱାମୀ ଏବଂ ଦୁଇଛୁଆଙ୍କୁ ଧରି ପହଞ୍ଚିଲେ । ନାରୀ କବି ଅପୂର୍ଣ୍ଣାଙ୍କ ସ୍ୱାମୀ ଥିଲେ ଗଞ୍ଜାମ ଜିଲ୍ଲା ସ୍ଥିତ ବଡ଼ଖେମୁଣ୍ଡି ରାଜାଙ୍କ କର୍ମଚାରୀ । ଅପୂର୍ଣ୍ଣାଙ୍କ ପିତାଙ୍କ ଘର ଥିଲା ଚିକିଟି ରାଜ୍ୟରେ । ବଡ଼ଖେମୁଣ୍ଡି ଓ ଚିକିଟି ରାଜାଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣରୁ ଶତ୍ରୁତା ଥିଲା । ତେଣୁ ଉଭୟ ରାଜ୍ୟର ରାଜା ଉକ୍ତ ବିବାହ ପ୍ରସ୍ତାବକୁ ବିରୋଧ କରିଥିଲେ । କିନ୍ତୁ ଏହି ବାରଣକୁ ନ ମାନି ଏମାନେ ବିବାହ କରିଥିଲେ । ଫଳରେ ତାଙ୍କ ସ୍ୱାମୀ ଶ୍ରୀରାମ ପଟ୍ଟନାୟକଙ୍କୁ ଚାକିରୀ ଛାଡ଼ିବାକୁ ପଡ଼ିଲା । ଚାକିରୀ ଛାଡ଼ିବାପରେ ସେମାନେ ବ୍ରହ୍ମପୁର ଆସି ସେହି ସମୟର ବିଶିଷ୍ଟ ଆଇନଜୀବୀ ସାର ପର୍ଶୁରାମ୍‍ ପାତ୍ରଙ୍କ ଆଶ୍ରୟ ନେଇଥିଲେ । ଏଠାରେ ଶ୍ରୀରାମ ପଟ୍ଟନାୟକ ସରକାରଙ୍କ ରାଜସ୍ୱ ବିଭାଗରେ ଚାକିରୀ ପାଇଲେ । କିନ୍ତୁ ପରବର୍ତ୍ତୀ ସମୟରେ ପାରଳା ମହାରାଜାଙ୍କ ଗଜପତି ପ୍ରେସ୍‌ରେ ଚାକିରୀପାଇ ସେ ରାଜସ୍ୱ ବିଭାଗର ଚାକିରୀଛାଡ଼ି ପାରଳାଖେମୁଣ୍ଡି ଚାଲିଯାଇଲେ । କବି ଅପୂର୍ଣ୍ଣା ମଧ୍ୟ ସାହିତ୍ୟ ଶିକ୍ଷୟିତ୍ରୀଭାବେ ପାରଳାଖେମୁଣ୍ଡିରେ ହିଁ ନିଯୁକ୍ତି ପାଇଗଲେ । କିନ୍ତୁ ସେଠାରେ ମଧ୍ୟ ରାଜକର୍ମଚାରୀଙ୍କ ଈର୍ଷାର ଶିକାର ହୋଇ ସେମାନେ ସପରିବାର ବିକ୍ରମଦେବଙ୍କ ସାହାଯ୍ୟ ଲୋଡ଼ିଲେ ।

 

ବିକ୍ରମଦେବ ବିଶାଖାପଟଣ ତହସିଲ୍‌ ଅଫିସରେ ଶ୍ରୀରାମ ପଟ୍ଟନାୟକଙ୍କୁ ଅବସ୍ଥାପିତ କରାଇଦେଲେ ଏବଂ ଅପୂର୍ଣ୍ଣାଙ୍କୁ ‘ଓଡ଼ିଆ ସମାଜ’ର ବିଭିନ୍ନକାର୍ଯ୍ୟର ଦାୟିତ୍ୱ ପ୍ରଦାନ କଲେ । ଏଠାରେ ସେ ଦୀର୍ଘ ୧୬ବର୍ଷ ରହିଲେ । ଏହିଠାରେ ହିଁ ତାଙ୍କ ପୁତ୍ରକନ୍ୟାମାନେ ଉଚ୍ଚଶିକ୍ଷାଲାଭ କଲେ । ପରବର୍ତ୍ତୀ ସମୟରେ ନାରୀ କବିଙ୍କ ଝିଅ ମନୋରମା ପଟ୍ଟନାୟକ ହେଲେ ଓଡ଼ିଶାର ପ୍ରଥମ ମହିଳା ସ୍ନାତେକାତ୍ତର ଡିଗ୍ରୀ (ଏମ୍‍.ଏ.) ଧାରିଣୀ, ନାରୀକବି ଅପୂର୍ଣ୍ଣା ବିକ୍ରମଦେବଙ୍କ ପ୍ରେରଣାରେ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧକାରିଣୀ ହେଲେ । ତତ୍‌କାଳୀନ ଓଡ଼ିଶାର ପ୍ରାୟ ଅଧକାଂଶ ପତ୍ରିକାରେ ତାଙ୍କ ଲେଖା ପ୍ରକାଶ ପାଇଲା । ପୁଣି ବିଶାଖାପଟଣରେ ଥାଇ ସୁଦ୍ଧା କଟକରୁ ପ୍ରକାଶିତ ମାସିକ ସାହିତ୍ୟ ପତ୍ରିକା ‘ସହକାର’ର ସମ୍ପାଦନା କରୁଥିଲେ । ନାରୀ କବିଙ୍କ ସମସ୍ତ କୃତିତ୍ୱ ସକାଶେ ବିକ୍ରମଦେବଙ୍କ ସହାୟତା ଓ ପ୍ରେରଣା ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ତେଣୁ ନାରୀ କବି ଅପୂର୍ଣ୍ଣା ବିକ୍ରମଦେବଙ୍କ ପ୍ରତି ଚିରକୃତଜ୍ଞ ରହିଲେ ।

 

କେବଳ ସାହିତ୍ୟିକଙ୍କ ସମସ୍ୟାର ସମାଧାନ ନୁହେଁ ସାହିତ୍ୟର ପୃଷ୍ଠପୋଷକତାରେ ମଧ୍ୟ ତାଙ୍କର ଆଗ୍ରହ ଥିଲା । ବିଶାଖାପଟଣରେ ଥିବାବେଳେ ବିକ୍ରମଦେବ ଓଡ଼ିଆ ସାହିତ୍ୟର ଉନ୍ନତି ସକାଶେ ଏକ ଉଚ୍ଚମାନର ସାହିତ୍ୟ ପତ୍ରିକା ପ୍ରକାଶ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ସେ ତାଙ୍କର ଏହି ଆଗ୍ରହକୁ ପଣ୍ଡିତ ନୀଳକଂଠ ଦାସଙ୍କୁ କହିଲେ ଏବଂ ଉକ୍ତ ପତ୍ରିକାର ସଂପାଦନା ପାଇଁ ମଧ୍ୟ ଅନୁରୋଧ କରିଥିଲେ । କିନ୍ତୁ ଅର୍ଥର ଅଭାବ ଯୋଗୁଁ ତାହା ଆରମ୍ଭ କରାଯାଇ ପାରି ନ ଥିଲା । ବିକ୍ରମଦେବ ଜୟପୁରର ରାଜା ହେବାପରେ ୧୯୩୩ ମସିହାରେ ପଣ୍ଡିତ ନୀଳକଂଠ ଦାସ ପୂର୍ବ ଆଲୋଚନାକୁ କାର୍ଯ୍ୟକାରୀ କରିବାକୁ ଜୟପୁର ଆସି ପହଞ୍ଚଥିଲେ । ରାଜା ବିକ୍ରମଦେବ ଉକ୍ତ ପତ୍ରିକା ପ୍ରକାଶନ ପାଇଁ ଅଗ୍ରୀମ ୩ ହଜାର ଟଙ୍କା ଦାନ କରି ପତ୍ରିକା ପ୍ରକାଶନ ପରେ ଆଉ ୨ ହଜାର ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ୩ ହଜାର ଟଙ୍କାରେ ପଣ୍ଡିତ ମହାଶୟ ଏକ ପ୍ରେସ୍‌ ପ୍ରତିଷ୍ଠା କରି ‘ନବଭାରତ’ ନାମକ ଏକ ସାହିତ୍ୟ ପତ୍ରିକାର ପ୍ରକାଶନ ଆରମ୍ଭ କରିଥିଲେ । ପତ୍ରିକାର ପ୍ରକାଶନ ପରେ ବିକ୍ରମଦେବ ନୀଳକଂଠ ଦାସଙ୍କ ବଳକା ୨ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହି ପତ୍ରିକାଟି ସେହି ସମୟରେ ଖୁବ୍‌ ଲୋକପ୍ରିୟତା ଅର୍ଜନ କରିଥିଲା । ୧୯୪୬ ପର୍ଯ୍ୟନ୍ତ ଏହା ପ୍ରକାଶ ହୋଇ ପରେ ବନ୍ଦ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ନୀଳକଂଠ ଦାସ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରକାଶିତ ଦୈନିକ ‘ସମାଜ’ ଅନୁଷ୍ଠାନ ସହ ଏହାକୁ ଜଡ଼ିତ କରିଦେଇଥିଲେ । ସେହି ଲୋକପ୍ରିୟ ସାହିତ୍ୟ ପତ୍ରିକାର ସ୍ମୃତିସ୍ୱରୂପ ଅଦ୍ୟାପି ସମାଜର ପ୍ରତି ରବିବାର ସଂଖ୍ୟାରେ ସାହିତ୍ୟ ପତ୍ର ପଣ୍ଡିତ ନୀଳକଂଠ ଦାସଙ୍କ ‘ନବଭାରତର ନୂତନ ପ୍ରସ୍ଥ’ ନାମରେ ପ୍ରକାଶ ପାଉଛି ।

 

୧୯୩୩ ମସିହାରେ ବିକ୍ରମଦେବ ‘ଆନ୍ଧ୍ର ଭାରତୀ ତୀର୍ଥ’ ଗବେଷଣା ବିଶ୍ୱବିଦ୍ୟାଳୟର କୁଳପତି ବା ଚାନ୍‌ସ୍‌ଲାରଭାବେ ମନୋନୀତ ହୋଇଥିଲେ । ଏହି ଅନୁଷ୍ଠାନ ସେତେବେଳ ଭାରତର ସବୁଠାରୁ ବଡ଼ ଗବେଷଣା ପ୍ରତିଷ୍ଠାନଭାବେ ପରିଚୟ ଲାଭ କରିଥିଲା । ଏହି ଅନୁଷ୍ଠାନ ବିଶାଖାପଟଣଠାରେ ଥିଲେ ମଧ୍ୟ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଗବେଷକମାନେ ଆସି ଏଠାରେ ଗବେଷଣା କରୁଥିଲେ । ଏଥିରେ ଆନ୍ଧ୍ର, ଉତ୍କଳ, ହିନ୍ଦୁସ୍ଥାନ, ଇଂରେଜ, ଜର୍ମାନୀ, ଇଟାଲୀ ପ୍ରଭୃତି ଦେଶ ବିଦେଶର ବିଦ୍ୱାନମାନେ କର୍ମକର୍ତ୍ତାଭାବେ କାମ କରୁଥିଲେ । ଏହିଭଳି ଏକ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟର ସେ କୁଳପତି ହେଲେ । ତାଙ୍କ ଯୋଗୁଁ ଜୟପୁର ରାଜନଅର ମଧ୍ୟ ସମଗ୍ର ଦେଶର ଦୃଷ୍ଟିଆକର୍ଷଣ କରିଥିଲା । ବିକ୍ରମଦେବଙ୍କ ଭଳି ଗୁଣୀ, ପଣ୍ଡିତ କୁଳପତିଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅନୁଷ୍ଠାନର ମଧ୍ୟ ସମ୍ମାନ ବୃଦ୍ଧି ହୋଇଥିଲା ।

 

ପ୍ରତିବର୍ଷ ଉକ୍ତ ଅନୁଷ୍ଠାନ ତା’ର ବାର୍ଷିକ ଉତ୍ସବରେ ଜଣେ ବିଦ୍ୱାନ ବ୍ୟକ୍ତିଙ୍କୁ (ଯିଏ ପ୍ରତ୍ୟେକ କ୍ଷେତ୍ରରେ ବିଶାରଦ ହୋଇଥିବେ) ଉପାଧି ପ୍ରଦାନ କରୁଥିଲେ । ବହୁ ବିଶିଷ୍ଟ ପଣ୍ଡିତମାନଙ୍କଦ୍ୱାରା ପରୀକ୍ଷା ନିରୀକ୍ଷା କରି ଏହି ଉପାଧି ପ୍ରଦାନ କରାଯାଉଥିଲା । ଆନ୍ଧ୍ର ଭାରତୀ ତୀର୍ଥର କୁଳପତିଭାବେ ବିକ୍ରମଦେବ ବର୍ମାଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ଏହି ଅନୁଷ୍ଠାନ ୧୯୩୩ ମସିହାର ମଧ୍ୟ ଭାଗରେ ତାଙ୍କୁ ‘ସାହିତ୍ୟ ସମ୍ରାଟ’ ଉପାଧିରେ ଭୂଷିତ କରିଥିଲେ । ତାଙ୍କୁ ପ୍ରଦତ୍ତ ସନନ୍ଦରେ ଲେଖାଯାଇଥିଲା :

 

The Andhra (Bharati Tirtha) Research University is pleased to grant this Diploma of Lord of letters Sahitya Samrat Homatis causa in the faculty of Sahitya to Rajah Shri Shri Shri Vikram Deb Varma Maharaja of Jeypore as a mark of recognition, by this university corporation of duly attested attainments in Sanskrit, Teluga, Oriya and Hindi Literatures and distinguished service to this university as Kulapati (Chanceller) in Promotion of our ideals and educational and cultural programmes and researches.

 

Given under our pands and to seal of the university this day the sixth of the month of May of the year 1933.

CHANCELLER GENERAL

 

ବିକ୍ରମଦେବ ଏହି ଉପାଧି ପାଇବା ଖବର ଶୁଣି ସମଗ୍ର ଉତ୍କଳ ଓ ଆନ୍ଧରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଥିଲା । ଏହିଭଳି ଏକ ସର୍ବୋଚ୍ଚ ସମ୍ମାନ ଉପଯୁକ୍ତ ବ୍ୟକ୍ତିଙ୍କୁ ଦିଆଯାଇଛି ବୋଲି ମଧ୍ୟ ସମସ୍ତେ ମତପ୍ରକାଶ କଲେ । ରାଜ୍ୟ ତଥା ରାଜ୍ୟ ବାହାରୁ ବର୍ମା ମହୋଦୟଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତାମାନ ଆସି ପହଞ୍ଚଥିଲା ।

 

ଶିକ୍ଷା ଓ ସାହିତ୍ୟର ବିକାଶ ପାଇଁ ବିକ୍ରମଦେବ ଯେଉଁ ଉଦ୍ୟମ କରିଥିଲେ ତାଙ୍କ ସମୟର ଅନ୍ୟକୌଣସି ରାଜା ଆନ୍ତରିକତାର ସହ ଏପରି କାର୍ଯ୍ୟ କରିବା ଖୁବ୍‌ କ୍ୱଚିତ୍‌ । ତାଙ୍କର ଏହି କାର୍ଯ୍ୟ ପାଇଁ ଶିକ୍ଷା ଓ ସାହିତ୍ୟ ରାଜ୍ୟରେ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ଆନ୍ଧ୍ର ବିଶ୍ୱବିଦ୍ୟାଳୟକୁ ବାର୍ଷିକ ଏକଲକ୍ଷ ଟଙ୍କା ଦାନ ତନ୍ମଧ୍ୟରେ ଉଲ୍ଲେଖଯୋଗ୍ୟ । ମାନ୍ଦ୍ରାଜ୍‌ ପ୍ରେସିଡେନ୍‌ସୀର ଆନ୍ଧ୍ରାଭାଷାଭାଷୀ ଅଞ୍ଚଳକୁ ନେଇ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପରିକଳ୍ପନା କରାଗଲା-। ପ୍ରଥମେ ବିଜୟୱାଡାରେ ଆରମ୍ଭ କରାଯାଇ ଦୁଇବର୍ଷ ପରେ ତାହାର କାର୍ଯ୍ୟାଳୟ ୱାଲ୍‌ଟିଅର୍‌କୁ ସ୍ଥାନାନ୍ତର କରାଯାଇଥିଲା । ନୂତନ ବିଶ୍ୱବିଦ୍ୟାଳୟର କୁଳପତିଭାବେ ପୂର୍ବତନ ରାଷ୍ଟ୍ରପତି ତଥା ତତ୍‌କାଳୀନ ମାଡ଼୍ରାସ୍‌ ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗର ପ୍ରଫେସର ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଟନ୍‌ ନିଯୁକ୍ତ ହୋଇ ୱାଲ୍‌ଟିଅର୍‌ ଆସିଲେ । ଡକ୍ଟର ରାଧାକ୍ରିଷ୍ଟନ୍‌ ଏଠାକୁ ଆସିବା ପୂର୍ବରୁ ବିକ୍ରମଦେବଙ୍କ ବିଦ୍‌ବତ୍ତା ସମ୍ପର୍କରେ ସେ ଅବଗତ ଥିଲେ । ତେଣୁ ୱାଲ୍‌ଟିଅର ଆସିବା ପରେ ହିଁ ପ୍ରଥମେ ମହାରାଜା ବିକ୍ରମ ଦେବଙ୍କୁ ସାକ୍ଷାତ୍‍ କରି ବିଶ୍ୱବିଦ୍ୟାଳୟର ଆଙ୍ଗିକ ଓ ଆତ୍ମିକ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ବିକ୍ରମଦେବଙ୍କ ସୁପରାମର୍ଶ ଗ୍ରହଣ କରି ଡକ୍ଟର ରାଧାକ୍ରିଷ୍ଣନ୍‌ ନୂଆରେ ଆରମ୍ଭ ହୋଇଥିବା ଏହି ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ଦେଶର ବହୁ ବିଶିଷ୍ଟ ପଣ୍ଡିତମାନଙ୍କୁ ନିଯୁକ୍ତ କରିଥିଲେ । ସେମାନଙ୍କ ମଧ୍ୟରେ ହୁମାୟୁନ୍‌ କବୀର, ହୀରେନ୍‌ ମୁଖାର୍ଜୀ, ଭି.ଭେ. କ୍ରିଷ୍ଣମେନନ୍‌, ଜନ୍‌ ମାଥାଇ ପ୍ରମୁଖ ଅନ୍ୟତମ । ତା’ଛଡ଼ା ଏମ୍‍. ବିଶ୍ୱେସରାୟା ଏବଂ ସାର୍‌ ସି.ଭି. ରମଣଙ୍କ ଭଳି ବିଶ୍ୱବିଖ୍ୟାତ ବୈଷୟିକ ଓ ପଦାର୍ଥ ବିଜ୍ଞାନୀଙ୍କୁ ପରିଦର୍ଶକ ପ୍ରଫେସର (Visiting Professor) ଭାବେ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା । ଏହିଭଳି ଖ୍ୟାତନାମା ବିଦ୍ୱାନମାନଙ୍କଦ୍ୱାରା ପରିପୁଷ୍ଟ ବିଶ୍ୱବିଦ୍ୟାଳୟକୁ ବିକ୍ରମଦେବ ବର୍ମା ବାର୍ଷିକ ଏକଲକ୍ଷ ଟଙ୍କା ଦାନ ଦେଇଥିଲେ । ତାଙ୍କର ଏହି ଦାନ ପାଇଁ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ମହାରାଜାଙ୍କ ନିକଟରେ କୃତଜ୍ଞତା ଜଣାଇବା ସକାଶେ ବିଶ୍ୱବିଦ୍ୟାଳୟର ଏକ କେନ୍ଦ୍ରୀୟ ଗ୍ରନ୍ଥାଗାରକୁ ବିକ୍ରମଦେବ ଲାଇବ୍ରେରୀଭାବେ ନାମିତ କରିଛନ୍ତି । ସଂପ୍ରତି ଭାରତର ବୃହତ୍‌ ଲାଇବ୍ରେରୀମାନଙ୍କ ମଧ୍ୟରୁ ଏହି ଲାଇବ୍ରେରୀ ଅନ୍ୟତମ । ଏହି କ୍ରମରେ ସେ ସର୍ବମୋଟ ୨୦ ଲକ୍ଷ ଟଙ୍କା ଆନ୍ଧ୍ର ବିଶ୍ୱବିଦ୍ୟାଳୟକୁ ଦାନ କରିଥିଲେ । ଉଚ୍ଚଶିକ୍ଷାର ବିକାଶ କ୍ଷେତ୍ରରେ ଉକ୍ତଦାନ କେତେ ମହନୀୟ ତାହା ପଣ୍ଡିତମାନେ ହିଁ ବୁଝିପାରିବେ ।

 

ବିକ୍ରମଦେବଙ୍କ ପାଣ୍ଡିତ୍ୟ ତଥା ଶିକ୍ଷାର ବିକାଶ କ୍ଷେତ୍ରରେ ଅତୁଳନୀୟ ଅବଦାନକୁ ତର୍ଜ୍ଜମା କରି ଏହି ଆନ୍ଧ୍ର ବିଶ୍ୱବିଦ୍ୟାଳୟ ୧୯୩୪ ମସିହାରେ ତାଙ୍କ ସମ୍ମାନାର୍ଥେ ଡି: ଲିଟ୍‌ (ବିଦ୍ୟାବାରିଧ) ଉପାଧି ପ୍ରଦାନ କରିଥିଲେ । ଏହି ଉପାଧି ବିଶ୍ୱବିଦ୍ୟାଳୟର ଏକ ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ କୁଳପତି ଡକ୍ଟର ରାଧାକ୍ରିଷ୍ଟନ୍‌ଙ୍କଦ୍ୱାରା ପ୍ରଦାନ କରାଯାଇଥିଲା । ପୁଣି ରାଧାକ୍ରିଷ୍ଟନ୍‌ ବିକ୍ରମଦେବଙ୍କୁ ବିଶ୍ୱବିଦ୍ୟାଳୟର ତେଲୁଗୁ ସାହିତ୍ୟର ପାଠ୍ୟକ୍ରମ ନିର୍ଦ୍ଧାରଣ କମିଟିର ସଭ୍ୟ ତଥା ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍‌ର ସ୍ୱତନ୍ତ୍ର ସଭ୍ୟଭାବେ ନିମନ୍ତ୍ରଣ କରିଥିଲେ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପୂର୍ବରୁ ବିକ୍ରମଦେବ ୧୯୨୮ ମସିହାରେ ପାଟଣା ବିଶ୍ୱବିଦ୍ୟାଳୟର ଓଡ଼ିଆ ପାଠ୍ୟକ୍ରମ ନିର୍ଦ୍ଧାରଣ ବୋର୍ଡ଼ର ସଭ୍ୟଭାବେ ମଧ୍ୟ ମନୋନୀତ ହୋଇଥିଲେ ।

ଭାଷାକୋଷ ପାଇଁ ଅର୍ଥଦାନ :

ଓଡ଼ିଆ ସାହିତ୍ୟର ବିରାଟ ଗ୍ରନ୍ଥ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ସଙ୍କଳନରେ ମଧ୍ୟ ବିକ୍ରମଦେବଙ୍କ ପ୍ରମୁଖ ଭୂମିକା ରହିଛି । ଏହି ଗ୍ରନ୍ଥ ପ୍ରଣୟନ ସମୟରେ ଏହାର ସଂକଳକ ଓଡ଼ିଆ ସାହିତ୍ୟର ପ୍ରବୁଦ୍ଧ ପୁରୁଷ ଗୋପାଳଚନ୍ଦ୍ର ପ୍ରହରାଜ କଟକଠାରେ ଏକ ଅଫିସ୍‌ ଖୋଲି କାର୍ଯ୍ୟ କରୁଥିଲେ । ଦେଶର ବିଭିନ୍ନ ପ୍ରାନ୍ତରୁ ଉତ୍ସାହୀ ଶିକ୍ଷିତ ବ୍ୟକ୍ତିମାନେ ଆସି ସ୍ୱେଚ୍ଛାକୃତଭାବେ ବିନା ଦରମାରେ କାମ କରୁଥିଲେ । ଦେଶର ସମସ୍ତ ଶିକ୍ଷିତ, ପଣ୍ଡିତ, ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଭାଷାବିଦ୍‌ଙ୍କୁ ସେମାନଙ୍କ ଅଞ୍ଚଳରେ ବ୍ୟବହୃତ ଶବ୍ଦଗୁଡ଼ିକର ତାଲିକା ପଠେଇବାକୁ ଅନୁରୋଧ କରାଯାଇଥିଲା । ବିକ୍ରମଦେବ ବର୍ମା ବିଶାଖାପଟଣ, ଗଞ୍ଜାମ ଓ ଜୟପୁର ଅଞ୍ଚଳର କେତେକ ଶବ୍ଦ ଓ ତାହାର ଅର୍ଥ ଉଦାହରଣ ସହ ପ୍ରହରାଜ ମହାଶୟଙ୍କ ନିକଟକୁ ପଠେଇଥିଲେ । ଯେତେବେଳେ ଭାଷାକୋଷର ପ୍ରଥମ ଭାଗ ପ୍ରକାଶ ପାଇଲା, ଗୋପାଳ ଚନ୍ଦ୍ର ପ୍ରହରାଜ ଭାଷାକୋଷ ସଂକଳନରେ ଯେଉଁମାନେ ସାହାଯ୍ୟ କରିଥିଲେ ସେମାନଙ୍କ ଫୋଟଚିତ୍ର ଛାପିଲେ । ସେଥିରେ ବିକ୍ରମଦେବଙ୍କ ଫୋଟ ମଧ୍ୟ ସ୍ଥାନ ପାଇଲା ।

ଓଡ଼ିଆ ଭାଷାର ବୃହତ୍‌ ଭାଷାକୋଷ ସଂକଳନ କରିବା ଭଳି ଏକ ସାହାସିକ ପଦେକ୍ଷପ ଗୋପାଳଚନ୍ଦ୍ର ନେଇଥିଲେ ମଧ୍ୟ ଏ ସକାଶେ ସେ କୌଣସି ସରକାରୀ ଆର୍ଥିକ ସାହାଯ୍ୟ ପାଉନଥିଲେ । ଏହି କାର୍ଯ୍ୟ ପାଇଁ ଶ୍ରୀପ୍ରହରାଜ ମହାଶୟ ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଅନାୟସରେ ଖର୍ଚ୍ଚ କରିଦେଇଥିଲେ । ତେଣୁ ଉକ୍ତ ମହତ୍‌ କାର୍ଯ୍ୟ ସକାଶେ ବିକ୍ରମଦେବହିଁ ସର୍ବପ୍ରଥମେ ସରକାରଙ୍କୁ ଏକ ପତ୍ର ଲେଖି ଆର୍ଥିକ ସହାୟତା କରିବାକୁ ଅନୁରୋଧ କରିଥିଲେ । ପୁଣି ଦେଶର ବହୁ ଧନୀ ବଦାନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଉକ୍ତ କାର୍ଯ୍ୟ ସକାଶେ ଆର୍ଥିକ ସହାୟତା କରିବାକୁ ପତ୍ର ଲେଖଲେ ।

ଉକ୍ତ ଗ୍ରନ୍ଥଟି ସାତଟି ଭାଗରେ ପ୍ରକାଶ ଲାଭ କରିଛି । ଏହାର ପ୍ରତିଭାଗକୁ ଜଣେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଉତ୍ସର୍ଗ କରାଯାଇଛି । ଏହି ଅନୁସାରେ ସଙ୍କଳକ ଗୋପାଳଚନ୍ଦ୍ର ପ୍ରହରାଜ ଏହି ଗ୍ରନ୍ଥର ୪ର୍ଥ ଭାଗକୁ ମହାରାଜା ବିକ୍ରମ ଦେବଙ୍କୁ ଉତ୍ସର୍ଗ କରିଛନ୍ତି । ୧୯୩୪ ଜୁନ୍‌ରେ କଟକରୁ ପ୍ରକାଶିତ ଏହି ଭାଗର ଉତ୍ସର୍ଗ ପତ୍ରରେ ସଂକଳକ ଲେଖିଲେ-

“The fourth of the Purna Chandra Oriya Vasakosa is dedicated with kind Permission to Sahitya Samrat Raja Sri Sri Sri Vikram Deva Verma, Raja Saheb, Jeypore Estate District Vizag who is rightly looked upon as the Vikramaditya of Utkal, whose burning Patriotism has implelled him to devite himself to life long service in the cause of the Oriya nation with a rare tenacity of Purpose, who has during the last forty years identified himself with the movement for the unification of Oriya speaking tracts, whose catholic unificance in the cause of education and for the all round progress of the oriya nation has made him the pride and glory of ten millions of Oriya, who is himself a great poet and author of renown and who has been a staunch and active supporter of this lexicon.''

Cuttack

In greatful regard by

June 1934      

his humble admirer

 

THE COMPLIER

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ଚତୁର୍ଥ ଭାଗ ପ୍ରକାଶନ ପରେ ୫ମ ଭାଗ ପ୍ରକାଶନ ସକାଶେ ବିକ୍ରମଦେବ ବର୍ମା ଗୋପାଳଚନ୍ଦ୍ର ପ୍ରହରାଜଙ୍କୁ ଦଶହଜାର ଟଙ୍କା ଦାନ କରିଥିଲେ । ଏହି ଦଶହଜାର ଟଙ୍କାକୁ ସେ ଦୁଇଟି କିସ୍ତିରେ ପ୍ରଦାନ କରିଥିଲେ । ପ୍ରଥମେ ଛଅହଜାର ଏବଂ ପରେ ଚାରିହଜାର ଟଙ୍କା ଦେଇଥିଲେ । ଏହିଭଳି ଏକ ଚିରସ୍ମରଣୀୟ ବିଶିଷ୍ଟ କୀର୍ତ୍ତିର ପ୍ରକାଶନ ସକାଶେ ଆର୍ଥିକ ସହାୟତା କରି ମହାରାଜା ବିକ୍ରମଦେବ ନିଜର ନାମକୁ ମହିମାନ୍ୱିତ କରିଯାଇଛନ୍ତି । ତାଙ୍କର ଏହି ମହତ ଦାନ ସମ୍ପର୍କରେ ‘ସତ୍ୟ ସମାଚାର’ (୫ମ ଭାଗ, ୧୮ଶ ସଂଖ୍ୟା) ଲେଖିଲେ:

“ଜୟପୁର ମାନନୀୟ ରାଜା ଶ୍ରୀ ବିକ୍ରମଦେବ ବର୍ମା ସାହିତ୍ୟ ସମ୍ରାଟ’’ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ଜଣେ ବିଶିଷ୍ଟ ପୃଷ୍ଠପୋଷକ ଅଟନ୍ତି । ଜୟପୁର ରାଜଗାଦି ଅଧିକାର କରିବା ପୂର୍ବରୁ ଭାଷାକୋଷ ପ୍ରତି ବିହାର ଓଡ଼ିଶା ସରକାରଙ୍କ ଦୃଷ୍ଟି ରାଜା ସାହେବ ପ୍ରଥମେ ଆକର୍ଷଣ କରିଥିଲେ । ଜୟପୁର ଅଞ୍ଚଳରେ ପ୍ରଚଳିତ ବହୁଶତ ଓଡ଼ିଆ ପ୍ରାଦେଶିକ ଶବ୍ଦ ରାଜା ସାହେବ ନିଜେ ସଂଗ୍ରାହକଙ୍କୁ ଯୋଗାଇ ଅଛନ୍ତି । ଭାଷାକୋଷର ବିଶିଷ୍ଟ ପୃଷ୍ଠପୋଷକରୂପେ ତାଙ୍କର ପ୍ରତିକୃତି ପ୍ରଥମଖଣ୍ଡରେ ପ୍ରକାଶିତ ହୋଇଥିଲା ଓ ୪ର୍ଥ ଖଣ୍ଡ ତାଙ୍କ ନାମରେ ଉତ୍କୃଷ୍ଟ ହୋଇଅଛି । ଭାଷାକୋଷର ପଞ୍ଚମଖଣ୍ଡର ମୁଦ୍ରଣାଦି ବ୍ୟୟ ନିର୍ବାହାର୍ଥେ ସେ ବିଶିଷ୍ଟଭାବରେ ଅର୍ଥ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଆନନ୍ଦର ବିଷୟ ଯେ, ରାଜା ସାହେବ ଉକ୍ତ ପ୍ରତିଶ୍ରୁତି ରକ୍ଷାକରି ଭାଷାକୋଷର ପଞ୍ଚମଖଣ୍ଡର ପ୍ରକାଶାର୍ଥ ବର୍ତ୍ତମାନ ଛ’ହଜାର ଟଙ୍କା ନଗଦ ଦେଇଅଛନ୍ତି ଓ ଭାଷାକୋଷର ପରବର୍ତ୍ତୀ ଖଣ୍ଡମାନଙ୍କ ସମାପ୍ତ ପୂର୍ବରୁ ଆଉ ୪ହଜାର ଟଙ୍କା ସାହାଯ୍ୟ କରିବାକୁ ଆଶା ଦେଇଅଛନ୍ତି । ଜୟପୁର ରାଜା ସାହେବଙ୍କର ଏହି ଉଦାର ଦାନ ପାଇଁ ଆମ୍ଭେମାନେ ତାଙ୍କୁ କୃତଜ୍ଞତା ଅର୍ପଣ କରୁଅଛୁ । ରାଜାସାହେବ ମୁକ୍ତହସ୍ତ ହୋଇ ନଥିଲେ ଭାଷାକୋଷ ପଞ୍ଚମଖଣ୍ଡର ମୁଦ୍ରଣ କର୍ମ ଢେର ପଛେଇଥାନ୍ତା ।’’

ପୁଣି ଉକ୍ତ ସଂଖ୍ୟାରେ ହିଁ - ସମ୍ପାଦକ ମହାଶୟ ଲେଖିଲେ - “x x x ତେଲୁଗୁ ସାହିତ୍ୟ ଓ ଓଡ଼ିଆ ସାହିତ୍ୟରେ ରାଜା ସାହେବଙ୍କର ଅଗାଧ ପାଣ୍ଡିତ୍ୟ ଅଛି । ଓଡ଼ିଆରେ ଓ ତେଲୁଗୁରେ ରାଜା ସାହେବ ଅନେକଗୁଡ଼ିଏ କାବ୍ୟ ନାଟକାଦି ରଚନା କରିଅଛନ୍ତି ଓ ତହିଁ ମଧ୍ୟରୁ କେତେଗୁଡ଼ିଏ ଗ୍ରନ୍ଥ ମାନ୍ଦ୍ରାଜ୍‌ ଓ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ଉଚ୍ଚଶ୍ରେଣୀମାନଙ୍କରେ ପାଠ୍ୟପୁସ୍ତକରୂପେ ନିର୍ବାଚିତ ହୋଇଅଛି । ରାଜାସାହେବ ପ୍ରତିଦିନ ପଣ୍ଡିତମାନଙ୍କ ସହ ସଂସ୍କୃତ, ତେଲୁଗୁ ଓ ଓଡ଼ିଆ ସାହିତ୍ୟ ଏବଂ ଧର୍ମାଲୋଚନାରେ ଚାରିଘଣ୍ଟା ଅତିବାହିତ କରନ୍ତି ।’’

ଓଡ଼ିଶାରେ ଜୟପୁର ମିଶ୍ରଣ :

ଦେଶ ମିଶ୍ରଣ ପାଇଁ ବିକ୍ରମଦେବ ଦୀର୍ଘ ୪୦ ବର୍ଷ ଧରି ଉଦ୍ୟମ କରିଥିଲେ । ବିଶାଖାପଟଣରେ ଓଡ଼ିଆ ସମାଜର ଗଠନରୁ ହିଁ ଏହି ମହତ୍‌ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଉତ୍କଳ ସମ୍ମିଳନୀ ଗଠନ ହେବା ପରଠାରୁ ଏହାର ପ୍ରତ୍ୟେକ ଅଧିବେଶନରେ ଉପସ୍ଥିତ ରହି ଦେଶମିଶ୍ରଣ ସମ୍ପର୍କିତ ବହୁ ଉପାଦେୟ ପ୍ରସ୍ତାବ ପ୍ରଦାନ କରିଥିଲେ । ତା’ ସହିତ ବିଭିନ୍ନ ପତ୍ରପତ୍ରିକାରେ ଏ ସମ୍ପର୍କିତ ବହୁ ନିବନ୍ଧମାନ ମଧ୍ୟ ଲେଖୁଥିଲେ । ପୁଣି ସୀମାନିର୍ଦ୍ଧାରଣ ସକାଶେ ଯେଉଁ ସବୁ କମିଟି କମିଶନ ଗଠନ କରୁଥିଲେ ସେସବୁରେ ବିକ୍ରମଦେବ ଦେଶମିଶ୍ରଣ ସପକ୍ଷରେ ସାକ୍ଷ୍ୟ ପ୍ରଦାନ କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ୧୯୩୩ ମସିହା ମାର୍ଚ୍ଚ ୧୭ ତାରିଖରେ ସରକାରଙ୍କ ତରଫରୁ ଦେଶମିଶ୍ରଣ ସମ୍ପର୍କିତ ଯେଉଁ ଶ୍ୱେତପତ୍ର ପ୍ରକାଶ ପାଇଲା ସେଥିରେ ଓଡ଼ିଶାରେ ଜୟପୁର ଅନ୍ତର୍ଭୁକ୍ତ ହୋଇ ନ ଥିଲା । ଏହି ରିପୋର୍ଟ ଶୁଣି ବିକ୍ରମଦେବଙ୍କ ସମେତ ଜୟପୁର ରାଜ୍ୟବାସୀ ଖୁବ୍‌ ମର୍ମାହତ ହୋଇଥିଲେ । ଫଳରେ ଜୟପୁରବାସୀଙ୍କ ମନରେ କ୍ରମଶଃ ଅସନ୍ତୋଷର ଦାନା ଦୃଢ଼ ହୋଇ ଆନ୍ଦୋଳନର ରୂପ ନେବାକୁ ବସିଲା । ଏହି ସମୟରେ ବିକ୍ରମଦେବ ଜୟପୁରବାସୀଙ୍କୁ ଧୈର୍ଯ୍ୟ ଧରିବାକୁ କହି ୧୯୩୪ ମସିହା ମେ’ ମାସରେ ଉତ୍କଳ ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶସନ ଜୟପୁରଠାରେ ଆୟୋଜନ କରିଥିଲେ । ଏହି ଅଧିବେଶନ ବହୁ ଆଡ଼ମ୍ବର ସହକାରେ ଆୟୋଜନ କରାଯାଇଥିଲା । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଲେ । ଏଠାରେ ସମ୍ମିଳିତ ହୋଇଥିବା ସମସ୍ତ ବ୍ୟକ୍ତି ବିଭିନ୍ନ ଯୁକ୍ତି ଉପସ୍ଥାପନ କରି ଜୟପୁର ଓଡ଼ିଶାରେ ରହିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ହଜାର ହଜାର ଲୋକ ଯୋଗଦେଇଥିବା ଉକ୍ତ ସମ୍ମିଳନୀର ସମସ୍ତ ଖର୍ଚ୍ଚ ମହାରାଜା ବିକ୍ରମଦେବ ବର୍ମା ନିଜେ ବହନ କରିଥିଲେ । ଏହି ସଭାରେ ଗୃହୀତ ହୋଇଥିବା ସମସ୍ତ ନିର୍ଦ୍ଧାରଣକୁ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ପ୍ରଦାନ କରାଯାଇ ଏହି ସମ୍ପର୍କରେ ବ୍ରିଟିଶ୍‌ ସରକାରଙ୍କୁ ଅବଗତ କରାଇବାକୁ ଅନୁରୋଧ କରାଯାଇଥିଲା । ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଉକ୍ତ ନିର୍ଦ୍ଧାରଣକୁ ଧରି ପୁନଶ୍ଚ ଇଂଲଣ୍ଡ ଯାଇ ଜଏଣ୍ଟ୍‍‌ ପାର୍ଲାମେଣ୍ଟାରୀ କମିଟି ସମ୍ମୁଖରେ ସାକ୍ଷ୍ୟ ପ୍ରଦାନ କରି ଯୁକ୍ତି କରିଥିଲେ ଯେ, ଜୟପୁର ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ ଏବଂ ଏହି ଅଞ୍ଚଳରେ ଅଧକାଂଶ ଓଡ଼ିଆ କଥିତ ଲୋକ ବସବାସ କରୁଛନ୍ତି । ଫଳତଃ ବ୍ରିଟିଶ୍‌ ସରକାର ଏହି ଯୁକ୍ତିକୁ ଖୁବ୍‌ ଗୁରୁତ୍ୱର ସହ ବିଚାର କରି ୧୯୩୪ ମସିହା ନଭେମ୍ବର ୨୨ ତାରିଖରେ ଜୟପୁର ଓଡ଼ିଶାରେ ଅନ୍ତର୍ଭୁକ୍ତ ହେଲା ବୋଲି ଘୋଷଣା ପ୍ରକାଶ କଲେ । ଏହି ଘୋଷଣା ପ୍ରକାଶିତ ହେବାପରେ ବିକ୍ରମଦେବଙ୍କ ବହୁଦିନର ସ୍ୱପ୍ନ ସାକାର ହୋଇଥିବା ଯୋଗୁଁ ଆନନ୍ଦରେ ଅଧର ହୋଇପଡ଼ିଲେ । ଜୟପୁର ରାଜ୍ୟ ତଥା ସମଗ୍ର ଓଡ଼ିଶାରେ ଏହି ବାର୍ତ୍ତା ପ୍ରଚାରିତ ହେବାପରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଥିଲା । ବିକ୍ରମଦେବଙ୍କ ସାଧୁ ଉଦ୍ୟମରେ ଜୟପୁର ଓଡ଼ିଶାର ଅନ୍ତର୍ଭୁକ୍ତ ହୋଇପାରିଲା । ତେଣୁ ଏହି ମହତ୍‌ କାର୍ଯ୍ୟରେ ସାରଥି ସାଜିବା ବିକ୍ରମ ଦେବଙ୍କୁ ଓଡ଼ିଶା ତଥା ଓଡ଼ିଶା ବାହାରୁ ବହୁ ଅଭିନନ୍ଦନ ବାର୍ତ୍ତାସବୁ ଆସିପହଞ୍ଚଲା । ଓଡ଼ିଶାର ବହୁ ବିଶିଷ୍ଟ ସାହିତ୍ୟିକ, ବ୍ୟକ୍ତି ତଥା ଅନୁଷ୍ଠାନ ବିକ୍ରମ ଦେବଙ୍କୁ ଏହି ସବୁ ଅଭିନନ୍ଦନ ବାର୍ତ୍ତା ପ୍ରେରଣ କରିଥିଲେ । ଅଭିନନ୍ଦନ ପଠେଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ - ପଣ୍ଡିତ ନୀଳକଂଠ ଦାସ, ପଣ୍ଡିତ ଗୋଦାବୀଶ ମିଶ୍ର, ପଣ୍ଡିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଶ୍ରୀକୃଷ୍ଣ ମହାପାତ୍ର, ମଦନମୋହନ ରଥ, ଅନନ୍ତରାମ ରଥ, ଦୀନବନ୍ଧୁ ପଣ୍ଡା, ପ୍ୟାରୀ ମୋହନ ପାଣିଗ୍ରାହୀ, ମଧୁସୂଦନ ପାଣିଗ୍ରାହୀ, ମଦନମୋହନ ସିଂହଦେଓ, ବାଳକୃଷ୍ଣ ରଥ, ଭୁବନାନନ୍ଦ ଦାସ, ଲକ୍ଷ୍ମୀ ନାରାୟଣ ସାହୁ, ଗୋପାଳଚନ୍ଦ୍ର ପ୍ରହରାଜ ପ୍ରମୁଖ ଟିକାଲୀ ଓଡ଼ିଆ ସମାଜ ଓ ଗୋସାଣୀ ନୂଆଗାଁ ଗ୍ରାମବାସୀ ମଧ୍ୟ ସାମୂହିକଭାବେ ଅଭିନନ୍ଦନ ଜଣେଇଥିଲେ । ଏତଦ୍‌ବ୍ୟତୀତ ବହୁ ପତ୍ରପତ୍ରିକାରେ ଏହି ଖବର ପ୍ରଥମ ପୃଷ୍ଠା ମଣ୍ଡନ କରିଥିଲା । (ଅଭିନନ୍ଦନ ପତ୍ରଗୁଡ଼ିକ ପରିଶିଷ୍ଟ - ‘କ’ରେ ଦିଆଗଲା)

ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟାବଳୀ :

ବିକ୍ରମଦେବ କେବଳ ସାହିତ୍ୟସାଧନାରେ ବ୍ରତୀ ହୋଇ ନ ଥିଲେ ସାହିତ୍ୟୋତି ସକାଶେ ମଧ୍ୟ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ସହାୟତା ପ୍ରଦାନ କରୁଥିଲେ । ସେ ସାହିତ୍ୟର ଉନ୍ନତି ସକାଶେ ବିଶିଷ୍ଟ ସ୍ରଷ୍ଟାଙ୍କ ଅପ୍ରକାଶିତ ପୁସ୍ତକଗୁଡ଼ିକୁ ନିଜସ୍ୱ ଖର୍ଚ୍ଚରେ ପ୍ରକାଶ କରିଥିଲେ । ତନ୍ମଧ୍ୟରେ ଲକ୍ଷ୍ମୀନାରାୟଣ ସାହୁଙ୍କ ‘Hill Tribs of Jeypore, ‘ଚିନ୍ତାମଣି ମହାନ୍ତି ଗ୍ରନ୍ଥାବଳୀ’ ଓ ‘ବୈକୁଣ୍ଠନାଥ ପଟ୍ଟନାୟକଙ୍କ’ କାବ୍ୟ କବିତା ଅନ୍ୟତମ । ପୁଣି ବହୁ ଲେଖକଙ୍କୁ ସେମାନଙ୍କ କୃତିଗୁଡ଼ିକୁ ପ୍ରକାଶ କରିବା ପାଇଁ ଅର୍ଥ ଦାନ ମଧ୍ୟ କରିଛନ୍ତି ।

ସାହିତ୍ୟର ପ୍ରଚାର ଓ ବିକାଶ ଦିଗରେ ପାଠାଗାରର ଏକ ସ୍ୱତନ୍ତ୍ର ଭୂମିକା ରହିଛି । ବିକ୍ରମଦେବ ଏହି କଥାକୁ ଠିକ୍‌ଭାବେ ଉପଲବ୍ଧି କରିପାରିଥିଲେ । ତେଣୁ ସେ ବିଭିନ୍ନ ପାଠାଗାରକୁ ବହୁ ଅର୍ଥ ଓ ପୁସ୍ତକ ଦାନ କରିଛନ୍ତି । ନବରଙ୍ଗପୁରଠାରେ ଏକ ପାଠାଗାରର ନିର୍ଦ୍ଧାରଣ ସକାଶେ ସେ ଅର୍ଥ ପ୍ରଦାନ କରିଥିଲେ । ବିକ୍ରମଦେବ ଜୟପୁରସ୍ଥ ରାଜନଅର ମଧ୍ୟରେ ଏକ ବିରାଟ ଲାଇବ୍ରେରୀ ସ୍ଥାପନ କରିଥିଲେ । ତାଙ୍କର ଅଧକାଂଶ ସମୟ ଏହି ଲାଇବ୍ରେରୀ ମଧ୍ୟରେ ହିଁ କଟୁଥିଲା । ଏହି ଲାଇବ୍ରେରୀରେ ବିଭିନ୍ନ ଭାଷା (ଯଥା : ଓଡ଼ିଆ, ତେଲୁଗୁ, ସଂସ୍କୃତ, ଇଂରାଜୀ, ହିନ୍ଦୀ) ର ତଥା ବିଭିନ୍ନ ବିଭାଗ (ଯଥା : ଇତିହାସ, ଭାଷା, ସାହିତ୍ୟ, ଉପନିଷଦ ଇତ୍ୟାଦି)ର ପୁସ୍ତକ ସବୁ ରଖିଥିଲେ । ରାଜନଅର ସ୍ଥିତି ଏହି ଲାଇବ୍ରେରୀକୁ ବହୁ ଗବେଷକ, ମୁଗ୍ଧ ପାଠକ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଆସି ବହୁ ଅତୀତ ତଥ୍ୟକୁ ସଂଗ୍ରହ କରୁଥିଲେ ।

ସାହିତ୍ୟ ଏବଂ କଳାର ଉନ୍ନତି ସକାଶେ ତାଙ୍କ ଅବଦାନ ଯେତିକି ଥିଲା ବିଭିନ୍ନ ଶିକ୍ଷାନୁଷ୍ଠାନ, ସଂଗଠନ ତଥା ଅନୁଷ୍ଠାନକୁ ମଧ୍ୟ ସେ ଆର୍ଥିକ ସହାୟତା କରି ତାହାର ଉନ୍ନତି ପାଇଁ ଚିନ୍ତା କରୁଥିଲେ । ଓଡ଼ିଶାରେ ଏକ ମେଡ଼ିକାଲ୍‌ କଲେଜର ଅଭାବକୁ ଦେଖି କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ତାଙ୍କ ମନ୍ତ୍ରିମଣ୍ଡଳ ସମୟରେ (୧୯୪୧-୪୪) କଟକରେ ଏକ ମେଡ଼ିକାଲ୍‌ କଲେଜ ପ୍ରତିଷ୍ଠା କରିବାକୁ ପଦେକ୍ଷପ ନେଇଥିଲେ । ଏହି ମେଡ଼ିକାଲ୍‌ କଲେଜ ପ୍ରତିଷ୍ଠା ହେଲାପରେ ମୟୁରଭଞ୍ଜର ସ୍ୱର୍ଗତ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଗଲା । ଉକ୍ତ ମେଡ଼ିକାଲ୍‌ କଲେଜକୁ ସେହି ସମୟରେ ମହାରାଜା ଶ୍ରୀ ବିକ୍ରମଦେବ ବର୍ମା ଏକଲକ୍ଷ ତିରିଶି ହଜାର ଟଙ୍କା ଦାନ କରିଥିଲେ । ଓଡ଼ିଶାରେ ସ୍ୱନାମଧନ୍ୟ ଡାକ୍ତରଙ୍କର ଅଭାବ ନ ରହୁ ବୋଲି ଆଶା ପୋଷଣ କରି ସେ ଏହି ଆର୍ଥିକ ସହାୟତା କରିଥିଲେ ।

୧୯୪୭ ମସିହାରେ ଜୟପୁରଠାରେ ପ୍ରତିଷ୍ଠିତ ମହାବିଦ୍ୟାଳୟର ନିର୍ଦ୍ଧାରଣ ସକାଶେ ସମସ୍ତ ଅର୍ଥ ବହନ କରିଥିଲେ । ଅବଶ୍ୟ ଓଡ଼ିଶା ସରକାର ଏହି ମହାବିଦ୍ୟାଳୟକୁ ପ୍ରତିଷ୍ଠା କରିଥିଲେ । କିନ୍ତୁ ଏହି ମହାବିଦ୍ୟାଳୟର କୋଠାବାଡ଼ି ନିର୍ଦ୍ଧାରଣ ପାଇଁ ବିକ୍ରମଦେବ ଆର୍ଥକ ସହାୟତା ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଛାତ୍ରାବାସ ନିମନ୍ତେ ସେ ଧର୍ମଶାଳାକୁ ମଧ୍ୟ ପ୍ରଦାନ କରିଥିଲେ । ତାଙ୍କର ପାଣ୍ଡିତ୍ୟ ତଥା ମହାନତା ଯୋଗୁଁ ମହାବିଦ୍ୟାଳୟକୁ ତାଙ୍କ ନାମ (ବିକ୍ରମଦେବ ମହାବିଦ୍ୟାଳୟ)ରେ ନାମିତ କରାଯାଇଛି । ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତେକାତ୍ତର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ତଥା ପ୍ରତିଯୋଗୀ ମନୋଭାବ ବୃଦ୍ଧି କରିବା ପାଇଁ ବିଭାଗରେ ସର୍ବୋଚ୍ଚସ୍ଥାନ ଅଧିକାର କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା କରିଥିଲେ । ଏହି ପୁରସ୍କାର ସକାଶେ ସେ ୧୦, ୦୦୦ ଟଙ୍କା ସ୍ଥାୟୀ ଜମାରାଶି ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରିଥିଲେ ।

 

ଏହାବ୍ୟତୀତ ସେ ଅନେକ ଶିକ୍ଷାଳୟକୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇଛନ୍ତି । ଡାକ୍ତର ମୁଞ୍ଜେଙ୍କ ହିନ୍ଦୁ ସୈନିକ ଶିକ୍ଷାଶାଳାକୁ ତିନିହଜାର ଏବଂ ବିଶ୍ୱକବି ରବୀନ୍ଦ୍ରନାଥଙ୍କଦ୍ୱାରା ଅବସ୍ଥାପିତ ଶାନ୍ତିନିକେତନକୁ ପାଞ୍ଚହଜାର ଟଙ୍କା ଦାନ କରିଛନ୍ତି । ବାଣପୁରଠାରେ ପ୍ରତିଷ୍ଠିତ ହାଇସ୍କୁଲକୁ ମଧ୍ୟ ଦୁଇହଜାର ଟଙ୍କା ଦାନ କରିଛନ୍ତି । ଦେଶର କୌଣସି ଅଞ୍ଚଳର ଯେକୌଣସି ଅନୁଷ୍ଠାନକୁ ସେ ଆର୍ଥିକ ସାହାଯ୍ୟ ଦେବାକୁ ଅମଙ୍ଗ ହୋଇନଥିଲେ ।

 

ବୈଷୟିକ ଶିକ୍ଷାର ଉନ୍ନତି ସକାଶେ ମଧ୍ୟ ବିକ୍ରମଦେବ ଆର୍ଥିକ ସାହାୟତା ପ୍ରଦାନ କରିଥିଲେ । ବିଶାଖାପଟଣଠାରେ ଅବସ୍ଥିତ ବିଜ୍ଞାନ ଓ କାରିଗର ଶିକ୍ଷାନୁଷ୍ଠାନକୁ ବହୁଅର୍ଥ ପ୍ରଦାନ କରି ଏହି ଅନୁଷ୍ଠାନକୁ The Jeypore College of Science and Techonlogy ଭାବରେ ନାମ କରଣ କରିଥିଲେ । ପୁଣି ଶିଳ୍ପ ଉପରେ ଗୁରୁତ୍ୱ ଦେଇ ସେ ବିଶାଖାପଟଣଠାରେ Industrial Museum ଶିଳ୍ପ ସଂଗ୍ରହାଳୟ ପ୍ରତିଷ୍ଠା କରିଥିଲେ ।

 

ଜୟପୁର ଭଳି ପାହାଡ଼ଘେରା ଅଞ୍ଚଳରେ ମୁଦ୍ରଣ ଶିଳ୍ପର ବିକାଶ ପାଇଁ ସେ ଉଦ୍ୟମ କରିଥିଲେ । ‘ବିକ୍ରମ ପ୍ରେସ୍‌’ ନାମକ ଏକ ମୁଦ୍ରଣାଳୟର ସେ ଥିଲେ ପ୍ରତିଷ୍ଠାତା । ଯାହାଥିଲା, ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ମୁଦ୍ରଣାଳୟ । ଏହିଠାରୁ ହିଁ ୧୯୪୦ ମସିହାରେ ‘ପ୍ରଜାବାଣୀ’ ନାମକ ଏକ ସାପ୍ତାହିକ ପତ୍ରିକା ପ୍ରକାଶ ପାଉଥିଲା । ଏହି ପତ୍ରିକା ଦୀର୍ଘ ୨୦ ବର୍ଷ ଯାଏଁ ପ୍ରକାଶିତ ହେଉଥିଲା । ୧୯୪୦ ମସିହାରେ ଜୟପୁର ଭଳି ଉପାନ୍ତ ଅଞ୍ଚଳରେ ଦୀର୍ଘ ୨୦ ବର୍ଷ ଧରି ପ୍ରକାଶ ପାଇବା ନିଶ୍ଚୟଭାବେ ଏକ ଗୌରବର କଥା । ସଂବାଦ ଓ ସାହିତ୍ୟର ଅପୂର୍ବ ସମନ୍ୱୟରେ ପତ୍ରିକାଟିର ଆଙ୍ଗିକ ଏବଂ ଆତ୍ମିକ ବେଶ୍‌ ଉନ୍ନତ ଥିଲା ।

 

ରାଜନଅର ପରିସର ମଧ୍ୟରେ ବିକ୍ରମଦେବ ଏକ ଚିତ୍ରଶାଳାର ପ୍ରତିଷ୍ଠା କରିଥିଲେ । ଜୟପୁରର ସିମାଦ୍ରୀ ମହାରଣା ନାମକ ଜଣେ ବ୍ୟକ୍ତିଙ୍କୁ ଚିତ୍ରକଳା ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବାକୁ ମାନ୍ଦ୍ରାଜ କଳା ମହାବିଦ୍ୟାଳୟକୁ ପ୍ରେରଣ କରିଥିଲେ । ସେ ସେଠାରୁ ଚିତ୍ରକଳା ସମ୍ପର୍କରେ ଉଚ୍ଚଶିକ୍ଷା ଗ୍ରହଣ କରି ଆସିବାପରେ ତାଙ୍କୁ ଉକ୍ତ ଚିତ୍ରଶାଳାରେ ନିଯୁକ୍ତ କରି ବହୁ ମୂଲ୍ୟବାନ ତୈଳଚିତ୍ର ଅଙ୍କାଇଲେ । ପୁଣି ତାଙ୍କଦ୍ୱାରା ନିର୍ମିତ ବହୁ ଛୋଟବଡ଼ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତିସବୁକୁ ଦେଶବିଦେଶର ବିଶିଷ୍ଟ ଲୋକମାନଙ୍କୁ ଉପହାର ଦେଇଥିଲେ । ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଚିତ୍ରକଳା ପ୍ରଦର୍ଶନକୁ ବିକ୍ରମଦେବ ସିମାଦ୍ରୀ ମହାରାଣାଙ୍କୁ ପ୍ରେରଣ କରୁଥିଲେ ।

 

ଏହି ଭଳିଭାବେ ସାହିତ୍ୟ, ଶିକ୍ଷା, ଶିଳ୍ପ ତଥା ବିଭିନ୍ନ ଅନୁଷ୍ଠାନମାନଙ୍କର ଉନ୍ନତି ସକାଶେ ଉଭୟ ଆନ୍ଧ୍ର ଓ ଉତ୍କଳରେ ବିକାଶର ବହୁଦିଗକୁ ଉନ୍ମୋଚନ କରିଥିଲେ । ତାଙ୍କ ଶାସନ କାଳରେ ସବୁ ସ୍ତରର ଲୋକଙ୍କ ସୁବିଧା ଅସୁବିଧାକୁ ଧ୍ୟାନ ଦେଇ ନୂତନ ନୀତି ନିୟମର ପ୍ରଚଳନ କରୁଥିଲେ-। ତାଙ୍କ ସୁଚେଷ୍ଟା ଫଳରେ ବହୁ ଉଲ୍ଲେଖନୀୟ କାର୍ଯ୍ୟମାନ ସଫଳତାର ସହ ସମାପିତ ହୋଇଥିଲା-

 

ଉପାଧି / ମାନପତ୍ର :

 

ଉଭୟ ଓଡ଼ିଆ ଓ ତେଲୁଗୁ ସାହିତ୍ୟରେ ଲେଖନୀ ଚାଳନା କରି ବିକ୍ରମଦେବ ଉଭୟ ସାହିତ୍ୟର ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସାହିତ୍ୟ ସାଧନ ସହ ଜନହିତକର କାର୍ଯ୍ୟ ତଥା ଦେଶ ମିଶ୍ରଣ ପ୍ରଭୃତି ବିକାଶମୂଳକ କାର୍ଯ୍ୟରେ ପ୍ରତ୍ୟକ୍ଷଭାବେ ଜଡ଼ିତ ଥିଲେ । ତାଙ୍କର ଏହି ବହୁମୁଖୀ ପ୍ରତିଭାରେ ମୁଗ୍ଧ ହୋଇ ବିଭିନ୍ନ ସମୟରେ ବହୁ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ ତାଙ୍କୁ ଉପାଧି, ମାନପତ୍ର, ସନନ୍ଦ ପ୍ରଦାନ କରି ନିଜକୁ କୃତାର୍ଥ ମନେ କରିଛନ୍ତି । ରାଜର୍ଷି ଶ୍ରୀ ବିକ୍ରମଦେବ ବର୍ମା ରଚନାବଳି’ର ଭୂମିକାରେ ଗୋପୀନାଥ ମହାନ୍ତି ଲେଖିଛନ୍ତି - ସାହିତ୍ୟ ରାଜ୍ୟରେ ସେ ସୁପ୍ରସିଦ୍ଧ, ସେ ‘ସାହିତ୍ୟସମ୍ରାଟ’, ‘କଳାପ୍ରପୂର୍ଣ୍ଣ’, ‘ବିଦ୍ୟାସାଗର’ । ସେ D. Litt. (Doctor of Letters) ।’’ (ରଚନାବଳି- ୧ମ ଭାଗ, ଭୂମିକ।) ସେ ତାଙ୍କ ସୁଗୁଣ ଓ ପ୍ରଚଣ୍ଡ ପ୍ରତିଭା ବଳରେ ବହୁ ସମ୍ମାନର ଅଧକାରୀ ହୋଇପାରିଥିଲେ । ତାଙ୍କର ସାହିତ୍ୟ ସାଧାନା ଓ ବହୁମୁଖୀ ପ୍ରତିଭାରେ ମୁଗ୍‍ଧ ହୋଇ ‘ଆନ୍ଧ୍ର ଭାରତୀ ତୀର୍ଥ ସମାଜ’ ୧୯୩୩ ମସିହାରେ ତାଙ୍କୁ ‘ସାହିତ୍ୟ ସମ୍ରାଟ’ ‘Lord of Letters’ ଉପାଧିରେ ଭୂଷିତ କରିଥିଲେ । ୧୯୩୪ରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ତା’ର ସମାବର୍ତ୍ତନ ଉତ୍ସବରେ ବିକ୍ରମଦେବଙ୍କୁ ‘କଳାପ୍ରପୂର୍ଣ୍ଣ’ ଡିଃ. ଲିଟ୍‌ (ବିଦ୍ୟା ବାରିଧ) ଉପାଧି ତତ୍‌କାଳୀନ କୁଳପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କଦ୍ୱାରା ପ୍ରଦାନ କରିଥିଲା । ମହାରାଜାଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସିଥିବା ସ୍ୱର୍ଗତ କବି ଶେଖର ଚିନ୍ତାମଣି ମହାନ୍ତି ତାଙ୍କୁ ‘ଉତ୍କଳର ବିକ୍ରମାଦିତ୍ୟ’ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ ଭାଷାରେ : “ମହାରାଜା ଶ୍ରୀ ବିକ୍ରମଦେବ ବର୍ମା ସରସ୍ୱତୀଙ୍କର ବରପୁତ୍ର । ପୁଣି କମଳା ମାତାଙ୍କର ଅଙ୍କ ମଣ୍ଡନ କରିଛନ୍ତି । ଉଭୟ ମାତାଙ୍କଠାରୁ ସେ ଦୁଇଟି ରାଜ୍ୟ ପ୍ରାପ୍ତ ହୋଇଛନ୍ତି । ଗୋଟିଏ ଜୟପୁର ରାଜ୍ୟ, ଅନ୍ୟଟି ସାରସ୍ୱତ ରାଜ୍ୟ । ଗୋଟିଏ ପାର୍ଥିବ, ଅନ୍ୟଟି ଜ୍ୟୋର୍ତିମୟ ଶାଶ୍ୱତ ରାଜ୍ୟ । ତାଙ୍କ ମୃତ୍ତିକା ରାଜ୍ୟପରି ସାରସ୍ୱତ ରାଜ୍ୟ ମଧ୍ୟ ବିପୁଳ ବିସ୍ତୃତ । ସାହିତ୍ୟ ସାଧନାର କ୍ଷେତ୍ର ସୀମାତୀତ ନ ହେଲେ ହେଁ ବିରାଟ । ଦୁଇ ମାତାଙ୍କଠାରୁ ସମାନଭାବରେ ସ୍ନେହ ଲାଭ କରି ସେ ଲକ୍ଷ୍ମୀ ସରସ୍ୱତୀଙ୍କ ବିରୋଧ ଅପବାଦର ବ୍ୟର୍ଥତା, ସପ୍ରମାଣ କରିଅଛନ୍ତି । ସେ ଉତ୍କଳର ବିକ୍ରମାଦିତ୍ୟ x x x ।’’ (ଚିନ୍ତାମଣି ମହାନ୍ତି - ଜୟପୁର - ପୃ- ୧୮୭)

 

ବିକ୍ରମଦେବ ବର୍ମା ଥିଲେ ଉଭୟ ଓଡ଼ିଆ ଓ ତେଲୁଗୁ ସଂସ୍କୃତି ସମନ୍ୱୟର ଏକ ବିଶିଷ୍ଟ ବ୍ୟକ୍ତିତ୍ୱ । ତେଲୁଗୁ ଅଞ୍ଚଳରେ ଜନ୍ମ ହୋଇ, ଶିକ୍ଷାଦୀକ୍ଷା ଗ୍ରହଣ କରି ଜୀବନର ଅଧକାଂଶ ସମୟ ସେଠାରେ ଅତିବାହିତ କରି ଜୀବନର ଅପରାହ୍ନରେ ଜୟପୁରର ରାଜସିଂହାସନ ପ୍ରାପ୍ତ ହୋଇଥିଲେ-। ତେଣୁ ଉକ୍ତ ଦୁଇଟି ଭାଷା, ଦୁଇଟି ସାହିତ୍ୟ ଓ ଦୁଇଟି ସଂସ୍କୃତିରେ ତାଙ୍କର ଗଭୀର ଜ୍ଞାନ ଥିଲା-। ତେଣୁ ହିଁ ବିଶାଖାପଟଣଠାରେ Jeypore College of Science and Technology ସମ୍ମୁଖରେ ବିକ୍ରମଦେବଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରି ସରୋଜିନୀ ନାଇଡ଼ୁ ତାଙ୍କୁ ‘ରାଜର୍ଷି’ ତଥା ‘ସମନ୍ୱୟ ସଂସ୍କୃତିର ବାର୍ତ୍ତାବହ’ ବୋଲି ଅଭିହିତ କରିଥିଲେ । ବିଶିଷ୍ଟ ଗବେଷକ ଡଃ. ଏ.ଭି.ଡ଼ି. ଶର୍ମା ମହାରାଜାଙ୍କ ଜୀବନୀ ଏବଂ ସାହିତ୍ୟ କର୍ମ ଉପରେ ଗବେଷଣା କରି ତାଙ୍କର “Integration of Andhra and Oirssa Culture’’ ପୁସ୍ତକର ମୁଖବନ୍ଧରେ କହିଛନ୍ତି –

 

“Vikram Deo Varam's interest were both in Andhra and Orissa. Infact, though an Utkalite by ancestry, he was brought up in Andhra and Spent of his time here. He distinguished himself by Virtue of his talents and his Services to Andhra and Orissa in the literary, Socio Cultural and educational fields. He was a poet, scholar and play write in Sanskrit, Telugu and Oriya.’’

 

ତେଣୁ ସେ ଥିଲେ ଆନ୍ଧ୍ର ଏବଂ ଉତ୍କଳ ସଂସ୍କୃତିର ସର୍ବେଶ୍ରଷ୍ଠ ଯୋଗସୂତ୍ରକାରୀ । ଉଭୟ ସଂସ୍କୃତିର ସମନ୍ୱୟରେ ଉଭୟ ଭାଷା ଓ ସଂସ୍କୃତି ମଧ୍ୟରେ ସ୍ନେହ, ପ୍ରେମ, ଭାତୃଭାବ ଏବଂ ସର୍ବୋପରି ସାଂସ୍କୃତିକ ବାତାବରଣ ସୃଷ୍ଟି କରିପାରିଥିଲେ । ତେଣୁ ସେ ସର୍ବଦା ସମନ୍ୱୟ ସଂସ୍କୃତିର ବାର୍ତ୍ତାବହଭାବେ ପରିଚୟ ଲାଭ କରିବେ ।

Image

 

ତୃତୀୟ ଅଧ୍ୟାୟ

Unknown

ସାହିତ୍ୟ ସାଧନା

 

ବିକ୍ରମଦେବ ବର୍ମା ଅନେକ ବର୍ଷ ଯାଏଁ ନିଜର ସ୍ଥିତି ପାଇଁ ସଂଗ୍ରାମ କରି ଆର୍ଥିକ ଏବଂ ମାନସିକ ସ୍ତରରେ ଦୋଦୁଲ୍ୟମାନ ହୋଇଥିଲେ ମଧ୍ୟ ସାହିତ୍ୟ ସାଧନାରୁ କେବେ ସୁଦ୍ଧା ବିଚ୍ୟୁତ ହୋଇ ନ ଥିଲେ । ଦୁଃଖ, ଅଭାବ, ଅନଟନ ଭିତରେ ମଧ୍ୟ ସାହିତ୍ୟ ସାଧନା ଅବ୍ୟାହତ ରହିଲା । ସମୟ ପାଇବାମାତ୍ରେ ସାହିତ୍ୟ ସର୍ଜନାରେ ମନୋନିବେଶ କରୁଥିଲେ ସେ । ରାଜ ସିଂହାସନ ଆରୋହଣ ପୂର୍ବରୁ ସୁଦୂର ଆନ୍ଧ୍ର ଅଞ୍ଚଳରେ ରହି ଓଡ଼ିଆ ଭାଷାରେ ବିଭିନ୍ନ କାବ୍ୟ କବିତା, ନାଟକ, ଗଳ୍ପ, ପ୍ରବନ୍ଧ ଇତ୍ୟାଦି ରଚନା କରିଥିଲେ । ଜୟପୁର ରାଜ୍ୟ ପ୍ରାପ୍ତିପରେ ମଧ୍ୟ ତେଲୁଗୁ ଓ ଓଡ଼ିଆ ଭାଷାରେ ତାଙ୍କ ଲେଖନୀରୁ ଅନେକ ସୃଷ୍ଟି ଲୋକାର୍ପିତ ହୋଇଥିଲା ।

 

ବିକ୍ରମଦେବ ନିଜେ ମାନସିକ ଚାପ ମଧ୍ୟରେ ରହି ସୁଦ୍ଧା ସାହିତ୍ୟର ବିଭିନ୍ନ ବିଭାଗକୁ ଛୁଇଁ ସେହି ବିଭାଗଗୁଡ଼ିକୁ ଉତ୍କର୍ଷରେ ଭରି ଦେଇଛନ୍ତି । ତାଙ୍କ ଲେଖନୀରୁ ଅନେକ କାବ୍ୟ କବିତା, ନାଟକ, ଗଳ୍ପ, ପ୍ରବନ୍ଧ ନିଃସୃତ ହୋଇଛି । ରାଧାନାଥ, ଫକୀରମୋହନଙ୍କ ସମସାମୟିକ ବିକ୍ରମଦେବଙ୍କ ସୃଷ୍ଟି ମଧ୍ୟରେ ଗଙ୍ଗାଧରୀୟ ଚିନ୍ତା, ଫକୀର ମୋହନୀୟ ଚେତନା ତଥା ଶୈଳୀକୁ ଖୁବ୍‌ ଶୁଦ୍ଧଭାବେ ଅନୁଭବ କରିହୁଏ । ଉପନିଷଦୀୟ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ବିକ୍ରମଦେବ ତାଙ୍କ ସୃଷ୍ଟିମାନସରେ ମାନବିକତାର ଜୟଗାନ କରିଛନ୍ତି । ସମାଜର ଜାଗ୍ରତ ପ୍ରହରୀଭାବେ ସାମାଜିକ ସମସ୍ୟାକୁ ଉପସ୍ଥାପନ କରି ଦିଗ୍‌ଦର୍ଶନ ଦେଇଛନ୍ତି । ଯେକୌଣସି ବିଷୟକୁ ଦୃଢ଼ତାର ସହ ଉପସ୍ଥାପନ କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି । ଦୀର୍ଘକାଳ ଧରି ତାଙ୍କ ଲେଖନୀରୁ ଉଭୟ ତେଲୁଗୁ ଓ ଓଡ଼ିଆ ଭାଷାର ବହୁ କାବ୍ୟ କବିତା, ନାଟକ, ପ୍ରବନ୍ଧ, ଗଳ୍ପ ତଥା ଅନୁଦିତ ସୃଷ୍ଟି ଝରିଆସିଛି । ଏ ସବୁ ସୃଷ୍ଟି ପରବର୍ତ୍ତୀ କାଳରେ ଓଡ଼ିଶାର ପ୍ରତଯଶା ଶିଳ୍ପୀ ଗୋପୀନାଥ ମହାନ୍ତିଙ୍କ ସଂପାଦନାରେ ଶ୍ରୀ ବିକ୍ରମଦେବ ବର୍ମା ରଚନାବଳି – ୧ମ ଭାଗ ଓ ଶ୍ରୀ ବିକ୍ରମଦେବ ବର୍ମା ରଚନାବଳି ୨ୟ ଭାଗରେ ସ୍ଥାନୀତ ହୋଇ ୧୯୪୬ ମସିହାରେ ପ୍ରକାଶ ଲାଭ କରିଛି । ପ୍ରାଚୀନ ଶାସ୍ତ୍ର ସମ୍ମତ ଆର୍ଶୀନମସ୍କିୟାରୁ ରଚନାବଳିର ଆରମ୍ଭ କରାଯାଇଛି । ପ୍ରଥମଭାଗରେ ‘ଶ୍ରୀରାଧାକୃଷ୍ଣାଭ୍ୟା ନମଃ’ରୁ ଆରମ୍ଭ କରାଯାଇଛି :

 

ହୃଦୟ କମଳ ମମେ ଚିନ୍ତେୟ ଭାନୁ ପୁତ୍ରୀ ସଲିଳ ଭଗଜିପସ୍ୟାଂ ପଦ୍ମିନୀଂ ପଦ୍ମନସ୍ତାଂ ॥

ଛବି ବିଦିତ ସୁବର୍ଣ୍ଣାଂ ନୀର ଜାଣୟ ତାକ୍ଷୀଂ ଧରବରଧରପାର୍ଶ୍ୱସ୍ଥାୟିନୀଂ ମୁକ୍ତିଦାତ୍ରୀଂ ॥

ହୃଦୟକମଳମେମଭାବେୟ ବାସୁଦେବଂ ନବଜଳଧରବର୍ଣ୍ଣଂ ପୁଣ୍ଡରୀକାୟତାକ୍ଷଂ ॥

ଅରିଜଳଜଗଦାମ୍ଭୋଜାତହସ୍ତଂ ସୁରେନ୍ଦ୍ରଂ କନକବସନଯୁଗୁଭ୍ରାଜିତିଁ ମୁକୁନ୍ଦଂ ॥

 

ସେହିପରି ରଚନାବଳି ୨ୟ ଭାଗର ଆରମ୍ଭ ପ୍ରଭୁ ଶ୍ରୀରାମଙ୍କ ବନ୍ଦନାରୁ –

 

ବନ୍ଦେ ରାମଂ ମେଘଶ୍ୟାମଂ ଶାନ୍ତାକାରଂ ସର୍ବାଧାରଂ ।

ସାକେତେନଂ ଦାସାଧୀନଂ ରକ୍ଷଃକାଳଂ ସୀତାଲୋଳଂ ॥

 

ପରେ ପରେ ଶ୍ରୀ ଶ୍ରୀରାମସ୍ତ୍ରୋତ୍ରମ୍‍ ସଂଯୋଜିତ ହୋଇଛି –

 

କ୍ଷୀରାମ୍ଭୋଧନିବାସାୟ ମହାଲକ୍ଷ୍ମୀଧବାୟଚ ।

କାଳନୀରଦବର୍ଣ୍ଣାୟ ଶ୍ରୀରାମାୟ ନେମାନମଃ ॥

 

ଶଙ୍ଖଚକ୍ରଗଦାପଦ୍ମ ନନ୍ଦକାଦି ଧରାୟଚ ।

ଶେଷପଗତଳ୍ପାୟ ଶ୍ରୀରାମାୟ ନେମା ନମଃ ॥

 

ରଚନାବଳି ପ୍ରଥମଭାଗରେ ପ୍ରାୟ ୧୫୦ ପୃଷ୍ଠାରୁ ଅଧିକ ଏବଂ ଦ୍ୱିତୀୟ ଭାଗରେ ପ୍ରାୟ ୧୮୬ ପୃଷ୍ଠା କବିତାରେ ପରିପୂର୍ଣ୍ଣ । ରଚନାବଳି ପ୍ରଥମ ଭାଗ କବିତା, ଗଳ୍ପ, ନାଟକ କ୍ରମରେ ସଜ୍ଜିତ ହୋଇଛି କିନ୍ତୁ ରଚନାବଳି ଦ୍ୱିତୀୟ ଭାଗ ସେପରି କ୍ରମରେ ସଜ୍ଜିତ ହୋଇନାହିଁ । ରଚନାବଳୀ ଦ୍ୱିତୀୟ ଭାଗର ଶେଷଆଡ଼କୁ ଶ୍ରୀରାଧାଚରଣ ପଣ୍ଡାଙ୍କ ‘ରାଜକବି ଶ୍ରୀ ବିକ୍ରମଦେବ ବର୍ମା’ କବି ଶ୍ରୀ ଚିନ୍ତାମଣି ମହାନ୍ତିଙ୍କ ଲିଖିତ ‘ଜୟପୁର’ ସ୍ଥାନ ପାଇଛି । ତେଲୁଗୁ ଭାଷାରେ ଲିଖିତ ତାଙ୍କର ରଚନାସବୁକୁ ସଂଗ୍ରହ କରାଯାଇ ‘ରଚନାଲୁ’ ନାମରେ ସଂକଳନ କରାଯାଇଛି । ‘ରଚନାବଳୀ’ରେ ସଂକଳିତ ସୃଷ୍ଟି ବ୍ୟତୀତ ତାଙ୍କର ପୁରନ୍ଦରୀ ଦାସୀ ଚରିତ (ହରିକଥା ବର୍ଣ୍ଣିତ), କଳାପୂର୍ଣ୍ଣୋଦୟ (ତେଲୁଗୁରେ ଲିଖିତ ଏବଂ ବିକ୍ରମ ଦେବଙ୍କଦ୍ୱାରା ଅନୁଦିତ), ତୁଳସୀ ବିରଚିତ ‘ବିନୟ ପତ୍ରିକା’ର ଓଡ଼ିଆ ଅନୁବାଦ ବର୍ତ୍ତମାନ ଦୁଷ୍ପ୍ରାପ୍ୟ । ‘ରଚନାବଳୀ’ରେ ସ୍ଥାନୀତ ସୃଷ୍ଟି ସମୂହରୁ ହିଁ ତାଙ୍କ ସୃଜନ କଳାର ଆକଳନ କରାଯାଇପାରେ ।

 

କବି ବିକ୍ରମଦେବ ବର୍ମା :

 

ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେ ମଧ୍ୟ ବିକ୍ରମଦେବ ମୁଖ୍ୟତଃ ଜଣେ କବି । ଶ୍ରୀ ବିକ୍ରମଦେବ ବର୍ମା ରଚନାବଳି ୧ମ ଭାଗ ଓ ୨ୟ ଭାଗର ଅଧକାଂଶ ପୃଷ୍ଠା କାବ୍ୟ କବିତାରେହିଁ ପୂର୍ଣ୍ଣ । ଉଭୟ ଓଡ଼ିଆ ସଂସ୍କୃତ ଭାଷାରେ ଉକ୍ତ କାବ୍ୟ କବିତା ରଚିତ । ତାଙ୍କ କାବ୍ୟ-କବିତାସବୁ ବହୁ ରୂପ, ରସ, ବର୍ଣ୍ଣ ଓ ଶୈଳୀରେ ପୂର୍ଣ୍ଣ । ସଂସ୍କୃତ ସାହିତ୍ୟ, ମଧ୍ୟଯୁଗୀୟ ସାହିତ୍ୟ ତଥା ଆଧୁନିକ ସାହିତ୍ୟର ବିଭିନ୍ନ ବିଭବ ତାଙ୍କ କାବ୍ୟ କବିତାରେ ସୁଲଭ । ସ୍ତବ, ସ୍ତୋତ୍ର, ଶ୍ଲୋକ, କବଚ, ନକ୍ଷତ୍ରମାଳା, ମାଳିକା, ଦଣ୍ଡକ, ଧନ୍ଦା, ପ୍ରହେଳିକା, ରହସ୍ୟ ପ୍ରଶ୍ନୋତ୍ତର, କବିତା, ଚମ୍ପୁ, ଗୀତି କବିତା, ବନ୍ଦନା, ଜଣାଣ, ପ୍ରାର୍ଥନା, ଋତୁବର୍ଣ୍ଣନା, ସରସଗୀତାବଳୀ ପ୍ରଭୃତିର ଅପୂର୍ବ ସମନ୍ୱୟ ଦେଖାଯାଏ ତାଙ୍କ କାବ୍ୟ ସଂସାରରେ । କାବ୍ୟ କବିତାଗୁଡ଼ିକରେ ମଧ୍ୟଯୁଗୀୟ ଛାପ ବେଶ୍‌ ସ୍ପଷ୍ଟ ବିଶେଷ କରି ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ, ଦୀନକୃଷ୍ଣ ଦାସ ଓ ଗୋପାଳକୃଷ୍ଣଙ୍କ ପ୍ରଦର୍ଶକ ସାଜିଛନ୍ତି ବିକ୍ରମଦେବ । ତାଙ୍କର ଅଧକାଂଶ କାବ୍ୟ-କବିତା ରାଗ ରାଗିଣୀ, ତାଳ ଲୟ ଯୁକ୍ତ ତଥା ଆଳଙ୍କାରିକ ସମ୍ମତ ନମସ୍କ୍ରିୟା ଏବଂ ମଙ୍ଗଳାଚରଣରୁ ଆରମ୍ଭ । ଖରହରପ୍ରିୟା, ବେହାଗ, ମାଳବଗୌଡ଼ା, କଲ୍ୟାଣୀ, ପାନ୍ତ ବରାଡ଼ି, ଖମ୍ବାରି, ହିନ୍ଦୁସ୍ଥାନୀ, ମୋହନା, କମୋଦୀ ତୋଡ଼ି, ସାବେରୀ, ଆଷଢ଼ ଶୁକ୍ଲ, କଲ୍ୟାଣ ଆହାରୀ, ଧନାଶ୍ରୀ, ସୌରାଷ୍ଟ୍ର, ମୁଖାରୀ ଭଳି ବହୁ ଲୁପ୍ତପ୍ରାୟ ରାଗଦ୍ୱାରା ସେ ତାଙ୍କ କାବ୍ୟ କବିତାର ଅଙ୍ଗ ଶୋଭନ କରିଛନ୍ତି । କବିତାଗୁଡ଼ିକର ବିଷୟବସ୍ତୁ ମୁଖ୍ୟତଃ ପୁରାଣ, ଧର୍ମ, ଦର୍ଶନ, ପ୍ରଭୃତିରୁ ଆହୃତ । ତେଣୁ ତାଙ୍କର କାବ୍ୟ-କବିତା ହାସ୍ୟ, ବାଲ୍ୟ, ଶାନ୍ତ, ଶୃଙ୍ଗାର ରସରେ ସିକ୍ତ ହୋଇଛି ।

 

ରାଧାକୃଷ୍ଣଙ୍କ ପ୍ରେମ ପ୍ରଣୟର ଚିତ୍ର ପ୍ରଦାନ ପ୍ରସଙ୍ଗରେ ଆଦିରସର ବହୁଳ ପ୍ରୟୋଗ ତାଙ୍କ କବିତାରେ ଦେଖାଯାଏ । ରଚନାବଳୀ ୧ମ ଭାଗର ‘ସରସ ଗୀତାବଳୀ’ ଶୀର୍ଷକ କବିତା ସମୁହରେ ଏହି ଆଦି ରସର ବହୁଳ ବ୍ୟବହାର ହୋଇଛି । ପ୍ରଣୟ ଦଗ୍ଧା ନାୟିକା ପ୍ରେମରେ ନିଜକୁ ଉବୁଟୁବୁ ହୋଇ ଚିନ୍ତାପାରାବାରରେ ବୁଡ଼ାଇ ରଖି ଅତନୁ ବାଣକୁ ତନୁ ସମର୍ପିଛି ।

 

ନଜାଣି ପୀରତି କଲି, ବାତୁଳୀ ହେଲି ।

ଘୋର ଚିନ୍ତା ପାରାବାରେ ଚିତ୍ତକୁ ବୁଡ଼ାଇ ଦେଲି ॥

ତାଙ୍କ ସୁନ୍ଦର ରୂପକୁ ନବିଲୋକିବା ଲବକୁ ।

ଲୋତକ ପୂର୍ଣ୍ଣ ଲୋଚେନ ଯୁଗ ପରାଏ ଗଣିଲି ॥

ନିରେତ ତାଙ୍କ ପ୍ରେମରେ ରତ ହୋଇ ମୁଁ କ୍ରମରେ ।

ଅଶନବାସ ଭୂଷଣ ବିଷ ସମାନ ମଣିଲି ॥

କୁଳଶୀଳ ଗୁରୁଜନ ଭୟ ଲାଜ ଅଭିମାନ ।

ସଜନୀ ସମାଜ ସ୍ନେହ ସକଳ ସୁଖ ତେଜିଲି ॥

ଇନ୍ଦୁ କିରଣ ତାପକୁ ମଳୟବାତ ଘାତକୁ ।

ଅତନୁ ବାଣ ଗଣକୁ ମୋର ତନୁ ସମର୍ପିଲି ॥

କୃଷ୍ଣଚନ୍ଦ୍ର ଦେବ ସୁତ ବିକ୍ରମଦେବ ବନ୍ଦିତ ।

ହରି ସଂଗ ନିତ୍ୟ ବୋଲି ମନରେ ଯା ଭାବିଲି

(ରଚନାବଳି – ୧ମ ଭାଗ - ପୃ- ୫)

 

ଅତନୁକୁ ତନୁ ସମର୍ପଣ କରିବା ପରେ କାମତୃଷ୍ଣାରେ ଦଗ୍ଧ ପ୍ରାଣର ବର୍ଣ୍ଣନା ମଧ୍ୟ କବି ଲେଖନୀରେ ବେଶ୍‌ ହୃଦୟସ୍ପର୍ଶୀ ।

 

କରି ଉଦେ ହାସ ରଜନୀଶ,

ଗୋରୀ ଦେଇ ଅଧର ପୀୟୁଷ,

ସ୍ମର କେଳିରେ ରସିଣ ନାଶ,

ମୋର କାମ ତମ ତୃଷ୍ଣା ଖେଦ ଝଟତିରେ ॥

 

କରି ଅଛି ଯେବେ ଦୋଷ ମୁହିଁ,

ବର ବାହୁ ପାଶେ ବାନ୍ଧି ସହି,

ଭର ହୃଦୟ କାରାରେ ନେଇ,

କରଜ କୁନ୍ତରେ କିବା ଭୁଷ ସୁଦନ୍ତିରେ ॥

 

କିମ୍ବା

 

ଦେଇ ଗାଢ଼ ଆଲିଙ୍ଗନ, ଗୋର ତପ୍ତ ଅପଘନ ।

ବେଗରେ କାକର କରେ ଚାନ୍ଦମୁହିଁ ॥

ଯାଉଛି ମୋର ଜୀବନ, ରକ୍ଷାକରେ ଜୀବଧନ ।

ଚାରୁ ବିମ୍ବାଧରୁ ସୁଧାରସ ଦେଇ ॥

            (ରଚନାବଳି - ୧ମ ଭାଗ, ପୃ- ୧୨)

 

ଏହାପରେ ପ୍ରହେଳିକା ଧର୍ମୀ ପ୍ରଶ୍ନୋତ୍ତର ତଥା ଧନ୍ଦାମୂଳକ କବିତାର ଅବତାରଣା କରାଯାଇଛି । ପ୍ରହେଳିକା କବିତାଗୁଡ଼ିକ ଦେବତା ବନ୍ଦନା ଉପରେ ଆଧାରିତ ହୋଇଥିବାବେଳେ ପ୍ରଶ୍ନୋତ୍ତର ତଥା ଧନ୍ଦାମୂଳକ କବିତା ଅନୁଲୋମ ବିଲୋମ ଶୈଳୀରେ ଲିଖିତ ହୋଇ କବିଙ୍କ ପାଣ୍ଡିତ୍ୟ ତଥା ବିଜ୍ଞତାର ପରିଚୟ ପ୍ରଦାନ କରିଛି । ଯଥା :

 

କବି ବନ୍ଦ୍ୟ ! ଘେନ ମୋର ବିନୟ

ଚକ୍ରଧର ! ମୋର ହୋଇ ସଦୟ ।

କ୍ରମେ ନେଇ ଚିତ୍ତ ହଂସକୁ ମୋର,

ଶ୍ରୀ ଶ୍ରୀ ! ରଖ ପଦକଞ୍ଜରେ ତୋର ॥

ଏତେ ସେ ମାଗଇ ।

ଦ୍ୱିତୀୟ ବର୍ଣ୍ଣେ ଯା ନାମ ରାଜଇ ॥

 

ଏଠାରେ କବି ଦେବ ବନ୍ଦନା ସହ ନିଜ ନାମର ଭଣିତା ମଧ୍ୟ କରିଛନ୍ତି । “ଦ୍ୱିତୀୟ ବର୍ଣ୍ଣେ ଯା ନାମ ରାଜଇ’’ ଅର୍ଥ ପ୍ରତି ଧାଡ଼ିର ୨ୟ ବର୍ଣ୍ଣେର ବା ବର୍ଣ୍ଣକୁ ଏକାଠି କଲେ ‘ବିକ୍ରମଶେ’ ଶବ୍ଦ ଆସୁଛି । ଅର୍ଥାତ୍‌ କବି ବିକ୍ରମଦେବଙ୍କ ନାମ । କବି ଚକ୍ରଧର ତାଙ୍କ ପଦକଞ୍ଜରେ ଚିତ୍ତହଂସକୁ ସମର୍ପଣ କରିଛନ୍ତି । ଏଥିରେ କବିଙ୍କର ପାଣ୍ଡିତ୍ୟ, ଭକ୍ତି ଭାବର ଅପୂର୍ବ ସମନ୍ୱୟ ଦେଖାଯାଏ ।

 

ପ୍ରହେଳିକା ପ୍ରଶ୍ନୋତ୍ତର ଧର୍ମୀ କବିତାରେ ପାଣ୍ଡିତ୍ୟର ପରିଚୟ ଦେଖନ୍ତୁ ।

କିଏ ଦିଅଇ ଶାଶ୍ୱତ ସୁଖକୁ ?

କିଏ ଘାଣ୍ଟି ଚକଟଇ ମନକୁ ?

କିଏ ନାରଖାର କରେ କରମ

କିସ ରଦ୍ଧ୍ୟ ହୋଇ ଜନ୍ମାଏ ଭ୍ରମ ?

ଉତ୍ତର ବଖାଣ

ପଞ୍ଚବର୍ଣ୍ଣେ ସବ୍ୟାସେବ୍ୟ ସମାନ ?

 

ଉତ୍ତର : ନନ୍ଦନନ୍ଦନ, ରାମ କୁମାର, ରଭସଭର, ନବଯୌବନ ।

(ରଚନାବଳି - ୧ମ ଭାଗ- ପୃ- ୧୮)

 

ବିକ୍ରମଦେବଙ୍କ ଅଧକାଂଶ ରଚନା ପୁରାଣ, ଧର୍ମ, ଦର୍ଶନ ଉପରେ ଆଧାରିତ । ରଚନାବଳି (୧ମ/୨ୟ)ରେ ସ୍ଥାନୀତ ବହୁ ଶ୍ଲୋକ, ସ୍ତୁତି, ସ୍ତବ, ଅଷ୍ଟକ, କବଚ, ଜଣାଣ, ଭଜନ, ପ୍ରାର୍ଥନା ଇତ୍ୟାଦିରୁ ଏହା ସ୍ପଷ୍ଟ । କବି ନିଜେ ଜଣେ ବୈଷ୍ଣବ । ସାଧୁଜନ ତଥା ବୈଷ୍ଣବଙ୍କର କର୍ତ୍ତବ୍ୟ ସମ୍ପର୍କରେ ସେ କହନ୍ତି –

 

ମଥୁରା ବାସ ସାଧୁସଙ୍ଗ ନାମ କୀର୍ତ୍ତନ ।

ଭାଗବତ ଶ୍ରବଣ ହରିମୂର୍ତ୍ତି ପୂଜନ ॥

ଏହି କର୍ମ ପଞ୍ଚକ ପ୍ରତ୍ୟେକ ବୈଷ୍ଣବର ।

କର୍ତ୍ତବ୍ୟ ତରିବାକୁ ଘୋର ଭବସାଗର ॥

(ରଚନାବଳି - ୧ମ ଭାଗ- ପୃ- ୫)

 

ବିକ୍ରମଦେବ ନିଜେ ଜଣେ ବୈଷ୍ଣବ ହେଲେ ମଧ୍ୟ ତାଙ୍କ ରଚନାରେ ଅନ୍ୟ ଦେବାଦେବୀଙ୍କର ଦେଖାଯାଏ । ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ସମ୍ପର୍କିତ ଅନେକ ରଚନା ତାଙ୍କ ରଚନାବଳୀରେ ସ୍ଥାନୀତ । ରଚନାବଳି ୨ୟ ଭାଗରେ ବା ସ୍ତୁତି ମୂଳକ ଏକ ସଂସ୍କୃତ ଶ୍ଲୋକରେ କବିଙ୍କ ଭକ୍ତ କୈବଲ୍ୟ ଦେଖନ୍ତୁ–

 

ଶ୍ଲୋକୌ :

 

ହୃଦୟକମଳମମେଭାବୟେ ବାସୁଦେବଂ ନବଜଳଧରବର୍ଣ୍ଣଂ ପୁଣ୍ଡରୀକାୟତାକ୍ଷଂ ॥

ଅରିଜଳଜଗଦାମ୍ଭୋଜାତହସ୍ତଂ ସୁରେନ୍ଦ୍ରଂ କନକବସନଯୁଗ୍ମଭ୍ରାଜିତାଙ୍ଗ ମୁକୁନ୍ଦଂ ॥

ହୃଦୟକମଳମମେ ଚିନ୍ତେୟ ଭାନୁପୁତ୍ରୀଂ ସଲିଳଭବଜିଦାସ୍ୟାଂ ପଦ୍ମିନୀଂ ପଦ୍ମହସ୍ତାଂ ॥

ଛବିବିଜିତସୁବର୍ଣ୍ଣାଂ ନୀରଜାତାୟ ତାକ୍ଷୀଂ ଧରବରଧରପାଶ୍ୱର୍ସ୍ଥାୟିନୀଂ ମୁକ୍ତିଦାତ୍ରୀଂ ॥

(ରଚନାବଳି-୨ୟ - ପୃ- ୮)

 

ଏହା ବ୍ୟତୀତ ଶ୍ରୀରାଧାକୃଷ୍ଣଙ୍କ ସ୍ତୁତି, ଶ୍ରୀରାଧାକୃଷ୍ଣଭ୍ୟାଂ ନମଃ, ଶ୍ରୀକୃଷ୍ଣ ଚୈତନ୍ୟଜୟତି, ଶ୍ରୀକୃଷ୍ଣ ପଞ୍ଚରତ୍ନ ସ୍ତୋତ୍ରଂ, ଶ୍ରୀରାଧକାଧବ ପଞ୍ଚରତ୍ନ ସ୍ତୋତ୍ରଂ, ଶ୍ରୀ କୃପାମ୍ଭୋଧ୍ୟଷ୍ଟକଂ, କେଶବ ଚଉତିଶା, ଶ୍ରୀକୃଷ୍ଣ ନକ୍ଷତ୍ରମାଳିକା, ବିଶ୍ୱରୂପ ସ୍ତବ, ଶ୍ରୀ ସତୁତାଷ୍ଟକଂ, ଶ୍ରୀହରି କବଚ, ଶ୍ରୀଧର ନବରତ୍ନମାଳା, ଗୋପାଳ ନବରତ୍ନମାଳା, ମତ୍ତକୋକିଳଶ୍ଲୋକ, ଶ୍ରୀରାମସ୍ତୋତ୍ରମ୍‍, ଶ୍ରୀରାମସ୍ତବମ୍‍, ଶ୍ରୀରାମ ଚରିତ ଗୀତା, ଗୌରୀସ୍ତବ, ଶ୍ରୀଗୌରୀ ଶବରଭ୍ୟଂନମଃ ଦୁର୍ଗା କବଚଂ, ନବଗ୍ରହ ସ୍ତବ, ଶ୍ରୀଚୈତନ୍ୟ ଶ୍ରେଷ୍ଠତ୍ୱ ପ୍ରଭୃତି ସ୍ତୋତ୍ର ଏବଂ ଶ୍ଲୋକଦ୍ୱୟମ୍‍, ଶ୍ଲୋକପଞ୍ଚକ, ବିବିଧ ଶ୍ଲୋକ, ଗ୍ରହଧାନ ଶ୍ଲୋକାଃ ପ୍ରଭୃତି ଅନ୍ୟତମ ।

 

ପୁଣି, ତାଙ୍କ ନୀତିବାକ୍ୟାବଳୀ ତଥା ବର ମାଳିକାରେ ମଧ୍ୟ କୃଷ୍ଣ ଓ ଶ୍ରୀରାମଙ୍କ ମହିମା ଗାନ କରାଯାଇଛି । ସାଂସାରିକ ଜୀବନକୁ ପୁଣ୍ୟ, ପବିତ୍ର କରିବା ପାଇଁ ସେ କହିଛନ୍ତି –

ଦାରିଦ୍ର୍ୟ ବାର୍ଦ୍ଧକ୍ୟ, ଚୌର୍ଯ୍ୟ, ଭିକ୍ଷା, ରୋଗ, ଋଣ ।

ବାର୍ଦ୍ଧକେ ଯୁବତୀ ଭାର୍ଯ୍ୟା ଉଚ୍ଚିଷ୍ଟ ଭୋଜନ ॥

ଏ ଆଠୋଟି ଅଷ୍ଟ କଷ୍ଟ ବୋଲି ମଞ୍ଚେ ଖ୍ୟାତ ।

ଏମାନଙ୍କୁ ବର୍ଜ୍ଜିତ କର ନର ପୁଣ୍ୟବନ୍ତ ॥

(ରଚନାବଳି-୧ମ- ପୃ- ୬୨)

 

ସଂସାରର ଆଠଗୋଟି କଷ୍ଟର ଅବତାରଣା କରି ସେଥିରୁ ମୁକ୍ତିକାମୀ ହେବାକୁ କବି ଆହ୍ୱାନ କରିଛନ୍ତି । ନୀତିବାକ୍ୟାବଳୀରେ ଏମିତି ଅନେକ ନୀତି କବିତା ସଂଯୋଜିତ ହୋଇଛି । ‘ବର ମାଳିକା’ ନାମକ ଅନ୍ୟଏକ କୃତିରେ ଶ୍ରୀକୃଷ୍ଣଙ୍କ ମହାତ୍ମ୍ୟ ସମ୍ପର୍କରେ କାବ୍ୟିକ ବର୍ଣ୍ଣନା ଦେଇଛନ୍ତି । ଯଥା –

ଉଚ୍ଚାରିତ ହେଲେ ତୋ ନାମରେ ।

ଜନ୍ମ ପରଂପରାକୁ କ୍ଷୟ କରେ ॥

ତୋ ପାଦରେ ବିକ୍ରମ ବର୍ମାର୍ପିତ ।

ମାଳିକା ଗୀତ ପୂରିତ ॥

ଇନ୍ଦିରା ତୋଷଣ ।

ମଞ୍ଜୁ କୌସ୍ତୁଭ ମଣିଭୂଷଣ ॥

(ରଚନାବଳି-୧ମ - ପୃ- ୭୦)

 

‘କ’ଠାରୁ ‘କ୍ଷ’ ପର୍ଯ୍ୟନ୍ତ ପ୍ରତି ବର୍ଣ୍ଣକୁ ଆଦ୍ୟରେ ରଖି ଚଉତିଶା ନିୟମରେ ଲିଖିତ ‘କେଶବ ଚଉତିଶା’ କବିଙ୍କର ଅନ୍ୟତମ ସଫଳ ସୃଷ୍ଟି । ଏଥିରେ ଅତି ସରଳ ଭାଷାରେ ଭଗବାନଙ୍କ ଗୁଣ କୀର୍ତ୍ତିନ କରାଯାଇଛି ।

 

କମଳଦଳ ଲୋଚନ, କଳି କଳୁଷ ମୋଚନ ।

କମନୟ ମୃଦୁକାୟ, କେଶବ ଜୟ ଏ ॥

 

ଖଗାତିପତି ବାହନ, ଖଚର ଗଣପାଳକ ।

ଖମଣି ସୁତାନାୟକ, ଖଳ ନାଶକ ଏ ॥

(ରଚନାବଳି-୧ମ- ପୃ- ୭୯)

 

ଅନିତ୍ୟ, ଅସାର ଏବଂ ମୋହମାୟା ଗ୍ରସ୍ତ ସଂସାରରୁ ମୁକ୍ତି ପାଇବା ପାଇଁ କି ‘ଜୀବନରେ ମୂଢ଼ଜୀବ’ କବିତାରେ ପଥ ପ୍ରଦର୍ଶନ କରିଛନ୍ତି । ଅନ୍ୟଏକ କ୍ଷୁଦ୍ର କବିତାରେ ବିଭିନ୍ନ ଧର୍ମର ବୈଶିଷ୍ଟ୍ୟ ଉଲ୍ଲେଖ କରି କହନ୍ତି :

 

ଅଦ୍ୱୈତ ଜ୍ଞାନ ମୈମାସେ କର୍ମ ଦ୍ୱୈତେଭକ୍ତି ।

ନିସ୍କାମରେ ସମର୍ପଣ ବୌମତ୍ୟୋଗାସକ୍ତି ॥

ପବିତ୍ରତା ଜାରଦୁଷ୍ଟ୍ରେ ପ୍ରେମ ଖ୍ରୀଷ୍ଟାମତେ ।

ଅହିଂସା ଜୈନେ ସାଧୁତା ଇହୁଦୀଙ୍କ ମତେ ॥

ଏ ମତମାନଙ୍କରେ ଏ ନବକ ପ୍ରଧାନ ।

ସାଧାରଣ ଧର୍ମମାନ ସବୁରେ ସମାନ ॥

(ରଚନାବଳି-୧ମ- ପୃ- ୫୮)

 

ବିକ୍ରମଦେବ କେତେକ ଉପଦେଶାତ୍ମକ ଗୀତିକା ମଧ୍ୟ ଲେଖିଛନ୍ତି । ସେମଧ୍ୟରୁ ‘ରାବଣୋଉପଦେଶ’ ଅନ୍ୟତମ । ବ୍ରହ୍ମାସ୍ତ୍ରରେ ବିଦ୍ଧ ରାବଣ ଶେଷନିଃଶ୍ୱାସ ତ୍ୟାଗ ପୂର୍ବରୁ ରାମଲକ୍ଷ୍ମଣଙ୍କୁ ଉପଦେଶଦେବା ଛଳରେ କହିଛି - ସ୍ୱର୍ଗକୁ ସିଢ଼ିବାନ୍ଧିବା ଭଳି ଦୁଃସାହସ କରିବା ହିଁ ତା’ର ମୃତ୍ୟୁର କାରଣ । ଯେତେବେଳର କାର୍ଯ୍ୟ ତତ୍‌କ୍ଷଣ ସେତେବେଳ ହିଁ କରିବା ଉଚିତ ।

 

“ଏଣୁ ନୃପତି ସତର୍କ ହୋଇ ନିରୁପିତ

କାର୍ଯ୍ୟମାନଙ୍କୁ ସେ କ୍ଷେଣ କରିବା ଉଚିତ ।’’

(ରଚନାବଳି-୧ମ- ପୃ- ୫୭)

 

‘ନେତ୍ର ରହସ୍ୟ’ ନାମକ କବିତାରେ କବି ପଞ୍ଚସଖା ଯୁଗୀୟ ପିଣ୍ଡ ବ୍ରହ୍ମାଣ୍ଡ ତଥ୍ୟକୁ ମଧ୍ୟ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣଭାବରେ ବର୍ଣ୍ଣନା କରିଛନ୍ତି ।

 

କହନ୍ତି ସର୍ବସାଧାରଣେ ।

ମୂଳାଧାରକୁ ଗୁହ୍ୟସ୍ଥାନେ ॥

ସ୍ୱାଧିଷ୍ଠାନ ସେ ଲିଙ୍ଗରେ ।

ମଣିପୁରକୁ ସୁନାଭିରେ ॥

ହୃଦୟ ମମେ ଅନାହତ ।

ଚକ୍ରହୁଅଇ ବିରାଜିତ ॥

ଦେବପ୍ରେମୀର ବିଶୁଦ୍ଧକୁ ।

ଭ୍ରୁ ମଧ୍ୟେଦେଶ ଅଜ୍ଞେୟକୁ ॥

ବୋଲନ୍ତି ପୁଣି ସହସ୍ରାର ।

କମଳଶିରରେ ସୁନ୍ଦର ॥

(ରଚନାବଳି-୧ମ- ପୃ- ୧୦୯)

 

ବିକ୍ରମଦେବ ତାଙ୍କ କବିତାମାନଙ୍କ ମଧ୍ୟରେ ପ୍ରକୃତିକୁ ମୁଖ୍ୟ ସ୍ଥାନ ଦେଇଛନ୍ତି । ଅପରୂପ ପ୍ରକୃତିର ଅନୁପମ ସୌନ୍ଦର୍ଯ୍ୟ ତାଙ୍କୁ ମୁଗ୍ଧ କରିଛି । ରଚନାବଳି ପ୍ରଥମଭାଗରେ ସ୍ଥାନୀତ ‘ଷଢ଼ଋତୁ ବର୍ଣ୍ଣନା’ ରଚନାବଳି ୨ୟ ଭାଗରେ ସ୍ଥାନୀତ ‘ବର୍ଷାସମୟ’ କବିତାରେ ତାହା ସ୍ପଷ୍ଟ । ଏହିସବୁ କବିତା ତତ୍‌କାଳୀନ ପ୍ରମୁଖ ପତ୍ରିକାମାନଙ୍କରେ ଶୋଭା ମଣ୍ଡନ କରିଥିଲା । ଷଢ଼ଋତୁ ବର୍ଣ୍ଣନା ପ୍ରସଙ୍ଗରେ ବିକ୍ରମଦେବ ପ୍ରକୃତିର ବିଭିନ୍ନ ରୂପକୁ ଅତି ଚମତ୍କାରଭାବେ ବର୍ଣ୍ଣନା କରିଛନ୍ତି । ଋତୁରାଜ ବସନ୍ତର ବର୍ଣ୍ଣନା ପ୍ରସଙ୍ଗରେ ସେ କହିଛନ୍ତି –

 

ଏ ବସନ୍ତ ଋତୁବର ।

ଦେଖ କେଡ଼େ ମନୋହର ॥

ସଂଯୋଗୀ ସନ୍ତାପ ହର ।

ବିଯୋଗୀ ସନ୍ତାପ କର ॥

କୁନ୍ଦ କୁନ୍ତ ମାରମିତ ।

ଶୁକ ଶାରୀ ସେନାପିତ ॥

ବସନ୍ତ ନୃପ ଉଦିତ ।

ବିରହୀ ହନନ କର ॥

(ରଚନାବଳି-୧ମ- ପୃ- ୨୩)

 

ଚନ୍ଦନ ଲେପେନ

ଶୀତଳାମ୍ବୁପାନେ

ଆସକ୍ତ ଜନ ହୃଦୟ ।

ରଜନୀ ନିତାନ୍ତ

ହୋଇ ସଂକୁଚିତ

ଦିବସ ବେଶୀ ବଢ଼ିଲା ।

ପରିଶ୍ରମ ହୀନେ

ଅଙ୍ଗୁ ପ୍ରତିକ୍ଷେଣ

ଘର୍ମ ସଲିଳ ସ୍ରବିଲା ।

(ରଚନାବଳି-୧ମ- ପୃ- ୨୩)

 

ଦେଖ ଶାରଦ ସମୟ ହୋଇଲାରେ ।

ଅମ୍ବୁଜାରି ବିଶ୍ୱ ସ୍ୱେଚ୍ଛ ଦିଶିଲାରେ ।

ତଟାକ ନିର୍ଦ୍ଧଳ ତୋୟ । ତୋୟ ଜାତ କୁବଳୟ ।

ଯୁତ ହୋଇ ଲୋଚନକୁ ମୋହିଲା ରେ ।

(ରଚନାବଳି-୧ମ - ପୃ- ୨୫)

 

ବିଦେଶୀ ବିଯୋଗୀ ଖେଦପ୍ରଦ ବର୍ଷାକାଳ,

ଆଗତ ସେ କଳକ - କୁଳ - କକାଳ ।

ନଭେ ନୀଳ ମେଘ ଘୋଟି ଆଚ୍ଛାଦେ ଭୂମିକି,

କରେ ଦୁର୍ଦ୍ଦିନ ଦିନକୁ, ଅନ୍ଧାର ରାତିକି ।

ଦିନେ ଭାନୁଶୂନ୍ୟ, ନିଶା- କାଳେ ଋକ୍ଷ ଶୂନ୍ୟ -

ହୋଇ ମରୁଭୂମି ପରି ଅସୁନ୍ଦର ଶୂନ୍ୟ ।

(ରଚନାବଳି-୨ୟ - ପୃ- ୧୫୧)

 

ଏହି କବିତାଗୁଡ଼ିକ ଲୋକ କଥିତ ଭାଷାର ପ୍ରୟୋଗ ଯୋଗୁଁ ଅଧିକ ସୁଖପାଠ୍ୟ ହୋଇପାରିଛି ।

 

ବ୍ୟଙ୍ଗ ମାଧ୍ୟମରେ ସମାଜସଂସ୍କାର କରିବାର ପ୍ରୟାସ କରିଛନ୍ତି କବି ବିକ୍ରମଦେବ । ତାଙ୍କର ‘ଏବଚଳଣୀ’, ‘କିହେଲା’, ‘ନାହିଁ ନାହିଁ ତିଳେ ମୁକ୍ତି ଭାବିଲେ’ ପ୍ରଭୃତି କବିତାରେ ଏହା ସ୍ପଷ୍ଟ-

 

ହଳଧରେ ହେଲେ କଲମଧର

ବଣୁଆଏ ହେଲେ ପଣ୍ଡିତ ପ୍ରବର

ଅକୁଳୀନେ ହେଲେ ପ୍ରଭୁ ପ୍ରବର

କୁଳୀନେ ହୋଇଲେ ତାଙ୍କ ଚାକର

ଏମାନେ ନିକର

କଳି ମହିମା ବୋଲି ମନେକର

(ରଚନାବଳି-୧ମ- ପୃ- ୩୩)

ସଂସ୍କୃତ ଭାଷାନଭିଜ୍ଞ ବେଦାର୍ଥ କହଇ ।

ବ୍ୟାକରଣ ଜ୍ଞାନହୀନ କାବ୍ୟ ବିରଚଇ ॥

ସନ୍ଦର୍ଭ ଜ୍ଞାନବିହୀନ ରଚଇ ଚରିତ ।

କିଛି ନଜାଣିବା ବ୍ୟକ୍ତି ବୋଲାଏ ପଣ୍ଡିତ ॥

ରାଗତାଳ ଜ୍ଞାନହୀନ ପ୍ରଶସ୍ତ ଗାୟକ

ଲୋକ ଜ୍ଞାନଶୂନ୍ୟ ବ୍ୟକ୍ତି ଦେଶର ବାୟକ ॥

(ରଚନାବଳି-୧ମ- ପୃ- ୩୩/୩୪)

 

ଏହି କବିତାଗୁଡ଼ିକରେ କବିସୂର୍ଯ୍ୟ ବଳଦେବଙ୍କ ଜଗତେ କେବଳର ବ୍ୟଙ୍ଗ ଦୃଷ୍ଟି ଉପଲବ୍ଧ । କବିତାଗୁଡ଼ିକରେ ପାଠକଙ୍କୁ ସଚେତନ କରାଇବାର ଅନ୍ତରୀଣ ପ୍ରଚେଷ୍ଟାଟିଏ ବିଦ୍ୟମାନ କହିଲେ ଅସୁବିଧା ନାହିଁ ।

 

ଜୀବନରେ ସର୍ବଦା ଯାହା ଠିକ୍‌, ଯାହା ଭଲ ତାହା ହିଁ ମାନବ ଜୀବନର ଗତିପକୁ ନିୟନ୍ତ୍ରଣ କରିଥାଏ । ମନୁଷ୍ୟ ଭିତରେ ଭଲ ମନ୍ଦର ଚିହ୍ନବାର ଏକ ଶକ୍ତି ଅଛି । ପ୍ରତ୍ୟେକ ଜିନିଷ ମଧ୍ୟରେ ଭଲ ଖରାପ ଅଛି । କିନ୍ତୁ ମନ୍ଦ ମଧ୍ୟରୁ ଭଲର ଅନ୍ୱେଷଣ ଯିଏ କରିପାରେ ସେ ହିଁ ପ୍ରକୃତ ମାନବ । ‘ଗୁରୁଦକ୍ଷିଣା’ କବିତା ଏହି ଭାବର ଏକ କବିତା । ଏହି କବିତାର ମୁଖ୍ୟ ଚରିତ୍ର ଗୋଟିଏ ଚୋର । ସେ ଚୋର ହେଲେ ସୁଦ୍ଧା ମିଥ୍ୟାର ଆଶ୍ରୟ ସେ ନେଉ ନ ଥିଲା । ସତ୍ୟର ସ୍ୱୀକାର ଯୋଗୁଁ କିପରି ସେ ରାଜାଙ୍କର ଦୃଷ୍ଟି ଆକର୍ଷଣ କରିଥିଲା, ତାହା ସୁନ୍ଦରଭାବେ ଦର୍ଶାଯାଇଛି ।

 

ବିକ୍ରମଦେବ ନିଜେ ଜଣେ ବୈଷ୍ଣବ ତଥା ଋଷିଭଳି ଜୀବନଯାପନ କରୁଥିବା ଯୋଗୁଁ ସାକାହାରୀ ଥିଲେ । ତାଙ୍କ ମତରେ ସାତ୍ତ୍ୱିକ ଆହାର ହିଁ ମନୁଷ୍ୟର ଶ୍ରେଷ୍ଠ ଆହାର ଏବଂ ତାହାହିଁ ଶ୍ରେଷ୍ଠ ଚିନ୍ତାର ଉଦ୍ରେକକାରୀ ଶକ୍ତି । ତେଣୁ ସେ ଲେଖିଛନ୍ତି :

 

 

ଖାଇପତ୍ର ଘାସ

ପୋଷିବାରୁ ମାଂସ

ମୃଗ ବିଦାରିତାଜିନ ।

ମାଇ ଖାଇଭଲେ

ମାଂସ ବଢ଼ାଇଲେ

କିସ ଭୋଗିବଟି ଜନ ॥

(ରଚନାବଳି - ୧ମ ଭାଗ- ପୃ- ୧୧୦)

 

ଆମ ସମାଜରେ ସାଧାରଣରେ ବହୁ ଭ୍ରମ ଧାରଣା ରହିଛି । ଉଭୟ ଶିକ୍ଷିତ ଓ ଅଶିକ୍ଷିତମାନେ ଏହି ଧାରଣାର ବଶବର୍ତ୍ତୀ ହୋଇ ରହିଛନ୍ତି । ସେହି ଭ୍ରମ ସବୁକୁ ଦୂର କରିବାକୁ ବିକ୍ରମଦେବ ଚେଷ୍ଟା କରିଛନ୍ତି । ସୁଧାକର ଅର୍ଥ ଚନ୍ଦ୍ର । ସୁଧାର ଭଣ୍ଡାର ବୋଲି ଲୋକେ ବହୁ ବର୍ଷ ଧରି ଧାରଣା କରି ଆସିଛନ୍ତି । କିନ୍ତୁ ପ୍ରକୃତରେ ତାହା ନୁହେଁ । ଏହି ପ୍ରଚଳିତ ଧାରଣାର ଭୁଲ ପ୍ରମାଣିତ କରିବାକୁ ସେ କହିଛନ୍ତି –

 

ଅଟେ ସୁଧା କର ।

 

ସୁଧାପରି କର ।

ନୁହେଁ ସୁଧାର ଆକାର

ତା’ କବି ସମୂହ ।

 

ଊହ ସିନା ଗ୍ରହ ।

ହୁଏ କି ? ସୁଧାର ଘର ॥

(ରଚନାବଳି - ୧ମ ଭାଗ- ପୃ- ୧୮)

 

ଅର୍ଥାତ୍‍ ଚନ୍ଦ୍ରଙ୍କ କିରଣ ଅମୃତ (ସୁଧା)ମୟ ଅଟେ । ତେଣୁ ସୁଧାକର ବୋଲି କୁହାଯାଇଛି । କିନ୍ତୁ ତାହା ସୁଧାର ଆକାର (ଭଣ୍ଡାର) ନୁହେଁ ।

 

ଆମର ପ୍ରଚୀନ ଲେକୋକ୍ତିଗୁଡ଼ିକ ଆମର ଅମୂଲ୍ୟ ସମ୍ପଦ । ଏଗୁଡ଼ିକୁ ସଂଗ୍ରହ କରି ବହୁ ବିଦ୍ୱାନ ଗବେଷଣା ମଧ୍ୟକରିଛନ୍ତି । ବିକ୍ରମଦେବ ମଧ୍ୟ ଅନେକଗୁଡ଼ିଏ ଲୋକୋକ୍ତିର ସଂଗ୍ରାହକ ଏବଂ ଅନେକ ଲୋକୋକ୍ତିର କଚନାକାର । ସେ ଲୋକୋକ୍ତିଗୁଡ଼ିକୁ ସଂଗ୍ରହ କରି ଅ ଠାରୁ କ୍ଷ ପର୍ଯ୍ୟନ୍ତ କ୍ରମରେ ସଜ୍ଜିତ କରିଛିନ୍ତି । ଯଥା

 

୧.

ଅରକ୍ଷିତ, ଦୈବ ରକ୍ଷିତ

୨.

ଅନ୍ତେ ପିତା, ଦନ୍ତେ କଷା,

 

ମୁଣ୍ଡେ ପାଦେ ତେଲ ଘଷା ।

୩.

ଆଶାଟା ଦୁଃଖର କାରଣ

 

ନିରାଶା ସୁଖର କାରଣ ॥

୪.

ଓଦା ଗୋଡ଼ରେ ଖାଇବ,

 

ଶୁଖଲା ଗୋଡ଼ରେ ଶୋଇବ ।

୫.

କାର କରମରେ ଖିରି ଖିରିସା,

 

ଲଡ଼ୁ କାର କରମରେ ।

 

କାର କରମରେ ଖାରିଆ ଖଡ଼ା,

 

ଚୋବାଇ ଚୋବାଇ ମରେ ॥

୬.

କୋଟିଏ କାକରେ ଗୋଟିଏ ବକ ।

 

କୋଟିଏ ଦୁଃଖରେ ଗୋଟିଏ ସୁଖ ॥

୭.

ଗୋଡ଼ ଖସିଲେ କାଢ଼ିହୁଏ, କଥା ଖସିଲେ ନୁହେଁ ।

୮.

ଘରର ଚୋର ପରମେଶ୍ୱରର ଅଗୋଚର ।

୯.

ଛାଡ଼ବୋଇଲେ ସାପର କୋପ ।

 

ଗିଳ ବୋଇଲେ ବେଙ୍ଗର କୋପ ॥

୧୦.

ନଟୀ ବେଶ ହେଉ ହେଉ, ନଗର ଲୋକେ ନିଦ୍ରିତ ।

୧୧.

ପାତ୍ର ଦେଖି ଦାନ ।

 

କ୍ଷେତ୍ର ଦେଖି ଧାନ ॥

୧୨.

ମୂର୍ଖଜନ କି ଜାଣଇ ପୁରାଣ କଥା ?

 

ବନ୍ଧ୍ୟାନାରୀ କି ଜାଣଇ ପ୍ରସୂତି ବ୍ୟଥା ॥

୧୩.

ଶାଶୁ ନବା ବୋହୂ ଗୁଣବତୀ ।

 

ବୋହୂ ନବା ଶାଶୁ ଶୀଳବତୀ ॥

(ରଚନାବଳି - ୧ମ ଭାଗ- ପୃ- ୩୭-୫୪)

 

ମଧ୍ୟଯୁଗୀୟ କାବ୍ୟରଚନା ଶୈଳୀ ଏବଂ ଆଧୁନିକ ଯୁଗର ଆଙ୍ଗିକକୁ ଧରି ଆଳଂକାରିକ ଭାଷାର ବ୍ୟବହାର ସତ୍ତ୍ୱେ ବିକ୍ରମଦେବଙ୍କ ଭାଷା ସରଳ ଏବଂ ସାବଲୀଳ । ବେଳେବେଳେ କଥିତ ଭାଷାର ପ୍ରୟୋଗ କାବ୍ୟ କବିତାକୁ ଆହୁରି ରମଣୀୟ କରିଛି । ସେ ‘ମୋ କବିତା’ ଶୀର୍ଷକ କୃତିରେ କହିଛନ୍ତି - “ମୁଁ ମୋ ବଂଶ ଗୁରୁତ୍ୱକୁ କିମ୍ବା ଧନଗୁରୁତ୍ୱରୁ ଲୋକ ବିଦିତ ହୋଇପାରିଲିନାହିଁ । ଯେପରି ହେଉ ନାମ କମାଇବାତ ଆବଶ୍ୟକ । ଯେନତେନ ପ୍ରକାରଣେ ପ୍ରସିଦ୍ଧି ପୁରୁଷୋତ୍ତବେତ୍‌ । ସେ ହେତୁରୁ ପ୍ରସିଦ୍ଧି ଲାଭିବା ପାଇଁ କବି ହେଲି ।’’(ରଚନାବଳି ୨ୟ ପୃ-୧୭୬) କବିଙ୍କର ଏହି ବିନୟ ଭାବହିଁ ତାଙ୍କ ପ୍ରତିଭାର ପରିଚୟ ।

 

ଗଳ୍ପ ସ୍ରଷ୍ଟା ବିକ୍ରମ ଦେବ :

 

ଫକୀରମୋହନଙ୍କ ପରେ ଓଡ଼ିଆ ଗଳ୍ପ ସାହିତ୍ୟରେ ଅନେକ ସ୍ରଷ୍ଟା ଲେଖନୀ ଚାଳନା କରି ନିଜସ୍ୱ ପ୍ରତିଭାର ପରିଚୟ ଦେଇଛନ୍ତି । କିନ୍ତୁ ଫକୀରମୋହନୀୟ ଶୈଳୀ ଏବଂ ‘ରେବତୀ’ ଗଳ୍ପର ଆତ୍ମିକ ସ୍ତରକୁ ଛୁଇଁବାର ସାହାସ ଖୁବ୍‌ କମ୍‍ ସ୍ରଷ୍ଟା କରିଛନ୍ତି । ସେମାନଙ୍କ ମଧ୍ୟରୁ ଜୟପୁର ରାଜବଂଶଜ ରାଜର୍ଷି ବିକ୍ରମଦେବ ବର୍ମା ଜଣେ ସ୍ମରଣୀୟ ସ୍ରଷ୍ଟା । ପ୍ରାୟ ୧୯୩୦ ମସିହା ପରବର୍ତ୍ତୀ କାଳରେ ହିଁ ସେ ତାଙ୍କର ଗଳ୍ପସବୁ ରଚନା କଲାପରି ମନେହୁଏ । ଫକୀରମୋହନଙ୍କ ଭଳି ପରିଣତ ବୟସରେ ସେ ଗଳ୍ପଗୁଡ଼ିକ ରଚନା କରିଛନ୍ତି । ସେ ତାଙ୍କ ଦୀର୍ଘ ଜୀବନ ପରେ ଯେଉଁ ଅନୁଭୂତି ସବୁ ସଂଗ୍ରହ କରିଥିଲେ, ତାକୁ ଲେଖନୀ ମୁନରେ ରୂପ ଦେଇଛନ୍ତି । ତେଣୁ ପ୍ରାୟ ପ୍ରତ୍ୟେକ ଗଳ୍ପ ସତ୍ୟଘଟଣା ଉପରେ ଆଧାରିତ । ତାଙ୍କର ଅଧକାଂଶ ଗଳ୍ପ ଲେଖକୀୟ ପରିବେଶ, ପରିସ୍ଥିତି ଏବଂ ସ୍ଥାନ ସହ ସମ୍ପର୍କିତ । ତାଙ୍କ ଗଳ୍ପର ପରିସର କୋରାପୁଟ, ଜୟପୁର, ମାଲକାନ୍‌ଗିରି, ମୋଟୁ, ଲକ୍ଷ୍ମୀପୁର, ନନ୍ଦପୁର, ଡିମିରିପୁଟ, ଆସିକା ଏବଂ ଗଞ୍ଜାମ ତଥା ଆନ୍ଧ୍ର ପ୍ରଦେଶର କିଛି ସ୍ଥାନ ପର୍ଯ୍ୟନ୍ତ ବିସ୍ତୃତ । ଗଳ୍ପଗୁଡ଼ିକର ସତ୍ୟତା ଉପରେ ତାଙ୍କ ସ୍ୱୀକାରୋକ୍ତି ହେଲା : “ଏହା କେବଳ କଳ୍ପିତ ନୋହି, ସତେ ଚଳିଲା ବିଷୟ ଅଟେ ।’’ ବିକ୍ରମ ଦେବରଚନାବଳି - ୧ମ ଭାଗ, ପୃ- ୩୫୫-

 

ବିକ୍ରମଦେବଙ୍କ ସମଗ୍ର ଗଳ୍ପକୁ ମୁଖ୍ୟତଃ ୨ ଭାଗରେ ବିଭକ୍ତ କରାଯାଇପାରେ । ଯଥା : ୧. ମୌଳିକ ସୃଷ୍ଟି ୨. ଅନୁବାଦ ବା ଅନୁସୃଜନ ।

 

ଅଧକାଂଶ ମୌଳିକ ଗଳ୍ପରେ ସାଧାରଣ ମଣିଷର ସୁଖଦୁଃଖ ତଥା ସମାଜରେ ପ୍ରତିଦିନ ଘଟୁଥିବା ସାଧାରଣ ଘଟଣା, ଦୁର୍ଘଟଣା, ହସକାନ୍ଦର ନିଚ୍ଛକ ପ୍ରତିଛବି ଦେଖାଯାଏ । ତାଙ୍କର ପୁରୁଷୋତ୍ତମ ଚାତୁରୀ, ଗୋବରିଆ, ଗୁଣବତୀ ପତ୍ନୀ, ସୁଲକ୍ଷଣା, ଲଳିତା, ବାଳିକା ବିବାହ, ଭୂତଭୟ, ପାପ ପରିଣାମ ପ୍ରଭୃତି ଗଳ୍ପରେ ଏହି ସ୍ୱର ସୁସ୍ପଷ୍ଟ । ‘କାଦମ୍ବରୀ କଥାସାର, ଗ୍ରୀକ୍‌ ପୁରାଣ କଥା, ସଂପୂର୍ଣ୍ଣ ଅନୁବାଦ ମୂଳକ ॥ ‘ଚନ୍ଦ୍ରହାସ ଚରିତ’ ଗଳ୍ପ ପୁରାଣର ବିଷୟା ଚନ୍ଦ୍ରହାସ ଚରିତ ଘଟଣା ଉପରେ ଆଧାରିତ । ଉକ୍ତ ତିନିଗୋଟି ଗଳ୍ପରେ ମୂଳଲେଖାର ଭାବାନୁସରଣ କରିଥିଲେ ସୁଦ୍ଧା ବର୍ଣ୍ଣନାରେ ଚମତ୍କାରିତା ଏବଂ ପରିବେଷଣରେ ନିଜସ୍ୱତା ତଥା ମୌଳିକତା ପ୍ରଦର୍ଶନ ଯୋଗୁଁ ତାହା ସ୍ୱୟଂ ଏକ ଏକ ବିଶିଷ୍ଟ କୃତିରେ ରୂପାନ୍ତରିତ ହୋଇପାରିଛି ।

 

୧.ମୌଳିକ ସୃଷ୍ଟି : ବିକ୍ରମଦେବଙ୍କ ଅଧକାଂଶ ମୌଳିକ କୃତି ତତ୍‌କାଳୀନ ସମାଜର ପ୍ରତିଛବିକୁ ବହନ କରିବାରେ ସକ୍ଷମ ହୋଇପାରିଛି । ସମାଜର ସାଧାରଣ ମଣିଷର ସୁଖ-ଦୁଃଖ, ହସ-କାନ୍ଦ, ଦୈନନ୍ଦିନ ଜୀବନର ଅଭାବ-ଅସୁବିଧାର ସ୍ପଷ୍ଟ ଚିତ୍ର ତାଙ୍କ ଗଳ୍ପଗୁଡ଼ିକରେ ଫୁ ଉଠିଛି । ଏହାର ପଶ୍ଚାତ୍‌ରେ ଅବଶ୍ୟ ତାଙ୍କର ସମାଜ ସଂସ୍କାର ମନୋବୃତ୍ତିକୁ ଅସ୍ୱୀକାର କରାଯାଇନପାରେ-। ତତ୍‌କାଳୀନ ସମାଜରେ ବଞ୍ଚିଥିବା ବାଲ୍ୟ ବିବାହ, ଇଂରାଜୀ ଶିକ୍ଷାର କୁପରିଣାମ, ଅନ୍ଧବିଶ୍ୱାସ ଇତ୍ୟାଦି ସମସ୍ୟା ଏବଂ ସମାଧାନର ସୂତ୍ରଟିକୁ ଆବିଷ୍କାର କରିଛନ୍ତି ରାଜର୍ଷି ବିକ୍ରମଦେବ । ପୁରୁଷୋତ୍ତମ ଚାତୁରୀ, ଗୋବରିଆ, ଗୁଣବତୀ ପତ୍ନୀ, ସୁଲକ୍ଷଣା, ଲଳିତା, ବାଳିକାବିବାହ, ଭୂତଭୟ, ଭଣ୍ଡଧର୍ମୀ, ଗୋରୀର ଘରକରଣୀ ଇତ୍ୟାଦି ଗଳ୍ପରେ ଏହା ସ୍ପଷ୍ଟ ।

 

‘ପୁରୁଷୋତ୍ତମ ଚାତୁରୀ’ ଗଳ୍ପରେ ଏକଦା ଧନୀ ହିସାବରେ ଜଣାଶୁଣା ଥିବା ନାରାୟଣ ପରବର୍ତ୍ତୀ ସମୟରେ ପୁଅ ମଧୁସୂଦନ ଓ ବୋହୂ ସୁନ୍ଦରୀଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛି । ରହିବା ପାଇଁ ଘର ପଛର ପରିତ୍ୟକ୍ତ ଛପର ବଖରା, ଖାଇବା ପିଇବା ପାଇଁ ମାଟି ସରା, କଳସୀ ଏବଂ ପିନ୍ଧିବା ପାଇଁ ମୋଟା ଲୁଗା ତଥା ଗୋଟିଏ ମଶିଣା କନ୍ଥା ପ୍ରାପ୍ତହୁଏ । ଯିଏ ଦିନେ ସୁସ୍ୱାଦୁ ଭୋଜନ ରୂପାପାତ୍ରରେ ଭୋଜନ କରି, ଝୀନ ବସନ ପିନ୍ଧି ହଂସତୁଳିକା ଶଯ୍ୟାରେ ଶୋଉଥିଲା ‘ଗଣ୍ଡାଏ ଲୁଣଛଡ଼ା ଟିକିଏ ତିଅଣ ସୁଦ୍ଧା’ ତା’ ଭାଗ୍ୟରେ ଜୁଟିଲା ନାହିଁ । ଏହା ଦେଖି ନାତି ପୁରୁଷୋତ୍ତମ ଜେଜେର ଦୁଃଖରେ ସମଦୁଃଖୀ ହୋଇ ଦିନେ ତା’ର ଚାତୁରୀ ପ୍ରକାଶ କରେ । ଅଜଣାତରେ ହାତରୁ ସରା ପକାଇ ଭାଙ୍ଗିଦେବା ପାଇଁ ସେ ଜେଜେଙ୍କୁ କହେ । ଏବଂ ସେଇଆ ହିଁ ହେଲା । ସେତିକିବେଳେ ମିଥ୍ୟାକ୍ରୋଧ ପ୍ରକାଶ କରି ପୁରୁଷୋତ୍ତମ ଜେଜେଙ୍କୁ ଗାଳି ଦେଇ କହିଲା : “ସେ ସରା ଭାଙ୍ଗିଦେଲୁ । ତୁ ଖାଉଥିବା ସରାରେ ତୋ ପୁଅ ଖାଇବ ବୋଲି ଜାଣିନାହୁଁକି ? ଏଣିକି ନନା କାହିଁରେ ଖାଇବ ?’’ ଏହାପରେ ମଧୁସୂଦନ ଓ ସୁନ୍ଦରୀ ନିଜର ଭୁଲ ବୁଝିପାରିଛନ୍ତି ଏବଂ ବୁଢ଼ା ନାରାୟଣର ଉପଯୁକ୍ତ ସେବା ଶୁଶ୍ରୁଷା କରିଛନ୍ତି । ଏଥିରେ ଛୋଟ ପିଲାଟିର ଚତୁରତା ହେତୁ ପିତାମାତା ନିଜର ଭୁଲ ବୁଝିପାରିଲେ । ଗଳ୍ପଟିର ନାମକରଣ ମଧ୍ୟ ଯୁକ୍ତି ଯୁକ୍ତ । ସତ୍ୟ ଘଟଣା ଉପରେ ଆଧାରିତ ଏହି ଗଳ୍ପଟିର ବାର୍ତ୍ତା ଆଜିର ଯୁଗ ପାଇଁ ଅଧିକ ଉପଯୋଗୀ ।

 

‘ଗୋବରିଆ’ ଗଳ୍ପରେ ଗୋବର୍ଦ୍ଧନ / ଗୋବରିଆ ସର୍ବପ୍ରକାର ବିଦ୍ୟାଅର୍ଜନ କରିଥିଲେ ସୁଦ୍ଧା ‘ପଢ଼ାଦ୍ୱାରା ଧନୋପାର୍ଜ୍ଜନ କରିପାରିଲା ନାହିଁ ।’’ ବହୁ ସମୟ ପାଠପଢ଼ାରେ କଟିବା ହେତୁ “ଚାଷ କିମ୍ବା ଅନ୍ୟ ବ୍ୟବସାୟ କରିବାକୁ ଅକ୍ଷମ ହେଲା ।’’ ଅନ୍ୟପକ୍ଷରେ ସମାଜରୁ ଅପବାଦ ଏବଂ କ୍ଷୁଧାଜ୍ୱଳା ଯୋଗୁଁ ଅନ୍ୟ କିଛି ଉପାୟ ନ ପାଇ ମାଲକାନ୍‌ଗିରି ଅଞ୍ଚଳର କିଛି “ପାହାଡ଼ିଆ ଖଣ୍ଟଙ୍କ ସହାୟତାରେ ଡକାୟତି କରି ଧନଜୀବନ ନଷ୍ଟ କରିବାରେ ଲାଗିଲା ।’’ ଦିନେ ସେହି ରାସ୍ତା ଦେଇ ଜଣେ ଚୈତନ୍ୟ ପନ୍ଥୀ ବୈଷ୍ଣବ ଯାଉଥିଲେ । ସେ ଗୋବର୍ଦ୍ଧନକୁ ବୁଝାଇଦେଲେ ପ୍ରେମର ମୂଳମନ୍ତ୍ର ଏବଂ ତା’ର ଅର୍ଜି ଥିବା ପାପରେ ତା’ର ସ୍ତ୍ରୀ କିମ୍ବା ଛୁଆମାନେ ଭାଗୀଦାର ହେବେ ନାହିଁ । ଫଳରେ ଗୋବର୍ଦ୍ଧନ ନିଜର ଭୁଲ ବୁଝିପାରିଲା ଏବଂ ପ୍ରେମ ମନ୍ତ୍ରରେ ଦୀକ୍ଷିତ ହେବା ସହିତ ସହିତ ବାବାଙ୍କ ଶିଷ୍ୟତ୍ୱ ଗ୍ରହଣ କଲା । ବିକ୍ରମଦେବ ଏହି ଗଳ୍ପ ଦସ୍ୟୁ ରତ୍ନାକର ବାଲ୍ମିକୀରେ ରୂପାନ୍ତରିତ ହେବା ମହାନ୍‌ କଥାକୁ ସ୍ମରଣ କରାଇଦିଏ । ପ୍ରତ୍ୟେକ ଅସାଧୁ, ପାପୀ ଲୋକର ଅନ୍ତର ଭିତରେ ମଧ୍ୟ ଶାଶ୍ୱତ ଚିନ୍ତା ଚେତନା ଥାଇପାରେ । ସେଇପରି ଦିବ୍ୟ ହୃଦୟ ସନ୍ଧାନ କରିପାରିଛନ୍ତି ଗାଳ୍ପିକ ‘ଗୋବରିଆ’ ଗଳ୍ପ ଭିତରୁ ।

 

ବିକ୍ରମଦେବଙ୍କ ‘ଗୁଣବତୀ ପତ୍ନୀ’ ଏକ ସାର୍ଥକ ଗଳ୍ପ । ଲକ୍ଷ୍ମୀପୁର ଗ୍ରାମର ନାରାୟଣ ନାୟକର ପୁତ୍ର ପୂର୍ଣ୍ଣଚନ୍ଦ୍ର ଲଣ୍ଡନରୁ ବାରିଷ୍ଟର ପଢ଼ି ଆସିବା ପରେ ଇଂରେଜ ଶିକ୍ଷା ସଂସ୍କୃତିର ସମ୍ପର୍କ ଫଳରେ ସମସ୍ତ ଦେଶୀ ଜିନିଷ, ଏପରିକି ବାପା, ମା’ ଏବଂ ନିଜସ୍ତ୍ରୀ ହୀରାମଣିକୁ ମଧ୍ୟ ପରିତ୍ୟାଗ କରି ବିଶାଖାପଟଣରେ ମିଃ. ପି.ସି. ରାଓ ନାମରେ ପରିଚୟ ଦେଇ ମଦ୍ୟପାନ, ବେଶ୍ୟା ସହବାସ ଓ କୁସଙ୍ଗ ହେତୁ ଆଦିବ୍ୟାଧଗ୍ରସ୍ତ ହୋଇ ହସ୍‌ପିଟାଲରେ ଦରିଦ୍ର ରୋଗୀଙ୍କ ପାଖରେ ପଡ଼ିରହିଛି । ଅନ୍ୟପକ୍ଷରେ ପୁତ୍ରର ଭବିଷ୍ୟତ ପାଇଁ ସମସ୍ତ ସମ୍ପତ୍ତି ଖର୍ଚ୍ଚକରି ନାରାୟଣର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ନିଜଗ୍ରାମ ଛାଡ଼ି ତେଲୁଗୁ ଦେଶପ୍ରେମୀର ମାଟିକାମ କରିବାକୁ ପଡ଼ିଛି । ମା’ ମଧ୍ୟ ସ୍ୱାମୀର ବାରଣ ସତ୍ତ୍ୱେ ବିଶାଖାପଟଣରୁ ବାବୁ ପୂର୍ଣ୍ଣଚନ୍ଦ୍ର ପାଖରୁ ବିତାଡ଼ିତ ହୋଇଛି । ଅନେକ ଦିନପରେ ହୀରାମଣି ସ୍ୱାମୀଙ୍କର ଅବସ୍ଥା ଜାଣିପାରିଛି ଏବଂ ସେବାଯତ୍ନ କରି ସ୍ୱାମୀଙ୍କୁ ଭଲ ଅବସ୍ଥାକୁ ଆଣିପାରିଛି । ପୂର୍ଣ୍ଣଚନ୍ଦ୍ର ନିଜର ଭୁଲ ବୁଝି ସମସ୍ତ ଦୁର୍ଗୁଣ ପରିତ୍ୟାଗ କରି ସୁମଣିଷ ହୋଇଛି । ଏଠାରେ ଗୁଣବତୀ, ସହନଶୀଳା ହୀରାମଣିର ବୁଦ୍ଧି ହେତୁ ଗୋଟିଏ ପରିବାର ପୁଣି ଭଲ ହୋଇପାରିଛି । ଏଥିରେ ସୁଖଦୁଃଖ, ମିଳନବିଚ୍ଛେଦ, ଅନୁତାପ, କ୍ଷମା, ଭ୍ରମ, ସଂଶୋଧନ, ଶିକ୍ଷା, ସଂସ୍କାର, ଅଭିମାନ, ଉପଦେଶ, ପତନ-ଉତ୍‌ଥାନ ସବୁ ଏକାଧାରରେ ବିଦ୍ୟମାନ । ପୁନଶ୍ଚ ‘ଗୁଣବତୀ ପତ୍ନୀ’ ନାମକରଣ ଏକାନ୍ତ ସାର୍ଥକ । ତତ୍‌କାଳୀନ ଇଂରେଜ ଶିକ୍ଷିତ ବାବୁମାନଙ୍କୁ ସେତ ଯେପରି ସେ ସତର୍କବାଣୀ ଶୁଣାଇଛନ୍ତି ।

 

ନାରୀ ଚରିତ୍ର ବୈଶିଷ୍ଠ୍ୟ ପ୍ରତିପାଦନରେ ‘ସୁଲକ୍ଷଣା’ ଆଉ ଏକ ସାର୍ଥକ ସୃଷ୍ଟି । ଆସିକାର ଓକିଲ କିଶୋର ଚନ୍ଦ୍ର ପ୍ରଧାନ, ଘରେ ଗୁଣବତୀ, ରୂପବତୀ ପତ୍ନୀ ସୁଲକ୍ଷଣା ଥିବା ସତ୍ତ୍ୱେ ସେ ବାହାରେ ମଦ୍ୟପାନ କରେ ଏବଂ ବେଶ୍ୟାସକ୍ତ । ସୁଳକ୍ଷଣା ଏଥିରୁ ନିବୃତ୍ତ କରିବାରୁ, ତା’ର ସ୍ୱାମୀ ତାକୁ ସୋଡ଼ା ବୋତଲରେ ପିଟି ତା’ର ମୁଣ୍ଠକୁ କ୍ଷତାକ୍ତ କରି ଘରୁ ବାହାରିଯାଏ । ପରେ ସୁଲକ୍ଷଣା ନିଜଭାଇ ସୁଶୀଲ ସହିତ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହୁଏ । କିନ୍ତୁ ସେଠାରେ ସୁଲକ୍ଷଣା ଏ କ୍ଷତ, ପତି ଯୋଗୁଁ ହୋଇଛି ବୋଲି କହିପାରେନା । ଡାକ୍ତରଖାନାରେ ଛଅମାସ ରହିବାପରେ ହଠାତ୍‌ ସୁଲକ୍ଷଣା ଏକ ଚିଠି ଲେଖି ସେଠାରୁ ପଳାଇଯାଏ । ବାଟରେ ଅନ୍ଧାର ରାତିରେ ତା’ର ଅଳଂକାର ଜଣେ ଛଡ଼ାଇ ନେବାକୁ ବସେ । ସୁଲକ୍ଷଣା ଜାଣିପାରେ ସେ ତା’ର ପତି-। ହଠାତ୍‌ ଏକ ସର୍ପ ଦଂଶନରେ କିଶୋରଚନ୍ଦ୍ର ଆହତ ହୁଏ । ଠିକ୍‌ ସେତିକିବେଳେ ସୁଶୀଳ ଓ ତାର ସ୍ତ୍ରୀ ସୁଲକ୍ଷଣାକୁ ଖୋଜି ଖୋଜି ସେଠାରେ ପହଞ୍ଚନ୍ତି । ପରେ କିଶୋର ଚନ୍ଦ୍ର ଚିକିତ୍ସିତ ହୋଇ ଭଲହୁଏ, ନିଜର ଭୁଲ୍‌ ବୁଝିପାରି - ସମସ୍ତ ଦୁରାଭ୍ୟାସ ଛାଡ଼ିଦିଏ । ଏହି ଗଳ୍ପରେ ଗାଳ୍ପିକ ତତ୍‌କାଳୀନ ସମାଜରେ ନବ୍ୟ ଇଂରେଜ ଶିକ୍ଷିତ ଯୁବକମାନଙ୍କର ଦୋଷ ଦୁର୍ଗୁଣକୁ ବ୍ୟଙ୍ଗ କରିବାକୁ ଚେଷ୍ଟା କରିଛନ୍ତି । ଫକୀରମୋହନଙ୍କ ପେଟେଣ୍ଟ ମେଡ଼ିସିନ୍‌’ର ଚନ୍ଦ୍ରମଣି, କିମ୍ବା ସଭ୍ୟ ଜମିଦାରର ରାଜୀବ ଲୋଚନ ପରି ପୂର୍ଣ୍ଣଚନ୍ଦ୍ର କିମ୍ବା କିଶୋର ଚନ୍ଦ୍ର ଆଉ ଜଣେ ଜଣେ ପ୍ରତୀକ ଚରିତ୍ର ।

 

‘ଲଳିତା’ ଗଳ୍ପର ନାୟକ ମହାଜନ ରାମରାଓର ଏକମାତ୍ର ପୁତ୍ର ରଂଗରାଓ ବାଲ୍ୟକାଳରୁ ପିତୃମାତୃହୀନ ହୋଇ ଦୁଷ୍ଟ ସଙ୍ଗ ହେତୁ ଦୂରାଭ୍ୟାସର ବଶବର୍ତ୍ତୀ ହୁଅନ୍ତି । ପରବର୍ତ୍ତୀ ସମୟରେ ସେ ମାଧବ ରାଓଙ୍କ ଘରକୁ ଯାଇ ତାଙ୍କ ଝିଅ ଲଳିତା ସହ ପ୍ରେମ ବିବାହ କରନ୍ତି । କିନ୍ତୁ ବିବାହର ଗୋଟିଏ ମାତ୍ର ବର୍ଷ ପରେ ସେ ସହନଶୀଳା ଲଳିତାକୁ ଭଲ ନ ପାଇ ବିଜୟନଗରରୁ ରାମାମଣି ନାମକ ବେଶ୍ୟାକୁ ଆଣି ଘରେ ରଖନ୍ତି । ଏପରିକି ସ୍ୱାମୀର ଆଦେଶରେ ଲଳିତା ବେଶ୍ୟାର ସେବା ମଧ୍ୟ କରିଛି । ତା’ର ଲଳିତ ସ୍ୱଭାବରେ ସବୁକିଛି ସହି ନେଇଛି ସିନା, ପ୍ରତିବାଦ କରିନାହିଁ । ତା’ର ଜୀବନରେ ସେବା, ତ୍ୟାଗ, ସହିଷ୍ଣୁତା ପାଇଁ ନ୍ୟାୟ ପାଇନି । ପରିଶେଷରେ କ୍ୟାନସର୍‌ ରୋଗ ଭୋଗିଛି । ସ୍ୱାମୀର ସୁହାଗ କିମ୍ବା ଡାକ୍ତର ଚିକିତ୍ସା ନ ପାଇ ମାତ୍ର ଛଅମାସ ମଧ୍ୟରେ ଇହଧାମ ତ୍ୟାଗ କରିଛି ସେ । ତା’ର ଦୁଃଖାତ୍ମକ ଜୀବନର କରୁଣ ପରିଣତି ହିଁ ଏହି ଗଳ୍ପର ମୁଖ୍ୟ ବିଷୟବସ୍ତୁ-। ଏହି ଗଳ୍ପରେ ସିକାକୋଲ (ଆଧୁନିକ ଶ୍ରୀକାକୁଲମ୍‍)ର ନାମକରଣ ସମ୍ପର୍କରେ ଏକ ଐତିହାସିକ ତଥ୍ୟ ଗାଳ୍ପିକ ପ୍ରଦାନ କରିଛନ୍ତି ।

 

ତାଙ୍କ ପ୍ରଣୀତ ‘ବାଳିକା ବିବାହ’ ଗଳ୍ପଟି ପାରଳାଖେମୁଣ୍ଡି ନିକଟସ୍ଥ ଦଶରପୁର ଶାସନର ଏକ ଘଟଣା । ବିଶ୍ୱନାଥ ଦାସଙ୍କ ପୁତ୍ର ଲୋକନା, କନ୍ୟା ପାର୍ବତୀ । କନ୍ୟା ମାତ୍ର ୧୨ ବର୍ଷର । କିନ୍ତୁ ଟଙ୍କାର ଲୋଭରେ ବାପ ତା’ର ବାହାଘର ଏକ ୬୦ ବର୍ଷର ବୃଦ୍ଧ ସହିତ ସ୍ଥିର କରିଛନ୍ତି । ପୁଅ ଲୋକନା, ଯିଏକି ପାରଳାଖେମୁଣ୍ଡିରେ ଆଇ.ଏ. ପଢ଼ୁଥିଲା, ତାର ଚତୁରତା ହେତୁ ସେ ବିବାହ ବନ୍ଦ ହୋଇଛି ଏବଂ ସେ କନ୍ୟାର ବିବାହ ଏକ ଉପଯୁକ୍ତ ପାତ୍ର ସଙ୍ଗରେ କରାଯାଇଛି । ତତ୍‌କାଳୀନ ଶାରଦା ଆଇନକୁ ନେଇ ଗଳ୍ପରେ ଆଲୋଚନା କରାଯାଇଛି । ଏସବୁ ଦେଖଲେ ନାରୀକୁ ସମୁଚିତ ନ୍ୟାୟ ପ୍ରଦାନ ବିକ୍ରମଦେବଙ୍କ ଗଳ୍ପର ଏକମାତ୍ର ମୁଖ୍ୟ ପ୍ରସଙ୍ଗ ହୋଇଉଠିଛି । ତାଙ୍କର ହୀରାମଣି, ସୁଲକ୍ଷଣା, ଲଳିତା, ପାର୍ବତୀ ସେଇମାନଙ୍କର ଏକ ଏକ ପ୍ରତିଭୂ ମାତ୍ର । ସେମାନଙ୍କୁ ପ୍ରତୀକ କରି ସମଗ୍ର ନାରୀ ସମାଜର ଦୁଃଖଦୁର୍ଦ୍ଦଶା ଏବଂ ନାରୀ ଜୀବନର ମହନୀୟତା ଆମ ଆଗରେ ଉପସ୍ଥାପନ କରିଛନ୍ତି । ଏଇ ସମ୍ପର୍କରେ Dr. A.V.D. Sarma କହନ୍ତି :

"Most of his writings in Oriya deal with the trials and tribulations of women. And they high light the various nature of Indian woman hood especially as a faithfully wife. x x x.''

(Integration of Andhra and Orissa cultures. P - 70)

 

‘ନିଜ ଗାଡ଼େ ନିଜେ ପଡ଼େ’ ଗଳ୍ପଟି ସତ୍ୟ ଘଟଣା ଉପରେ ଆଧାରିତ । ଭାଗବତର ସେହି ‘ଯେପାଞ୍ଚେ ପରମନ୍ଦ, ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ’ର ସତ୍ୟତା ପ୍ରତିପାଦିତ ହୋଇଛି ଏହି ଗଳ୍ପରେ । କାହାଣୀଟି ଏହିପରି; ଗୋଟିଏ ବୃଦ୍ଧାର ତିନିପୁଅ । ତା’ର ଦୁଇ ପୁଅ ଜଙ୍ଗଲରେ ଡକାୟତ କରନ୍ତି । ଥରେ କୋରାପୁଟ ନିକଟରୁ ସାତମାଇଲ୍‌ ଦୂରରେ ବା ଡିମିରିପୁଟ ହାଟରୁ ସୁନା ବ୍ୟବସାୟୀ ନୀଳକଂଠ ଓ ତା’ର ପୁତ୍ର ନାରାୟଣ ଫେରୁଥିଲେ । ଅନ୍ଧାରରାତି । ହଠାତ୍‌ ଦୁଇଟି ଡକାୟତଙ୍କର ଆକ୍ରମଣରେ ନୀଳକଂଠ ପଡ଼ିଗଲା । ନାରାୟଣ ପ୍ରାଣ ବିକଳରେ ଧାଇଁ ଧାଇଁ ଏକ ଆଲୋକ ଜଳୁଥିବା ଗୃହରେ ଗୋଟିଏ ବୃଦ୍ଧା ନିକଟରେ ଆଶ୍ରୟ ନେଲା । ବୃଦ୍ଧା ତା’ର ସାନ ପୁଅ ଶୋଇବା ଘରେ ତାକୁ ଶୋଇବା ପାଇଁ କହିଲା । କିନ୍ତୁ ଅର୍ଦ୍ଧରାତ୍ରିରେ ସେ ଜାଣିବାକୁ ପାଇଲା ଯେ, ତା’ର ବାପାର ହତ୍ୟାକାରୀ ତାକୁ ଆଶ୍ରୟ ଦେଇଥିବା ବୃଦ୍ଧାର ଦୁଇ ପୁତ୍ର ଏବଂ ତାକୁ ମଧ୍ୟ ହତ୍ୟା କରିବା ସେମାନଙ୍କର ଲକ୍ଷ୍ୟ । କୌଣସି ପ୍ରକାରେ ସେଠାରୁ ଖସି ଆସି କୋରାପୁଟ ଥାନାରେ ସେ ଖବର ଦେଇଛି । ପୋଲିସ୍‌ ବୃଦ୍ଧା ଓ ତା’ର ଦୁଇ ପୁଅକୁ ଗିରଫ କରିଛନ୍ତି ଏବଂ ତୃତୀୟ ପୁତ୍ରର ମୃତେଦହକୁ ପାଇଛନ୍ତି । ବୃଦ୍ଧାର ଦୁଇ ପୁଅ ଅଜାଣତରେ ନାରାୟଣ ଭାବି ନିଜ ଭାଇକୁ ହିଁ ହତ୍ୟା କରିଛନ୍ତି । ଏଠାରେ ଗାଳ୍ପିକ ଅନ୍ୟର ଅନିଷ୍ଠ ସାଧନ କରିବା ଅନୁଚିତ ବୋଲି ପରୋକ୍ଷରେ ପାଠକଙ୍କୁ ସଚେତନ କରିଛନ୍ତି ।

 

ସମାଜରେ ବିଧବା ବିବାହଦ୍ୱାରା ଭ୍ରଷ୍ଟାଚାର ତଥା ସାମାଜିକ ଜୀବନଛିନ୍ନ ହେବା ଆଶଙ୍କା ପୋଷଣ କରି ଗାଳ୍ପିକ ‘ଭୂତଭୟ’ ଗଳ୍ପଟିକୁ ସୃଷ୍ଟି କରିଛନ୍ତି । ଏଥିରେ ସଦ୍ୟ ବୈଧବ୍ୟ ପ୍ରାପ୍ତ ଏକ ତରୁଣୀକୁ ବିବାହ କରିବାକୁ ମନସ୍ଥ କରିଥିବା ଯୁବକ କାମଦେବ ରାତ୍ରିରେ ଗଲାବେଳେ ଜଙ୍ଗଲରେ ଭୂତ ହାବୁଡ଼ରେ ପଡ଼ିଛି । ସମାଜ ସଂସ୍କାରକ ବିକ୍ରମଦେବଙ୍କ ମାନସ ସନ୍ତାନ ଜୟକୃଷ୍ଣ ମିଶ୍ର ଭୂତେବଶ ଧରି ବାମଦେବର ପିତା ବୋଲି ପରିଚୟ ଦେଇ ବିଧବାକୁ ବିବାହ ନ କରିବାକୁ ପରାମର୍ଶ ଦେଇଛନ୍ତି ।

 

‘ଭେଦ କେବଳ ପତ୍ରିକାରେ, ଜଣା ନ ଯାଏ ତାହା କ୍ଷୀରେ’’ ଏହି ଲୋକୋକ୍ତିକୁ ଆଶ୍ରୟ କରି ବିକ୍ରମଦେବ ଏକ ସୁନ୍ଦର ଉପଦେଶାତ୍ମକ ଗଳ୍ପ ରଚନା କରିଛନ୍ତି । କଳିଙ୍ଗ ଦେଶାଧିଶ ରାଘବରାଜ ଦିନେ ଜନୈକ ଚିତ୍ରକରଙ୍କଠାରୁ ଏକ ରୂପସୀର ଚିତ୍ରପଟ ଦେଖି ମୋହିତ ହୋଇ ସେହି ରମଣୀକୁ ତାଙ୍କ ନିକଟକୁ ଆଣିବାକୁ ଆଦେଶ ଦେଲେ । ପ୍ରକୃତରେ ସେହି ରମଣୀ ଜଣକ ରାଜାଙ୍କ ପୁରୋହିତ ବିଶ୍ୱେଶ୍ୱର ଶର୍ମାଙ୍କ ଧର୍ମପତ୍ନୀ ଏବଂ ସେ ଯେପରି ସୁନ୍ଦରୀ ସେହିପରି ବିଦୁଷୀ ମଧ୍ୟ । ରାଜାଙ୍କର ଏହି ଆଦେଶ ଶୁଣିବା ପରେ ସେ ରାଜାଙ୍କୁ ମଧ୍ୟରାତ୍ରୀରେ ପ୍ରସାଦ ସେବନ ବାହାନାରେ ବିଭିନ୍ନ ୫ଟି ଗିନାରେ କ୍ଷିରୀ ଦେଇ କେଉଁ ପାତ୍ରର କ୍ଷିରୀ ମଧୁରତର ବୋଲି କହି ତାଙ୍କୁ ତାଙ୍କ ଜ୍ଞାନଚକ୍ଷୁ ଖୋଲିଦେଇଛି । ଏହି ଗଳ୍ପଟିକୁ ଗାଳ୍ପିକ ପ୍ରାଚୀନ କାହାଣୀ କହିବା ପରଂପରା ଅନୁସରଣରେ ଲିଖିତ ।

 

‘ରାଜାଶ୍ରୟ ବିଧାନ’ରେ ଗାଳ୍ପିକ ଜଣେ ରାଜାଙ୍କ ଲୋକଜ୍ଞାନ ଶୂନ୍ୟ ଯୋଗୁଁ ପାରିଷଦ ବର୍ଗର ଅବମାନନାର ଫଳସ୍ୱରୂପ ଜନୈକ ଭୈରବ ଶାସ୍ତ୍ରୀ ନାମକ ବ୍ରାହ୍ମଣଙ୍କୁ କିପରି ଦେଶାନ୍ତର କରାଯାଇଛି ତାହାହିଁ ଏହି ଗଳ୍ପର ମୁଖ୍ୟ ପ୍ରସଙ୍ଗ । ‘ଆର୍ଯ୍ୟ ବିବାହତାଙ୍କ’ ଗଳ୍ପକୁ ସଂଳାପ ଧର୍ମୀକରି ତତ୍‌କାଳୀନ ଶାରଦା ଆଇନ ବିଷୟରେ ସଚେତନ କରାଇବା ସହ ବାଳିକା ବିବାହ ପ୍ରଥାକୁ ଉଚ୍ଛେଦ କରିବାକୁ ତତ୍ପରତା ପ୍ରକାଶ କରନ୍ତି ଗାଳ୍ପିକ ।

 

“ଭଣ୍ଡଧର୍ମୀ’’ ଗଳ୍ପରେ ଛ’ମାଣ ଆଠଗୁଣ୍ଠର ରାମଚନ୍ଦ୍ର ମଙ୍ଗରାଜ ଭଳି ଚରିତ୍ର ସାଙ୍ଗରେ ଭେଟ ହୁଏ । ଅନନ୍ତପୁର ବ୍ରାହ୍ମଣ ଶାସନର ଜଗମୋହନ ଷଡ଼ଙ୍ଗୀ ନିଜକୁ ଅତ୍ୟନ୍ତ ଧାର୍ମିକ ବୋଲି ଦେଖାଇ ହୁଅନ୍ତି । ଜଗନ୍ନାଥ ଦାସଙ୍କ ଭାଗବତରୁ ଗୋଟାଏ ଅଧ୍ୟାୟ ପାରାୟଣ ନ କଲେ ଭୋଜନ କରନ୍ତି ନାହିଁ । ହୃଦୟରେ ଭକ୍ତି ନ ଥିଲେ ମଧ୍ୟ ସର୍ବଦା ‘ରାଧେଶ୍ୟାମ’ ଜପ କରନ୍ତି । ପ୍ରକୃତରେ କିନ୍ତୁ ସେ ରଇତମାନଙ୍କ ରକ୍ତ ଶୋଷଣ କରିବାରେ ଉସ୍ତାଦ । ସେହିପରି ଭଣ୍ଡଧର୍ମୀଙ୍କୁ ଠିକ୍‌ଭାବରେ ଚିହ୍ନି ତାଙ୍କୁ ଘୃଣା ପ୍ରଦର୍ଶନ କରିବା ପାଇଁ ଗାଳ୍ପିକ ଆହ୍ୱାନ ଦେଇଛନ୍ତି ।

 

ଶ୍ରୀ ବିକ୍ରମଦେବ ବର୍ମା ରଚନାବଳି- ୨ୟ ଭାଗରେ ସ୍ଥାନୀତ ‘ପୁରାଣ ଗଳ୍ପ’ଟି ପ୍ରାଚୀନ କାହାଣୀଧର୍ମୀ । ଏଥିରେ ରାଜା, ରାଣୀ, ରାଜପୁତ୍ର ଏବଂ ତାଙ୍କ ଅଲୌକିକ କାହାଣୀ ବର୍ଣ୍ଣିତ । ବିହାର - ଓଡ଼ିଶା ପ୍ରଦେଶର ରାଜଧାନୀ ‘ପାଟଣା’ ବା ପ୍ରାଚୀନ ପାଟଳୀ ପୁତ୍ରର ନାମ ପଛରେ ବା କାହାଣୀ ହିଁ ଏହାର ବିଷୟବସ୍ତୁ ।
 

‘ଗୋରୀର ଘରକରଣୀ’ ଗଳ୍ପରେ ଜଣେ ନାରୀର କର୍ମନିଷ୍ଠା, ସତ୍ୟନିଷ୍ଠା କିଭଳି ତାକୁ ଏବଂ ତା’ ସ୍ୱାମୀକୁ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିଛି, ତାହା ହିଁ ବର୍ଣ୍ଣିତ । ଜୟପୁର ନିକଟସ୍ଥ ରଣ୍ଡାପାଲ୍ଲୀ ଏବଂ ଜୈନନଗରର ନାମକରଣ କିପରି ହୋଇଛି, ତାହାର ସଂକ୍ଷିପ୍ତ ରୂପ ଏହି ଗଳ୍ପରେ ପ୍ରଦାନ କରାଯାଇଛି ।
 

‘ମାଲୋଚରିତ୍ର’ ଗଳ୍ପଟି ଐତିହାସିକ ପୃଷ୍ଠଭୂମିରୁ ନିଆଯାଇଛି । ଶିବାଜୀଙ୍କ ରାଜତ୍ୱ କାଳରେ ମାଲୋ ନାମକ ଏକ ବାଳକ ନୀଶାର୍ଦ୍ଧରେ ଶିବାଜୀଙ୍କ ଶୟନ କକ୍ଷରେ ପ୍ରବେଶ କରି ତାଙ୍କୁ ହତ୍ୟା କରିବାକୁ ଉଦ୍ୟତ ହୋଇଛି । ସେହି ସମୟରେ ପ୍ରହରୀଦ୍ୱାରା ଧରାପଡ଼ି ହତ୍ୟା କରିବାର କାରଣ ସମ୍ପର୍କରେ କହିଛି - ସୋମଜୀ ମୋର ବାପା, ଯିଏକି ଶିବାଜୀଙ୍କ ପ୍ରାଣରକ୍ଷକ । ତାଙ୍କର ମୃତ୍ୟୁପରେ ସେ ଏବଂ ତା’ର ମାତା ଖାଇବାକୁ, ପିନ୍ଧିବାକୁ ନ ପାଇ ମାତା ମୃତ୍ୟୁମୁଖରେ ପଡ଼ିବାରୁ ସେ ଶିବାଜୀଙ୍କ ଶତ୍ରୁ ସୁଭାଗ୍ୟ ରାଓ ଅନୁଗ୍ରହରୁ ଧନୀ ହେବାର ଆଶାପ୍ରାପ୍ତ ହୋଇ ଏହି କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛି । ଶିବାଜୀ ମାଲୋର ଏହି କାର୍ଯ୍ୟ ପାଇଁ ମୃତ୍ୟୁଦଣ୍ଡ ଦେବା ସମୟରେ ସେ କହିଛି, ମୁଁ ମରିବାକୁ ପ୍ରସ୍ତୁତ କିନ୍ତୁ ତା’ ପୂର୍ବରୁ ମୁଁ ମୋ ମା’କୁ ଦେଖି ଆସିବି । ଶିବାଜୀ ବାଳକର ଏହି ଇଚ୍ଛାକୁ ପୂର୍ଣ୍ଣ କରିଛନ୍ତି । ବାଳକ ମାଲୋ ନିଜ ମାତାକୁ ଦେଖା କରିଆସି ମୃତ୍ୟୁ ଦଣ୍ଡ ନେବାକୁ ପ୍ରସ୍ତୁତ ହୋଇଛି । ଏଥିରେ ଶିବାଜୀ ଗୋ-ବ୍ୟାଘ୍ର କଥାକୁ ମନେପକାଇ ତାକୁ କ୍ଷମା କରି ତା’ର ସତ୍ୟବ୍ରତ ଯୋଗୁଁ ତାକୁ ଆଜୀବନ ଶରୀର ରକ୍ଷକଭାବେ ନିଯୁକ୍ତ କରିଛନ୍ତି ।

 

ନାରାୟଣ ଓ ସଦାନନ୍ଦ ଏକତ୍ର କଲେଜରେ ପଢ଼ୁଥିଲେ ଏବଂ ନାରାୟଣ ସଦାନନ୍ଦର ଦୟାର ପାତ୍ର ହୋଇଥିଲେ ମଧ୍ୟ ପରବର୍ତ୍ତୀ କାଳରେ କିରାଣୀ ତହସିଲଦାର ନାରାୟଣ ସଦାନନ୍ଦଙ୍କୁ ହଇରାଣ କରିଛି । ତଥାପି କୋର୍ଟର ଆଶ୍ରୟ ନେଇ ସଦାନନ୍ଦ ସେ ସବୁର ଫଇସଲା କରିଛି । କିନ୍ତୁ ଅକାରଣେ ଈର୍ଷ୍ୟା ପରାୟଣ ନାରାୟଣ ତା’ କୃତ କର୍ମର ଫଳସ୍ୱରୂପ ବାଲେଶ୍ୱରକୁ ଟ୍ରାନ୍‌ସଫର ହୋଇ ସେଠାରେ ପୁତ୍ର, ସ୍ତ୍ରୀ, ଧନସମ୍ପତ୍ତି ତଥା ଚାକିରୀ ହରାଇ ସମୟକ୍ରମେ ଫୁଟପାକୁ ଆସିଯାଇଛି । ପରବର୍ତ୍ତୀ କାଳରେ ସଦାନନ୍ଦର ସାହାଯ୍ୟରୁ ହିଁ ଉଦ୍ଧାର ହୋଇ, ସଦାନନ୍ଦର ମ୍ୟାନେଜରରୂପେ କାର୍ଯ୍ୟ ନିର୍ବାହ କରିଛି । ଏହାହିଁ ‘ମୈତ୍ରୀ’ ଗଳ୍ପର ବିଷୟବସ୍ତୁ । ଭାଗବତର ମହାନ୍‌ ବାଣୀ ‘ଯେ ଲୋକ ପାଞ୍ଚେ ପରମନ୍ଦ, ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ’ - ଏହି ବାଣୀ ଏହାର ମୁଖ୍ୟସ୍ୱର ।

 

‘ପାପ ପରିଣାମ’ ଗଳ୍ପରେ ଦଶମନ୍ତପୁରର ରାମଚନ୍ଦ୍ର ନାୟକର ସୁଗୁଣ ବିଷୟରେ କୁହାଯାଇଛି । ଲୋକେ ତାକୁ ଶ୍ରଦ୍ଧା କରନ୍ତି । ତାଳଚେରର ଏକ ବ୍ରାହ୍ମଣ ଶାସନରେ ଜନ୍ମ ହୋଇ କିଛିକାଳ ଗୁମସ୍ତାଗିରି କରି ବିଫଳ ହୋଇଥିବା ରାମଶଙ୍କର ଦାସ ଆସି ରାମଚନ୍ଦ୍ରଙ୍କ ପାଖରେ ଆଶ୍ରୟ ନିଏ ଏବଂ ତାଙ୍କୁ କନ୍ୟାକୁ ମଧ୍ୟ ବିବାହ କରେ । କିନ୍ତୁ ଖଳପ୍ରକୃତି ରାମଶଙ୍କର ରାମଚନ୍ଦ୍ରଙ୍କୁ ପଦଚ୍ୟୁତ କରିବାକୁ ଚାହିଁ ବିଫଳ ହୁଏ । ଥରେ ଜୟପୁରର ଖଙ୍ଗାର (ଚୋର)ମାନଙ୍କଦ୍ୱାରା ସର୍ବସ୍ୱ ଲୁଟି ହେଲା ପରେ ପୁଣି ଥରେ ରାମଚନ୍ଦ୍ରଙ୍କ ନିକଟରେ ଶରଣ ପଶିଛି ଏବଂ ରାମଚନ୍ଦ୍ର ତା’ର ଉପଯୁକ୍ତ ଭରଣ ପୋଷଣ କରିଛନ୍ତି । ଏହି ଗଳ୍ପରେ ରାମଚନ୍ଦ୍ରଙ୍କ ଜୀବନର ତ୍ୟାଗ, ମଣିଷ ପଣିଆ, ସୁଗୁଣର ପରିଚୟ ମିଳୁଥିବାବେଳେ ରାମଶଙ୍କରଙ୍କୁ ପାପର ଉପଯୁକ୍ତ ପରିଣାମ ମଧ୍ୟ ମିଳିଛି । ଉକ୍ତ ଗଳ୍ପଟି ବିଶେଷ ଉଚ୍ଚେକାଟୀର ନ ହେଲେ ମଧ୍ୟ ପାପ, ଅନ୍ୟାୟ ନ କରିବା ପାଇଁ ପାଠକକୁ ପ୍ରେରଣା ଦିଏ ।

 

୨.ଅନୁବାଦମୂଳକ / ଅନୁସୃଜନ ଗଳ୍ପ : ବିକ୍ରମଦେବ ସଂସ୍କୃତ ଓ ବୈଦେଶିକ ସାହିତ୍ୟର କିଛି ଗଳ୍ପକୁ ଓଡ଼ିଆ ପାଠକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ସାର୍ଥକ ପ୍ରୟାସ କରିଛନ୍ତି । ଏହାର ନିଦର୍ଶନ ହେଉଛି ‘କାଦମ୍ବରୀ କଥାସାର’, ‘ଗ୍ରୀକ୍‌ ପୁରାଣ କଥା’ ଏବଂ ‘ଚନ୍ଦ୍ରହାସ ଚରିତ’ ।

 

‘କାଦମ୍ବରୀ କଥାସାର’ ସଂସ୍କୃତ କବି ବାଣଭଟ୍ଟଙ୍କ କାଦମ୍ବରୀ ମହାକାବ୍ୟର ସଂକ୍ଷିପ୍ତ ଗଦ୍ୟାନୁବାଦ । ହେମକୂଟ ରାଜା ଚିତ୍ରରଙ୍କ କନ୍ୟା କାଦମ୍ବରୀ । ସେ କିପରି ନିଜର ସତୀତ୍ୱ ବଳରେ ଉଜ୍ଜୟିନୀର ରାଜା ତାରାପୀଡ଼ଙ୍କ ପୁତ୍ର ଚନ୍ଦ୍ରପୀଡ଼ଙ୍କୁ ବିବାହ କରିଥିଲେ ତାହାହିଁ ଏହାର ମୁଖ୍ୟକଥାବସ୍ତୁ । ସମଗ୍ର କାହାଣୀ ଶୁକପକ୍ଷୀ ଶୁଦ୍ରକ ମହାରାଜାଙ୍କ ରାଜସଭାରେ କହିବାର ବିବୃତ୍ତ ହୋଇଅଛି । ଏହା ଗଦ୍ୟରେ ଲେଖାଯାଇଲେ ମଧ୍ୟ କବିତ୍ୱପୂର୍ଣ୍ଣ ଚାତୁରୀରେ ବର୍ଣ୍ଣନା କରିଛନ୍ତି ଗାଳ୍ପିକ । କମ୍‍ କଥାରେ ଅଧିକ ଭାବ ପ୍ରକାଶ ପାଇଁ ସକ୍ଷମ ହୋଇପାରିଛନ୍ତି ସେ । ଅନେକ ସ୍ଥାନରେ ଅତିକ୍ଷୁଦ୍ର କ୍ଷୁଦ୍ର ବାକ୍ୟ ରହିଲେ ମଧ୍ୟ କେତେକ ସ୍ଥାନରେ ସମାସପୂର୍ଣ୍ଣ ଅତିଦୀର୍ଘ ବାକ୍ୟ ମଧ୍ୟ ଦେଖାଯାଏ ।

 

‘ଚନ୍ଦ୍ରହାସ ଚରିତ’ ପୁରାଣର ବିଷୟା ଚନ୍ଦ୍ରହାସର ବିବାହ କାହାଣୀ ଉପରେ ପର୍ଯ୍ୟବସିତ-। ମନ୍ତ୍ରୀ ଦୁଷ୍ଟବୁଦ୍ଧିର ଷଡ଼ଯନ୍ତ୍ରରେ ଚନ୍ଦ୍ରହାସ ନାମକ ରାଜପୁତ୍ର ମୃତ୍ୟୁବରଣ କରିନି ବରଂ ତା’ର ବାମପାଦର କନିଷ୍ଠାଙ୍ଗୁଳି କାଟି ଘାତକମାନେ ତାକୁ ମାରିଦେବା ସମ୍ବାଦ ଦେଇଛନ୍ତି । କିଛି ବର୍ଷପରେ ଶବର ପଲ୍ଲୀରେ ସେଇ ଗୋଡ଼ରେ ଆଙ୍ଗୁଠି ନବା ପିଲାକୁ ଦେଖ ମନ୍ତ୍ରୀ ଜାଣିପାରିଛନ୍ତି ସେ ଯୁବରାଜ । ତାକୁ ବିଷେଦଇ ମାରି ଦେବା ପାଇଁ ତା’ ହାତରେ ଏକ ଚିଠି ଦେଇଛନ୍ତି ମନ୍ତ୍ରୀ ପୁଅ ପାଖକୁ । ବାଟରେ ଯିଥିବାବେଳେ ସେ ପୋଖରୀ ନିକଟରେ ନିଦ୍ରାଯାଇଛି । ସେତିକିବେଳେ ମନ୍ତ୍ରୀ କନ୍ୟା ବିଷୟା ନିଦ୍ରା ଯାଇବା ଏହି ଯୁବକର ସୌନ୍ଦର୍ଯ୍ୟର ମୁଗ୍‍ଧ ହୋଇଛି ଏବଂ କମରରେ ଖୋଷା ହୋଇଥିବା ଚିଠିଦେଖି ପିତାଙ୍କର ନିଷ୍ଠୁରତା ଜାଣିପାରିଛି । ପରେ ଆଖିର ଅଂଜନ ସାହାଯ୍ୟରେ ‘ବିଷ’ ପରେ ପରେ ‘ୟା’ ଶବ୍ଦଟି ଯୋଗ କରିଛି । ଫଳରେ ଚିଠିପ୍ରାପ୍ତ ହୋଇ ମନ୍ତ୍ରୀ ପୁତ୍ର ମହାଆଡ଼ମ୍ବରରେ ତା’ ସାଙ୍ଗରେ ଭଗିନୀ ବିଷୟାକୁ ବିବାହ ଦେଇଛି । ତଥାପି ମନ୍ତ୍ରୀ ପରବର୍ତ୍ତୀ ସମୟରେ ମାରିବା ପାଇଁ କରିବା ଚକ୍ରାନ୍ତରେ ନିଜପୁତ୍ରକୁ ହରାଇଛି । ଏହିପରି ‘ରଖେ ହରି ମାରେ କିଏ ?’ ଏକଥା ପରିବେଷିତ ହୋଇଛି ଉକ୍ତ ଗଳ୍ପରେ ।

 

‘ଗ୍ରୀକ୍‌ ପୁରାଣ କଥା’ରେ ଗ୍ରୀକ୍‌ ଦେଶର ରତି ଓ ମଦ୍ଦନଙ୍କର କାହାଣୀ ଉଲ୍ଲେଖ କରାଯାଇଛି । ସୈକ ଏବଂ କ୍ୟୁପିଡ଼ ନାନା ବାଧାବନ୍ଧନ ପରେ ପୁଣି ସ୍ୱାମୀ-ସ୍ତ୍ରୀ କିପରି ଭାବରେ କାଳାତିପାତ କଲେ ତା’ର ଚିତ୍ର ଏଥିରେ ପରିବେଷିତ । ଏହା ବ୍ୟତୀତ ଭାନ୍‌ସ ଜୁପିଟିର ଇତ୍ୟାଦି ଚରିତ୍ର ବିଷୟରେ ଅବତାରଣା କରାଯାଇଛି । ଆମ ପୁରାଣ ଓ ବିଦେଶରୁ ଆନୀତ ହୋଇଥିବା ଏହି କାହାଣୀଗୁଡ଼ିକ ଭାବାନୁବାଦ ହେଲେ ମଧ୍ୟ ବର୍ଣ୍ଣନାର ଚମତ୍କାରିତା ଏବଂ ଉପସ୍ଥାପନ କୌଶଳ ହେତୁ ମୌଳିକ କାହାଣୀ ପରି ବେଶ୍‌ ମନଛୁଆଁ ହୋଇପାରିଛି ।

 

ଆଲୋଚ୍ୟ ସମସ୍ତ ଗଳ୍ପରେ ସେ ପୁରାତନ, ତମ, ସମାସ ବହୁଳ ତଥା ସଂସ୍କୃତ ଶବ୍ଦ ବ୍ୟବହାର କରି ନିଜସ୍ୱ ଶୈଳୀରେ ସାଧୁ ଭାଷାର ନିକଟବର୍ତ୍ତୀ କରିପାରିଛନ୍ତି । ପୁଣି ଅନ୍ୟପକ୍ଷରେ ସାଧାରଣ ଗ୍ରାମ୍ୟ ତଥା ଲୋକ ମୁଖର ଭାଷା ବିଶେଷ କରି ଗଞ୍ଜାମ ଅଞ୍ଚଳର ଚଳନ୍ତି ଭାଷାର ଏକ ସ୍ୱଚ୍ଛଳ ପ୍ରବାହ ଏସବୁରେ ଅନୁଭୂତ ହୁଏ । ଏହା ବ୍ୟତୀତ ଇଂରାଜୀ, ପାରସିକ ତଥା ଯାବନିକ ଶବ୍ଦର ତିଳ ତଣ୍ଡୁଳିତ ରୂପ ମଧ୍ୟ ଗଳ୍ପଗୁଡ଼ିକରେ ଦେଖାଯାଏ । ବାକ୍ୟ ମଧ୍ୟରେ ଓଡ଼ିଆ ତଥା ସଂସ୍କୃତ ସୁ-ଉକ୍ତିଗୁଡ଼ିକର ପ୍ରୟୋଗ ବାକ୍ୟକୁ ଅଧିକ ମନୋରମ କରିପାରିଛି । ଉପମା ପ୍ରୟୋଗ, ଚାରୁ ପ୍ରକୃତିର ଅପରୂପ ଚିତ୍ରଣରେ ସେ ଥିଲେ ସିଦ୍ଧହସ୍ତ । ସବୁଠାରୁ ମୁଖ୍ୟ କଥା ହେଲା ତାଙ୍କର ପାଠକ ସଚେତନତା ଶୈଳୀ । ପ୍ରାଚୀନ ଗଳ୍ପ ସାହିତ୍ୟର ସେ ଏକ ଧାରା ଥିଲା । ଫକୀରମୋହନ ତାଙ୍କ ଗଳ୍ପର ଅଧକାଂଶ ସ୍ଥାନରେ ଏହାର ପ୍ରୟୋଗ କରିଛନ୍ତି । ଏଥିରେ ଗଳ୍ପ ମଧ୍ୟରେ ହଠାତ୍‌ ଗାଳ୍ପିକ ଆତ୍ମପ୍ରକାଶ କରି ପାଠକମାନଙ୍କୁ ସମ୍ବୋଧନ ପୂର୍ବକ କାହାଣୀ କିମ୍ବା ଚରିତ୍ର ସମ୍ପର୍କରେ ସ୍ୱମତ ପ୍ରଦାନ କରିଥାନ୍ତି । ପାଠକମାନଙ୍କୁ ସଚେତନ କରି ଗଳ୍ପ ସହିତ ଜଡ଼ିତ କରିଦେବା ସହ କାହାଣୀକୁ ଗତିଶୀଳ କରାଇଥାନ୍ତି । ଏପରି ଧାରା ଗାଳ୍ପିକ ମଧ୍ୟ ଅବତାରଣା କରିଅଛନ୍ତି । ପୁଣି ଫକୀରମୋହନଙ୍କ ଭଳି ଲେଖନୀକୁ ଅସ୍ତ୍ରକରି ପତନଶୀଳ ସମାଜର କୁସଂସ୍କାର ଦୂର କରିଛନ୍ତି । ହାସ୍ୟ ଓ ବିଙ୍ଗ୍ୟାତ୍ମକ ଶୈଳୀରେ ରଚନା କରିବାର ପରମ୍ପରା ଗୋପାଳ ଚନ୍ଦ୍ର ପ୍ରହରାଜ, ଗୋବିନ୍ଦ ତ୍ରିପାଠୀ, ହେମକାନ୍ତ ମିଶ୍ର ପ୍ରଭୃତି ସୃଷ୍ଟି କରିଛନ୍ତି । ଗାଳ୍ପିକ ସେହିପରି ଅନେକ ସ୍ଥାନରେ ହାସ୍ୟବ୍ୟଙ୍ଗ ଯୁକ୍ତ ଆକ୍ଷେପ କରିଛନ୍ତି । ଏହାବ୍ୟତୀତ ତାଙ୍କର ପାଣ୍ଡିତ୍ୟ, ପୌରାଣିକଜ୍ଞାନ, ବହୁଶାସ୍ତ୍ର ଦର୍ଶିତା, କର୍ମଫଳ ଉପରେ ବିଶ୍ୱାସ, ବିଭିନ୍ନ ସାମାଜିକ ରୀତିନୀତି ମୂଳକ ଧାରଣା ତାଙ୍କ ଗଳ୍ପରୁ ଜାଣିହୁଏ । ତାଙ୍କର ଅନେକ ଗଳ୍ପରେ ମଣିଷର ଦୋଷଦୁର୍ବଳତା, ସାମାଜିକ ଛଳନା ଅତି ନିଚ୍ଛକଭାବରେ ଫୁଟିଉଠିଛି । ଯଦିଓ ତାଙ୍କ ଗଳ୍ପଗୁଡ଼ିକ ଶିକ୍ଷାପ୍ରଦ ଓ ନୀତି ଉପଦେଶମୂଳକ ତଥାପି ଏହାକୁ ପ୍ରଚାରଧର୍ମୀ କୁହାଯିବନି । କାରଣ ସେଇ ଉଦ୍ଦେଶ୍ୟ ନୀତିକଥା ବର୍ଣ୍ଣନାର ଚମତ୍କାରିତା ଓ ବିଷୟ ପରିବେଷଣ ଚାତୁରୀ ଭିତରେ ପ୍ରଚ୍ଛଭାବରେ ରହିଥାଏ । ପୁଣି ତାଙ୍କର କିଛି ଗଳ୍ପ କାହାଣୀ ଧର୍ମୀ ହେଲେ ସୁଦ୍ଧା, ତାହା କଳ୍ପ ଲୋକର କଥାନୁହେଁ ଏହା ମାଟିର ମଣିଷର ଅନ୍ତର ଫୁଟା କାହାଣୀ, ଜୀବନର ଏକ ଖଣ୍ଡାଂଶର ଶିଳ୍ପରୂପ ମାତ୍ର । ସେଇ ଗଳ୍ପ ରଚନା ରୀତିର ବୈଶିଷ୍ଟ୍ୟ ସମ୍ପର୍କରେ ତାଙ୍କର ନିଜସ୍ୱ ମତ ହେଲା : “କିନ୍ତୁ ଜାଣିବା ଉଚିତ ଯେ ଗଳ୍ପ ନୀତିଶାସ୍ତ୍ର ନୁହେଁ । ନୀତିବୋଧ କଥା କେତୋଟି ଥାଇପାରେ । କିନ୍ତୁ ପ୍ରତ୍ୟେକ କଥାକୁ ନୀତି ଶୃଙ୍ଖଳାବଦ୍ଧ କରିବାକୁ ଯତ୍ନକଲେ କଥାକୁସୁମ ପ୍ରସ୍ପୁଟିତ ହୋଇ ନ ପାରେ, ବରଂ ସୌନ୍ଦର୍ଯ୍ୟ ଭ୍ରଷ୍ଟ ହୁଏ । କଥାର ପ୍ରୟୋଜନ ଆନନ୍ଦ । ତାହା କେବଳ ନୀତିପୂର୍ଣ୍ଣ ହେବା ଆବଶ୍ୟକ ବୋଲି ଅରସିକ କହିପାରନ୍ତି । କଥା ରଚନା ଏକ କଳା ମାତ୍ର ।’’ (ରଚନାବଳି - ୨ୟ, ପୃ- ୯୫) କବି ଶେଖର ଚିନ୍ତାମଣି ମହାନ୍ତି ରାଜାଙ୍କ ଗଳ୍ପ ଶୈଳୀ ସମ୍ବନ୍ଧରେ କହନ୍ତି - “ରାଜକବିଙ୍କ ଖୁସି ଗପଗୁଡ଼ିକ ଖୁବ୍‌ ଚମତ୍କାର । ଗପ କହିବାର ଭଙ୍ଗୀ ମଧ୍ୟ କୌତୁକ ପ୍ରଦ । ଯେତେ ଶୁଣୁଥିଲେ ଶ୍ରୋତାର ଇଚ୍ଛା ତତେ ପ୍ରବଳ ହେଉଥାଏ-। ଫୁଲାଇ ଫେଣାଇ, ନଚାଇ, ଖେଳାଇ ସେ କଥାକୁ ଅଯଥା ଭାରାକ୍ରାନ୍ତ ବା ମୋଟ କରନ୍ତି ନାହିଁ । ସରଳ ଭାଷାରେ ସଂକ୍ଷେପରେ ବ୍ୟକ୍ତ କରନ୍ତି । ଖାଲି ଏଣୁ ତେଣୁଗୁଡ଼ାଏ କହିବା ତାଙ୍କର ପ୍ରକୃତି ବିରୁଦ୍ଧ । ଯେଉଁ ଗଳ୍ପ କହନ୍ତି ତାହା ନାନା ଶିକ୍ଷା ଏବଂ ଉପଦେଶରେ ପୂର୍ଣ୍ଣ । ଗଳ୍ପର ବାହାର ରୂପ, ଭିତର ରୂପ ସବୁ ସୁନ୍ଦର ଏବଂ ଚିତ୍ତହର ।’’ (ଜୟପୁର - ପୃ୨୨୦)

 

ପ୍ରାବନ୍ଧିକ ବିକ୍ରମ ଦେବ :

 

ବିକ୍ରମଦେବଙ୍କ ପ୍ରବନ୍ଧ ସୃଷ୍ଟି ବିପୁଳ, ବିବିଧ ଏବଂ ବୈଚିତ୍ର୍ୟପୂର୍ଣ୍ଣ । ଉକ୍ତ ପ୍ରବନ୍ଧଗୁଡ଼ିକ ତତ୍କାଳୀନ ପତ୍ରପତ୍ରିକା ଯଥା : ଉତ୍କଳ ସାହିତ୍ୟ, ସହକାର, ପ୍ରଦୀପ, ରସଚକ୍ର, ମୁକୁର, ଆଶା, ସତ୍ୟ ସମାଚାର ପ୍ରଭୃତିର ପୃଷ୍ଠା ମଣ୍ଡନ କରିଥିଲା । ସେ ଅଳ୍ପ କଥାରେ ସ୍ପଷ୍ଟଭାବରେ ସମସ୍ୟା ତଥା ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନା କରି ପ୍ରବନ୍ଧଗୁଡ଼ିକୁ ଅଧିକ ଯୁକ୍ତିନିଷ୍ଠ କରିବା ପାଇଁ ଚେଷ୍ଟା କରିଛନ୍ତି । ସେ କହନ୍ତି : “ଲୋକ ଗ୍ରହଣ କରୁ କିମ୍ବା ନ କରୁ ଯାହା କହିବା ଉଚିତ ବୋଲି ମୁଁ ଭାବେ ତାହା କହିଦିଏ ।’’ ପ୍ରାଧ୍ୟାପକ ଶରତ କୁମାର ମହାନ୍ତିଙ୍କ ଭାଷାରେ : X X X ତାଙ୍କର ପ୍ରବନ୍ଧଗୁଡ଼ିକ ମଧୁସୂଦନୀୟ ସୁସ୍ଥ ସଂସ୍କୃତ ଶୈଳୀରେ ଭାବୋଦ୍ଦୀପକ । ପ୍ରବନ୍ଧରେ ସେ ବହୁ ଗୂଢ଼ତଥ୍ୟ ଦର୍ଶନଶାସ୍ତ୍ର ପ୍ରାଞ୍ଜଳଭାବରେ ପ୍ରକାଶ କରିଛନ୍ତି । ପ୍ରବନ୍ଧରେ ଶବ୍ଦ ପ୍ରୟୋଗ, ଭାଷା ଭାବ ବ୍ୟକ୍ତ କ୍ଷେତ୍ରରେ ସେ କଠୋରପନ୍ଥୀ । ଅସମୀଚୀନ ଶବ୍ଦ ସୃଷ୍ଟିଦ୍ୱାରା ସରସ୍ୱତୀଙ୍କର ଶରୀର ବୃଦ୍ଧି କରଣରେ ସରସ୍ୱତୀଙ୍କି ଗୋଦରୀ କରିବା ଅସାମଞ୍ଜସ ।’’ (ଶରତ କୁମାର ମହାନ୍ତି, ଗୁପ୍ତେଶ୍ୱର (ସ୍ମରଣିକା) ପୃ- ୩୧) ପ୍ରକୃତରେ ବିଚାର କଲେ ତାଙ୍କ ପ୍ରବନ୍ଧଗୁଡ଼ିକରେ ଯୁକ୍ତି ନିଷ୍ଠତା ଯେପରି ଅଛି, ଅଛି ମଧ୍ୟ ସ୍ରଷ୍ଟାଙ୍କର ନିର୍ଭୀକତା । ଅଳଙ୍କାର ଶାସ୍ତ୍ର ଜ୍ଞାନରେ ଯେପରି ନିପୁଣ; ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ତାଙ୍କର ପ୍ରବନ୍ଧଗୁଡ଼ିକ ଋଦ୍ଧିମନ୍ତ ।

 

ଯୁକ୍ତି ନିଷ୍ଠ ପ୍ରବନ୍ଧ : ବିକ୍ରମଦେବ ତାଙ୍କ ପ୍ରବନ୍ଧଗୁଡ଼ିକୁ ଯୁକ୍ତିର ବନ୍ଧନରେ ବାନ୍ଧିବାର ସଫଳ ପ୍ରୟାସ କରିଛନ୍ତି । ଧର୍ମ, ପୁରାଣ, ପ୍ରକୃତି କିମ୍ବା ସମାଜ ତାଙ୍କ ପ୍ରବନ୍ଧର ଉପଜୀବ୍ୟ । ଉଦାହରଣସ୍ୱରୂପ ‘ସାଂଖ୍ୟଦର୍ଶନ’ ପ୍ରବନ୍ଧରେ ପ୍ରାବନ୍ଧିକ କପିଳାଚାର୍ଯ୍ୟଙ୍କ ମତାମତକୁ ବିଶ୍ଲେଷଣ କରିଛନ୍ତି । ପ୍ରବନ୍ଧର ଆରମ୍ଭରେ ସେ ତିନିଜଣ କପିଳଙ୍କ ମଧ୍ୟରେ ଅଗ୍ନ୍ୟବତାର କପିଳ ‘ସାଂଖ୍ୟ ଦର୍ଶନ’ର ରଚୟିତା ବୋଲି କହିଛନ୍ତି । ସେ କହନ୍ତି, : ଏହି ଦର୍ଶନ ଦୁଃଖବାଦରୁ ଆରମ୍ଭ । ପୁଣି ଏହି ଦୁଃଖ ତ୍ରିବିଧ : ଆଧ୍ୟାତ୍ମିକ, ଅଧିଭୌତିକ ଏବଂ ଆଧିଦୈବିକ । ଦୁଃଖ ନିବାରଣର ଉପାୟମାନଙ୍କୁ ଦର୍ଶାଇବାକୁ ଯାଇ ଦର୍ଶନ ଗ୍ରନ୍ଥମାନଙ୍କର ଉତ୍ପତ୍ତି ବୋଲି ତାଙ୍କର ଯୁକ୍ତି । ଦୁଃଖ ନିବୃତ୍ତିର ଉପାୟ କେବଳ ଜ୍ଞାନ । ସାଂଖ୍ୟମାନେ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ନାହିଁ । ଏମାନଙ୍କ ଶାସ୍ତ୍ରକୁ ତେଣୁ ନିରୀଶ୍ୱର ସାଂଖ୍ୟ କୁହାଯାଏ । ଏଥିରେ ବିକ୍ରମଦେବ ଆଠ ପ୍ରକୃତି, ଷୋହଳ ବିକୃତି, ପୁରୁଷ ଇତ୍ୟାଦି ସମ୍ପର୍କରେ ତାତ୍ତ୍ୱିକ ଆଲୋଚନା କରିବା ସହିତ ସହିତ ସାଂଖ୍ୟମାନଙ୍କ ସାଧନା ଏବଂ ପତଞ୍ଜଳିଙ୍କ ଯୋଗସାଧନାରେ ବା ପ୍ରଭେଦ ଅତି ଅଳ୍ପ ବୋଲି ଯୁକ୍ତିକରନ୍ତି ।

 

‘ଚାର୍ବାକ ଦର୍ଶନ’ ପ୍ରବନ୍ଧରେ ଚାର୍ବାକ ମତାନୁସାରେ ଆତ୍ମା ବୋଲି ଭିନ୍ନ କିଛି ନାହିଁ, ଦେହ ହିଁ ଆତ୍ମା । ସୃଷ୍ଟିର ପ୍ରମାବସ୍ଥାରେ ସମଗ୍ର ମାନବ ଜାତି ମୃଗମାନଙ୍କ ଭଳି ହୋଇଥିଲେ । ସେମାନଙ୍କ ମଧ୍ୟରେ ମାତୃଭାବ, ବନ୍ଧୁଭାବ ଏବଂ ଭାର୍ଯ୍ୟାଭାବ ସେମିତି କିଛି ଭିନ୍ନ ନ ଥିଲା । ଆହାର ବିହାର ରହିତ ହୋଇ ଇନ୍ଦ୍ରିୟ ତୃପ୍ତିକରଣରେ ତୃପ୍ତି ଲୋଡ଼ୁଥିଲେ । ସେ ସମୟରେ ଚାର୍ବାକ ଲୋକଙ୍କ ମନୋରଞ୍ଜନ କଲାଭଳି ‘ଚାରୁବାକଃ’ କଥା କହି ‘ଚାର୍ବାକବାଦ’ ପ୍ରଚଳନ କଲେ । କ୍ଷିତି, ତେଜ, ଅପ୍‌, ମରୁତରୁ ଶରୀର ସୃଷ୍ଟି ହୁଏ ଏବଂ ସେଥିରୁ ଯେଉଁ ଚୈତନ୍ୟ ସୃଷ୍ଟି ହୁଏ ତାହାହିଁ ଆତ୍ମାବୋଲି ସେ ପ୍ରଚାର କଲେ । ପ୍ରାବନ୍ଧିକ ପ୍ରବନ୍ଧର ଆରମ୍ଭରେ “ଏତଦ୍ୱାରା ଆତ୍ମା ଦାର୍ଶିତ ହୁଏ’’ ତେଣୁ ଶାସ୍ତ୍ରକାରମାନେ ‘ଦର୍ଶନ’ ଶବ୍ଦ ବ୍ୟବହାର କରିଛନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି । ‘ପୁରାଣେବାଧ’ ପ୍ରବନ୍ଧରେ ସେ ଆର୍ଯ୍ୟ ଧର୍ମର ମହତ୍ତ୍ୱ ପ୍ରତିପାଦନ କରିଅଛନ୍ତି । ଅଣୁଠାରୁ ପରମାଣୁ ପର୍ଯ୍ୟନ୍ତ ପରମାତ୍ମାଙ୍କ ସ୍ଥିତି ବିଷୟରେ ସୂଚନା ଦେଇ ନବ୍ୟସଭ୍ୟ ଯୁବସମାଜର ଧର୍ମାନ୍ତରରେ ଦୁଃଖ ପ୍ରକାଶ କରିଅଛନ୍ତି । ବିଷ୍ଣୁପୁରାଣରେ କେତୋଟି ଶ୍ଲୋକ ଅବଲମ୍ବନରେ ସେ ଆର୍ଯ୍ୟଧର୍ମର ମହତ୍ତ୍ୱ ପ୍ରତିପାଦନ କରିଅଛନ୍ତି । ‘ବାହନ’ ପ୍ରବନ୍ଧରେ ବାହନକୁ କାହିଁକି ଧ୍ୱଜ କୁହାଯାଏ ତାହା ଆଲୋଚନା କରାଯାଇଛି । ପୁଣି ଦେବତାମାନଙ୍କ ଯାନକୁ ରଥ ଏବଂ ପକ୍ଷାଦି ସେମାନଙ୍କ ଧ୍ୱଜ ଚିହ୍ନମାତ୍ର ବୋଲି ନିର୍ଦ୍ଧାରଣ କରିଛନ୍ତି ।

 

‘ଗ୍ରହଣ’ ପ୍ରବନ୍ଧରେ ପ୍ରାବନ୍ଧିକଙ୍କ ବୈଜ୍ଞାନିକ ଦୃଷ୍ଟିକୋଣ ପ୍ରକାଶ ପାଇଛି । ସାଧାରଣ ଲୋକଙ୍କ ଧାରଣା ରାହୁ, କେତୁ, ଚନ୍ଦ୍ର, ସୂର୍ଯ୍ୟଙ୍କୁ ଗ୍ରାସ କରିବା କିମ୍ବା ଚନ୍ଦ୍ରପତ୍ନୀ, ସୂର୍ଯ୍ୟପତି ଦୁହିଁଙ୍କ କଳହ କାଳ ହିଁ ଗ୍ରହଣ । ସେଭଳି ଭୁଲ୍‌ ଧାରଣାକୁ ଦୂର କରି “ଚନ୍ଦ୍ର ଏବଂ ସୂର୍ଯ୍ୟ ଏକପାତ ସମୀପସ୍ଥିତ ହୋଇଥିବା ସମୟରେ ଭୂଚନ୍ଦ୍ର ସୂର୍ଯ୍ୟଙ୍କ କେନ୍ଦ୍ରତ୍ରିତୟ ପ୍ରାୟ ଏକତ୍ର ହୁଏ । ତେବେ ପୂର୍ଣ୍ଣିମା ହେଲେ ଚନ୍ଦ୍ର ଭୂଚ୍ଛାୟାଚ୍ଛାଦିତ ହୋଇ ସୂର୍ଯ୍ୟ ରଶ୍ମିରୁ ବଞ୍ଚିତ ହେବାଦ୍ୱାରା ଚନ୍ଦ୍ରଗ୍ରହଣ ଘଟେ, ଆଉ ଅମାବାସ୍ୟ ହେଲେ, ଭୂମି ଚନ୍ଦ୍ର ଚ୍ଛାୟାଛାଦିତ ହୋଇ ସୂର୍ଯ୍ୟ ରଶ୍ମିରେ ବଞ୍ଚିତ ହେବାଦ୍ୱାରା ସୂର୍ଯ୍ୟ ଗ୍ରହଣ ଘଟେ’’ (ବିକ୍ରମଦେବ ବର୍ମା ରଚନାବଳି - ଦ୍ୱିତୀୟ ଭାଗ, ପୃ- ୨୦) ବୋଲି କହନ୍ତି । ପୁଣି ଗ୍ରହଣ ତିନିପ୍ରକାର ଯଥା : ପୂର୍ଣ୍ଣଗ୍ରହଣ, କଙ୍କଣ ଗ୍ରହଣ ଏବଂ ଅଳ୍ପ ଗ୍ରହଣ ବୋଲି ସେ ଉଲ୍ଲେଖ କରିଛନ୍ତି । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ତାତ୍ତ୍ୱିକ ଆଲୋଚନା ପ୍ରବନ୍ଧଟିରେ ବେଶ୍‌ ହୃଦ୍ୟ ହୋଇପାରିଛି ।

 

‘ବଳି’ ପ୍ରବନ୍ଧରେ ପ୍ରାବନ୍ଧିକ ବିକ୍ରମଦେବ କନ୍ଧମାନଙ୍କର ମେରିଆ ଏବଂ ଆର୍ଯ୍ୟମାନଙ୍କର ପୂର୍ବକାଳରୁ ପ୍ରଚଳିତ ବଳିପ୍ରଥା ବିରୁଦ୍ଧରେ ଯୁକ୍ତି ବାଢ଼ିଛନ୍ତି । ମାଂସ ଭକ୍ଷଣ ପ୍ରଲୋଭନ ହିଁ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ବୋଲି ସେ ମତ ଦିଅନ୍ତି । ଛାଗ, ଗୋ, ଅଶ୍ୱ ପରେ ମନୁଷ୍ୟ ‘ଶୂନଃ ଶେଷ’ ବୃତ୍ତାନ୍ତ ଉଲ୍ଲେଖ କରି ଏହି ପ୍ରଥାର ବିରୋଧ କରି କହନ୍ତି “ଜନ୍ତୁର ଜୀବନ ସୁଖରେ ହୃତ ହୋଇପାରେ, କିନ୍ତୁ ତାହା ଦତ୍ତ ହୋଇପାରେ ନାହିଁ । ବର୍ତ୍ତମାନ ପ୍ରଚଳିତ ପ୍ରଥାରେ ଜୀବନ ନାଶନ ପ୍ରତ୍ୟକ୍ଷ ଏବଂ ଦେବତା ପ୍ରୀତନ ଅପ୍ରତ୍ୟକ୍ଷ । ପ୍ରକୃତି ରୂପିଣୀ ଶକ୍ତି ସଚରାଚରେ ଜଗତର ଜନନୀ ହୋଇଥିବା ସେ ନିଜ ସନ୍ତାନ ବଧରେ ସନ୍ତୁଷ୍ଟ ହୁଏ ବୋଲି ଭାବିବା ଅସମଞ୍ଜସ । ଜ୍ଞାନ ବିନା ମୁକ୍ତି ନାହିଁ । ଅଦ୍ୟ ଆମ୍ଭମାନଙ୍କର ଜ୍ଞାନ ବୃଦ୍ଧି ପାଉଅଛି । ଜ୍ଞାନୀମାନେ ସମସ୍ତେ ହିଂସାକୁ ଘୃଣା କରନ୍ତି ।’’ (ରଚନାବଳି - ଦ୍ୱିତୀୟ ଭାଗ, ପୃଷ୍ଠା - ୧୧୮)

 

‘କର୍ମ’ ପ୍ରବନ୍ଧରେ ଗଭୀର ତଥ୍ୟ ବିଶ୍ଲେଷଣର ସଫଳ ପ୍ରୟାସ ଦେଖିବାକୁ ମିଳେ । ଏଥିରେ ଜୀବନର ପ୍ରାରବ୍ଧ, ସଞ୍ଚିତ, ଆଗାମୀ ବିଷୟରେ ମତାମତ ଦେଇ କର୍ମ, ବିକର୍ମ, ଅକର୍ମ ସମ୍ପର୍କରେ ଆଲୋକପାତ କରିଛନ୍ତି । ପରିଶେଷରେ ସେ ନିଷ୍କାମ କର୍ମ ଉପରେ ଗୁରୁତ୍ୱାରୋପ କରି “କରାଯାଇଥିବା ପୂଣ୍ୟ ଏବଂ ପାପ କର୍ମଫଳ ଅବଶ୍ୟ ଅନୁଭବ କରିବାକୁ ହୁଏ’’ ବୋଲି ମତ ଦିଅନ୍ତି-। ‘ଗୁରୁ’ ନାମକ ପ୍ରବନ୍ଧରୁ ତାଙ୍କର ଧର୍ମଜ୍ଞାନର ବିସ୍ତାର ସହଜରେ ଅନୁମେୟ । ଏଥିରେ ସେ ଗୁରୁ ସାକ୍ଷାତ୍‍ ପରଂବ୍ରହ୍ମ ବୋଲି ସ୍ୱୀକାର କରିବା ସହିତ ସହିତ ଶରୀର ଉପକାର ପାଇଁ କ୍ଷୁଧାର୍ତ୍ତକୁ ଅନ୍ନ ଦାନ - ଅଧମ ଦାନ, ମାନସର ଉପକାର ପାଇଁ ବିଦ୍ୟାହୀନକୁ ବିଦ୍ୟାଦାନ - ମଧ୍ୟମ ଦାନ, ଆତ୍ମାର ସଦ୍‌ଗତି ପାଇଁ ଜ୍ଞାନହୀନକୁ ଜ୍ଞାନ ଦାନ ହିଁ ଉତ୍ତମ ଦାନ ବୋଲି କହିଅଛନ୍ତି । ଯେହେତୁ ଗୁରୁଜ୍ଞାନ ବିନା ବ୍ରହ୍ମଜ୍ଞାନ ମିଳିବା ଅସମ୍ଭବ । ତେଣୁ ଗୁରୁ ବ୍ରହ୍ମା ତୁଲ୍ୟ ବୋଲି ଯୁକ୍ତି ଉପସ୍ଥାପନ କରିଛନ୍ତି । ‘ଚିକିତ୍ସା’ ପ୍ରବନ୍ଧରେ ଶାରୀରିକ ଓ ମାନସିକ ରୋଗ ପାଇଁ ବିଭିନ୍ନ ପ୍ରକାର ଚିକିତ୍ସା ପଦ୍ଧତି ସମ୍ପର୍କରେ ଆଲୋଚନା କରାଯାଇଛି । ଯଥା : ଜଳ ଚିକିତ୍ସା ପଦ୍ଧତି, ବର୍ଣ୍ଣ ଚିକିତ୍ସା, ବୈଦ୍ୟୁତିକ ଚିକିତ୍ସା, ହିତପଦାର୍ଥ ଚିକିତ୍ସା ଏବଂ ଅହିତ ପଦାର୍ଥ ଚିକିତ୍ସା । ପୁଣି ଆୟୁର୍ବେଦ, ୟୁନାନୀ, ଡାକ୍ତରୀ ପଦ୍ଧତିର ଉଲ୍ଲେଖ କରାଯାଇଛି । ‘ବାନର ଜାତି’ରେ ମାଙ୍କଡ଼ମାନେ ଅନୁମିତ ଜାତିରେ ପରିଣତ ହୋଇଥିଲେ ମାଙ୍କଡ଼ମାନେ ଆଉ ନ ଥାନ୍ତେ ବୋଲି ସେ ଯୁକ୍ତି ବାଢ଼ନ୍ତି । ରାମାୟଣର ବାଳୀ, ସୁଗ୍ରୀବ, ହନୁମାନ, ଜାମ୍ବବାନ, ସୁଷେଣ, ନଳ ଓ ଜାମ୍ବବତୀଙ୍କ ପ୍ରସଙ୍ଗ ଉଲ୍ଲେଖ କରି ବାନର ଓ ରୁକ୍ଷ ନାମକ ଦୁଇଟି ଜାତି ବା ଏବଂ ତାହା ଅନାର୍ଯ୍ୟମାନଙ୍କ ମଧ୍ୟରେ ଲୀନ ହେବା ଯୁକ୍ତି ସଙ୍ଗତ ବୋଲି ମତ ଦେଇଛନ୍ତି ।

 

‘ଇତିହାସ ଲେଖକଙ୍କୁ ଜଣାଣ’ରେ ପୁରାଣ ଯୁଗରୁ ଇତିହାସ ଗଢ଼ି ଆସିବା ଉଲ୍ଲେଖ କରିଛନ୍ତି ଏବଂ ଇତିହାସକୁ କାଳାନୁସାରେ ଏବଂ ପରିପାଳନ ପଦ୍ଧତି ଭେଦରେ ଚାରିଭାଗରେ ବିଭକ୍ତ କରିଛନ୍ତି । ଯଥା : (୧) ପୁରାଣ ଯୁଗ, (୨) ଶାସନ ଯୁଗ, (୩) ଯବନ ଯୁଗ, (୪) ଆଙ୍ଗ୍ଲୋଯୁଗ, ପୁନଶ୍ଚ ପ୍ରାଚୀନ କାବ୍ୟ, ନାଟକଗୁଡ଼ିକୁ ଅନୁଧ୍ୟାନ କରି ସେଥିରୁ ବିଷୟ ଓ ଚରିତ୍ର ଗ୍ରହଣୀୟ ବୋଲି କହନ୍ତି । ଏହା ବ୍ୟତୀତ ମି: ସ୍ମିଥ୍‍‌, ମି: ହଣ୍ଟର, ରମେଶ ଚନ୍ଦ୍ର ଦତ୍ତ, ହୀରାଲାଲ, ବଂକେୟା ପ୍ରଭୃତି ଦେଶୀବିଦେଶୀ ଲେଖକଙ୍କ ଲେଖା, ସରକାରୀ ପ୍ରକାଶିତ ପୁସ୍ତକ, ବୌଦ୍ଧ, ଜୈନଧର୍ମର ବିଭିନ୍ନ ଗ୍ରନ୍ଥ ଇତ୍ୟାଦି ଅଧ୍ୟୟନ କରି ଇତିହାସ ଲେଖିବା ପାଇଁ ଜଣାଣ କରିଛନ୍ତି । ପ୍ରବନ୍ଧର ଶେଷରେ ଇତିହାସ ଲେଖକ ଜଣେ ବିଶଦ୍‌ବୁଦ୍ଧିମାନ ବ୍ୟକ୍ତି ହେବା ଆବଶ୍ୟକ ବୋଲି ସୂଚନା ଦେଇଛନ୍ତି ।

 

ଦୁର୍ବାସାଙ୍କ ଶାପ ହେତୁ ଶିବ ନିର୍ମାଲ୍ୟ ଅଗ୍ରାହ୍ୟ ଏବଂ ମାଲ୍ୟ ଅର୍ଥ ଫୁଲ ଏବଂ ମାଳା । ନିର୍ମାଲ୍ୟ ଅର୍ଥ – ତ୍ୟକ୍ତ ମାଲ୍ୟ ଅର୍ଥାତ୍ ବର୍ଜ୍ଜତ ହେବା ମାଳ । କିନ୍ତି ପ୍ରସାଦ ନୁହେଁ । ପୁରୀ ବଡ଼ ମନ୍ଦିରର ଶୁଖଲା ପ୍ରସାଦକୁ ନିର୍ମାଲ୍ୟ କହିବା ଆଦୌ ଯୁକ୍ତି ଯୁକ୍ତ ନୁହେଁ ବୋଲି ‘ନିର୍ମାଲ୍ୟ ନିର୍ଣ୍ଣୟ’ ପ୍ରବନ୍ଧରେ ତାଙ୍କର ଯୁକ୍ତି ଅବଶ୍ୟ ଚିନ୍ତନୀୟ ।

 

ସ୍ୱକୀୟ ମତ ପ୍ରଦାନରେ ନିର୍ଭୀକତା : ବିକ୍ରମଦେବ କେତେକ ପ୍ରବନ୍ଧରେ ବହୁ ନୂତନ ଦିଗର ସୂଚନା ଦେଇଛନ୍ତି । ଆମ ପରିସର ଭିତରେ ଚଳି ଆସୁବା ଭ୍ରମାତ୍ମକ କେତେକ ମତକୁଖଣ୍ଡନ କରି ନୂତନ ମତବାଦର ପ୍ରଖ୍ୟାପନ କରିଛନ୍ତି । ଅବଶ୍ୟ ସେ ପାଇଁ ସେ ଯୁକ୍ତିମଧ୍ୟ ଉପସ୍ଥାପନ କରିଛନ୍ତି । ଏ ସମ୍ପର୍କରେ ସେ ନିଜର ମତାମତ ଦେଇ କହନ୍ତି : “ଲୋକେ ଗ୍ରହଣ କରୁ କିମ୍ବା ନ କରୁ ଯାହା କହିବା ଉଚିତ ବୋଲି ମୁଁ ଭାବେ, ତାହା କହିଦିଏ ।’’ (ରଚନାବଳି - ୨ୟ ଭାଗ-- ପୃ- ୭୯) ଏହାର ସତ୍ୟତା ମଧ୍ୟ ତାଙ୍କ ପ୍ରବନ୍ଧ ସମୂହରୁ ଅନୁମେୟ । ଉଦାହରଣସ୍ୱରୂପ : ‘ଧର୍ମଘଟ ନା ଧର୍ମ ହଠ’ ପ୍ରବନ୍ଧ । ଏଥିରେ ସେ କହନ୍ତି, ‘ଘଟ’ ଅର୍ଥ ହାଣ୍ଡି । ତେଣୁ ଧର୍ମଘଟ ସମାସ ଅସମୀଚୀନ । ‘ହଠ’ ଶବ୍ଦର ଅର୍ଥ ବଳତ୍କାର । ଅଳି କିମ୍ବା କଟାଳ । ତେଣୁ ଧର୍ମଘଟ ନ ହୋଇ ଏହା ଧର୍ମହଠ ଭାବରେ ବ୍ୟବହୃତ ହେବା ଉଚିତ । ଅନୁରୂପଭାବରେ ‘ସମ୍ମେଳନୀ’ ସମ୍ବନ୍ଧରେ ସେ କହନ୍ତି, ‘ସମ୍ମିଳନୀ’ ଅପଶବ୍ଦ; ତାହା ‘ସମ୍ମେଳନୀ’ ହେବା ସମୁଚିତ । ସେହିପରି ‘ନିର୍ମାଲ୍ୟ’ ପ୍ରବନ୍ଧରେ କହନ୍ତି, ସାଧାରଣତଃ ଶୁଷ୍କ ମହାପ୍ରସାଦକୁ ନିର୍ମାଲ୍ୟ କୁହାଯାଏ । ସଟ୍ଟନ ସାହେବ ଓ ମଧୁସୂଦନ ରାଓ ସେମାନଙ୍କଦ୍ୱାରା ପ୍ରଣୀତ ଅଭିଧାନରେ ଏହାର ଅର୍ଥ ‘ନୈବେଦ୍ୟ’ ଏବଂ ‘ଦେବତାର ଭୋଗ’ ବୋଲି ଅର୍ଥାନ୍ତର କରିଛନ୍ତି । କିନ୍ତୁ ବିକ୍ରମଦେବଙ୍କ ମତରେ ବିଗତ କିମ୍ବା ବିସର୍ଜ୍ଜିତ ପୁଷ୍ପାଦିକୁ ହିଁ ‘ନିର୍ମାଲ୍ୟ’ କୁହାଯାଏ । ପୁନଶ୍ଚ ‘ବିବରା ଶବ୍ଦଠିକ୍‌ ନୁହେଁ’ ବୋଲି ପ୍ରାବନ୍ଧିକ ମତ ଦିଅନ୍ତି । ବିବାହ ପୂର୍ବରୁ ସ୍ତ୍ରୀ ପୁରୁଷ ‘କନ୍ୟାବରଙ୍କୁ କୁହାଯାଇଥାଏ । କିନ୍ତୁ ବିବାହ ପରେ ‘ପତିପତ୍ନୀ; ପତ୍ନୀଧବ କିମ୍ବା ଭାର୍ଯ୍ୟାଭର୍ତ୍ତା କୁହାଯାଏ । ପୁଣି ବାଳିକା ବାହାଘର ପରେ ମୃତ୍ୟୁବରଣ କଲେ, ତା’ର ଅନ୍ତେଷ୍ଟିକ୍ରିୟା ତା’ର ପତିହିଁ କରେ ଏବଂ ବାଳିକା ବିଧବା ହେଲେ ତା’ର ଭରଣେପାଷଣ ଦାୟିତ୍ୱ ପତିକୁଟୁମ୍ବ ଉପରେ ନ୍ୟସ୍ତ ରୁହେ । ତେଣୁ ବିବାହ ପରେ ପତିର ମୃତ୍ୟୁରେ ‘ବିବରା’ ନ କହି ବିଧବା ବୋଲି କହିବା ଅଧିକ ଯୁକ୍ତି ଯୁକ୍ତ ।

 

‘ମଧୁଙ୍କରାତି’ରେ ଭ୍ରମରର ‘ମଧୁକର’ ନାମ ମଧୁକେରାତିଣ୍ଠମଦ୍‌ଭକୁ ? କରଇ ବୋଲି ନିରୂପିତ କରାଯାଇଛି । କିନ୍ତୁ ସେ ମଦ୍‌ଭକୁ ନ କରି ତାକୁ କେବଳ ଗ୍ରହଣ କରିଥାଏ; ତେଣୁ ତାହା ଠିକ୍‌ ନୁହେଁ ଏବଂ ‘ମଧୁକଂରାତି’ କହିବା ହିଁ ଠିକ୍‌ ହେବ ବୋଲି ମତ ଦିଅନ୍ତି । “ଗୁଣ୍ଡିଚା ସମ୍ବନ୍ଧରେ’ ପ୍ରବନ୍ଧରେ ବିକ୍ରମଦେବ ଗୋପୀନାଥ ନନ୍ଦଙ୍କ ‘ଭାଷାତଥ୍ୟ’ରେ ଗୁଣ୍ଡିଚା ଶବ୍ଦ ସାଂସ୍କୃତିକ ଏବଂ ଏହାର ଅର୍ଥ ଇନ୍ଦ୍ରଦ୍ୟୁମ୍ନଙ୍କ ପତ୍ନୀ, ଗୁଣ୍ଡିଚାଙ୍କଦ୍ୱାରା ପ୍ରତିଷ୍ଠିତ ମଣ୍ଡପ କିମ୍ବା ପ୍ରସାଦକୁ ଭ୍ରମାତ୍ମକ ବୋଲି କହନ୍ତି । ତାଙ୍କ ମତରେ ରାଣୀଙ୍କ ନାମ ଗୁଣ୍ଡିଚା ନୁହେଁ; କିମ୍ବା ଗୁଣ୍ଡିଚା ଶବ୍ଦ ସଂସ୍କୃତ ନୁହେଁ । ଏହା ଶବରମାନଙ୍କ ଶବ୍ଦ ଯାହା ‘ଗୁଣ୍ଡିଜ୍‌ଅନ୍‌’ - ଗୁଣ୍ଡିଚିମୂଷା ଅର୍ଥରେ ବ୍ୟବହୃତ । ଏହି ‘ଅନ୍‌’ ଶବର ଭାଷାର ପ୍ରଥମା ବିଭକ୍ତିର ପ୍ରତ୍ୟୟ । ତେଣୁ ଗୁଣ୍ଡିଚା ଶବ୍ଦ ଶବର ଭାଷାରୁ ଆନୀତ ହେବା ସଂଭବପର । ତାଙ୍କ ମତରେ, ନୀଳମାଧବଙ୍କୁ ପୂଜା କରୁଥିବା ଶବରର ନାମ ଗୁଣ୍ଡିଚା । ତାଙ୍କର ଦିଅଁ ଆସୁଥିବା ହେତୁ ଏକ ମଣ୍ଡପ ତାଙ୍କ ନାମରେ ନାମିତ ହେବା ଅଧିକ ସମ୍ଭାବନା ରହିଛି ।

 

‘ସପ୍ତାଶ୍ୱତଥ୍ୟ’ ପ୍ରବନ୍ଧରେ ପୁରାଣମତାନୁଯାୟୀ ସୂର୍ଯ୍ୟଙ୍କର ରଥରେ ସାତେଗାଟି ଘୋଡ଼ା ରହିଛି । ଅନ୍ୟ କେତେକଙ୍କ ମତରେ ସେଥିରେ ଗୋଟିଏ ମାତ୍ର ଘୋଡ଼ା ଅଛି, ଯାହାର ନାମ ‘ସପ୍ତ’-। କିନ୍ତୁ ପ୍ରାବନ୍ଧିକ କହନ୍ତି, ସୂର୍ଯ୍ୟଙ୍କର ସପ୍ତବର୍ଣ୍ଣ ଇନ୍ଦ୍ରଧନୁରେ ପ୍ରକାଶିତ ହୁଏ । ସବୁବର୍ଣ୍ଣ ଏକତ୍ର ହେଲେ କେବଳ ଗୋଟିଏ ବର୍ଣ୍ଣ ଶ୍ୱେତ ହିଁ ଦେଖାଯାଏ । ‘ବୀତିଃ ଅର୍ଥ ଅଶ୍ୱ ଓ ଦୀପ୍ତି । ସୂର୍ଯ୍ୟଙ୍କୁ ‘ସପ୍ତବୀତିଃ’ ବୋଲି କହିବା ସମୟରେ ବୀତିଃ ଅର୍ଥ ଅଶ୍ୱନୁହେଁ ବରଂ କିରଣାଦି ସପ୍ତବର୍ଣ୍ଣ ବିଶିଷ୍ଟ, ବୋଲି ବୁଝିବାକୁ ହେବ । ‘ବୃନ୍ଦା’ ପ୍ରବନ୍ଧରେ ବୃନ୍ଦାବତୀ ଓ ଜଳନ୍ଧରର ସ୍ତ୍ରୀ ଜଣେ ବୋଲି ସାଧାରଣ ଲୋକଙ୍କ ଧାରଣା । କିନ୍ତୁ ଏହି ମତ ଭ୍ରମାତ୍ମକ ବୋଲି ପ୍ରାବନ୍ଧିକ ମତ ପ୍ରଦାନ କରନ୍ତି ।

 

‘ଅଶ୍ଲୀଳ ବିଗ୍ରହ ବିଷୟ’ ପ୍ରବନ୍ଧରେ ଦେବତା ମନ୍ଦିରରେ ଅଶ୍ଲୀଳ ମୂର୍ତ୍ତି ଭାବିବାର-କାରଣ-- ଭକ୍ତର ମାନସ ନିଶ୍ଚଳତ୍ୱର ପରୀକ୍ଷା, ମନ୍ଦିରକୁ ଲୋକ ଦୃଷ୍ଟିରୁ ବଞ୍ଚାଇବା କିମ୍ବା ଦେବାଳୟରେ ବଜ୍ରପାତ ନହେବା ଇତ୍ୟାଦି କୁହାଯାଇଥାଏ । କିନ୍ତୁ ବିକ୍ରମଦେବ କହନ୍ତି, ଆର୍ଯ୍ୟମତରେ ପ୍ରତ୍ୟେକ ପଦାର୍ଥରେ ବ୍ରହ୍ମ ବିଦ୍ୟମାନ । ତେଣୁ ଜଗତର ବହିଃର୍ଭାଗ ପ୍ରକୃତିମୟ ଓ ଅନ୍ତର୍ଭାଗ ବ୍ରହ୍ମମୟ । ଜୀବସୃଷ୍ଟିର କାରଣ ମିଥୁନ ମାତ୍ର । ତେଣୁ ଦେବାଳୟଗୁଡ଼ିକ ଜଗତରେ ଏବଂ ବିଗ୍ରହଗୁଡ଼ିକ ବ୍ରହ୍ମର ସୂଚନା ମାତ୍ର । ସେ ପାଇଁ ଦେବାଳୟର ବିର୍ହିଃଭାଗ ପ୍ରକୃତିମୟ ବୋଲି ସୂଚୀତ ହେବା ନିମନ୍ତେ ଅଶ୍ଲୀଳ ବିଗ୍ରହ ସବୁ ସ୍ଥାପନା କରାଯାଇଥାଏ । ଅନୁରୂପଭାବରେ ‘ଚାର୍ବାକ ଦର୍ଶନ’ ପ୍ରବନ୍ଧରେ ଶ୍ରାଦ୍ଧ ସମୟରେ ଦିଆଯାଇବା ଅଦ୍ୱାରା ମୃତବ୍ୟକ୍ତିର ତୃପ୍ତିବିଧାନ ଭ୍ରମାତ୍ମକ ଏବଂ ଯଜ୍ଞରେ ପଶୁବଧ ମାନବ ଉଦରାର୍ଥେ ବୋଲି ମତଦିଅନ୍ତି ।

 

ଏହିପରି ଅତିନିର୍ଭୀକ ଏବଂ ଯୁକ୍ତିପୂର୍ଣ୍ଣଭାବେ ସେ ସ୍ୱମତ ଉପସ୍ଥାପନ କରିବାରେ କଦାପି ପଶ୍ଚାତ୍‌ପଦ ହୋଇନାହାନ୍ତି ।

 

ଆଳଙ୍କାରିକ ଶାସ୍ତ୍ର ଜ୍ଞାନ : ଅଳଙ୍କାର ଶାସ୍ତ୍ରରେ ବିକ୍ରମଦେବଙ୍କ ବିପୁଳ ଜ୍ଞାନ ଥିଲା । ସେଥି ପାଇଁ ବୋଧହୁଏ ତାଙ୍କ ରଚନାବଳି ମାର୍ଜ୍ଜିତ, ରୁଚିଯୁକ୍ତ, ପାଣ୍ଡିତ୍ୟପୂର୍ଣ୍ଣ ଏବଂ ହୃଦ୍ୟ ମଧ୍ୟ । ତାଙ୍କର କେତେକ ପ୍ରବନ୍ଧରୁ ଏହି ଆଳଙ୍କାରିକ ଶାସ୍ତ୍ରଜ୍ଞାନର ପରିଚୟ ମିଳିଥାଏ । ଉଦାହରଣସ୍ୱରୂପ-: ‘ତ୍ରୟୋବିଂଶ ତ୍ୟଳଙ୍କାରୋଦାହରଣଗଣ’’ରେ ୨୩ ପ୍ରକାର ଅଳଙ୍କାର ସମ୍ପର୍କରେ ଆଲୋଚନା କରିଛନ୍ତି । ଅତି କ୍ଷୁଦ୍ର କ୍ଷୁଦ୍ର ଉଦାହରଣ ସାହାଯ୍ୟରେ ସେଇ ଅଳଙ୍କାର ଗୁଡ଼ିକର ଉପସ୍ଥାପନା ବେଶ୍‌ ମନଛୁଆଁ ହୋଇପାରିଛି । ଯଥା :

 

ଉପମା : ସୁନ୍ଦରୀ ! ଚନ୍ଦ୍ରପରି ତୋ ମୁଖ ମନୋହର ॥

 

ରୂପକ : ତୋ ମୁଖ ଚନ୍ଦ୍ରର ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ । ଇତ୍ୟାଦି ।

 

‘ରୂପକର ଭାବାଦି’ରେ ରୂପକର ରତି, ହାସ, ଶୋକ ଇତ୍ୟାଦି ନଅଗୋଟି ସ୍ଥାୟୀ ଭାବ ଏବଂ ୩୩ ଗୋଟି ବ୍ୟଭିଚାରୀ ଭାବ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ପୁନଶ୍ଚ, ‘ଅବର୍ଗ୍ୟ - ‘ବ’ କାର । ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି । ରୂପକର ନାୟିକା ନାୟକାଦି ବିବରଣ’ ତାଙ୍କର ଏକ ଦୀର୍ଘ ପ୍ରବନ୍ଧ । ଏଥିରେ ସେ ନାୟିକାର ତ୍ରିବିଧରୂପ ଏବଂ ଅବସ୍ଥା ଭେଦରେ ଆଠପ୍ରକାର ନାୟିକାର ବର୍ଣ୍ଣନା କରିଛନ୍ତି । ସେହିପରି ନାୟକର ଚତୁର୍ବିଧ ବର୍ଣ୍ଣନା ଦିଆଯାଇଛି । ନାୟକ ନାୟିକାଙ୍କ ସାହାଯ୍ୟକାରୀମାନଙ୍କ ବର୍ଣ୍ଣନା ସହ ନାୟିକାର ଚେଷ୍ଟାବଳୀ ସମ୍ବନ୍ଧରେ ମଧ୍ୟ ସଦ୍ଧ୍ୟମ୍ୟକ୍‌ ଆଲୋକପାତ କରାଯାଇଛି ।

 

‘ସମାସଗୁଛ’ ମଧ୍ୟ ଏକ ଦୀର୍ଘ ପ୍ରବନ୍ଧ । ଏଥିରେ ଛଅପ୍ରକାର ସମାସର ବିବରଣୀ ପ୍ରଦାନ କରାଯାଇଛି । କ୍ଷୁଦ୍ର କ୍ଷୁଦ୍ର ପଦ ମାଧ୍ୟମରେ ସମାସର ସଜ୍ଞା, ସ୍ୱରୂପ ଓ ଉଦାହରଣ ସରଳ ଓ ସାବଲୀଳ ହୋଇପାରିଛି । ‘ନାଟ୍ୟକଳା’ ତାଙ୍କର ଅନ୍ୟଏକ ପ୍ରବନ୍ଧ । ନିଜେ ଜଣେ ନାଟ୍ୟକାର ହିସାବରେ ନାଟ୍ୟକଳା ଉପରେ ତାଙ୍କର ଧାରଣ ରହିବା ସ୍ୱାଭାବିକ । ଏଥିରେ ସେ ଭରତମୁନୀ, ଭୋଜରାଜ, ମମ୍ମଟ୍ଟ, ବିଶ୍ୱନାଥ କବିରାଜ ଇତ୍ୟାଦିଙ୍କ ନାଟ୍ୟକଳା ସମ୍ପର୍କରେ ଆଲୋଚନା କରିଛନ୍ତି । ପୁଣି ନାଟକର ଦଶରୂପକ ଏବଂ ଅଷ୍ଟାଦଶ ଉପରୂପକ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଗଳ୍ପକଳା ସମ୍ପର୍କରେ ଏକ ବିଶେଷ ପ୍ରବନ୍ଧ ହେଉଛି, ‘କଥାନିୟମ’ । ପ୍ରକୃତ ସମାଲୋଚକ ସମ୍ପର୍କରେ ମତପ୍ରକାଶ କରି, କଥା କିପରି ହେବା ଉଚିତ ସେ ବିଷୟରେ ଆଲୋଚନା କରିଛନ୍ତି ଏହି ପ୍ରବନ୍ଧରେ । ତାଙ୍କ ମତରେ କଥା ନୀତିଶାସ୍ତ୍ର ପରି ହେଲେ ତହିଁରେ କଥାକୁସୁମ ମୁଖ୍ୟକଥା ହୋଇପାରେନା ।

 

“ମୋ କବିତା’’ ପ୍ରବନ୍ଧରେ କବିତାର ବିଭିନ୍ନ ବିଭାବ ଉପରେ ଆଲୋଚନା କରି ପରେ ତାଙ୍କ ସ୍ୱଲିଖିତ କବିତା ସମ୍ପର୍କରେ ମତ ଦିଅନ୍ତି : “କେତେକ ଲୋକ ବୋଲନ୍ତି ଯେ, ପୂର୍ବକବିତା ସାକରା ପରି ରୁଚ୍ୟ - ଆଧୁନିକ କବିତା ଅଲଣା ସନ୍ତୁଳା ପରି ଅରୁଚ୍ୟ । ମାତ୍ର ମୋ କବିତା ସ୍ୱଦେଶ୍ୟ, ବିଦେଶ୍ୟ ମିତ୍ରଦେଶ୍ୟ ଏବଂ ଶତ୍ରୁଦେଶ୍ୟ ଭାଷାଭୂଷା ଗତି ଯଦିନୀତି ଗୁଣ ହୋଇ ବେସର ତିଅଣ ପରି ସମସ୍ତଙ୍କର ଆଦର ପାତ୍ର ହେବ ।’’(ରଚନାବଳି - ୨ୟ ଭାଗ - ପୃ- ୧୭୮) ଏପରି ଅଳଙ୍କାର ଶାସ୍ତ୍ରରେ ଗଭୀରଜ୍ଞାନ ତାଙ୍କ ସୃଷ୍ଟି ସମ୍ଭାରକୁ ଉଚ୍ଚମାନର କରି ଗଢ଼ିତୋଳିବାରେ ସହାୟକ ହୋଇଛି ।

 

ଜ୍ୟୋତିଷ ଶାସ୍ତ୍ରରେ ଦକ୍ଷତା : ଜଣେ ଜ୍ୟୋତିର୍ବିଦ ହିସାବରେ ଖ୍ୟାତ ବିକ୍ରମଦେବଙ୍କ କେତୋଟି ପ୍ରବନ୍ଧରେ ତିଥି ସମ୍ପର୍କରେ ତାତ୍ତ୍ୱିକ ଆଲୋଚନା ଦୃଷ୍ଟିଗୋଚର ହୁଏ । ତିଥି ସମ୍ପର୍କୀତ ପ୍ରଚଳିତ ମତ ଉଲ୍ଲେଖପୂର୍ବକ ସେହି ତିଥିର ମହାତ୍ମ୍ୟ ବିଷୟରେ ସ୍ୱମତାମତ ଉପସ୍ଥାପନ କରିଛନ୍ତି । ସେଗୁଡ଼ିକ ଏଠାରେ ଉଲ୍ଲେଖଯୋଗ୍ୟ ‘ଆଶ୍ୱିନ ପୂର୍ଣ୍ଣମା’ ପ୍ରବନ୍ଧ ସେହିପରି ଏକ ପ୍ରବନ୍ଧ । ଶିବପୁତ୍ର କାର୍ତ୍ତିକେୟଙ୍କର ଏହା ଜନ୍ମଦିନ ହୋଇଥିବାରୁ ଏହା କୁମାର ପୂର୍ଣ୍ଣମା ନାମରେ ଖ୍ୟାତ ବୋଲି ପ୍ରାବନ୍ଧିକ ମତ ଦିଅନ୍ତି । ଏହିଦିନ ଅକ୍ଷକ୍ରୀଡ଼ା କଲେ ଧନପ୍ରାପ୍ତ ହୁଏ ବୋଲି ଗଂଜାମ ଓ କୋରାପୁଟ ଅଞ୍ଚଳର ଲୋକଙ୍କ ବିଶ୍ୱାସ । ତେଣୁ ଦକ୍ଷିଣ ଓଡ଼ିଶାରେ ଏହିଦିନ ଘରେ ଘରେ ପଇସା ବିନିମୟରେ ଅକ୍ଷକ୍ରୀଡ଼ା ହୁଏ । ଏହି କ୍ରୀଡ଼ା ଯଦିଓ ଭଲ ନୁହେଁ ତଥାପି ବହୁମାତ୍ରାରେ ଏହାର ପ୍ରଚଳନର କାରଣସ୍ୱରୂପ ପ୍ରାବନ୍ଧିକ କୋଜାଗରି ବ୍ରତ କଥା କହନ୍ତି । ମଗଧ ଦେଶପ୍ରମୀର ବଳିତ ନାମକ ଜଣେ ବ୍ରାହ୍ମଣ ସେହିଦିନ ରାତ୍ରିରେ ଅକ୍ଷକ୍ରୀଡ଼ା କରି ଲକ୍ଷ୍ମୀଙ୍କ ସହାୟତାରେ ନାଗ ରମଣୀମାନଙ୍କୁ ବିବାହ କରିଥିଲା ଏବଂ ଅନେକ ଧନପ୍ରାପ୍ତ ହୋଇଥିଲା । ଏପରିକି ମହାରାଷ୍ଟ୍ରରେ ମଧ୍ୟ ଏହି ଅକ୍ଷକ୍ରୀଡ଼ା ପ୍ରଚଳିତ ବା କଥା ପ୍ରାବନ୍ଧିକ ସୂଚନା ଦିଅନ୍ତି ।

 

‘ହେରା ପଞ୍ଚମୀ’ ପ୍ରବନ୍ଧରେ କହନ୍ତି, ଆଷାଢ଼ ଶୁକ୍ଳଷଷ୍ଠୀ ତିଥିରେ ଆମ ଗାଆଁରେ ହେରାପଞ୍ଚମୀ ବା ହେରାଯାତ୍ରା ପାଳିତହୁଏ । ଜଗନ୍ନାଥଙ୍କର ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପଡ଼େ । ତା’ ସହିତ ମିଶାଇ ପଞ୍ଚମ ଦିନରେ ଅର୍ଥାତ୍‌ ଷଷ୍ଠଦିନ ମହାଲକ୍ଷ୍ମୀ ପତିଦର୍ଶନ ନିମନ୍ତେ ଆଡ଼ପ ମନ୍ଦିରକୁ ଯାତ୍ରା କରନ୍ତି । ଏହାକୁ ପଞ୍ଚମୀ ଯାତ୍ରା ବା ହେରା ପଞ୍ଚମୀ କହନ୍ତି । ପ୍ରାବନ୍ଧିକଙ୍କର ମତରେ ‘ହେରା’ ଅର୍ଥ ଦେଖା । ଏ ଅର୍ଥ ଅପେକ୍ଷା ଅତୀତରେ ତାହା ‘ହୀରା’ ଅର୍ଥରେ ବ୍ୟବହୃତ ହେଉବା କଥା ସେ ଅନୁମାନ କରନ୍ତି । ‘ହୀରା’ ଶବ୍ଦର ଅର୍ଥ ଲକ୍ଷ୍ମୀ କିମ୍ବା ହୀରକ । ପୁନଶ୍ଚ ଏହି ପଞ୍ଚମୀ ଅନ୍ୟଠାରୁ ଶ୍ରେଷ୍ଠ ହୋଇଥିବା ଯୋଗୁଁ ଏପରି ପ୍ରୟୋଗ କରାଯାଇଥିବା ସମ୍ଭବ--ଯଥା-: ନାରୀ ହୀରା, ତେଣୁ ‘ହୀରା ପଞ୍ଚମୀ’ କାଳକ୍ରମେ ଅପଭ୍ରଂଶ ହୋଇ ହେରାପଞ୍ଚମୀ ଭାବରେ ବ୍ୟବହୃତ ହେବା ମତ ସେ ଦେଇଛନ୍ତି ।

 

ଓଡ଼ିଆ ପାଞ୍ଜିରେ ଯେଉଁ ଏକାଦଶୀ କ୍ଷୟା ତାହା ଗାନ୍ଧାରୀ ଏକାଦଶୀ ନାମରେ-ନାମିତ-। ଲୋକଙ୍କର ବିଶ୍ୱାସ ଏହି ଯେ, ଗାନ୍ଧାରୀ ସେଇ ଏକାଦଶୀ ପାଳନ କରିଥିବା ଯୋଗୁଁ ସେ ତାଙ୍କ ପୁତ୍ରମାନଙ୍କୁ ହରାଇଲେ । ଅବଶ୍ୟ ଏକଥା ମହାଭାରତରେ କେଉଁଠି ଉଲ୍ଲେଖ ହୋଇନି । କିନ୍ତୁ ସନ୍ତାନବତୀ ନାରୀମାନେ ଏହି ଏକାଦଶୀ ପାଳନ କରି, ତା’ ପରଦିନ ଏକାଦଶୀ ପାଳନ କରନ୍ତି । ଯଦିଓ ମନ୍ଦୋଦରୀ ଓ ଦ୍ରୌପଦୀଙ୍କର ସବୁ ପୁତ୍ର ମରିଛନ୍ତି, ତଥାପି ସେମାନେ ଏହି ଏକାଦଶୀ ପାଳନ କରିବା କଥା କେହି କହନ୍ତି ନାହିଁ । ତେଣୁ ପ୍ରାବନ୍ଧିକ ଏହି ଏକାଦଶୀ ପାଳନ କଲେ ସନ୍ତାନ ନଷ୍ଟ ହୁଏ, ଏ ଧାରଣା ଭ୍ରମାତ୍ମକ ବୋଲି ‘ଗାନ୍ଧାରୀ ଏକାଦଶୀ’ ପ୍ରବନ୍ଧରେ ଦୃଢ଼ଯୁକ୍ତି ଉପସ୍ଥାପନ କରିଅଛନ୍ତି ।

 

‘ଫାଲ୍‌ଗୁନ ଶୁକ୍ଲ ଚତୁର୍ଦ୍ଦଶୀ ଏବଂ ପୂର୍ଣ୍ଣିମା’ ତାଙ୍କର ଅନ୍ୟ ଏକ ଉତ୍କୃଷ୍ଟ ପ୍ରବନ୍ଧ । ଦୋଳପୂର୍ଣ୍ଣିମା ପୂର୍ବଦିନ ଶୁଖଲା କାଠ ଗଦାକରି ସେଥିରେ ଅଗ୍ନି ସଂଯୋଗ କରାଯାଏ । ଏହାକୁ ବିଜ୍ଞଜନେ ରାଜାଗ୍ନି, ଅଜ୍ଞଜନେ ଐହରା ପୋଡ଼ି, ହଳପୋଡ଼ି ଏବଂ ତେଲୁଗୁ ସଂପ୍ରଦାୟରେ ଏହାକୁ କାମଦହନ କୁହାଯାଏ । ତା’ପରଦିନ ଫଗୁରେ ରଙ୍ଗପାଣି ମିଶାଇ ହୋଲି ଉତ୍ସବ ପାଳିତ ହୁଏ । ‘ହୋଲି’ ଅଭିଧାନରେ ହୋଳିକା, ହୋଳାକା, ହୋଳୀ ଏପରି ଅର୍ଥରେ ପ୍ରକାଶିତ । କିନ୍ତୁ ପ୍ରାବନ୍ଧିକ ଏ ସମ୍ପର୍କରେ ଅନ୍ୟମତ ପ୍ରକାଶ କରି କହନ୍ତି - ହିରଣ୍ୟକଶିପୁର ଭଉଣୀ ହୋଳୀ ବିଷ୍ଣୁଭକ୍ତ ପ୍ରହଲ୍ଲାଦକୁ ମାରିବା ପାଇଁ କାଠଜଳାଇ ପୁତୁରାକୁ ନେଇ ବସିଲା । କିନ୍ତୁ ଦେଖାଗଲା ସେ ନିଜେ ପୋଡ଼ିମରିଛି, ଏବଂ ତା’ପରଦିନ ପ୍ରହହ୍ଲାଦ ଅକ୍ଷତ ଅବସ୍ଥାରେ ବାହାରିବା ଯୋଗୁଁ ତା’ ଦେହେର ଫଗୁବୋଳି ନାନାସୁଗନ୍ଧ ଶୀତଳ ଜଳରେ ସ୍ନାନ କରାଯାଇଥିଲା । ତେଣୁ ସେହି ‘ହୋଳୀ ପୋଡ଼ା’ ଆଜି ହଳପୋଡ଼ି ହୋଇଛି ଏବଂ ସେହିଦିନଠାରୁ ଆମ ସମାଜରେ ହୋଲି ଉତ୍ସବ ପାଳନ କରାଯାଉଛି । ଏହିସବୁ ପ୍ରବନ୍ଧରୁ ପ୍ରାବନ୍ଧିକଙ୍କ ମୌଳିକତା, ପାଣ୍ଡିତ୍ୟ ତଥା ଜ୍ୟୋତିଷ ଶାସ୍ତ୍ରଜ୍ଞାନ ସମ୍ପର୍କରେ ସୂଚନା ମିଳେ ।

 

ଆଲୋଚ୍ୟ ପ୍ରବନ୍ଧଗୁଡ଼ିକୁ ଅନୁଧ୍ୟାନ କରି ପରିଶେଷରେ ଏତିକି କୁହାଯାଇପାରେ ଯେ, ବିକ୍ରମଦେବଙ୍କ ପ୍ରବନ୍ଧଗୁଡ଼ିକ ଯେପରି ପ୍ରାଞ୍ଜଳ ସେହିପରି ଭାବଗର୍ଭକ ମଧ୍ୟ । ଏହିସବୁ ପ୍ରବନ୍ଧ ବଙ୍ଗ ପ୍ରଦେଶର ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର କିମ୍ବା ଓଡ଼ିଆ ସାହିତ୍ୟର ମଧୁସୂଦନ ରାଓଙ୍କ ଗଦ୍ୟେଶୈଳୀକୁ ସ୍ମରଣ କରାଇଦିଏ । ସେମାନଙ୍କ ରଚନା ପରି ଏହା ଆଳଙ୍କାରିକ ଏବଂ ନୀତିଶିକ୍ଷା ମୂଳକ ମଧ୍ୟ । ସେ ଗଭୀରତଥ୍ୟଗୁଡ଼ିକୁ ଅତି ସହଜ ଓ ସରଳ ଭାଷାରେ ପାଠକ ନିକଟରେ ପହଞ୍ଚାଇବାରେ ସିଦ୍ଧହସ୍ତ । ତାଙ୍କର ଭାଷା ଶୁଦ୍ଧ ତଥା ମାର୍ଜିତ । ବିଭିନ୍ନ ସମସ୍ୟା ତଥା ତାର ସମାଧାନ ଉପରେ ଲିଖିତ ତାଙ୍କ ପ୍ରବନ୍ଧଗୁଡ଼ିକରେ ପାଣ୍ଡିତ୍ୟ, ବହୁଶାସ୍ତ୍ର ଦର୍ଶିତା, ଭାଷାଜ୍ଞାନ, ସଂସ୍କାର ମୁଖୀନତା, ଭାବ ସ୍ୱଚ୍ଛଳତା ପ୍ରଭୃତିର ଏକ ସ୍ୱଚ୍ଛସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥାଏ ।

 

ନାଟ୍ୟକାର ବିକ୍ରମଦେବ :

 

ଓଡ଼ିଆ ସାହିତ୍ୟର ଆଦି ନାଟ୍ୟସ୍ରଷ୍ଟାମାନଙ୍କ ମଧ୍ୟରେ ବିକ୍ରମଦେବ ବର୍ମା ଅନ୍ୟତମ । ଓଡ଼ିଆ ନାଟ୍ୟ ଜଗତକୁ ତାଙ୍କ ଦାନ ଅତୁଳନୀୟ । ସେ ଏକାଧାରରେ ନାଟ୍ୟକାର, ଅଭିନେତା ତଥା ନାଟ୍ୟେପ୍ରେମୀ ଥିଲେ । ସେ ମାତ୍ର ୩ଟି ନାଟକ (ଯଥା : ‘ଶ୍ରୀ ସଙ୍ଗୀତ ରାଧାମାଧବ’ ‘ବୁଦ୍ଧ ଚରିତ’ ଏବଂ ‘ଉତ୍କଳ କୁନ୍ଦମାଳ’ (ଅନୁବାଦିତ)ର ନାଟ୍ୟକାର ।

 

‘ଶ୍ରୀ ସଙ୍ଗୀତ ରାଧାମାଧବ ନାଟକ’ ତାଙ୍କର ପ୍ରଥମ ନାଟକ । ‘ଏହି ନାଟକ ୧୮୯୪ରେ ବିରଚିତ ଏବଂ ୧୯୯୭ରେ ମୁଦ୍ରିତ, ପ୍ରକଟିତ ଏବଂ ବିତରିତ ।’ (କନୀୟ, ଶ୍ରୀ ସଙ୍ଗୀତ ରାଧାମାଧବ ନାଟକ) ଏହି ନାଟକଟି ରଚନାବଳିରେ ସ୍ଥାନୀତ ହୋଇନାହିଁ । ନାଟକଟିର କଥାବସ୍ତୁ ପୌରାଣିକ । ବୃଷଭାନୁନୃପନଳିନୀ ଶ୍ରୀରାଧାଙ୍କ ମାନଭଞ୍ଜନ ବୃତ୍ତାନ୍ତ ନାଟକାକାରରେ ବର୍ଣ୍ଣିତ ହୋଇଛି । ବିକ୍ରମଦେବ ନାଟକର ଭୂମିକାରେ ପଦ୍ୟ ଆକାରରେ ନାଟକ ଲେଖିବାର ଉଦ୍ଦେଶ୍ୟ ତଥା ନାଟକ ସମ୍ପର୍କରେ କହନ୍ତି :

 

ଉତ୍କଳ ଭାଷାରେ ଏକ ନାଟକ ରଚନେ

ମନ ବଳାଇଲି ମୋର ମିତ୍ରଙ୍କ ବଚେନ

ଭାବିଲି ରାଧାକୃଷ୍ଣ ଚରିତ ଏକା ସାର

କଳୁଷହର ମୁକ୍ତିଦ ବିଚିତ୍ର ଶୃଙ୍ଗାର

ସେ ରସ ସାଗରୁଁ କେଉଁଲୀଳାକୁ ବର୍ଣ୍ଣିବି

ଏ ଘୋର ଭବସାଗରୁଁ ସୁଖେ ତରିଯିବି

ଏମନ୍ତ ମୁଁ ଚିନ୍ତୁ ଚିନ୍ତୁ ଏହି ଦିବ୍ୟଲୀଳା

ମୋର ଭାଗ୍ୟବଶୁଁ ମୋର ସ୍ପୁର୍ତ୍ତିହେଲା

ସାଳଗ୍ରାମ ସ୍ନାନୋଦକ ହେଲେ କୂପବାରି

ଥା ବିବୁଧେ ମସ୍ତକେ ଘେନନ୍ତି ନବାରି

ତଥା ମୋର କବିତ୍ୱ ସକଳ ସୁଦ୍ଧାନବେ

ହରିଲୀଳା ରସ ବଶୁଁ ଆଦର କରିବେ

ଏଣୁ ମୋର ଅତିଶୟାଶଙ୍କା ଦୂର କଲି

ଏ ପବିତ୍ର ଚରିତ୍ର ରଚନ ଆରମ୍ଭିଲି

ଏ ନାଟକ ଚନ୍ଦ୍ରଗୀତ ଗଦ୍ୟ ପଦ୍ୟ କରେ

ରସିକଚକୋରମୋଦ କରିବ ନିକରେ

ଏଥିରେ ଅନେକ ରସ ସନ୍ଦର୍ଭାନୁସାରେ

ବର୍ଣ୍ଣିତ ହୋଇଛି ଅତିମଞ୍ଜୁଳେ କ୍ଳୁପ୍ତରେ

ଏ ନାଟକ ତ୍ରୟୋଦଶଗୀତ ମୋର କୃତ

ହୋଇଛି ପୁଣି ମୋ ଭଗ୍ନୀନାମରେ ଭଣିତ

ଏ ନାଟକରଚନାରେ ଆମ୍ଭ ପୁରୋହିତ

ଗୋବର୍ଦ୍ଧନ ଥରେ କଲେ ସାହାଯ୍ୟ ବହୁତ

ଏଣୁ ଏ ତାହାଙ୍କ ରଚିତ ଏକ ଗୀତ

କୃତଜ୍ଞତା ସୂଚନାର୍ଥେ ହୋଇଲା ସଂଯୁତ

ଅଠରଶ ଷୋଳ ଶାଳି ବାହନଶକରେ

ଏ ନାଟକ ସଂପୂରିତ ହୋଇଲା ଶୁଭରେ

(ବିକ୍ରମଦେବ ବର୍ମା - ଭୂମିକା, ଶ୍ରୀ ସଙ୍ଗୀତ ରାଧାମାଧବ ନାଟକ)

 

ନାଟକର ଆରମ୍ଭରେ ପ୍ରସ୍ତାବନୀ - ନାନ୍ଦୀ ରହିଛି । ଶ୍ରୀ କୃଷ୍ଣଙ୍କ ସ୍ତୁତିରୁ ନାଟକର ଆରମ୍ଭ-

 

ଶ୍ରୀରାଧେଶଂ ଜଳଜନୟନଂ ଶ୍ରୀକରଂ ଦୈତ୍ୟଭୀମଂ ।

ବୀରଂ କୃଷ୍ଣଂ ପୁରହରନୁତଂ ବଲ୍ଲବୀ କଞ୍ଜଭାମଂ ॥

ମାରାକାରଂ ଜିତଶଶିଦ୍ଧୁଖଂ ମେଘବର୍ଣ୍ଣାଭିରାମଂ ।

ଧୀରଂ ବନ୍ଦେ ବରଯଦୁକୁଳାମ୍ଭୋଧ ସମ୍ପୂର୍ଣ୍ଣେସାମଂ ॥

 

ସୂତ୍ରଧର ଓ ନଟୀଙ୍କ କଥୋପକଥନ ମଧ୍ୟରେ ଶ୍ରୀ ବିକ୍ରମଦେବ ବର୍ମାଙ୍କ ବିରଚିତ ‘ଶ୍ରୀସଙ୍ଗୀତ ରାଧା-ମାଧବ ନାଟକ’ ଅଭିନୟ କରାଯିବ ବୋଲି କୁହାଯାଇଛି । ଏହାପରେ ଉପପ୍ରସ୍ତାବନାରେ ପ୍ରଥମ ଦୃଶ୍ୟର ପରିକଳ୍ପନା ନବଦ୍ୱୀପ ପୁରଦାଣ୍ଡର ମଣ୍ଡପ ଉପରେ ପରିକଳ୍ପନା କରାଯାଇଛି । ନାରାୟଣ ଦତ୍ତ ଓ କୃଷ୍ଣଦାସଙ୍କ କଥୋପକଥନ ତଥା ଚୈତନ୍ୟଦେବଙ୍କ ସଂକୀର୍ତ୍ତନ ପରେ ପ୍ରସ୍ତାବନାର ଶେଷ ହୋଇଛି । ଏହାପରେ ପ୍ରଥମ ଅଂକର ଆରମ୍ଭ । ଶ୍ରୀରାଧା ସଖୀ ଲଳିତା ଓ ବିଶାଖାଙ୍କ ସହିତ ରାତ୍ରୀରେ ଶ୍ରୀକୃଷ୍ଣଙ୍କୁ ଅପେକ୍ଷା କରିଛନ୍ତି କୁଞ୍ଜରେ । କିନ୍ତୁ କୃଷ୍ଣଙ୍କର ଦେଖାନାହିଁ-। କୃଷ୍ଣପ୍ରାଣା ରାଧାକୃଷ୍ଣଙ୍କୁ ଅପେକ୍ଷା କରି ଅଭିମାନରେ ଲଳିତା ଓ ବିଶାଖାକୁ କହିଛନ୍ତି-:

ଦେଖ, ଶ୍ୟାମ ପ୍ରେମରୀତିରେ

ନିକୁଞ୍ଜେ ଜଗାଇ

ନ ଆସିଲେ ସହୀ

ପାଇଲାଣି ଏବେ ରାତିରେ

ସମର୍ପି ଅନଙ୍ଗ

ବାଣକୁ ମୋ ଅଙ୍ଗ

ରହିଲେ କାହାରେ ମାତିରେ

କାହା ସ୍ନେହପାଶେ

ବନ୍ଧା ହୋଇଣ ସେ

ପାଶୋରିଲେ ମୋର ପ୍ରୀତିରେ

ଗନ୍ଧ ସୁମମାଳା

ପାନବୃଥା ହେଲା

ରାତି ହୋଇ ଶିବରାତିରେ

ମୋର ବେଶ ଶେଯ

ସଖୀ ବ୍ୟର୍ଥ ଆଜି

ଯେମନ୍ତେ ବନମାଳତୀରେ

(ଶ୍ରୀ ସଙ୍ଗୀତ ରାଧାମାଧବ ନାଟକ - ପୃ- ୧୯)

ରାଧାଙ୍କ ଉତ୍କଣ୍ଠାର ଅନ୍ତକରି ରାତ୍ରୀର ଶେଷ ପ୍ରହରରେ ଶ୍ରୀକୃଷ୍ଣ ଆସିଛନ୍ତି । କିନ୍ତୁ ନାରୀ ବେଶରେ । ଅଭିମାନରେ ରାଧା ଯେତେବେଳେ ଜିଜ୍ଞାସା କରିଛନ୍ତି କୃଷ୍ଣ କହିଛନ୍ତି :

ବାଳାମଣି ! ମୁଁ କରିନାହିଁ ଦୋଷ

ଅକାରଣେ କିଆଁ ବହିଛୁ ରୋଷ

ବୃଷଭାନୁ ତନୟା ହେଲେ ନିର୍ଦ୍ଦୟେ ହିଆ

ବିରହାନେଳ ମୁଁ ଗଲିଟି ନାଶ ବାଳା

ଗତ ରାତ୍ରେର ଆସୁଁ ତୁମ୍ଭ ପାଶ

ନିକୁଞ୍ଜ ପୁଞ୍ଜଗତେ ନୀଳବାସ

ସଖାଗଣକୁ ଛାଡ଼ି ଆସିଲି ମୁଁ ଦଉଡ଼ି

ହୋଇଣ ଶଙ୍କାପଙ୍କିଳମାନସ

(ଶ୍ରୀ ସଙ୍ଗୀତ ରାଧାମାଧବ ନାଟକ - ପୃ- ୨୪)

 

ଏହାପରେ ରାଧାକୃଷ୍ଣଙ୍କ ମଧ୍ୟରେ କଥୋପକଥନରେ ମାନ ଅଭିମାନ ଇତ୍ୟାଦି ପ୍ରକାଶ ପାଇଛି । ରାଧା କୃଷ୍ଣଙ୍କୁ ସନ୍ଦେହ କରିଛନ୍ତି । ଏବଂ ଶେଷରେ କୃଷ୍ଣ ରାଧାଙ୍କ ମାନଭଞ୍ଜନ କରିଛନ୍ତି ।

 

ଏହି ନାଟକର ସର୍ବମୋଟ ୫ଟି ଅଙ୍କ ରହିଛି । ନାଟକର ଚରିତ୍ରମାନଙ୍କ ସଂସ୍କୃତ ଭାଷା ତଥା ପଦ୍ୟଆକାରରେ ସଂଳାପ ପ୍ରୟୋଗ ଏହି ନାଟକର ଅନନ୍ୟ ବିଶେଷତ୍ୱ । ନାଟକଟିରେ ଗଦ୍ୟ ସଂଳାପ ଖୁବ୍‌ କମ୍‍ । ଗୀତ ଆକାରରେ ବ୍ୟବହୃତ ସଂଳାପଗୁଡ଼ିକ ବିଭିନ୍ନ ରାଗ ରାଗିଣୀ ଯୁକ୍ତ । ବିଶେଷ କରି ମଧ୍ୟଯୁଗୀୟ ଶୈଳୀରେ ଗୀତଗୁଡ଼ିକ ରଚିତ । ଅନୁପ୍ରାସ , ଯମକ, ସ୍ୱଭାବୋକ୍ତି ଭଳି ବହୁ ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରରେ ଗୀତଗୁଡ଼ିକ ରୁଦ୍ଧିମନ୍ତ । ବହୁ କଥିତ ଭାଷା ପ୍ରୟୋଗ ସାଙ୍ଗକୁ ଶିଷ୍ଟଭାଷାର ପ୍ରୟୋଗ ତଥା ‘ଜେଲ୍‌’ ଭଳି ବୈଦେଶିକ ଭାଷାର ପ୍ରୟୋଗ ମଧ୍ୟ ହୋଇଛି ଉକ୍ତନାଟକରେ । ସଙ୍ଗୀତର ପ୍ରୟୋଗ ବିନା ଉକ୍ତ ନାଟକର ଅଭିନୟ ପରିକଳ୍ପନା କରାଯାଇ ପାରିବ ନାହିଁ । ତେଣୁ ହିଁ ଉକ୍ତ ନାଟକର ନାମ ପୂର୍ବକୁ ସଙ୍ଗୀତ ଶବ୍ଦକୁ ଯୋଡ଼ି ଦିଆଯାଇଛି । ନାଟକ ଶେଷରେ ପୁରାଣ ଶୈଳୀରେ ‘ଇତିଶ୍ରୀ ଭାରଦ୍ୱାଜଗୋତ୍ର ପବିତ୍ର କରସ୍ୟ, ଶ୍ରୀଶଙ୍କର ବରଦିବାକର ବଂଶ କ୍ଷୀର ପାରାବାର ରାକାସୁଧାକରସ୍ୟ, ଶ୍ରୀ କୃଷ୍ଣଚନ୍ଦ୍ରଦେବନୃପବରସ୍ୟ, ପୁତ୍ତ୍ରେଣ ଶ୍ରୀବିକ୍ରମ ଦେବବର୍ମାଣା ବିରଚିତେ ଶ୍ରୀ ସଂଗୀତରାଧାମାଧବ ନାଟକେ ପଞ୍ଚମାଙ୍କଃ ॥’’ ଲିଖିତ ହୋଇଛି ।

ଏହି ନାଟକ ବହୁବାର ମଞ୍ଚରେ ଅଭିନୀତ ହେବା ସହ ଦର୍ଶକଙ୍କଦ୍ୱାରା ଆଦୃତ ହୋଇଛି-। ଏହି ନାଟକଟି ସମ୍ପର୍କରେ ବ୍ୟାସକବି ଫକୀରମୋହନ ତାଙ୍କ ‘ଉତ୍କଳ ଭ୍ରମଣ’ରେ ଲେଖିଛନ୍ତି :

ତୁମ୍ଭର କବିତ୍ୱ ରାଧାମାଧବ ନାଟକ,

ପଢ଼ି ଜ୍ଞାନକରେ ମୋର ଜୀବନ ସାର୍ଥକ ।

କବି ରାଧାନାଥ ମଧ୍ୟ ଉକ୍ତ ନାଟକର ଉଚ୍ଚକୋଟୀର ଶ୍ଲୋକ ସବୁକୁ ବାରମ୍ବାର ଆବୃତ୍ତି କରି ନାଟକର ଶ୍ରେଷ୍ଠତ୍ୱ ସମ୍ପର୍କରେ ଆଲୋଚନା କରୁଥିଲେ

ବିକ୍ରମଦେବଙ୍କ ଲିଖିତ ୨ୟ ନାଟକ ହେଉଛି ‘ବୁଦ୍ଧ ଚରିତ ନାଟକ’ । ବୌଦ୍ଧଧର୍ମ ଉପରେ ଆଧାରିତ ଏହି ନାଟକଟି ଗୀତିନାଟ୍ୟଧର୍ମୀ ୫ ଅଙ୍କ ବିଶିଷ୍ଟ । ଗୌତମଙ୍କ ଗୃହତ୍ୟାଗ, ସିଦ୍ଧିଲାଭ, ଧର୍ମପ୍ରଚାର ଇତ୍ୟାଦି ପ୍ରସଙ୍ଗକୁ ନେଇ ଉକ୍ତନାଟକର ବିଷୟବସ୍ତୁ ପରିକଳ୍ପନା କରାଯାଇଛି । ଏହା ପ୍ରାଚୀନ ଶୈଳୀରେ ଲିଖିତ । ‘ନାନ୍ଦୀ’ରୁ ନାଟକର ଆରମ୍ଭ । ସୂତ୍ରଧର ନାଟକାଧ୍ୟକ୍ଷ ଏବଂ ମାରୀଷ ନଟଭାବରେ ପରିଚିତ । ନାଟ୍ୟକାର ସୂତ୍ରଧର ମୁଖରେ ପରିଚୟ ଦେଇଛନ୍ତି :

ଭରଦ୍ୱାଜ ଗୋତ୍ର

 

ପବିତ୍ର ଚରିତ୍ର

 

କୃଷ୍ଣଚନ୍ଦ୍ର ଦେବ ସୁତ

 

ଶ୍ରୀବିକ୍ରମ ଦେବ

 

ବର୍ମାଧରାଧବ

 

ରଚିତ ବୁଦ୍ଧ ଚରିତ ।

 

(ରଚନାବଳି - ୧, ପୃ- ୪୦୮)

ଏହାପରେ ହେମନ୍ତ ଋତୁର ଏକ ସୁନ୍ଦର ବର୍ଣ୍ଣନା ଦେଇ ନାଟକର ଆରମ୍ଭ କରାଯାଇଛି-। ନାଟକର ପ୍ରଥମ ଅଙ୍କରୁ ହିଁ ନାଟ୍ୟକାର ଗୌତମଙ୍କୁ କରୁଣାର ପ୍ରତିମୂର୍ତ୍ତିଭାବରେ ଚିତ୍ରିତ କରିଛନ୍ତି-। ଉଦ୍ୟାନରେ ଭ୍ରମଣ କାଳରେ ଶରାହତ ହଂସକୁ ଦେଖି ବିଚଳିତ ହୋଇ ପଡ଼ିଛନ୍ତି ଗୌତମ । ସେ କହିଛନ୍ତି- “X X X କରୁଣାହୀନ ଜନଠାରୁ ବନର ବ୍ୟାଘ୍ର ଶ୍ରେଷ୍ଠତର । X X X’’

ଜୀବନ ଜନ୍ତୁର

ହରଣ ସୁକର

ଦୁଷ୍କର ଜୀବନଦାନ,

ସ୍ୱାର୍ଥପର ହୋଇ

ବିବେକହରାଇ

ନର ହେର ପରପ୍ରାଣ

ମଡ଼ା ପୋତା ସ୍ଥାନ

ଅଟେ ତ ଶ୍ମଶାନ

ନିଜଗର୍ଭେ ପୋତି ତାକୁ

ବାଧବକି ଧୀର

ପେଟ ଆପଣାର

ଶ୍ମଶାନ କରି ଦେବାକୁ ।’’

(ରଚନାବଳି - ୧ମ, ପୃ- ୪୧୩)

 

ନଗରରେ ଭ୍ରମଣ କାଳରେ ତିନୋଟି ଦୃଶ୍ୟ ଦେଖିଲା ପରେ ଜୀବନ ପ୍ରତି ଏକ ଭିନ୍ନ ଭାବସୃଷ୍ଟି ହୋଇଛି ଗୌତମଙ୍କର । ସଂସାର ତାଙ୍କୁ ଲାଗିଛି ଅନିତ୍ୟ । ତେଣୁ ସେ ସତ୍ୟର ଅନୁସନ୍ଧାନ ପାଇଁ ବାହାରିଛନ୍ତି । ଘରୁ ବାହାରିଥିବାବେଳେ ପୁଣି ରେ ସାଂସାରିକ ମୋହ ତାଙ୍କୁ ବାନ୍ଧିବାକୁ ଚେଷ୍ଟା କରିଛି । କିନ୍ତୁ ଗୌତମ ଅନୁଭବ କରିଛନ୍ତି :

 

କାହା ମାତା କିଏ

କାହା ପିତା କିଏ

କାସୁତ କିଏ ଜଗତେ,

କାହା ପତ୍ନୀ କିଏ

କାହା ପତି କିଏ

ଯାହାର ସେ ମାତ୍ର ସେତ ॥

 

କଠୋର ତପସ୍ୟା କରି ଶରୀରକୁ କଷ୍ଟ ଦେଇ ମଧ୍ୟ ଗୌତମ ତଥ୍ୟକୁ ହାସଲ କରିପାରିଲେ ନାହିଁ । ତେଣୁ ସେ ଅନୁଭବ କଲେ “ଏତିକି ମାତ୍ର ଜାଣିପାରିଲି ଯେ, ପାଠପଢ଼ିବାଦ୍ୱାରା କିମ୍ବା ତପ କରିବାଦ୍ୱାରା ତଥ୍ୟ ଜଣାଯାଏ ନାହିଁ, ତନୁର ଏବଂ ମନର କ୍ଲେଶ ସମ୍ଭବେ । ତଥ୍ୟ ଜାଣିବାକୁ ବାଞ୍ଛିଲେ, ଚଞ୍ଚଳ ମନକୁ ନିଶ୍ଚଳ କରିବାକୁ ହେବ । ବୁଦ୍ଧିଦ୍ୱାରା ମନସ୍ଥିର କରାଯାଇପାରେ । ମନସ୍ଥିରୀକୃତ ହେଲେ ତଥ୍ୟଜ୍ଞାତ ହେବ । ଅତଏବ କଠୋର ନିୟମ ପରିତ୍ୟାଗ କରି ମନକୁ ସୁସ୍ଥିରେ ଏବଂ ନିଶ୍ଚଳରେ ରଖ ତଥ୍ୟଥାନ୍ୱେଷଣ କରିବି । X X X ।’’ (ରଚନାବଳି - ୧ମ, ପୃ- ୪୩୦)

 

ଏହାପରେ ଗୌତମଙ୍କ ବୌଦ୍ଧତ୍ୱ ପ୍ରାପ୍ତ ହୋଇଛି । ଏବଂ ସେ ଏହି ଧର୍ମର ପ୍ରଚାର କରି ନିଜରାଜ୍ୟକୁ ଫେରି ପୁତ୍ର କନ୍ୟା ଓ ପତ୍ନୀଙ୍କୁ ଏହି ଧର୍ମରେ ଦୀକ୍ଷିତ କରିଛନ୍ତି । ସର୍ବମୋଟ ୧୬ ଗୋଟି ମୁଖ୍ୟଗୌଣ ଚରିତ୍ରକୁ ଆଧାର କରି ନାଟକର ବିଷୟବସ୍ତୁ ଉପସ୍ଥାପନା କରାଯାଇଛି । ବହୁଗ୍ରାମ୍ୟ ଶବ୍ଦର ସଫଳ ପ୍ରୟୋଗ ଏବଂ ଅନ୍ୟପକ୍ଷରେ ଆବଶ୍ୟକ ଅନୁଯାୟୀ ଗୀତଗୁଡ଼ିକର ସଂଯୋଜନା କରାଯାଇଛି ନାଟକଟିରେ । ବିଷୟ ବିନ୍ୟାସ, ରସ ଅବତାରଣା, ସଫଳ ସଂଳାପ ପ୍ରୟୋଗ, ଚରିତ୍ରଚିତ୍ରଣ ତଥା ସଙ୍ଗୀତ ବ୍ୟବହାରଦ୍ୱାରା ନାଟକଟି ସଫଳ କଳାକୃତିର ମର୍ଯ୍ୟାଦା ହାସଲ କରିପାରିଛି ।

 

ଉତ୍କଳ କୁନ୍ଦମାଳା’ ନାଟକ ବିକ୍ରମଦେବଙ୍କ ଅନ୍ୟତମ ଶ୍ରେଷ୍ଠ ନାଟକ । ଏହା ମୂଳତଃ ସଂସ୍କୃତ ଭାଷାରେ ଅରାରାଳପୁର ନିବାସୀ ମନୀଷୀ ଦିଙ୍‌ନାଗ କବିଙ୍କଦ୍ୱାରା ରଚିତ । ଏହାର ବିଷୟବସ୍ତୁ ରାମାୟଣାନ୍ତର୍ଗତ ଉତ୍ତରାକାଣ୍ଡକୁ ନେଇ ରଚିତ । ସୀତାଙ୍କଦ୍ୱାରା ଗୁନ୍ଥିତ କୁନ୍ଦଫୁଲ ମାଳାକୁ ଗଂଗାନଦୀରେ ଦେଖି ରାମଚନ୍ଦ୍ର ସୀତାଙ୍କ ସ୍ମୃତିରେ ମର୍ମାହତ ହୋଇପଡ଼ିବା ବିଷୟକୁ ନେଇ ଏହାର କଥାବସ୍ତୁ ପରିକଳ୍ପିତ । ନିଜେ ବିକ୍ରମଦେବ ନାଟକର ଭୂମିକାରେ କହିଛନ୍ତି “ଏ ନାଟକର ଇତିବୃତ୍ତ ରାମାୟଣାନ୍ତର୍ଗତୋତ୍ତରକାଣ୍ଡର ଚରିତ୍ର ହୋଇଥିଲେ ହେଁ, ସୀତାହସ୍ତରଚିତା କୁନ୍ଦମାଳା ଶ୍ରୀରାମରେ ପ୍ରଥମତଃ ଦର୍ଶିତା ହୋଇ ତନ୍ମାନସ କରୁଣାର୍ଦ୍ର କଲା କାରଣରୁ ଏହା ‘କୁନ୍ଦମାଳା’ ନାମରେ ଅଭିହିତ । ଏହା ଅଧୁନା ଉତ୍କଳୀକୃତା ହୋଇ ‘ଉତ୍କଳବୁନ୍ଦମାଳ’ ନାମରେ ଧାରଣ କଲା ।’’ (ରଚନାବଳି - ୧, ପୃ- ୪୩୯)

 

ନାଟକର ଆରମ୍ଭରେ ନାନ୍ଦୀ ଓ ସୂତ୍ରଧର ମାଧ୍ୟମରେ ବିଷୟବସ୍ତୁର ସୂଚନା ଦେବା ସହ ପ୍ରସ୍ତାବନାରେ ରାବଣପୁରୀରେ ବା ଯୋଗୁଁ ସୀତାଙ୍କ ନିର୍ବାସନ, ବାଲ୍ମୀକି ଆଶ୍ରମରେ ଆଶ୍ରୟ ଗ୍ରହଣ, ଲବକୁଶଙ୍କ ଜନ୍ମ ଏବଂ ଶେଷରେ ରାମଚନ୍ଦ୍ରଙ୍କ ସହ ମିଳନ ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି । ଛଅ ଅଙ୍କ ବିଶିଷ୍ଟ ଏହି ନାଟକର ଅନେକ ସ୍ଥଳରେ କ୍ଲିଷ୍ଟ ସଂଳାପ ସହ ଗୀତ ସଂଯୋଜିତ ହୋଇଛି । ଏ ନାଟକ ସମ୍ପର୍କରେ ନାଟ୍ୟକାର ନିଜେ କହନ୍ତି - “ଏ ନାଟକ ଏବଂ ଅନୁବାଦ ବିଧ ଉତ୍କଳେଦଶରେ ନୂତନ । ଏ ଅନୁବାଦ ବିବୁଧାନୁମୋଦିତ ହେବାଯାଏ ସମଞ୍ଜସ ବୋଲାଯାଇ ନ ପାରେ । ମୁଁ ମୁକ୍ତ କଣ୍ଠରେ ସ୍ୱୀକାର କରେ କି, ଏ ନାଟକର ଗୁଣ ଦିଙ୍ନାଗ କବିର, ଦୋଷ ମୋହର - ଏହା ନିଶ୍ଚୟ ।’’ (ବିକ୍ରମଦେବ ବର୍ମା - ଭୂମିକା, ଉତ୍କଳ କୁନ୍ଦମାଳ, ରଚନାବଳି - ୧ମ, ପୃ- ୪୪୦)

ନାଟକ ରଚନା ଓ ନାଟକ ମଞ୍ଚସ୍ଥ କରାଇବା ତଥା ଅଭିନୟ କରିବା ବ୍ୟତୀତ ନାଟକର ବିକାଶ ପାଇଁ ମଧ୍ୟ ତାଙ୍କର ଦାନ ଅତୁଳନୀୟ । ବିଶାଖପାଟଣର ଜଗନ୍‍ମିତ୍ର ହଲ, ଚଳଚ୍ଚିତ୍ର-ଭବନ--Andhra Cinetone ଏବଂ ରାଜମହେନ୍ଦ୍ରୀର The Vikram Hall ତାଙ୍କ ଉଦ୍ୟମର ଫଳମାତ୍ର । ସେହି ହଲଗୁଡ଼ିକରେ ବହୁ ଓଡ଼ିଆ ଓ ତେଲୁଗୁ ନାଟକ ମଞ୍ଚସ୍ଥ କରାଇଲେ ସେ । ନିଜେ ‘ଜୟେଦବ’ ଚଳଚ୍ଚିତ୍ରର ସଂଳାପ ଲେଖି ଉକ୍ତ ପ୍ରେକ୍ଷାଳୟଗୁଡ଼ିକରେ ପ୍ରଦର୍ଶିତ ମଧ୍ୟ କରାଇଲେ । ଏହା ବ୍ୟତୀତ ଏକ ନାଟ୍ୟଦଳ ଗଠନକରି ବିଭିନ୍ନ ନାଟକ ଏବଂ ରାମଲୀଳା ପ୍ରଭୃତି ଯାତ୍ରା ମଞ୍ଚସ୍ଥ କରି ନାଟକର ବିକାଶ ପାଇଁ ମନପ୍ରାଣ ଢାଳି ଦେଇଥିଲେ ।

ଅନୁବାଦକ ବିକ୍ରମଦେବ ବର୍ମା :

ଓଡ଼ିଆ ସାହିତ୍ୟର ଆଦ୍ୟ ଅନୁବାଦଙ୍କ ମଧ୍ୟରୁ ବିକ୍ରମଦେବ ବର୍ମା ଅନ୍ୟତମ । ସେ ତୁଳସୀ ଦାସଙ୍କ ରାମାୟଣ, ଭଗବତ ଗୀତା ମହାତ୍ମ୍ୟ, ଶଙ୍କାରାଚାର୍ଯ୍ୟଙ୍କ ‘ମୋହ ମୁଦ୍‌ଗରର ଅନୁବାଦ ଶ୍ରୀଗୋବିନ୍ଦ ମଞ୍ଜରିକାବଳୀ, ବାଣଭଟ୍ଟଙ୍କ କାଦମ୍ବରୀ - କାଦମ୍ବରୀ କଥାସାରଭାବରେ ଦିଙ୍ନାଗଙ୍କ କୁନ୍ଦମାଳା - ଉତ୍କଳ କୁନ୍ଦମାଳା ନାମରେ, ତୁଳସୀ ଦାସଙ୍କ ରାମଚରିତ ମାନସକୁ ଶ୍ରୀ ତୁଳସୀ ବିକ୍ରମ ରାମାୟଣ ଭାବରେ, ତଥା ଅନେକ ସ୍ତବ, ଶ୍ଲୋକ, ମନ୍ତ୍ର ଏବଂ ଗ୍ରୀକ୍‌ ପୁରାଣ କଥା ଇତ୍ୟାଦିର ସଫଳ ଅନୁବାଦକ ।

ବାଲ୍ମୀକି ରାମାୟଣକୁ ହିନ୍ଦୀ ଭାଷାରେ ସରଳ ସୁବୋଧ୍ୟ କରି ରଚନା କରିଥିଲେ ତୁଳସୀ ଦାସ । ଯାହାକି, ବହୁ ଲୋକପ୍ରିୟତା ହାସଲ କରିଛି । କିନ୍ତୁ ତୁଳସୀ ଦାସଙ୍କ ଉକ୍ତ କୃତିକୁ କେହି ଓଡ଼ିଆରେ ଅନୁବାଦ କରି ନ ଥିଲେ । ବିକ୍ରମଦେବ ତୁଳସୀ ଦାସଙ୍କ ଉକ୍ତ କୃତିକୁ ଅନୁବାଦ କରି ଜନାଦୃତ ହେଉବୋଲି ଭଗବାନଙ୍କୁ କାବ୍ୟ ଆରମ୍ଭରେ ପ୍ରାର୍ଥନା କରି କହିଛନ୍ତି :

“ଅପର ବାଲ୍ମୀକି - ଶ୍ରୀ ତୁଳସୀ ଦାସ କୃତ ।

ରାମାୟଣ ହିନ୍ଦିରେ ହୋଇଛି ପ୍ରକାଶିତ ॥

ମୋର ପୂର୍ବ ଭାଗ୍ୟରୁ ଉତ୍କଳ କବିବରେ ।

ତା’ର ଅନୁବାଦ କରିନାହାନ୍ତି ସାଦରେ ॥

ତଦନୁବାଦ ମୁଁ କରି ସରଳ ଭାଷାରେ ।

ତୋ ପଦ-ପଙ୍କେଜ ସମର୍ପିବାକୁ ବିଚାରେଁ ॥

ହେ କୃପାସାଗର ମୋ ଏ ବାଞ୍ଛା ପୂର୍ଣ୍ଣକର ।

ମୋର ଅନୁବାଦ ପାଉ ସର୍ବଜନାଦର ॥

(ରଚନାବଳି- ୧ମ ଭାଗ - ପୃ- ୧୧୭)

 

ଏହି କୃତିଟିରେ ତୁଳସୀଦାସଙ୍କ ରାମାୟଣର ଆଦ୍ୟକାଣ୍ଡକୁ ଓଡ଼ିଆ ଭାଷାରେ ଅତି ସରଳ ଭାଷାରେ ଅନୁବାଦ କରିଛନ୍ତି ଶ୍ରୀ ବିକ୍ରମଦେବ । ତୁଳସୀ ଦାସଙ୍କ ବିରଚିତ ରାମାୟଣକୁ ବିକ୍ରମଦେବ ଅନୁବାଦ କରିବା ଯୋଗୁଁ ଏହାର ନାମ ‘ତୁଳସୀ ବିକ୍ରମ ରାମାୟଣ’ ବୋଲି ନାମିତ କରାଯାଇଛି । ଏହା ରଚନାବଳି ପ୍ରଥମ ଭାଗରେ ସ୍ଥାନୀତ ହୋଇ ଏକ ଶହରୁ ଅଧିକ ପୃଷ୍ଠା ଅଧିକାର କରିଛି । ସର୍ବମୋଟ ୨୭୧୮ ପଦ ମଧ୍ୟରେ ରଚିତ ଏହି ରାମାୟଣରେ ରାମ ଅବତାରର ମହତ୍ତ୍ୱ କଥା ବର୍ଣ୍ଣତ । ସ୍ୱୟଂ ଶିବ ମଧ୍ୟ କିପରି ରାମଙ୍କୁ ଧ୍ୟାନ କରନ୍ତି ସେ କଥା ମଧ୍ୟ ବର୍ଣ୍ଣନା କରାଯାଇଛି । କୃତିଟିର ସରଳତା ସମ୍ପର୍କରେ କବି ‘ବିଜ୍ଞାପନ’ରେ କହିଛନ୍ତି :

 

ତୁଳସୀ - ବିକ୍ରମ ସଂଜ୍ଞାରେ, ସରଳ ଓଡ଼ିଆ ଭାଷାରେ ।

ତୁଳସୀ ଦାସ ରାମାୟଣ, ଅନୁବାଦକୁ ମୁଁ ରଚନ

(ରଚନାବଳି- ୧ମ ଭାଗ - ପୃ- ୧୧୬)

 

କବି ବିକ୍ରମଦେବ ଶଙ୍କରାଚାର୍ଯ୍ୟଙ୍କ ‘ମୋହ ମୁଦ୍‌ଗର’ ପୁସ୍ତକକୁ ଶ୍ରୀ ଗୋବିନ୍ଦ ମଞ୍ଜରିକା ବଳୀ ନାମରେ ଅନୁବାଦ କରିଛନ୍ତି । ମୂଳଗ୍ରନ୍ଥର ନିଚ୍ଛକ ଅନୁବାଦ କରି କବି ମୋହଗ୍ରସ୍ତ ମାନବକୁ ଉଚିତ ରାସ୍ତା ଦେଖାଇଛନ୍ତି । ସଂସାରର ଅସାରତା ସମ୍ପର୍କରେ ସଚେତନ କରାଯାଇଛି ଉକ୍ତ ପୁସ୍ତକରେ । ପ୍ରଥମେ ମୂଳ ଶ୍ଲୋକ ଉପସ୍ଥାପନ କରି ପରେ ତା’ର ଓଡ଼ିଆ ପଦ୍ୟାନୁବାଦ କରାଯାଇଛି । ଯଥା :

 

ନଳିନୀ ଦଳଗତ ଜଳମତି ତରଳଂ ତାବତ୍‌ ଜୀବନ ମତିଶୟ ଚପଳଂ

ବିଧ ବ୍ୟାଧ୍ୟଭିମାନ ଗ୍ରସ୍ତଂ ଲୋକଂ ଶୋକ ହତଞ୍ଚ ସମସ୍ତଂ ॥

 

ଓଡ଼ିଆ ଅନୁବାଦ :

 

ନଳିନୀ ଜଳଗତ ନୀର ଅନିଶ୍ଚଳ ।

ସେପରି ଜନ୍ତୁର ଜୀବନ ଚଞ୍ଚଳ ॥

 

ରୋଗେ ଅଭିମାନେ ଜଗ ଆବୃତ ।

ସବୁ ଶୋକାହତ ବୋଲି ତୁ ଜାଣତ ॥

(ରଚନାବଳି- ୧ମ ଭାଗ - ପୃ- ୩୧୫)

 

ମାତ୍ର ୧୮ ଗୋଟି ପଦରେ ବିକ୍ରମଦେବ ‘ଈଶାବାସୋପନିଷଦ’ର ଅନୁବାଦ କରିଛନ୍ତି । ଅନୁବାଦରେ ସରଳ ଓ ସାବଲୀଳତା ଯୋଗୁଁ ଏହା ବହୁ ଜନାଦୃତ । ଦେଖନ୍ତୁ :

 

ଈଶାବାସମିଦଂ ସର୍ବଂ ଯତ୍କିଂଚ ଜଗତ୍ୟାଂ ଜଗତ୍‌ ।

ତେନ ତ୍ୟେକ୍ତନ ଭୁଞ୍ଜିଥା ମାଗୃଧଃକସ୍ୟ ସିମନମ୍‍ ॥

 

ଓଡ଼ିଆ ଅନୁବାଦ :

 

ସର୍ବଦ୍ରବ୍ୟ ଏଜଗତର ।

ଈଶ୍ୱରମୟଟି ନିକର ॥

ତେଣୁ କାହରେ ସକ୍ତି ନୋହି ।

ଜୀବନ ଯାପ ସୁଖୀ ହୋଇ ॥

ପର ସମ୍ପତ୍ତି ସଙ୍ଗ୍ରହଣ ।

କେଣ ନବଳାଅ ମନ ॥

(ରଚନାବଳି- ୨ୟ ଭାଗ - ପୃ- ୬୬)

 

ଏହା ବ୍ୟତୀତ ଅନେକ ଶ୍ଲୋକ ନୀତିବାକ୍ୟ ସ୍ତବ ଇତ୍ୟାଦି ସଂସ୍କୃତ ଶ୍ଲୋକଗୁଡ଼ିକୁ ଓଡ଼ିଆରେ ଅନୁବାଦ କରିଛନ୍ତି ବିକ୍ରମଦେବ ବର୍ମା । ଜ୍ୟୋତିଷ ଶାସ୍ତ୍ରରେ ପାରଦର୍ଶିତା ହାସଲ କରିବା ବିକ୍ରମଦେବ ଆର୍ଯ୍ୟଭଟ୍ଟଙ୍କର କେତେକ ଶ୍ଲୋକର ଓଡ଼ିଆ ଅନୁବାଦ ମଧ୍ୟ କରିଛନ୍ତି ।

 

କେବଳ କାବ୍ୟକବିତା, ଶ୍ଲୋକ, ସ୍ତବ, ନୀତିବାକ୍ୟ ଇତ୍ୟାଦି ନୁହେଁ ନାଟକ ଓ ବିଭିନ୍ନ ଦେଶ ଏବଂ ଭାଷାର କାହାଣୀ ଅନୁବାଦ କରିବାରେ ସେ ପାରଦର୍ଶିତା ଦେଖାଇଛନ୍ତି । ସଂସ୍କୃତ ଭାଷାର ଦିଙ୍ନାଗ କବିଙ୍କ ‘କୁନ୍ଦମାଳା’ ନାଟକର ଉତ୍କଳାନୁବାଦ କରି ‘ଉତ୍କଳ କୁନ୍ଦମାଳା’ ନାମରେ ଅନୁବାଦ କରିଛନ୍ତି । ପୁଣି ‘କାଦମ୍ବରୀ କଥାସାର’ ସଂସ୍କୃତ କବି ବାଣଭଟ୍ଟଙ୍କ କାଦମ୍ବରୀ ମହାକାବ୍ୟର ସଂକ୍ଷିପ୍ତ ଗଦ୍ୟାନୁବାଦ । ‘ଚନ୍ଦ୍ରହାସ ଚରିତ’ ପୁରାଣର ବିଷୟା ଚନ୍ଦ୍ରାହାସର ବିବାହ କାହାଣୀର ଗଦ୍ୟରୂପ ମାତ୍ର । ‘ଗ୍ରୀକ୍‌ ପୁରାଣ କଥା’ରେ ଗ୍ରୀକ୍‌ ଦେଶର ରତି ଓ ମଦନଙ୍କର କାହାଣୀର ଭାବାନୁବାଦ କରାଯାଇଛି । ଏସବୁର ବିସ୍ତୃତ ଆଲୋଚନା ପୂର୍ବ ଅଧ୍ୟାୟମାନଙ୍କ କରାଯାଇଛି ।

 

ବିକ୍ରମଦେବ ମୂଳଗ୍ରନ୍ଥର ଭାବକୁ ସମ୍ପୂର୍ଣ୍ଣରୂପେ ଅକ୍ଷତ ରଖି ଅତି ସରଳ ତଥା ସୁବୋଧ୍ୟ ଭାଷାରେ ସେ ସବୁକୁ ଅନୁବାଦ କରିଛନ୍ତି । ତାଙ୍କ ଲେଖନୀର ସ୍ପର୍ଶରେ ଉକ୍ତ ଅନୁବାଦ କୃତିଗୁଡ଼ିକ ମଧ୍ୟ ମୌଳିକ ସୃଷ୍ଟି ଭଳି ମନେ ହୋଇଥାଏ । ଏହା ହିଁ ତାଙ୍କ ଅନୁବାଦ କର୍ମର ବୈଶିଷ୍ଟ୍ୟ ।

 

ବିକ୍ରମଦେବଙ୍କ ଭାଷା ଓ ସାହିତ୍ୟ ଆଲୋଚନା : (ପତ୍ର, ମନ୍ତବ୍ୟ, ଅଭିଭାଷଣ ଏବଂ ଅନ୍ୟାନ୍ୟ)

 

ବିକ୍ରମଦେବ ତାଙ୍କ ପ୍ରବନ୍ଧଗୁଡ଼ିକୁ ଯୁକ୍ତିନିଷ୍ଠ, ନିର୍ଭୀକ ମତ ପ୍ରକାଶ ତଥା ଜ୍ୟୋତିଷ ଶାସ୍ତ୍ର ଏବଂ ଅଳଙ୍କାର ଶାସ୍ତ୍ରକୁ ନେଇ ଋଦ୍ଧିମନ୍ତ କରିଥିଲେ ସୁଦ୍ଧା ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ବନ୍ଧରେ ସ୍ୱତନ୍ତ୍ର ଆଲୋଚନା କରିବାକୁ ଭୁଲିନାହାନ୍ତି । ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ତାଙ୍କର ଯଥେଷ୍ଟ ପ୍ରବେଶ ଥିଲା । ସଂସ୍କୃତ ସାହିତ୍ୟ ତଥା ଅଳଂକାର ଶାସ୍ତ୍ରରେ ନିପୁଣ ବିକ୍ରମଦେବ ଓଡ଼ିଆ ଭାଷା ଓ ସାହିତ୍ୟ ମଧ୍ୟରେ ଲୁଚି ରହିବା ସାଧାରଣ ଭୁଲ୍‌ଭଟକାଗୁଡ଼ିକୁ ଅତି ସରଳ ତଥା ସୁନ୍ଦରଭାବେ ଯୁକ୍ତିର ସହ ସୁଧାରିବାକୁ ଚେଷ୍ଟା କରିଛନ୍ତି । ସେ ଭ୍ରମ/ଭୁଲ ଶବ୍ଦଗତ ହେଉ, ଭାଷାଗତ ହେଉ କିମ୍ବା ବାକ୍ୟତଥା ନିର୍ଦ୍ଦିଷ୍ଟ ବିଷୟରେ ହେଉ ସେ ସବୁକୁ ଭ୍ରମାତ୍ମକ ବୋଲି ଜଣାଇ ତାହାର ଶୁଦ୍ଧପାଠ ସୁଦ୍ଧା ନିର୍ଣ୍ଣୟ କରିଛନ୍ତି । ପୁନଶ୍ଚ ସେ ତାଙ୍କ ଭାଷଣଗୁଡ଼ିକରେ ଓଡ଼ିଆ ଜାତି, ଭାଷା ଓ ସଂସ୍କୃତିର ସ୍ୱରୂପ ଏବଂ ଅତୀତର ବୈଶିଷ୍ଟ୍ୟକୁ ସ୍ଥାନଦେଇ ଜନସାଧାରଣଙ୍କ ମଧ୍ୟରେ ଜାତୀୟତା ପ୍ରତିଦୃଷ୍ଟି ଆକର୍ଷଣ କରୁଥିଲେ । ସେଗୁଡ଼ିକର ସ୍ୱତନ୍ତ୍ର ଆଲୋଚନାର ଏକାନ୍ତ ପ୍ରୟୋଜନ ରହିଛି । ଏହା ଫଳରେ ତାଙ୍କ ଭାଷା ଓ ଜାତି ପ୍ରତି ବା ମମତ୍ୱବୋଧ ତଥା ପ୍ରତିଭାର ସମ୍ୟକ ପରିଚୟ ମିଳିପାରିବ-

 

ବିକ୍ରମଦେବ ଓଡ଼ିଆ ଭାଷାରେ ପ୍ରଚଳିତ କେତେକ ଶବ୍ଦକୁ ବ୍ୟବହାରଗତ ଭୁଲ ବୋଲି ଦର୍ଶାଇ ଅଶୁଦ୍ଧିର କାରଣ ମଧ୍ୟ ଦର୍ଶାଇଛନ୍ତି । ଉଦାହରଣସ୍ୱରୂପ ; “ଧର୍ମଘଟ ନା ଧର୍ମହଠ’’ରେ ସେ କହନ୍ତି, ଧର୍ମଘଟ ସମାସ ଅସମୀଚୀନ । କାରଣ ଘଟ ଶବ୍ଦର ଅର୍ଥ ହାଣ୍ଡି । ଅନ୍ୟପକ୍ଷରେ ‘ହଠ’ ଶବ୍ଦର ଅର୍ଥ ବଳତ୍କାର, ‘ଅଳି’ କିମ୍ବା ‘କଟଳା’ । ତେଣୁ ଧର୍ମଘଟ ନ ହୋଇ ଧର୍ମହଠଭାବେ ବ୍ୟବହୃତ ହେବା ଉଚିତ । ‘ସମ୍ମିଳନୀ’ ଶବ୍ଦ ସମ୍ବନ୍ଧରେ କହନ୍ତି ‘ସମ୍ମିଳନୀ’ ଅପଶବ୍ଦ, ତାକୁ ‘ସମ୍ମେଳନୀ’ ବୋଲିବା ସମୁଚିତ । ‘ଉତ୍କଳ ସମ୍ମିଳନୀ’ ବୋଲି ନାମକରଣ କଲା ପଣ୍ଡିତେ ଭୁଲ କରିଅଛନ୍ତି । “ପ୍ରେମାଦୋଧୀମତାମପି’’ । ଭ୍ରମର ସଂଶୋଧନ ଆବଶ୍ୟକ । ଅତଏବ ଏଣିକି ‘ଉତ୍କଳ ସମ୍ମେଳନୀ’ ବୋଲି ବ୍ୟବହାର କରିବା ସମଞ୍ଜସ ।’’ ଅନୁରୂପଭାବରେ ‘ନିର୍ମାଲ୍ୟ’ ପ୍ରବନ୍ଧରେ କହନ୍ତି : ‘ନିର୍ମାଲ୍ୟ’ ଶବ୍ଦର ପ୍ରକୃତ ଅର୍ଥ ପୂଜିତ ହେବା ପରେ ବିସର୍ଜିତ ହେବା ପୁଷ୍ପାଦି । କିନ୍ତୁ ପୁରୁଷୋତ୍ତମ କ୍ଷେତ୍ରରେ ଶୁଷ୍କା ପ୍ରସାଦକୁ ନିର୍ମାଲ୍ୟ କୁହାଯାଉଛି । କିନ୍ତୁ ଏହା ଠିକ୍‌ ନୁହେଁ, ‘ନିର୍ମାଲ୍ୟ’ ପଦ କଦାପି ଅଥାଦିରେ ବ୍ୟବହୃତ ହୋଇପାରେନା ।’’ ଏବଂ ପୁରୁଷୋତ୍ତମ କ୍ଷେତ୍ରରେ ବିକା ହେଉଥିବା ପଦାର୍ଥକୁ ‘ଅପ୍ରସାଦ’ କିମ୍ବା ‘ମହାପ୍ରସାଦ’ ବୋଲିବା ସମୁଚିତ ବୋଲି ମତ ଦିଅନ୍ତି । ପୁନଶ୍ଚ ‘ବିବରା’ ଶବ୍ଦ ଠିକ୍‌ ନୁହେଁ ବୋଲି ସେ ମତଦିଅନ୍ତି । ସାଧାରଣତଃ ‘ବାଳବିଧବା’ ପରିବର୍ତ୍ତେ ‘ବିବରା’ ଶବ୍ଦ ପ୍ରୟୋଗ କରାଯାଏ-। କିନ୍ତୁ ବିବରା ପରିବର୍ତ୍ତେ ବିଧବା କହିବା ହିଁ ଠିକ୍‌ ବୋଲି ଯୁକ୍ତିକରନ୍ତି ।

 

‘ମଧୁକଂରାତି’ରେ ଭ୍ରମରର ମଧୁକର ନାମ ମଧୁକେରାତି - ମଦ୍‌ଭକୁ କରଇ ବୋଲି ନିରୂପିତ କରାଯାଇଛି । କିନ୍ତୁ ସେ ମଦ୍‌ଭକୁ ନ କରି ତାକୁ ଗ୍ରହଣ ମାତ୍ର କରୁଥିବାରୁ ସେ ନିର୍ବାଚନ ସମୀଚୀନ ନୁହେଁ । ସ୍ୱାର୍ଥରେ ‘କ’ ପ୍ରତ୍ୟୟକରି ମଧୁଙ୍କରାତି ମଧୁଙ୍କ ଗୃହ୍ୟତି - ମଦ୍‌ଭକୁ ଗ୍ରହଣ କରଇ ବୋଲି ନିର୍ବଚାନ କରିବା ସମୀଚୀନ ।’’ (ରଚନାବଳି - ୨ୟ ଭାଗ, ପୃ- ୪୯) ‘ଗୁଣ୍ଡିଚା ସମ୍ବନ୍ଧରେ’ ପ୍ରବନ୍ଧରେ ପ୍ରାବନ୍ଧିକ ଗୋପୀନାଥ ନନ୍ଦଙ୍କ ଭାଷା ତଥ୍ୟରେ ଗୁଣ୍ଡିଚା ଶବ୍ଦ ସାଂସ୍କୃତିକ ଏବଂ ଇନ୍ଦ୍ରଦ୍ୟୁମ୍ନଙ୍କ ପତ୍ନୀକୁ ଅସ୍ୱୀକାର କରିଛନ୍ତି । ତାଙ୍କ ମତରେ ଶବରମାନେ ଗୁଣ୍ଡିଚି ମୂଷାକୁ ‘ଗୁଣ୍ଡିଜ୍‌ଅନ୍‌’ କହନ୍ତି । ଏହି ଅନ୍‌ ଶବର ଭାଷାର ପ୍ରମା ବିଭକ୍ତି ପ୍ରତ୍ୟୟ । ତେଣୁ ଗୁଣ୍ଡିଚା ଶବ୍ଦ ନ ହୋଇ ଶବର ଭାଷା ବିଭବ ହେବା ସମ୍ଭବପର ।

 

ବିକ୍ରମଦେବଙ୍କ ଅଳଙ୍କାର ଶାସ୍ତ୍ରରେ ଗଭୀର ପ୍ରବେଶ ଥିଲା । ତେଣୁ ତାଙ୍କର ରଚନାବଳି ସୁସ୍ଥ, ସଂସ୍କୃତ, ମାର୍ଜ୍ଜିତ ତଥା ପାଣ୍ଡିତ୍ୟପୂର୍ଣ୍ଣ । ଏହାର ପ୍ରମାଣ ମିଳେ ତାଙ୍କର କେତୋଟି ଅଳଙ୍କାର ଏବଂ ବ୍ୟାକରଣ ଉପରେ ଆଧାରିତ ପ୍ରବନ୍ଧରୁ । ଉଦହରଣସ୍ୱରୂପ, ‘ରୂପକର ନାୟିକା ନାୟକାଦି ବିବରଣ’ । ଏହା ଏକ ଦୀର୍ଘ ପ୍ରବନ୍ଧ । ଏଥିରେ ସେ ନାୟକ ନାୟିକାଙ୍କର ବିଭିନ୍ନ ଭେଦର ବିବରଣୀ ପ୍ରଦାନ କରି କହନ୍ତି, ନାୟିକା ସ୍ୱକୀୟା (ସ୍ୱପତ୍ନୀ), ପରକୀୟା (ପରର ପତ୍ନୀ କିମ୍ବା ପୁତ୍ରୀ), ସାମାନ୍ୟ (ଯିଏ ସ୍ୱତନ୍ତ୍ର ଜୀବନଯାପନ କରେ) ଭେଦରେ ତ୍ରିବିଧ । ପୁନଶ୍ଚ ଏମାନେ ମୁଗ୍ଧଥା (ବାଳା), ପ୍ରୌଢ଼ା (ଯୁବତୀ), ପ୍ରଗଳ୍‌ଭା (ଯୌବନାତୀତା) ଭେଦରେ ମଧ୍ୟ ତିନିପ୍ରକାର । ଅବସ୍ଥା ଭେଦରେ ଏମାନେ ଆଠ ପ୍ରକାର । ଯଥା : ସ୍ୱାଧୀନପତିକା, ବାସକ ସଜ୍ଜିକା, ବିରହୋତ୍କିତା, ଖଣ୍ଡିତା, କଳହାନ୍ତରିତା, ବିପ୍ରଲବ୍ଧା, ପ୍ରୋଷିତଭତ୍ତିକା ଏବଂ ଅଭିସାରିକା । ଏହିପରି ନାୟିକା ପ୍ରକରଣ ଅଳଙ୍କାର ଶାସ୍ତ୍ର ମାନଙ୍କରେ ମଧ୍ୟ ଦେଖାଯାଏ । କିନ୍ତୁ ବିକ୍ରମଦେବ ତାଙ୍କ ପ୍ରବନ୍ଧରେ ନାୟିକା ପ୍ରକରଣ ସ୍ୱକୀୟ, ମୌଳିକ ଏବଂ ସଂକ୍ଷିପ୍ତ ବର୍ଣ୍ଣନା ପ୍ରଦାନ କରିଛନ୍ତି । ନାୟିକାର ସାହାଯ୍ୟକାରିଣୀକୁ ସଖୀ, ଚେଟୀ (ଦାସୀ) ବୋଲି ଉଲ୍ଲେଖ କରିଛନ୍ତି । ତତ୍ପରେ ଚତୁର୍ବିଧ ନାୟକର ବର୍ଣ୍ଣନା ଦିଆଯାଇଛି । ଯଥା : ଧୀରୋଦାତ୍ତ - ରାମଚନ୍ଦ୍ର, ଧୀରଲଳିତ - ଶ୍ରୀକୃଷ୍ଣ, ଧୀରଶାନ୍ତ - ଜନକ ଏବଂ ଧୀରୋମତ - ରାବଣ । ନାୟକର ସାହାଯ୍ୟକାରୀଙ୍କୁ ପୀଠମର୍ଦ, ବିଦୁଷକ, ବିଟ, ଚେଟଭାବରେ ବିଭକ୍ତ କରିଛନ୍ତି । ପରେ ପରେ ନାୟିକାର ୧୨ ଚେଷ୍ଟାବଳୀ; ଯଥା-- ହାବ, ଭାବ, ହେଳା, ଲୀଳା, ବିଳାସ, ବିଚ୍ଛିତ୍ତି, ବିଭ୍ରମ, କିଳକିଞ୍ଚତ, ମୋଟ୍ଟାୟିତ, କୁଟ୍ଟମିତ, ବିକୃତ ଓ ଲଳିତ ବିଷୟରେ ସୂଚନା ଦିଆଯାଇଛି ।

 

‘ତ୍ରୟୋବିଂଶତ୍ୟଳଙ୍କାରୋଦାରହରଣଗଣ’ରେ ସେ ୨୩ ପ୍ରକାର ଅଳଙ୍କାର ସମ୍ପର୍କରେ ଆଲୋଚନା କରିଛନ୍ତି । ସେଗୁଡ଼ିକ ହେଲା : ଉପମା, ରୂପକ, ଉପେମୟୋପମା, ଅନନ୍ୱୟ, ପ୍ରତୀପ, ସ୍ମରଣ, ସସନ୍ଦେହ, ଭ୍ରାନ୍ତିମନ୍ତ, ଉତ୍‌ପ୍ରେକ୍ଷା, ଅପହ୍ନୁତି, ଉଲ୍ଲେଖ, ଦୀପକ, ସହୋକ୍ତି, ଦୃଷ୍ଟାନ୍ତ, ଅପ୍ରସ୍ତୁତ ପ୍ରଶଂସା, ବ୍ୟତିରକେ ପ୍ରତ୍ୟନୀକ, ପରିଣାମ, ପ୍ରତିବସ୍ତୁପମା, ପରିକର, ପର୍ଯ୍ୟାୟୋକ୍ତ, ମୁଗଷେଣ ଓ ରମ୍ଭୋରୁ । ଅତି ଛୋଟ ଛୋଟ ଉଦାହରଣ ମାଧ୍ୟମରେ ସେଗୁଡ଼ିକର ଉପସ୍ଥାପନା ବେଶ୍‌ ମନଛୁଆଁ ହୋଇପାରିଛି । ଯଥା :

 

ଉପମା : ସୁନ୍ଦରୀ ! ଚନ୍ଦ୍ରପରି ତୋ ମୁଖ ମନୋହର ।

ରୂପକ : ତୋ ମୁଖଚନ୍ଦ୍ରର ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ ।

ଉତ୍‌ପ୍ରେକ୍ଷା : ତୋ ମୁଖ ନିଶ୍ଚୟରେ ଚନ୍ଦ୍ରମଣ୍ଡଳ । ଇତ୍ୟାଦି ।

 

କାବ୍ୟ ପରି ରୂପକ ନୀତିବୋଧକ । ତାହା ବିବିଧ ରସ ଏବଂ ବିନୋଦ ଦର୍ଶାଇ ଦର୍ଶକଙ୍କ ଚିତ୍ତାକର୍ଷଣ କରି ନୀତିକି ଶିଖାଏ’’ ବୋଲି ‘ରୂପକର ଭାବାଦି’ ପ୍ରବନ୍ଧର ପ୍ରାରମ୍ଭରେ ବିକ୍ରମଦେବ କହନ୍ତି । ଏଥିରେ ଭାବ ଦ୍ୱିବିଧ, ଯଥା : ସ୍ଥାୟୀ ଭାବ ଓ ବ୍ୟଭିଚାରୀଭାବ ବୋଲି ଉଲ୍ଲେଖ କରି ନଅପ୍ରକାର ସ୍ଥାୟୀଭାବ (ଯଥା : ରତି, ହାସ, ଶୋକ, କ୍ରୋଧ, ଉତ୍ସାହ, ଭୟ, ଜୁଗୁପ୍‌ସା, ବିସ୍ମୟ ଓ ଶାନ୍ତ) ଏବଂ ୩୩ ପ୍ରକାର ବ୍ୟଭିଚାରଭାବ (ଯଥା : ନିର୍ବେଦ, ଗ୍ଳାନି, ଶଙ୍କା, ଅସୂୟା, ମଦ, ଶ୍ରମ, ଆଳସ୍ୟ, ଦୈନ୍ୟ, ଚିନ୍ତା, ମୋହ, ସ୍ମୃତି, ଧୃତି, ବ୍ରୀଡ଼ା, ଚପଳତା, ହର୍ଷ, ଆବେଗ, ଜଡ଼ତା, ଗର୍ବ, ବିଷାଦ, ଔତ୍ସୁକ୍ୟ, ନିଦ୍ରା, ଅପସ୍ମାର, ସୁପ୍ତି, ବିବୋଧ, ଅମର୍ଷ, ଅବହିତ୍‌, ଉଗ୍ରତା, ମତି, ବ୍ୟାଧ, ଉନ୍ମାଦ, ମରଣ, ତ୍ରାସ ଓ ବିତର୍କ)ର ବର୍ଣ୍ଣନା କରି ସେମାନଙ୍କ ଅର୍ଥ ପ୍ରଦାନ କରିଛନ୍ତି । ପୁନଶ୍ଚ ବ୍ୟଭିଚାରୀ ଭାବଙ୍କ ଉପଭାବ ସଂଖ୍ୟା ଅନେକ ଏବଂ ସ୍ଥାୟୀଭାବ, ବ୍ୟଭିଚାରୀଭାବ ଦ୍ୱୟ ବିଭାବ, ଅନୁଭାବ ଏବଂ ସାତ୍ତ୍ୱିକଭାବ - ଏଇ ତିନିଭାଗରେ ବିଭକ୍ତ ବୋଲି ମଧ୍ୟ ଉଲ୍ଳେଖ କରିଛନ୍ତି-

 

‘ଅବର୍ଗ୍ୟବକାର ବିଚାର’ରେ ‘ଓଡ଼ିଆମାନେ ବବେୟୋର ଭେଦଃ’ ସୂତ୍ରକୁ ଅନୁସରଣକରି ବର୍ଗ୍ୟବକାର ପରି ଉଚ୍ଚାରଣ କରୁଥିବା ଯୋଗୁଁ ଅବର୍ଗ୍ୟ ‘ବ’ର ସ୍ୱତନ୍ତ୍ରରୂପଭେଦ ରହିନାହିଁ ; କିନ୍ତୁ ସେ ଅକ୍ଷରଟି ତା’ ନିଜ ସ୍ଥାନରୁ ଏପଟ ସେପଟ ନ ହୋଇ ସେମିତି ଅଛି ବୋଲି କହି ତା’ର ପ୍ରତ୍ୟେକ ରୂପ ଓଡ଼ିଆରେ ନଥିବାରୁ ଓଡ଼ିଆମାନେ ବାଧ୍ୟ ହୋଇ ଭି:ପି:ପି, ଭୋଟ, ଗଭର୍ଣ୍ଣର ବୋଲି ଲେଖନ୍ତି ଏବଂ ଉଚ୍ଚାରଣବେଳେ ଉକାରୋଚ୍ଚାରଣ କରନ୍ତି । ତେଣୁ ତା’ର ସ୍ୱରୂପ ଏବଂ ସଂଯୁକ୍ତ ରୂପ ଓଡ଼ିଆ ଭାଷାରେ ବା ଅତ୍ୟାବଶ୍ୟକ ବୋଲି ସେ ମତଦିଅନ୍ତି ।

 

‘ସମାସଗୁଚ୍ଛ’ ୧୫ ପୃଷ୍ଠାରେ ଲିଖିତ ଏକ ଦୀର୍ଘ ପ୍ରବନ୍ଧ । ଏଥିରେ ସମାସର ଅର୍ଥ ଏବଂ ଛଅପ୍ରକାର ସମାସର ବିଶେଷ ବିବରଣୀ ପ୍ରଦାନ କରାଯାଇଛି । ପୁନଶ୍ଚ ଏଇ ଛଅପ୍ରକାର ସମାସର ବିଭିନ୍ନ ବିଭକ୍ତି ସମ୍ପର୍କରେ ସେ ଆଲୋଚନା କରିଛନ୍ତି । ସମାସଗୁଡ଼ିକର ସଂଜ୍ଞା, ସ୍ୱରୂପ ଏବଂ ଉଦାହରଣ କ୍ଷୁଦ୍ର କ୍ଷୁଦ୍ର ପଦ୍ୟ ମାଧ୍ୟମରେ ସରଳ ଓ ସାବଲୀଳଭାବେ ବର୍ଣ୍ଣନା କରାଯାଇଛି । ଏହି ପ୍ରବନ୍ଧର ମୁଖ୍ୟ ବୈଶିଷ୍ଟ୍ୟ ହେଲା ଏହାର ଆରମ୍ଭରେ ମହାକାବ୍ୟ ଭଳି ଆଶୀନମସ୍କ୍ରିୟା ଶ୍ଲୋକ ଅଛି ଏବଂ ଶେଷରେ ସମାସବୃତ୍ତ ନାମକ ଏକ ପଦ୍ୟ ପୁରାଣମାନଙ୍କର ଅଧ୍ୟାୟେଶଷେର ଯେପରି କୁହାଯାଇଥାଏ ସେହିପରି କୃଷ୍ଣଙ୍କୁ ବନ୍ଦନା କରି କୁହାଯାଇଛି :

 

ତୁମ୍ଭ କୃପାରୁ ଓଡ଼ିଆରେ ।

ସମାସସୁମଗୁଚ୍ଛାଖ୍ୟାରେ ॥

ସମାସଗଣଙ୍କୁ ରଚିଲି ।

ତୁମ୍ଭ ଚରଣେ ସମର୍ପିଲି ॥

ଏହି ସମାସସୁମ ଗୁଚ୍ଛ ।

ଛାତ୍ରଙ୍କ ଜ୍ଞାନ କରୁ ସ୍ୱଚ୍ଛ ॥

ଏମନ୍ତ ଭାଷିଲା ସୁକର୍ମା ।

ଶ୍ରୀ ଶ୍ରୀ ବିକ୍ରମ ଦେବବର୍ମା ॥

 

ଏହିଭଳି ସମାପ୍ତି ବୋଧହୁଏ ଓଡ଼ିଆ ସାହିତ୍ୟର ଅନ୍ୟକୌଣସି ସ୍ରଷ୍ଟା କରିବା ମନେହୁଏ ନାହିଁ । ଓଡ଼ିଆ ସାହିତ୍ୟରେ ଏହା ଏକ ବ୍ୟତିକ୍ରମ ।

 

ବିକ୍ରମଦେବ ଗଳ୍ପ, ନାଟକ, କବିତା ତଥା ଅନୁବାଦର ଜଣେ ସଫଳ ସ୍ରଷ୍ଟା । ତାଙ୍କ ସୃଷ୍ଟିଗୁଡ଼ିକ ନୀତି, ଆଦର୍ଶ ଉପରେ ଆଧାରିତ । ସୃଷ୍ଟିକର୍ମ ଭିତରେ ଅନାଦର୍ଶ - ଦୁର୍ନୀତିର ସ୍ଥାନ ମୋଟେ ରହିବା ଉଚିତ ନୁହେଁ ବୋଲି ତାଙ୍କର ଧାରଣା ଥିଲା । ଏହି ଧାରଣାର ସୂଚନା ମିଳେ ତାଙ୍କ ‘ବର୍ତ୍ତମାନର ଗଳ୍ପ ଲେଖାର ନୀତି ନାହିଁ’ ପ୍ରବନ୍ଧରୁ । “ଏବ ଗଳ୍ପମାନ କେଉଁ ଉଦ୍ଦେଶ୍ୟରେ ବାହାରୁଅଛନ୍ତି ଏବଂ କେଉଁ ଉପକାର କରୁଅଛନ୍ତି; ତାହା ସୁବିଦିତ’’ ପ୍ରବନ୍ଧର ଆରମ୍ଭ ଏହିପରି । ସେ କହନ୍ତି ପ୍ରାଚୀନ ଚରିତ ତଥା ଗଳ୍ପମାନଙ୍କରେ କିଛି ନା କିଛି ନୀତି, ଉପଦେଶ ରହୁଥିଲା । କିନ୍ତୁ ବର୍ତ୍ତମାନର ଗଳ୍ପମାନଙ୍କର ଆମୂଳଚୂଳ ଖୋଜି ବସିଲେ ବି ନୀତିର କୌଣସି ଚିହ୍ନ ନାହିଁ । ଖାଲି ଦୁର୍ନୀତି ହିଁ ଭରି ରହିଅଛି । ପୁନଶ୍ଚ ଅନ୍ୟ ଏକ ଦିଗ ପ୍ରତି ଦୃଷ୍ଟିଦେଇ ସେ କହନ୍ତି “ପ୍ରଧାନତଃ ଏବ ଗଳ୍ପମାନଙ୍କ ନାୟିକା ନାୟକେ ‘ଭଉଣୀଭାଇ’ରୂପେ ଅବତରି ପରିଶେଷରେ ‘ମାଇପ ଘଇତା’ ହୁଅନ୍ତି ।’’ (ରଚନାବଳି - ୨ୟ ଭାଗ, ପୃ- ୮୪ ) ଏହାକୁ ସେ ସହଜରେ ଗ୍ରହଣ କରିପାରିନାହାନ୍ତି-। ଏବଂ ନୀତିକଳିତ ଓ ରମଣୀୟାରମ୍ଭୋପସଂହାର ଯୁତ ଚରିତମାନ / ଗଳ୍ପମାନ ପ୍ରକାଶ କରିବା ପାଇଁ ଆଶାପୋଷଣ କରିଛନ୍ତି ।

 

ଗଳ୍ପକଳା ସମ୍ପର୍କରେ ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ପ୍ରବନ୍ଧ ହେଉଛି ‘କଥା ନିୟମ’ । ରଚନା ଭଲ ହୋଇଥିଲେ ଭଲ, ମନ୍ଦ ହୋଇଥିଲେ ମନ୍ଦବୋଲି ଆଲୋଚନା କରିବା ପ୍ରକୃତ ସମାଲୋଚକର ଧର୍ମ । ପ୍ରକୃତ ସମାଲୋଚକ କାହାକୁ କୁହାଯିବା ଉଚିତ ସେ ସମ୍ବନ୍ଧରେ ତାଙ୍କ ମତ ହେଲା, - “ପଣ୍ଡିତ ସମାଲୋଚକ ମାତ୍ର ପ୍ରକୃତ ସମାଲୋଚକ । ସେପରି ସମାଲୋଚକର ସମାଲୋଚନା ମାତ୍ର ସାହିତ୍ୟର ମଙ୍ଗଳକାରକ । ସମାଲୋଚନାକରଣ ଆମ୍ଭ ପଣ୍ଡିତଙ୍କର ମଧ୍ୟ ଅଗୋଚର । ତାକୁ ଆଙ୍ଗ୍ଲୋ ପଣ୍ଡିତଙ୍କଠାରୁ ଶିଖିବା ସମୁଚିତ । ସମାଲୋଚନାରେ ଗୁଣ ଏବଂ ଦୋଷ ବିଶଦରୂପେ କଥିତ ହେବା ନ୍ୟାଯ୍ୟ ।’’ (ରଚନାବଳି - ୨ୟ ଭାଗ, ପୃ- ୯୩) ବର୍ତ୍ତମାନ ଭାଷାଜ୍ଞାନ ନ ଥାଇ କିପରି ବର୍ଷାଦିନରେ ଛତୁ ଫୁଟିଲା ପରି କବିମାନେ ଫୁଟିଉଠୁଛନ୍ତି ଏବଂ ସେମାନଙ୍କର ଭାଷା ମଧ୍ୟ କିପରି ନିୟମଶୂନ୍ୟ ତାହା ସମ୍ପର୍କରେ ପ୍ରାବନ୍ଧିକ ଆକ୍ଷେପ କରିଛନ୍ତି । ପୁନଶ୍ଚ ନୂତନ ଛନ୍ଦମାନଙ୍କରେ ପଦ୍ୟ ରଚନା କରିବା ନିଷିଦ୍ଧ ନୁହେଁ; କିନ୍ତୁ ତାହା କର୍ଣ୍ଣପ୍ରିୟ ହେବା ନିତାନ୍ତ ଅବଶ୍ୟକ ବୋଲି ତାଙ୍କ ମତ । କଥା କିପରି ହେବା ଉଚିତ ଏବଂ କେଉଁ କେଉଁ ଉପାଦାନ ରହିଲେ ଏକ ସଫଳ କଥା ସୃଷ୍ଟି ହୋଇପାରିବ, ସେ ବିଷୟରେ ମଧ୍ୟ ଆଲୋଚନା ସେ କରିଛନ୍ତି । ତାଙ୍କ ମତରେ କଥାନୀତି ଶାସ୍ତ୍ରପରି ହେଲେ ସେଥିରେ କଥାକୁସୁମ ପ୍ରସ୍ପୁଟିତ ହୋଇପାରେନା । ତାଙ୍କ ଭାଷାରେ : “X X X କିନ୍ତୁ ଜାଣିବା ଉଚିତ ଯେ ଗଳ୍ପରେ ନୀତିଶାସ୍ତ୍ର ନୁହେଁ । କଥା କେତୋଟି ଥାଇପାରେ । କିନ୍ତୁ ପ୍ରତ୍ୟେକ କଥାକୁ ନୀତି ଶୃଙ୍ଖଳାବଦ୍ଧ କରିବାକୁ ଯତ୍ନକଲେ, କଥାକୁସୁମ ପ୍ରସ୍ପୁଟିତ ହୋଇ ନ ପାରେ; ବରଂ ସୌନ୍ଦର୍ଯ୍ୟ ଭ୍ରଷ୍ଟ ହୁଏ । କଥାର ପ୍ରୟୋଜନ ଆନନ୍ଦ । ତାହା କେବଳ ନୀତିପୂର୍ଣ୍ଣ ହେବା ଆବଶ୍ୟକ ବୋଲି ଅରସିକେ କହିପାରନ୍ତି । କଥା ରଚନା ଏକ କଳାମାତ୍ର ।’’ (ରଚନାବଳି - ୨ୟ ଭାଗ, ପୃ- ୯୫)

 

ନିଜେ ଜଣେ ନାଟ୍ୟକାର ହୋଇଥିବା ଯୋଗୁଁ ନାଟକ ସମ୍ପର୍କରେ ତାଙ୍କର ଅନୁଧ୍ୟାନ ଅତି ସୂକ୍ଷ୍ମ । ‘ନାଟ୍ୟକଳା’ ପ୍ରବନ୍ଧ ଏହାର ନିଦର୍ଶନ । ଏଥିରେ ସେ ଭାରତରେ ପ୍ରଚଳିତ ଛ’ଅ ପ୍ରକାର ନାଟ୍ୟର ଉଲ୍ଲେଖ କରିଛନ୍ତି । ଯଥା : ନୃତ୍ତ, ନୃତ୍ୟ, ନାଟ୍ୟ, ଲାସ୍ୟ, ରାସ ଏବଂ ତାଣ୍ଡବ । ନାଟ୍ୟକଳାର ଆଦ୍ୟସ୍ରଷ୍ଟା ଭରତ ମୁନୀ ତଥା ଭୋଜରାଜ, ଦ୍ଧମ୍ମଟ୍ଟ, ବିଶ୍ୱନାଥ କବିରାଜ, ଦଣ୍ଡି, ଅଷ୍ପ୍ରୟଦୀକ୍ଷିତ, ଜଗନ୍ନାଥ ପଣ୍ଡିତ ପ୍ରଭୃତିଙ୍କ ନାଟ୍ୟକଳା ସମ୍ପର୍କରେ ଆଲୋଚନା କରି ସେମାନଙ୍କ ନାଟ୍ୟକଳା ସମ୍ପର୍କୀୟ ମତାମତର ବୈଶିଷ୍ଟ୍ୟ ପ୍ରଦାନ କରିଛନ୍ତି । ତତ୍ପରେ ନାଟକର ଦଶରୂପକ (ଯଥା : ରୂପକର ନାଟକ, ପ୍ରକରଣ, ଭ୍ରାତା, ବ୍ୟାଯୋଗ, ସମବାୟକାର, ଡିମ, ଇହାମୃଗ, ଅଙ୍କ, ବୀ ଏବଂ ପ୍ରହସନ) ଏବଂ ଅଷ୍ଟାଦଶ ଉପରୂପକ (ଯଥା : ପ୍ରକର୍ଣ୍ଣିକା, ତ୍ରୋଟକ, ଗୋଷ୍ଠୀ, ଶତକ, ନାଟ୍ୟରାସକ, ପ୍ରସ୍ଥାନ, ଉଲ୍ଲାପ୍ୟ, କାବ୍ୟ ପ୍ରେଙ୍ଖେଣ, ରାସକ, ସଂଳାପକ, ଶ୍ରୀଗଦିତ, ଶିଳ୍ପକ, ବିଲାସିକା, ଦୁର୍ମଲ୍ଲିକା, ପ୍ରକରଣିକା, ହଲ୍ଲିସ ଏବଂ ଭାଣିକ)ର ବିଶଦ ଆଲୋଚନା ସେ ଉପସ୍ଥାପନ କରିଛନ୍ତି ।

 

କବିତା ସମ୍ପର୍କରେ ଆଲୋଚନାମୂଳକ ପ୍ରବନ୍ଧ ହେଉଛି ‘ମୋ କବିତା’ ପ୍ରବନ୍ଧ । ବିକ୍ରମଦେବ ଏଥିରେ କବିତାର ସ୍ୱରୂପ ବିଷୟରେ ସୂଚନା ଦେବା ସହିତ ସହିତ ତାଙ୍କ ନିଜ କବିତା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ପ୍ରବନ୍ଧର ଆରମ୍ଭ ଏହିପରି, - “ମୁଁ ମୋ ବଂଶ ଗୁରୁତ୍ୱରୁ, ପାଣ୍ଡିତ୍ୟ ଗୁରୁତ୍ୱରୁ କିମ୍ବା ଧନଗୁରୁତ୍ୱରୁ ଲୋକ ବିଦିତ ହୋଇପାରିଲି ନାହିଁ । ଯେପରି ହେଉ ନାମ କମାଇବା ତ ଆବଶ୍ୟକ । ଯେନତେନ - ପ୍ରକାରଣେ ପ୍ରସିଦ୍ଧି ପୁରୁଷୋଭବେତ୍‌ ।’’ ସେ ହେତୁରୁ ପ୍ରସିଦ୍ଧି ଲଭିବା ପାଇଁ କବି ହେଲି ।’’ (ରଚନାବଳି - ୨ୟ ଭାଗ, ପୃ- ୧୭୬) ପୂର୍ବ କବିମାନେ କବିତା କନ୍ୟାକୁ ଅକ୍ଷର ନିୟମ, ପଦାନ୍ତ ନିୟମ, ରାଗ, ବାଣୀ ପ୍ରଭୃତି ବିଭିନ୍ନ ଫାଶରେ ବାନ୍ଧି କବିତାର ସ୍ୱଚ୍ଛନ୍ଦତାକୁ ହତ୍ୟା କରିଥିଲେ । କେବଳ ପଣ୍ଡିତ ଶ୍ରେଣୀଙ୍କ ପାଇଁ କବିତା ଲେଖାକୁ ସେ ପସନ୍ଦ କରିନାହାନ୍ତି । ବରଂ ମିଲଟନୀୟ ଚଉଦ ଅକ୍ଷରୀ ଅମିତ୍ରାକ୍ଷରକୁ ସେ ସୁବୋଧ୍ୟ ବୋଲି କହନ୍ତି-। ନିଜ କବିତା ସମ୍ପର୍କରେ ତାଙ୍କ ଉକ୍ତି ହେଲା ; -“କେତେକ ଲୋକେ ବୋଲନ୍ତି ଯେ, ପୂର୍ବକବି କବିତା ସାକରାପରି ରୂଚ୍ୟା; ଆଧୁନିକ କବି କବିତା ଅଲଣା ସନ୍ତୁଳା ପରି ଅରୁଚ୍ୟା । ମାତ୍ର ମୋ କବିତା ସ୍ୱେଦଶ୍ୟ, ବିଦେଶ୍ୟ, ମିତ୍ରଦେଶ୍ୟ ଏବଂ ଶତ୍ରୁଦେଶ୍ୟ ଭାଷାଭୂଷା ଗତି ଯତିନୀତି ରୀତିଯୁତା ହୋଇ ବେସରତିଅଣ ପରି ସମସ୍ତଙ୍କର ଆଦର ପାତ୍ରୀ ହେବ । (ରଚନାବଳି - ୨ୟ ଭାଗ, ପୃ- ୧୭୮) ପ୍ରବନ୍ଧର ଶେଷରେ କବିପୁରୁଷର ଦୃଷ୍ଟି ଲୋକାତୀତ ବୋଲି କହି ଲେଖନ୍ତି :

 

“ଭୂରେ ଭୁବରେ ସ୍ୱର୍ଗରେ ନିଜ ଜ୍ଞାନବଳେ

ରବି ନଦେଖିବା ଦ୍ରବ୍ୟ କବି ଦେଖ ଭଲେ ।’’

 

‘ଦୁଷ୍ଟକାବ୍ୟାନୁବାଦ’ ପ୍ରବନ୍ଧରେ ପ୍ରାବନ୍ଧିକ ଅନୁବାଦ ସମ୍ପର୍କରେ ଆଲୋଚନା କରିଛନ୍ତି । ଉତ୍ତମ ବିଷୟର ଅନୁବାଦ ପ୍ରଶଂସନୀୟ ତଥା ବାଞ୍ଛନୀୟ ଏବଂ କେବଳ ବିଷୟକୁ ଅନୁବାଦ କରିବା ଉଚିତ, ଭାଷାକୁ ନୁହେଁ ବୋଲି ସେ କହନ୍ତି । ଅର୍ବାଚୀନ ଲେଖକମାନଙ୍କ ଲେଖାରେ ପ୍ରାୟତଃ ବୈଶିଷ୍ଟ୍ୟ ନୂତନତ୍ୱ ଏବଂ ସନ୍ଦର୍ଭଶୁଦ୍ଧି ନ ଥାଇ ତାହା ଅନୁକରଣ ହୋଇ ନୀତିବୋଧକ ନୁହେଁ । ନୀତି, ଆଦର୍ଶ ବା ସୃଷ୍ଟିକୁ ହିଁ ଅନୁବାଦ କରିବା ଉଚିତ, ଏହାଫଳରେ ଭାଷା ଓ ସାହିତ୍ୟ ତଥା ମାନବିକତାର ବିକାଶ ଘଟିବ ।

 

‘ଇତିହାସ ଲେଖକଙ୍କୁ ଜଣାଣ’ ତାଙ୍କର ଏକ ଦୀର୍ଘ ପ୍ରବନ୍ଧ । ଏଥିରେ ପ୍ରାବନ୍ଧିକ ଗୋଟିଏ ଜାତିର, ଦେଶର ପ୍ରାଚୀନତାକୁ ଜାଣିବା ପାଇଁ ଇତିହାସର ଆବଶ୍ୟକତାକୁ ସୂଚାଇଛନ୍ତି । ତାଙ୍କ ଭାଷାରେ - “ଇତିହାସ ଜନ ସମାଜର ଭଲ ଏବଂ ମନ୍ଦ ବୁଝାଇ ଦେଶବାସୀଙ୍କୁ ସୁଚରିତ୍ରବାନ କରଇ । ଇତିହାସ ବିହୀନ ଦେଶ ସଭ୍ୟ ଦେଶମାନଙ୍କରେ ଗଣିତ ହୋଇପାରେ ନାହିଁ । (ରଚନାବଳି - ୨ୟ ଭାଗ, ପୃ- ୧୦୭) ଭାରତର ପ୍ରାଚୀନତା ବେଦ, ଧର୍ମସୂତ୍ର, ଅର୍ଶାସ୍ତ୍ର, ପୁରାଣ, କାବ୍ୟନାଟକ ତଥା ଶିଳାତାମ୍ରଦି ଶାସନ ଇତ୍ୟାଦିରୁ ସ୍ପଷ୍ଟ ବୋଲି ସ୍ୱୀକାର କରନ୍ତି । ଭାରତର ଇତିହାସ ପୁରାଣ ଯୁଗରୁ ଗଢ଼ି ଆସିବା କଥା ଉଲ୍ଲେଖ କରି ତା’ର ଇତିହାସକୁ କାଳାନୁସାରେ ଏବଂ ପରିପାଳନ ପଦ୍ଧତିରେ ଚାରିଭାଗରେ ସେ ବିଭକ୍ତ କରିଛନ୍ତି । ଯଥା (୧) ପୁରାଣ ଯୁଗ, (୨) ଶାସନଯୁଗ, (୩) ଯବନଯୁଗ ଏବଂ (୪) ଆଙ୍ଗ୍ଲୋ ଯୁଗ । ଇତିହାସ ପ୍ରଣୟନବେଳେ ପ୍ରାଚୀନ କାବ୍ୟନାଟକଗୁଡ଼ିକୁ ଅନୁଧ୍ୟାନ କରି ସେଥିରୁ ବିଷୟ ଓ ଚରିତ୍ର ଚୟନ କରିବା ଉଚିତ ବୋଲି ସେ ମତଦେଇଛନ୍ତି । ଏତଦ୍‌ବ୍ୟତୀତ ମି.ସ୍ମିଥ୍‍‌, ମି. ହଣ୍ଟର, ରମେଶ ଚନ୍ଦ୍ର ଦତ୍ତ, ହୀରାଲାଲ, ବଙ୍କେୟା, ବିଦେଶୀ ସ୍ୱେଦଶୀ ଲେଖା, ସରକାରୀ ପ୍ରକାଶିତ ପୁସ୍ତକ, ବୌଦ୍ଧ, ଜୈନଧର୍ମର ବିଭିନ୍ନ ଗ୍ରନ୍ଥ ଇତ୍ୟାଦି ଅଧ୍ୟୟନ କରି ଇତିହାସ ପ୍ରଣୟନ କରିବା ପାଇଁ ଜଣାଣ କରିଛନ୍ତି । ଏବଂ ଇତିହାସ ଲେଖକ ଜଣେ ବିଶଦ୍‌ ବୁଦ୍ଧିମାନ ବ୍ୟକ୍ତି ହେବା ଉଚିତ ବୋଲି ତାଙ୍କ ମତ ।

 

ବିକ୍ରମଦେବ ସାହିତ୍ୟ ଚର୍ଚ୍ଚା ତଥା ବିଭିନ୍ନ ପୁସ୍ତକ ଅଧ୍ୟୟନରେ ବ୍ରତୀ ରହୁଥିଲେ । ତେଣୁ ଯେଉଁ ପୁସ୍ତକର ସାଧାରଣ ଭ୍ରମଗୁଡ଼ିକୁ ଜାଣିପାରୁଥିଲେ, ସେହି ଭ୍ରମ ଗୁଡ଼ିକର ସଂଶୋଧନ କରୁଥିଲେ । ଉଦହାରଣସ୍ୱରୂପ : ତାଙ୍କର ‘ସମର୍ଥିତ ପ୍ରତ୍ୟୁତ୍ତର’ ପ୍ରବନ୍ଧ । ସଂସ୍କୃତ ଭାଷାରେ ‘ପ୍ରଶ୍ନମାଳା’ ପୁସ୍ତକ କାଳିଦାସଙ୍କ ‘ରଘୁବଂଶ’ର ବିମର୍ଶନ (ଟୀକା) ପୁସ୍ତକ । ତାହାର ପ୍ରେଣତା କୃଷ୍ଣହୋସିଂହ । ପୁସ୍ତକରେ ରଘୁବଂଶର ନାନ୍ଦୀଶ୍ଲୋକରେ ‘ପିତରୌ’, ‘ସମୁକୌ’, ଓ ‘ବାକ୍‌’ ଏବଂ ‘ଅର୍ଥ’ ପାର୍ବତୀ ପରମେଶ୍ୱରଙ୍କ ସହ ଉପମିତ ହେବା ଅନୁଚିତ ବୋଲି ପ୍ରଣେତା ଜଣାଇଛନ୍ତି । କିନ୍ତୁ ପ୍ରାବନ୍ଧିକ ବିକ୍ରମଦେବ କହନ୍ତି ପିତରୌ - ଶବ୍ଦ ଏଠାରେ ପାର୍ବତୀ ପରମେଶ୍ୱରଙ୍କୁ ଉଦ୍ଦେଶ୍ୟ ନ କରି ଅର୍ଦ୍ଧନାରୀଶ୍ୱର ରୂପକୁ ଉଦ୍ଦେଶ୍ୟ କରି କୁହାଯାଇଛି । ପୁନଶ୍ଚ ବେଦ ନିତ୍ୟ ହୋଇଥିବାରୁ ତନ୍ମୟ ବାଗାର୍ଥ ନିତ୍ୟ । ତେଣୁ ସେ ଦୁଇଟି ନିତ୍ୟ ହେବା ସହ ପାର୍ବତୀ ପରମେଶ୍ୱରଙ୍କ ସହ ଉପମିତ ହେବା କିଛି ଭୁଲ୍‌ ନୁହେଁ । ସେହିପରି ଅନ୍ୟ ଏକ ପ୍ରବନ୍ଧ ହେଲା ‘ମେଘଦୂତ ସମ୍ବନ୍ଧରେ ଚାରିପଦ’ । ‘ସହକାର’ ୨୦ ଭାଗ, ୪ ସଂଖ୍ୟା ୩୩୫ ପୃଷ୍ଠାରେ ପ୍ରକାଶିତ ‘ମେଘଦୂତର ଉତ୍ପତ୍ତି’ରେ ତାହାର ଲେଖକ ‘କଶ୍ଚିତ୍କାନ୍ତା’ ଶ୍ଲୋକ ବସ୍ତୁ ନିର୍ଦ୍ଦେଶ ଏବଂ କାଳିଦାସଙ୍କ ଇଷ୍ଟଦେବ ଶ୍ରୀରାମଙ୍କୁ ଲକ୍ଷ୍ୟ କରାଯାଇ ‘ରାମଗିରି’ ଶବ୍ଦ ପ୍ରୟୋଗ କରାଯାଇଛି ବୋଲି କହିଅଛନ୍ତି । ଏହାକୁ ବିକ୍ରମଦେବ ଆଦୌ ଠିକ୍‌ ନୁହେଁ ବୋଲି କହିଛନ୍ତି । ‘କଶ୍ଚିତ୍କାନ୍ତା’ ଶ୍ଲୋକକୁ ବସ୍ତୁ ନିର୍ଦ୍ଦେଶ କହିଲେ କୁମାରସମ୍ଭବର ‘ଅସ୍ତ୍ୟୁତ୍ତରସ୍ୟାଂ’କୁ ମଧ୍ୟ ବସ୍ତୁ ନିର୍ଦ୍ଦେଶ ବୋଲି କହିବାକୁ ହେବ । କିନ୍ତୁ ଉକ୍ତ ଶ୍ଲୋକଦ୍ୱୟ ବସ୍ତୁ ନିର୍ଦ୍ଦେଶ ନ ହୋଇ ବରଂ କଥାରମ୍ଭ ମାତ୍ର । କାଳିଦାସ ତାଙ୍କର ପ୍ରଥମ କାବ୍ୟ ରଘୁବଂଶ ବ୍ୟତୀତ ଅନ୍ୟ କୌଣସି କାବ୍ୟରେ ମଙ୍ଗଳାଚରଣ କରିନାହାନ୍ତି । ‘ରାମଗିରି’ ସମ୍ବନ୍ଧରେ ବିକ୍ରମଦେବ କହନ୍ତି, କାଳିଦାସଙ୍କ ଇଷ୍ଟଦେବ ଶ୍ରୀରାମ ନୁହନ୍ତି ; ସେ ଶୈବଥିଲେ ଏବଂ ତାଙ୍କ ଇଷ୍ଟଦେବ ହେଉଛନ୍ତି ଶିବ-। ସଂପୂର୍ଣ୍ଣ କାଳ୍ପନିକ କାବ୍ୟ ମେଘଦୂତରେ ଯକ୍ଷ ରାମଗିରିରେ ରହିବା ହେତୁ ‘ରାମଗିରି’ ଶବ୍ଦ ବ୍ୟବହାର କରାଯାଇଛି କିନ୍ତୁ ଏହାର କୌଣସି ସମ୍ବନ୍ଧ ରାମ କିମ୍ବା ରାମାୟଣ ସହ ନାହିଁ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ଅନୁରୂପଭାବରେ ‘ଓଡ଼ିଆ ପ୍ରଶ୍ନ କାଗଜରେ ଭୁଲ୍‌’ରେ ସେହି ବର୍ଷର ସ୍କୁଲ ଫାଇନାଲ୍‌ ପରୀକ୍ଷା ଓଡ଼ିଆ ପ୍ରଶ୍ନରେ ‘ପୟଃକୁ’ ଶବ୍ଦ ସମ୍ବନ୍ଧରେ ସେ କହନ୍ତି, ଓଡ଼ିଆ ଶବ୍ଦ ହୋଇଥିଲେ, ବିସର୍ଗ ରହି ନ ଥାନ୍ତା । ସଂସ୍କୃତ ଶବ୍ଦ ହୋଇଥିଲେ ଦ୍ୱିତୀୟା ବିଭକ୍ତ୍ୟେକବଚନ ପ୍ରତ୍ୟୟ ‘କୁ’ ହୋଇ ନ ଥାନ୍ତା । ତେଣୁ ଏହିପରି ଭୁଲ, ବିକୃତ ଶବ୍ଦ ସବୁ ନ ଲେଖିବାକୁ ସେ ଅନୁରୋଧ କରିଛନ୍ତି ।

 

ଏସବୁ ବ୍ୟତୀତ ବିକ୍ରମଦେବ ତତ୍‌କାଳୀନ ପତ୍ର ପତ୍ରିକାରେ ନିଜର ପ୍ରତିକ୍ରିୟା ତଥା ମତାମତ ପ୍ରଦନା କରି ସଂପାଦକଙ୍କ ପାଖକୁ ବିଭିନ୍ନ ବିଷୟରେ ଚିଠିପତ୍ର ଲେଖି ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ସର୍ବଦା ପ୍ରୟାସ କରୁଥିଲେ । ତାଙ୍କ ରଚନାବଳି - ୨ ୟ ଭାଗରେ ଏହିପରି ବିଭିନ୍ନ ବିଷୟକ ସାତୋଟି ପତ୍ର ସ୍ଥାନିତ ହୋଇଛି । ସେହିପତ୍ରଗୁଡ଼ିକରେ ସାମାଜିକ ସମସ୍ୟା, ଦେଶମିଶ୍ରଣ, ଭାଷା ସାହିତ୍ୟ ତଥା ବିଜ୍ଞାନ ସମ୍ବନ୍ଧୀୟ ମନ୍ତବ୍ୟ ସ୍ଥାନ ପାଇଛି । ଉଦାହରଣସ୍ୱରୂପ : ୧ମ ପତ୍ର ବ୍ରହ୍ମପୁରରୁ ପ୍ରକାଶିତ ‘ଦୈନିକ ଆଶା’ ପତ୍ରିକା ନିକଟକୁ ଲେଖାଯାଇଛି । ସେଥିରେ ସେ ସଂପାଦକଙ୍କ ପାଖକୁ ଲେଖନ୍ତି - “X X X ବ୍ରହ୍ମପୁର ବେଶ୍ୟାଙ୍କ ନିର୍ଧାରଣମାନଙ୍କୁ ପଢ଼ି ମୁଁ ଆନନ୍ଦିତ ଏବଂ ଦୁଃଖିତ । ମୋ ଆନନ୍ଦର କାରଣ ଏହି ଯେ ସେମାନେ ବ୍ୟଭିଚାର ବୃତ୍ତିକି ଛାଡ଼ି ଗୃହିଣୀ ହେବେ । ମୋ ଦୁଃଖର କାରଣ ଏହି ଯେ ସେମାନେ ନୃତ୍ୟାଭିନୟ, ଗାନ କଳା ପରିତ୍ୟାଗ କରିବେ-।’’ ଗାନ ତଥା ନୃତ୍ୟକଳାର କ୍ରମଶଃ ବିଲୁପ୍ତିରେ ଆଶଂକିତ ହୋଇ ତାକୁ ଦୂର କରିବା ପାଇଁ କହନ୍ତି, ଭାରତରେ ପୂର୍ବକାଳରେ ରାଜକନ୍ୟାମାନେ ଗାନ ତଥା ନୃଥ୍ୟର ନିପୁଣା ଥିଲେ । ଏବେ ମଧ୍ୟ ଭାରତର ବିଭିନ୍ନ ପ୍ରଦେଶରେ ନୃତ୍ୟାଭିନୟର ପ୍ରଚଳନ ଅଛି । କିନ୍ତୁ ପୂର୍ବ ଭଳି ତାହା ଆଉ ନାହିଁ । ବେଶ୍ୟାମାନଙ୍କଦ୍ୱାରା ତ୍ୟକ୍ତ ହେଲେ ଏହି ନୃତ୍ୟାଭିନୟ ଭଳି ଏକ ବୃହତ୍‌ ଭାବ ଲୁପ୍ତ ହେବା ଅବଶ୍ୟମ୍ଭାବୀ । ତେଣୁ ବେଶ୍ୟା ବାଳିକାମାନେ ନୃତ୍ୟାଭିନୟରେ ଗାନକଳା ନିପୁଣା ଏବଂ ବିବାହବନ୍ଧନ ଯୁକ୍ତା ହୋଇ ପତିପୁତ୍ର ସହ ସଭା କରି ଅନ୍ୟ ବ୍ୟବସାୟିକ ଗାୟକଙ୍କ ପରି ଜନରଞ୍ଜନ ତଥା ଧର୍ମାର୍ଜନ କରିବା ଉଚିତ । ଯାହା ଫଳରେ ଅନ୍ୟ ତରୁଣୀମାନେ ମଧ୍ୟ ଏହି କଳାପ୍ରତି ଆକୃଷ୍ଟ ହେବେ ଏବଂ ଲୁପ୍ତପ୍ରାୟ ଏହି କଳାର ପୁନଃ ଅଭିବୃଦ୍ଧି ଘଟିବ ବୋଲି ତାଙ୍କର ଧାରଣା । ‘୨ୟ ପତ୍ର’ରେ ‘ଆଶା’ର ସମ୍ପାଦକୀୟ ସ୍ତମ୍ଭରେ ପ୍ରକାଶିତ ମାନ୍ୟବର ମିଃ. ମେଣ୍ଟଗୁଙ୍କ ଆଗମନକୁ ନେଇ ପ୍ରକାଶିତ ସମ୍ବାଦ ଉପରେ ସେ ଲେଖିଲେ “କେବଳ ଦେଶମିଶ୍ରଣ ବିଷୟମାତ୍ର ନୁହେଁ, ଓଡ଼ିଆ ଦେଶର ଅଭାବାବଳୀ ଏବଂ ଓଡ଼ିଆଙ୍କ ଦୁଃଖକଷ୍ଟ ସମ୍ପୂର୍ଣ୍ଣରେ ଗୁହାରୀ କରିବାକୁ ହେବ ।’’ ପୁଣି ତାହା ବଚନ ଅପେକ୍ଷା ଅଭିନନ୍ଦନ ପତ୍ର ମାଧ୍ୟମରେ ଦେବାହିଁ ଠିକ୍‌ ହେବ ବୋଲି ତାଙ୍କ ମତ ଥିଲା ।

 

‘୩ୟ ପତ୍ର’ରେ କୌଣସି ପତ୍ରିକାରେ ପ୍ରକାଶିତ ‘ବର୍ମାରେ ପ୍ରବାସୀ ଓଡ଼ିଆମାନେ ସସ୍ତ୍ରୀକ ରହିବାରେ କୌଣସି ଆପତ୍ତି ଅଛି କି ?’ ପ୍ରଶ୍ନର ଉତ୍ତରରେ ସେ କହନ୍ତି ପ୍ରାଚୀନ କାଳରେ ଓଡ଼ିଆମାନେ ବଣିଜ କରୁଥିଲେ । ଆଜିବି ପୁରୁଷମାନେ ପ୍ରବାସୀରେ ରହୁଛନ୍ତି । ତାଙ୍କ ପକ୍ଷେ ଯଦି ଅସୁବିଧା କିଛି ନାହିଁ; ତେବ ସ୍ତ୍ରୀମାନଙ୍କ ପକ୍ଷେ ମଧ୍ୟ କିଛି ଅସୁବିଧା ହୋଇ ନ ପାରେ । ତେଣୁ ପ୍ରବାସୀରେ ସସ୍ତ୍ରୀକ ରହିବାରେ କିଛି ଆପତ୍ତି ନାହିଁ ବୋଲି ତାଙ୍କର ମତ ଥିଲା । ୪ର୍ଥ ପତ୍ରରେ ଆମ ଦେଶପ୍ରମୀର ପ୍ରଚଳିତ ପ୍ରବାଦ ‘ଦେଖାଶିଖା ଗୌଡ଼ବିଭା’ ପ୍ରଚଳନର କାରଣ ସମ୍ବନ୍ଧରେ ସେ କହନ୍ତି, ପ୍ରାଚୀନ କାଳରେ ଆମର ବିବାହ ପ୍ରଥା ନ ଥିଲା। ସେହି କାରଣରୁ ବ୍ୟଭିଚାର ଘଟୁଥିଲା । ତାହାର ନିବାରଣ ପାଇଁ ବିବାହ ପ୍ରଥାକୁ ଆଚରିବା ପାଇଁ ସର୍ବସାଧରଣଙ୍କୁ କୁହାଗଲା । କିନ୍ତୁ, ଗୌଡ଼ମାନେ ବହୁକାଳ ପର୍ଯ୍ୟନ୍ତ ପ୍ରାଚୀନ ପ୍ରଥାକୁ ଛାଡ଼ିନଥିଲେ । ଅବଶ୍ୟ ଅନ୍ୟମାନଙ୍କ ଦୃଷ୍ଟିରେ ଘୃଣ୍ୟ ହୋଇଥିଲା । ପରେ ଗୌଡ଼ମାନେ ମଧ୍ୟ ବିବାହ ପ୍ରଥାକୁ ମାନିନେଲେ । ତେଣୁ ଲୋକେ ‘ଦେଖାଶିଖା ଗୌଡ଼ବିଭା’ ବୋଲି ଉପହାସ କରୁଥିଲେ, ଏହା ଆଜିଯାଏଁ ପ୍ରଚଳିତ ।

 

ବିକ୍ରମଦେବ ଆଧୁନିକ ବିଜ୍ଞାନୀ ସହିତ ପ୍ରାଚୀନ ତଥ୍ୟଜ୍ଞଙ୍କ ସିଦ୍ଧାନ୍ତ ଭୁଲ ନୁହେଁ ବୋଲି ତାଙ୍କର ୫ମ ପତ୍ରରେ ଉଲ୍ଲେଖ କରନ୍ତି । ବର୍ତ୍ତମାନ ଯୁଗରେ ବିଜ୍ଞାନର ଉନ୍ନତି ସହ ଲୋକେ ବିଜ୍ଞାନୀମାନଙ୍କ ମତକୁ ସର୍ବେଶ୍ରଷ୍ଠ ବୋଲି ମାନି ନେଉଛନ୍ତି । କିନ୍ତୁ ପ୍ରାଚୀନ ଋଷିମୁନୀଗଣଙ୍କ ଶାସ୍ତ୍ରକୁ ଅଳୀକ ମନେକରୁଛନ୍ତି । ଏହା ବଡ଼ ପରିତାପର ବିଷୟ । ତାଙ୍କ ଭାଷାରେ; - ଆଜିବା ବିଜ୍ଞାନ କାଲିକି ଅଜ୍ଞାନ ହୋଇଯାଇପାରେ । ନ୍ୟୁଟନ୍‌ ଅନେକ ବର୍ଷ ତପକରି ଅର୍ଜିଲା ବିଜ୍ଞାନ ଆଇନଷ୍ଟାଇନ୍‌ କଳ୍ପନାରେ ଆଜି ଅଜ୍ଞାନ ହୋଇଅଛି । ବିଂଶତି ବର୍ଷର ଚିକିକ କଳ୍ପନାମାନଙ୍କରେ ଆଧୁନିକ ଚିକିତ୍ସକ ତ୍ରୁଟି ଦେଖାଉଛି । ଅତଏବ ଅର୍ବାଚୀନ ବିଜ୍ଞାନୀର ମତ ସୁନିଶ୍ଚିତ ବୋଲାଯାଇ ନ ପାରେ । ତାହାର ଲେଖାର ଧାଡ଼ିଟିଏ କିମ୍ବା ଦୁଇଧାଡ଼ି ମାତ୍ର ପଢ଼ି ପ୍ରାଚୀନ ତଥ୍ୟଜ୍ଞଙ୍କ ସିଦ୍ଧାନ୍ତ ଭୁଲ ବୋଲି ବୋଲିବା କେବଳ ଧୃଷ୍ଟତା ମାତ୍ର ।’’ (ରଚନାବଳି - ୨ୟ ଭାଗ, ୫ମ ପତ୍ର, ପୃ- ୧୬୬) ସେହିପରି ୬ଷ୍ଠ ପତ୍ରରେ କୋରାପୁଟ ତଥା ଜୟପୁର ଅଞ୍ଚଳରେ ଶ୍ରାବଣାମାବାସ୍ୟା ଦିନ ଏବଂ ଅନ୍ୟ ଅଞ୍ଚଳରେ ମକର ସଂକ୍ରାନ୍ତିର ପରଦିନ ପିଲାଙ୍କୁ ଚଡ଼ୁ କିମ୍ବା ଦାଗ ଦିଆଯାଏ । ତାହାର କାରଣ ସମ୍ପର୍କରେ ସେ କହନ୍ତି ଚଡ଼ୁ ବାତରୋଗର ନିରୋଧକ ଏବଂ ନିବାରକ ବୋଲି ଆମ୍ଭ ପୂର୍ବପୁରୁଷଙ୍କ ଧାରଣା, ତେଣୁ ପିଲା ତଥା ବୃଦ୍ଧମାନଙ୍କୁ ଏହି ଚଡ଼ୁ ଦିଆଯାଏ ।

 

ବିକ୍ରମଦେବଙ୍କ ୭ମ ପତ୍ର ‘ମନ୍ତବ୍ୟ’ ଶୀର୍ଷକ ଏକ ପତ୍ର । ‘ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀରର ହାଲ ଏବଂ କୁଟୁମ୍ବର ଚାଲ ଜାଣିବା ଯେଡ଼େ ଆବଶ୍ୟକ, ନିଜ ଦେଶର ଇତିହାସ ମଧ୍ୟ ଜାଣିବା ସେଡ଼େ ଆବଶ୍ୟକ ବୋଲି ସେ କହନ୍ତି । ଉତ୍କଳର ଦୁର୍ଭାଗ୍ୟ ବଶତଃ ତାହା ଖଣ୍ଡ ବିଖଣ୍ଡ ହୋଇଛି । ତେଣୁ ସଂପୂର୍ଣ୍ଣ ଇତିହାସ ଜାଣିବା କଷ୍ଟ ହେଉଅଛି । ଶ୍ରୀ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ସିଂହଭୂମି ତଥା ସେହି ଅଞ୍ଚଳବାସୀଙ୍କ ଇତିହାସକୁ ସରଳ ଓଡ଼ିଆ ଭାଷାରେ “ସିଂହଭୂମି ଓ ଓଡ଼ିଆ ଭାଷାର ଇତିହାସ’’ ଲେଖିବା ଏକ ପ୍ରଶଂସନୀୟ କାର୍ଯ୍ୟ ତଥା ପ୍ରତ୍ୟେକ ଓଡ଼ିଆଙ୍କ ଏହା ପଠନୀୟ । ଏବଂ ସେହିପରି ଅନ୍ୟାନ୍ୟ ଖଣ୍ଡମାନଙ୍କ ଇତିହାସ ମଧ୍ୟ ପ୍ରକାଶ ହେବା ବାଞ୍ଛନୀୟ ବୋଲି ମନ୍ତବ୍ୟ ପ୍ରକାଶ କରିଛନ୍ତି । ଏହାପରେ ସେ ପୂର୍ବେ କଳିଙ୍ଗଦେଶ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପୀବା ଯୋଗୁଁ ତ୍ରିକଳିଙ୍ଗାଧିପତି ’ ଉପାଧି ଧାରଣ କରିବା କାରଣରୁ କଳିଙ୍ଗ ଦେଶ ତିନିଭାଗରେ ବିଭକ୍ତ ବୋଲି କହନ୍ତି । ଯଥା : ଉପରିଭାଗ - ଉତ୍କଳିଙ୍ଗ (ବ୍ୟବହାରରେ ଉତ୍କଳ), ମଧ୍ୟଭାଗ ମଧ୍ୟକଳିଙ୍ଗ ଏବଂ ତଳ ଭାଗ - ତଳ କଳିଙ୍ଗ (ବ୍ୟବହାରରେ ତେଲୁଙ୍ଗି) ବୋଲି ଉଲ୍ଲେଖ କରିଛନ୍ତି । ଉପରୋକ୍ତ ପତ୍ରମାନଙ୍କରୁ ବିକ୍ରମଦେବଙ୍କ ବହୁମୁଖୀ ପ୍ରତିଭାର ପରିଚୟ ମିଳେ ।

 

ବିକ୍ରମଦେବଙ୍କ ପ୍ରତିଭାର ଅନ୍ୟ ଏକ ସ୍ୱତନ୍ତ୍ର ତଥା ମର୍ଯ୍ୟାଦାପୂର୍ଣ୍ଣ ଦିଗ ହେଉଛି ତାଙ୍କର ସୁଚିନ୍ତିତ, ରୁଚିପୂର୍ଣ୍ଣ ତଥା ଓଜସ୍ୱିନୀ ଭାଷଣ । ସେ ବିଭିନ୍ନ ସଭାସମିତିରେ ଓଡ଼ିଆ ଜାତି, ସମାଜ, ଭାଷା ଓ ସାହିତ୍ୟ ସମ୍ବନ୍ଧୀୟ ଅଭିଭାଷଣମାନ ଦେଇଛନ୍ତି । ଏହା ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିବ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଆହ୍ୱାନ କ୍ରମେ ୧୯୧୪ ମସିହା ଡିସେମ୍ବର ମାସରେ ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନରେ ସଭାପତି ଆସନ ଅଳଂକୃତ କରି ବିକ୍ରମଦେବ ପ୍ରଦାନ କରିବା ସାରଗର୍ଭକ ତଥା ସମୟୋଚିତ ଅଭିଭାଷଣକୁ ଏଠାରେ ଆଲୋଚନା କରାଯାଇପାରେ । ତାଙ୍କ ଅଭିଭାଷଣର ‘ଯୁଦ୍ଧ’ ପ୍ରସଙ୍ଗରେ କହନ୍ତି, ଜର୍ମାନ ଓ ଇଂଲଣ୍ଡ ମଧ୍ୟରେ ଯେଉଁ ଯୁଦ୍ଧ ଚାଲିଛି ସେଥିରେ ଜର୍ମାନ କେବଳ ଇଂଲଣ୍ଡର ମାତ୍ର ଶତ୍ରୁନୁହେଁ, ସେ ଯେଉଁ କାର୍ଯ୍ୟସବୁ କରିଛି ସେ ପାଇଁ ସେ ସମଗ୍ର ମାନଜାତିର ଶତ୍ରୁ ଏବଂ ଏହି ଯୁଦ୍ଧ ମାନବର ସଭ୍ୟତାକୁ ବହୁଦୂର ଏବଂ ବହୁ ବର୍ଷ ନିମନ୍ତେ ପଛକୁ ପକାଇ ଦେଇଅଛି । ଜଗତର ଶାନ୍ତି ଓ ସଭ୍ୟତା ପରେ ମହାଅନର୍ଥ, ଘୋର ବ୍ୟାଘାତ ଘଟାଇଅଛି । ଏହି ଯୁଦ୍ଧରେ ଭାରତ ତଥା ଓଡ଼ିଶା ତା’ର ବୀରପୁତ୍ରମାନଙ୍କୁ ସୈନ୍ୟ ହିସାବରେ ପଠାଇବା ଉଚିତ ବୋଲି ମଧ୍ୟ ତାଙ୍କର ମତଥିଲା । ରାଜା ବାସୁଦେବ ରାଜମଣି ଦେବଙ୍କ ମୃତ୍ୟୁକୁ ସେ ଓଡ଼ିଆ ସାହିତ୍ୟର ଏକ ଅପୂରଣୀୟ କ୍ଷତି ବୋଲି ତାଙ୍କ ଅଭିଭାଷଣରେ କହିଥିଲେ । ସେ ଜଣେ ଉଚ୍ଚଧରଣର କାବ୍ୟ ମୀମାଂସକ ତଥା ଅନ୍ୟଭାଷାରେ ସେ ଯେପରି ନିପୁଣ ଥିଲେ, ଛାନ୍ଦ, ବ୍ୟାକରଣ ଓ ଅଳଙ୍କାର ଶାସ୍ତ୍ରରେ ମଧ୍ୟ ସେ ସେପରି ଧୁରୀଣ ଥିଲେ । ଦିନରେ ପ୍ରାୟ ଆଠ ଘଣ୍ଟା ସାହିତ୍ୟ ଚର୍ଚ୍ଚା କରୁଥିବା ଏହି ମହାନ୍‌ ସାହିତ୍ୟ ପ୍ରେମୀଙ୍କ ମୃତ୍ୟୁକୁ ଅତି ଦୁର୍ଭାଗ୍ୟଜନକ ମନେକରନ୍ତି ବିକ୍ରମଦେବ । ଓଡ଼ିଆ ଭାଷା ଓ ଓଡ଼ିଆଜାତି ପ୍ରତି ସଦୟ ଯେକୌଣସି ବ୍ୟକ୍ତି ଯେକୌଣସି ସ୍ଥାନର ହେଉ ପଛକେ ସେ ଆମ୍ଭର ଭକ୍ତି ଓ କୃତଜ୍ଞତାର ପାତ୍ର ବୋଲି କହି ସେ ଜନବୀମସ୍‌ ତଥା ଲର୍ଡ଼ ହାର୍ଡ଼ିଞ୍ଜଙ୍କ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ତଥା ଓଡ଼ିଶାର ସୁଶାସନ ପାଇଁ ସେମାନେ ସର୍ବଦା ସ୍ମରଣୀୟ ବୋଲି ସ୍ୱୀକାର କରିଛନ୍ତି ।

 

‘ଦେଶ ମିଶ୍ରଣ’ ପ୍ରସଙ୍ଗରେ ସେ କହନ୍ତି, ଭାଷା ସୂତ୍ରରେ ଓଡ଼ିଆମାନେ ଏକ ଶାସନାଧୀନରେ ରହିବା ବାଞ୍ଛନୀୟ । ମାନ୍ଦ୍ରାଜ ପ୍ରଦେଶାନ୍ତର୍ଗତ ଜୟପୁର, ଗଞ୍ଜାମ ମଧ୍ୟ--ପ୍ରଦେଶାନ୍ତର୍ଗତ ସମ୍ବଲପୁର ତଥା ମେଦିନୀପୁରସ୍ଥ ଓଡ଼ିଆଙ୍କୁ ପୁଣି ଥରେ ଅତୀତ ଓଡ଼ିଆ ଜାତି ଓ ତା’ର ଇତିହାସ ସମ୍ପର୍କରେ କହି ଜାଗରିତ କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କ ଭାଷଣରେ ସେ କହନ୍ତି, - “ଓଡ଼ିଆ ଜାତିର ଇତିହାସ ଅଛି, ଗୌରବ ଅଛି । ପୁରୀ, କୋଣାର୍କ, ଭୁବନେଶ୍ୱର ଯେଉଁ ଓଡ଼ିଆ ହସ୍ତର ନୈପୁଣ୍ୟ, ବୁଦ୍ଧିର ବିଚକ୍ଷଣତା, ହୃଦୟର ପ୍ରଶସ୍ତତାର ପରିଚୟ ଦେଉଅଛି, ସେ ଓଡ଼ିଆର ଶକ୍ତି, ତାହାର ବ୍ୟକ୍ତିତ୍ୱ ଲୋପ ହେବ ନାହିଁ । ଓଡ଼ିଆ ବୋଲି ପରିଚୟ ଦେବାରେ ସେମାନଙ୍କର ଅପମାନ ଓ ଲଜ୍ଜାର କିଛି କାରଣ ନାହିଁ । ବର୍ତ୍ତମାନ ଓଡ଼ିଆ ପାଲିଙ୍କି ବାହାକ ହୋଇପାରେ, କିନ୍ତୁ ତାହାର ପୂର୍ବପୁରୁଷମାନେ ତ ପାଲିଙ୍କି ପରିବର୍ତ୍ତରେ ଦେଉଳର ଯେଉଁସବୁ ପ୍ରସ୍ତର ଉତ୍ତୋଳନ କରିପାରିଛନ୍ତି, ତାହା ଦେଖି ଆଧୁନିକ ଯୁଗ ମଧ୍ୟ ଆଶ୍ଚର୍ଯ୍ୟରେ ଅବାକ୍‌ ହେଉଅଛି । ସେହି ଓଡ଼ିଆଙ୍କର ବଂଶଧର ବୋଲି ପରିଚୟ ଦେବାକୁ ଲଜ୍ଜା କାହିଁକି ?’’ ( ଜୟପୁର, ଚିନ୍ତାମଣି ମହାନ୍ତି, ପୃ- ୧୪୭ )

 

ଶିକ୍ଷା ସମ୍ପର୍କରେ ସେ କହନ୍ତି - “ଶିକ୍ଷା ବିହୀନ ହେଲେ ଆମ୍ଭେମାନେ ସଭ୍ୟ ହେବାର ତେଣିକି ଥାଉ କ୍ରମେ ପଶୁତ୍ୱ ପ୍ରାପ୍ତ ହେବାର ଆଶଙ୍କା ପୂର୍ଣ୍ଣମାତ୍ରାରେ ଅଛି । ଓଡ଼ିଆ ଜାତି ପୂର୍ବକାଳରେ ଶିକ୍ଷାଦୀକ୍ଷାରେ ପ୍ରବୀଣ ଥିଲା । ହୃଦୟକୁ ମନକୁ ସଂସ୍କାର କରିବା ଯେକୌଣସି ଶିକ୍ଷାର ଉଦ୍ଦେଶ୍ୟ । ଯେଉଁ ଭାଷାରେ,ଭାବରେ ଦିଆଯାଉ ଶିକ୍ଷାର ପ୍ରଧାନ ଲକ୍ଷ୍ୟ ମନୁଷ୍ୟତା ପ୍ରାପ୍ତି-।’’ (ଜୟପୁର, ଚିନ୍ତାମଣି ମହାନ୍ତି, ପୃ- ୧୪୯) ଗୋଟିଏ ଜାତି ପାଇଁ ଏକ ବିଶ୍ୱବିଦ୍ୟାଳୟ, ଏକ ଆଦର୍ଶ ଶିକ୍ଷା ପ୍ରଣାଳୀ ଅଧିକତର ଉପଯୋଗୀ ଓ ସ୍ୱାସ୍ଥ୍ୟକର ବୋଲି ତାଙ୍କର ଧାରଣା ଥିଲା । ସତ୍ୟବାଦୀ ଆଦର୍ଶ ହାଇସ୍କୁଲ୍‌ର ‘ମଣିଷ ଗଢ଼ା’ ଆଦର୍ଶକୁ ସେ ଅଧିକ ପସନ୍ଦ କରିଛନ୍ତି । ନାରୀ ଶିକ୍ଷାର ପ୍ରସାର ତଥା ସମାଜରେ ନାରୀର ସମ୍ମାନକୁ ଅଧିକ ଜୋର୍‌ ଦେଇ ତାଙ୍କ ଭାଷଣରେ ସେ କହିଲେ, “ନାରୀଗଣଙ୍କୁ ଏପରି ଶିକ୍ଷା ଦିଆଯିବା ଉଚିତ୍‌, ଯଦ୍ଦ୍ୱାରା ସେମାନେ ନାରୀ ସୁଲଭ ଦୟା, ପ୍ରୀତି, ମାୟା, ମମତା, ଶୁଶ୍ରୁଷା ଇତ୍ୟାଦି ସଦ୍‌ଗୁଣ ପ୍ରତି ସମଧକ ଆସ୍ଥାବତୀ ହେବେ ଏବଂ ମାନବସମାଜକୁ ଅଧିକ ସୁଖ, ଶାନ୍ତି ଓ ମଙ୍ଗଳ ଆନୟନ କରିବେ । ଆମ୍ଭେମାନେ ସ୍ତ୍ରୀ ଶିକ୍ଷା ପ୍ରତି ଯେଉଁ ଉଦାସୀନତା ଦେଖାଇଅଛୁଁ ତାହା ଦେଶ ପକ୍ଷରେ ଘୋର ଅମଙ୍ଗଳକର ଲକ୍ଷଣ ।’’ (ଜୟପୁର, ଚିନ୍ତାମଣି ମହାନ୍ତି, ପୃ- ୧୫୩) ଏବଂ ଶେଷରେ ସାହିତ୍ୟହିଁ ଗୋଟିଏ ଜାତିର ମାନସିକ ବିକାଶର ସହାୟକ ବୋଲି ତାଙ୍କର ମତ ଥିଲା । “ସୁଖାଦ୍ୟ ଯେପରି ଶରୀରକୁ ସବଳ, ସତେଜ କରେ; ସୁସାହିତ୍ୟ ସେପରି ଜାତିର ମାନସିକ ତେଜ ବିକାଶ କରେ । ଜାତିର ମସ୍ତିଷ୍କ ସତେଜ ନ ରଖିଲେ ତାହାର ମଜ୍ଜାଗତ ଶକ୍ତିକ୍ଷୀଣ ହୋଇଯାଏ ଓ ଜାତି କ୍ରମେ ଦୁର୍ବଳ ହୋଇଉଠେ ।’’ (ଜୟପୁର, ଚିନ୍ତାମଣି ମହାନ୍ତି, ପୃ- ୧୫୩)

 

ଓଡ଼ିଆଜାତି, ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ତାଙ୍କର ଉପରୋକ୍ତ ପ୍ରବନ୍ଧ, ଆଲୋଚନା, ପତ୍ର, ମନ୍ତବ୍ୟ ତଥା ଅଭିଭାଷଣଗୁଡ଼ିକ ତତ୍‌କାଳୀନ ସମୟ ପାଇଁ ଯେତିକି ଆବଶ୍ୟକ ରହିଲା, ଆଜି ମଧ୍ୟ ଏତେବର୍ଷ ପରେ ତାହାର ସେତିକି ଆବଶ୍ୟକତା ରହିଛି । ପ୍ରବନ୍ଧଗୁଡ଼ିକ ଯେପରି ରୂଚିପୂର୍ଣ୍ଣ, ସେହିପରି ଶିକ୍ଷଣୀୟ ମଧ୍ୟ । ଗଭୀର ତଥ୍ୟଗୁଡ଼ିକୁ ସରଳ, ସୁବୋଧ୍ୟ କରିବାର କ୍ଷମତା ତାଙ୍କ ଲେଖନୀରେ ମହଜୁଦ୍‌ ଥିଲା । ଓଡ଼ିଆ ଜାତି, ଭାଷା ଓ ସାହିତ୍ୟର ଉନ୍ନତି କଳ୍ପେ ତାଙ୍କର ପ୍ରଚେଷ୍ଟା ଅନନ୍ୟ, ଅସାଧାରଣ, ଏହା ଯେକୌଣସି ବ୍ୟକ୍ତି ତାଙ୍କ ସୃଷ୍ଟିଗୁଡ଼ିକୁ ପଢ଼ି ସ୍ୱୀକାର କରିବ ନିଶ୍ଚୟ ।

Image

 

Unknown

ଉପସଂହାର

 

ଭାଗ୍ୟର ବିଡ଼ମ୍ବନାରେ ଆଜୀବନ ଜଣେ ଦୁଃଖ ମଣିଷଭାବରେ ବଞ୍ଚି ଜୀବନର ସୂର୍ଯ୍ୟାସ୍ତରେ ‘ହାତି ସୁନାକଳସ ଢାଳିବା’ ନ୍ୟାୟରେ ରାଜା ହେବାର ସୌଭାଗ୍ୟ ଅର୍ଜ୍ଜନ କରିଥିଲେ ବିକ୍ରମଦେବ । ତଥାପି ରାଜକୀୟ ବିଳାସ ଓ ପ୍ରାଚୁର୍ଯ୍ୟ ତାଙ୍କୁ ସ୍ପର୍ଶ କରିପାରି ନ ଥିଲା । ଜୟପୁର ଜମିଦାରୀର ଶେଷ ରାଜା ହିସାବରେ ସେ ଯଦିଓ ମାତ୍ର କୋଡ଼ିଏ ବର୍ଷ ପାଇଁ ଶାସନ କରିଥିଲେ; କିନ୍ତୁ ଜୟପୁରବାସୀଙ୍କ ହୃଦୟରେ ସେ ଏକ ପ୍ରାତଃସ୍ମରଣୀୟ ନାମ ହୋଇ ରହିଗଲେ ଚିରଦିନ ପାଇଁ ।

 

ନିଜସ୍ୱ ଚେଷ୍ଟାରେ ସଂସ୍କୃତ, ତେଲୁଗୁ ଏବଂ ଓଡ଼ିଆ ତଥା ଇଂରାଜୀ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିବା ଏହି ନିଷ୍ଠାପର ସାଧକ ସାରା ଜୀବନ ସାହିତ୍ୟ ଅଧ୍ୟୟନ ଓ ସାହିତ୍ୟ ଚର୍ଚ୍ଚାରେ ନିମଗ୍ନ ଯୋଗୀଟିଏ । ଖ୍ୟାତି ଅର୍ଜ୍ଜନ କିମ୍ବା ଜୀବିକା ପାଇଁ ସେ ସାହିତ୍ୟ ସାଧନ କରି ନ ଥିଲେ । ସାହିତ୍ୟ ତାଙ୍କର ବ୍ୟସନ ନ ଥିଲା; ଥିଲା ଜୀବନ । କେବଳ ସେତିକି ନୁହେଁ, ସେ ତାଙ୍କ ଜୀବନର ଅଧକାଂଶ ସମୟ ଆନ୍ଧ୍ର ପ୍ରଦେଶରେ ଅତିବାହିତ କରି ତେଲୁଗୁ ଭାଷାରେ ବିଦ୍ୟାରମ୍ଭ କରିଥିଲେ ସୁଦ୍ଧା ଓଡ଼ିଆ ଜାତି, ଓଡ଼ିଆ ଭାଷା ଓ ଓଡ଼ିଶାର ସାଂସ୍କୃତିକ ଜୀବନ ପ୍ରତି ତାଙ୍କର ମୋହ କିଛି କମ୍‍ ନ ଥିଲା ।

 

ବିକ୍ରମଦେବ ଜଣେ ବହୁମୁଖୀ ପ୍ରତିଭାର ଅଧକାରୀ ଥିଲେ । ସେ ଏକାଧାରରେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ ଏବଂ ପଣ୍ଡିତ ମଧ୍ୟ । “ମହାରାଜା ଶ୍ରୀ ବିକ୍ରମଦେବ ବର୍ମା ବହୁ ମୂର୍ତ୍ତିଧାରୀ, ସେ କେତେବେଳେ ସଂସାରୀ, କେତେବେଳେ ଯୋଗୀ, କେତେବେଳେ ପଣ୍ଡିତ, କେତେବେଳେ କବି, ଐତିହାସିକ, କେବେ ଜ୍ୟୋତିର୍ବିଦ୍‌, କେବେ ସମାଲୋଚକ, କେବେ ସଂସ୍କାରକ, କେବେ ପୌରାଣିକ, କେବେ ଆଳଙ୍କାରିକ, କେବେ ବୈଦାନ୍ତିକ, କେବେ ବା ନୈୟାୟିକ ।’’ (ଚିନ୍ତାମଣି ମହାନ୍ତି - ଜୟପୁର - ପୃ- ୨୨୪) ସେ ଉଭୟ ତେଲୁଗୁ ଓ ଓଡ଼ିଆ ଭାଷାରେ ତାଙ୍କ ଲେଖନୀ ଚାଳନା କରି ସମଗ୍ର ଦକ୍ଷିଣ ଓଡ଼ିଶା ତଥା ଆନ୍ଧ୍ର ପ୍ରଦେଶାନ୍ତର୍ଗତ ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳର ସାଂସ୍କୃତିକ, ସାହିତ୍ୟିକ ଓ ସାମାଜିକ ଜୀବନର ପ୍ରତିନିଧତ୍ୱ କରୁଥିଲେ । ତେଣୁ ତାଙ୍କ ସୃଷ୍ଟିଗୁଡ଼ିକରେ ଗଞ୍ଜାମ, ପାରଳାଖେମୁଣ୍ଡି, ଜୟପୁର, ଶ୍ରୀକାକୁଲମ୍‍, ବିଶାଖପାଟଣା, ନାରାୟଣପାଟଣା, ମୋଟୁ, ଦଶମନ୍ତପୁର, ଲକ୍ଷ୍ମୀପୁର ଆଦି ଅଞ୍ଚଳର କଥାସବୁ କହୁଯାଇଛି । ପୁଣି ସେ ସବୁ ବିଷୟର ସତ୍ୟତା ବା ସେ ନିଜେ ସ୍ୱୀକାର କରିଛନ୍ତି ।

 

ବିକ୍ରମଦେବଙ୍କ କୃତିଗୁଡ଼ିକ ବହୁ ସମସ୍ୟା, ବିଭିନ୍ନ ପ୍ରସଙ୍ଗକୁ ନେଇ ଋଦ୍ଧିମନ୍ତ । ଗୂଢ଼ତଥ୍ୟ ସବୁକୁ ସ୍ପଷ୍ଟ, ସହଜ, ସରଳଭାବରେ ଉପସ୍ଥାପନ କରିବାରେ ସେ ସିଦ୍ଧହସ୍ତ । ପ୍ରବନ୍ଧଗୁଡ଼ିକୁ ଅଧିକ ଯୁକ୍ତିନିଷ୍ଠ କରିବାକୁ ଯାଇ ସେ ବିଭିନ୍ନ ମତବାଦର ଉପସ୍ଥାପନ କରିଛନ୍ତି । ଓଡ଼ିଆ ଭାଷାରେ ରହିବା ସାଧାରଣ ଭୁଲକୁ ସୁଧାରି ତା’ର ଶୁଦ୍ଧ ରୂପ ନିର୍ଣ୍ଣୟ କରି ସେ ଓଡ଼ିଆ ଭାଷାର ଗୁରୁତ୍ୱ ବଢ଼ାଇଛନ୍ତି । ବିଭିନ୍ନ ସାହିତ୍ୟିକ କୃତି ତଥା ସାହିତ୍ୟର ବିଭିନ୍ନ ବିଭାବ ଉପରେ ଆଲୋଚନା ଏବଂ ସମାଲୋଚନା କରି ତାହାର ଦୋଷ ଦୁର୍ବଳତାକୁ ଦୂରକରିବାକୁ ସେ ଚେଷ୍ଟା କରିଛନ୍ତି । ଏତଦ୍‌ବ୍ୟତୀତ ବିଭିନ୍ନ ପତ୍ର ପତ୍ରିକାର ସମ୍ପାଦକଙ୍କ ନିକଟକୁ ପତ୍ର ମାଧ୍ୟମରେ ଏବଂ ସଭାସମିତିରେ ନିଜର ସୁଚିନ୍ତିତ ଅଭିଭାଷଣ ମାଧ୍ୟମରେ ଓଡ଼ିଆ ଜାତି, ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ତାଙ୍କର ଆପ୍ରାଣ ଉଦ୍ୟମ ପରିଦୃଷ୍ଟ । ପୁନଶ୍ଚ ତାଙ୍କସହ ସମ୍ପର୍କିତ ଅଞ୍ଚଳରେ ବାସ କରୁଥିବା ସବୁ ଶ୍ରେଣୀର ଲୋକଙ୍କ କଥା ସେ ତାଙ୍କ ଗଳ୍ପଗୁଡ଼ିକରେ କହିଛନ୍ତି । ଏକ ସୁସ୍ଥ, ସୁନ୍ଦର ସମାଜ ଗଠନରେ ବ୍ରତୀ ସ୍ରଷ୍ଟା ରାଜର୍ଷି ବିକ୍ରମଦେବ ତାଙ୍କ ସୃଷ୍ଟି ସମୁହରେ ଆଦର୍ଶବାଦର କଥା କହିଛନ୍ତି । ସମ୍ବେଦନଶୀଳ ସ୍ରଷ୍ଟା ମାନବବାଦର ସ୍ୱର ଉତ୍ତୋଳନ କରିଛନ୍ତି । ଲୋକଚରିତ୍ର ଅଧ୍ୟୟନ ଅପେକ୍ଷା ଲୋକଚରିତ୍ର ସୃଷ୍ଟି ଉପରେ ଅଧିକ ଯୋର ଦେଇଛନ୍ତି ସେ । ସ୍ୱପ୍ନଦେଖିବା ଅପେକ୍ଷା ନିଚ୍ଛକ ବାସ୍ତବତାକୁ ସାମ୍ନାକରିବାକୁ ଇଚ୍ଛା କରିଛନ୍ତି ତାଙ୍କ ସୃଷ୍ଟି ମାଧ୍ୟମରେ ।

 

ବିକ୍ରମଦେବଙ୍କ ଶୈଳୀର ଏକ ସ୍ୱତନ୍ତ୍ର ଭୂମିକା ଅନସ୍ୱୀକାର୍ଯ୍ୟ । ଓଡ଼ିଆ ଶବ୍ଦ ଭଣ୍ଡାରର ସମସ୍ତ ପ୍ରକାର ଶବ୍ଦର ପ୍ରୟୋଗ ସେ ଅତି ଚତୁରତାର ସହ କରିଛନ୍ତି । ପୁରାତନ ଗଞ୍ଜାମର ସାଧାରଣ ଗ୍ରାମ୍ୟ କଥିତ ଭାଷାଠାରୁ ଆରମ୍ଭ କରି ତମ, ହିନ୍ଦୀ, ପାରସିକ, ଯାବନିକ ତଥା ଇଂରାଜୀ ଭାଷାର ପ୍ରୟୋଗ ମଧ୍ୟ ଦେଖାଯାଏ । ଗୋଟିଏ ଘଟଣାର ଅନ୍ୟ ଏକ ବିଷୟ ସହ ତୁଳନା କରି ଉପମାର ସଫଳ ପ୍ରୟୋଗ ତଥା ବାକ୍ୟକୁ ଅଧିକ ସରସ ସୁନ୍ଦର କରିବା ପାଇଁ ସୁଉକ୍ତି ତଥା ପ୍ରବାଦଗୁଡ଼ିକର ବ୍ୟବହାର ତାଙ୍କ ଶୈଳୀକୁ ଅଧିକ ମର୍ଯ୍ୟଦା ଦେଇଛନ୍ତି । ବାକ୍ୟଗୁଡ଼ିକ କେତେବେଳେ ଦୀର୍ଘ ତ କେବେବେଳେ ଖୁବ୍‌ ଛୋଟ ଛୋଟ । ଏହି ବାକ୍ୟଗୁଡ଼ିକୁ ସନ୍ଧିଯୁକ୍ତ ଶବ୍ଦଦ୍ୱାରା ହିଁ ଦୀର୍ଘ ଏବଂ ଛୋଟ କରାଯାଇଛି । ତେଣୁ ସନ୍ଧିଯୁକ୍ତ ଶବ୍ଦ ତାଙ୍କ ସୃଷ୍ଟିରେ ଅତ୍ୟଧକ । ପୁନଶ୍ଚ ଆତ୍ମିକ ସ୍ତରରେ ପ୍ରକୃତି ବର୍ଣ୍ଣନାର ଚାତୁରୀରେ ଏବଂ ଚରିତ୍ରଗୁଡ଼ିକୁ କଥୋପକଥନ କରାଇ ସେ ନାଟକୀୟତା ସୃଷ୍ଟି କରିଛନ୍ତି । ସୃଷ୍ଟିଗୁଡ଼ିକରେ ମାନବିକ ମୂଲ୍ୟବୋଧର ସନ୍ଧାନ ତାଙ୍କ ଶୈଳୀର ଅନ୍ୟ ଏକ ଦିଗ । ବ୍ୟଙ୍ଗ ମାଧ୍ୟମରେ ସମାଜକୁ ସଚେତନ କରାଇବାରେ ଫକୀରମୋହନୀୟ ତଥା ପ୍ରହରାଜୀୟ ପରମ୍ପରାର ସେ ଉତ୍ତରଦାୟଦ । ପୁନଶ୍ଚ ସେନାପତିଙ୍କ ଭଳି ସୃଷ୍ଟି ମଧ୍ୟରେ ହଠାତ୍‌ ଆତ୍ମ ପ୍ରକାଶ କରି ବିଷୟବସ୍ତୁ ପ୍ରତି ପାଠକ ସଚେତନତା ସୃଷ୍ଟି କରିବା ତାଙ୍କ ଶୈଳୀର ଏକ ବିଶେଷତ୍ୱ । ଯଦିଓ ସେ ଫକୀରମୋହନ ସେନାପତି ଏବଂ ରାଧାନାଥ ରାୟଙ୍କ ସମସମାୟିକ ଥିଲେ ତଥାପି ପଦ୍ୟ କ୍ଷେତ୍ରରେ ସେ ଗଙ୍ଗାଧରଙ୍କ ମାର୍ଗର ପଥିକ ଏବଂ ତାଙ୍କ ଗଦ୍ୟସୃଷ୍ଟିଗୁଡ଼ିକରେ ଫକୀରମୋହନୀୟ ଏବଂ ପ୍ରହରାଜୀୟ ଛାପ ସ୍ପଷ୍ଟ ।

 

ସାହିତ୍ୟ ସାଧନା ବ୍ୟତୀତ ସଂସ୍କୃତିର ଗ୍ରାହକତା ପୃଷ୍ଠପୋଷକତା, ଦେଶସେବା ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ତାଙ୍କର ଦାନ ଅତୁଳନୀୟ । ଗୁଣଚିହ୍ନେ ଗୁଣିଆ; ତେଣୁ ତାଙ୍କ ରାଜଦରବାରରେ ମହାମହୋପାଧ୍ୟାୟ ପଣ୍ଡିତ ବିଦ୍ୟାଭୂଷଣ ରାମନାଥ ନନ୍ଦଙ୍କ ଭଳି ପଣ୍ଡିତ ତଥା ବହୁକବି ପଣ୍ଡିତ, ଲେଖକ, ବିଦଗ୍‌ଧ ଗ୍ରାହକ, ଶିଳ୍ପୀ, ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ସ୍ଥାନ ପାଇଲେ । ଜୟପୁରସ୍ଥ ବିକ୍ରମଦେବ ମହାବିଦ୍ୟାଳୟ ଏବଂ ଛାତ୍ରାବାସ ଗୃହ, କଟକ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମେଡ଼ିକାଲ୍‌ କଲେଜ, ଉତ୍କଳ ବିଶ୍ୱବିଦ୍ୟାଳୟ, ଆନ୍ଧ୍ର ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ, ବିଶାଖାପଟଣର Jeypore College of Science and Technology ପ୍ରଭୃତି ଶିକ୍ଷାନୁଷ୍ଠାନଗୁଡ଼ିକୁ ତାଙ୍କ ଦାନ ଉଲ୍ଲେଖଯୋଗ୍ୟ । ଅନ୍ୟପକ୍ଷରେ ବୈକୁଣ୍ଠନାଥ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ସାହୁ ପ୍ରମୁଖଙ୍କ ପୁସ୍ତକ ପ୍ରକାଶନ ତଥା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ପାଇଁ ବିପୁଳ ଦାନ ତାଙ୍କ ସାହିତ୍ୟ ସଂସ୍କୃତି ପ୍ରାଣତାର ପରିଚାୟକ । ପୁନଶ୍ଚ ସେ ‘ଆନ୍ଧ୍ରଭାରତୀ ତୀର୍ଥ’ ଗବେଷଣା ବିଶ୍ୱବିଦ୍ୟାଳୟର କୁଳପତି, ତେଲୁଗୁ ସହିତ୍ୟର ସର୍ବୋଚ୍ଚ ଅନୁଷ୍ଠାନ ‘ଆନ୍ଧ୍ରସାହିତ୍ୟ ପରିଷଦ’ର ସଭାପତି, ଆନ୍ଧ୍ରବିଶ୍ୱବିଦ୍ୟାଳୟର ପ୍ରୋ-ଚାନ୍‌ସ୍‌ଲର୍‌ ତଥା ମାନ୍ଦ୍ରାଜ୍‌ ବିଶ୍ୱବିଦ୍ୟାଳୟ ଓ ପାଟଣା ବିଶ୍ୱବିଦ୍ୟାଳୟର ପାଠ୍ୟପୁସ୍ତକ ନିର୍ବାଚନ କମିଟିର ସଭ୍ୟଭାବରେ ସକଳ ଦାୟିତ୍ୱ ତୁଲାଇଥିଲେ । ତେଲୁଗୁ ଅଞ୍ଚଳରେ ବାସ କରିବା ଓଡ଼ିଆଙ୍କ ପ୍ରାଣରେ ସାଂସ୍କୃତିକ ଚେତନା ତଥା ଓଡ଼ିଆତ୍ୱ ଜାଗରଣ ସାକେଶ ତାଙ୍କଦ୍ୱାରା ଗଠିତ ‘ଓଡ଼ିଆ ସମାଜ’ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ତତ୍‌କାଳୀନ ବିଭିନ୍ନ ସମସ୍ୟାକୁ ନେଇ ଗଠିତ ଫ୍‍ଲିପ୍‌-ଡଫ୍‍, ବାଲ୍ୟବିବାହ, Royal Commission on Labour ଭଳି କମିଟି, କମିଶନ ଆଗରେ ସାଖ୍ୟ ପ୍ରଦାନ କରି ସେ ଏ ଦେଶ ଓ ଜାତିର ପ୍ରଭୂତ ଉପକାର କରିଯାଇଛନ୍ତି ।

 

ଏତଦ୍‌ ବ୍ୟତୀତ ଓଡ଼ିଆ ଭାଷା ଓ ଜାତିର ସୁରକ୍ଷା ପାଇଁ ଉତ୍କଳ ପ୍ରଦେଶ ଗଠନ, ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣରେ ସେ ଜଣେ ସକ୍ରିୟକର୍ମୀ ତାଙ୍କରି ଆପ୍ରାଣ ଉଦ୍ୟମରେ ହିଁ ତତ୍‌କାଳୀନ ଜୟପୁର ଜମିଦାରୀ (ବର୍ତ୍ତମାନର ଜୟପୁର) ଓଡ଼ିଶାରେ ଅନ୍ତର୍ଭୁକ୍ତ ହୋଇପାରିଲା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଜୟପୁର ମିଶ୍ରଣ ଫଳରେ ବିକ୍ରମଦେବଙ୍କ ଭୂମିକାକୁ ଶତମୁଖରେ ପ୍ରଶଂସା କରି ତତ୍‌କାଳୀନ ଉତ୍କଳର ଜାତୀୟ ନେତୃବୃନ୍ଦ କୃତଜ୍ଞତା ପତ୍ରମାନ ପ୍ରେରଣ କରିଥିଲେ ।

ତାଙ୍କର ଏହି ବହୁମୁଖୀ ପ୍ରତିଭାରେ ମୁଗ୍ଧ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ ତାଙ୍କୁ ସାହିତ୍ୟ ସମ୍ରାଟ, Lord of Letters, କଳାପ୍ରପୂର୍ଣ୍ଣ ଡି.ଲିଟ୍‌, (ବିଦ୍ୟାବାରିଧ), ରାଜର୍ଷି ତଥା ସମନ୍ୱୟ ସଂସ୍କୃତିର ବାର୍ତ୍ତାବହ ଭଳି ବହୁ ଉପାଧି ତଥା ସମ୍ମାନରେ ସମ୍ମାନିତ କରିଛନ୍ତି । ବ୍ୟାସକବି ଫକୀରମୋହନ ସେନାପତି ତାଙ୍କ ‘ଉତ୍କଳ ଭ୍ରମଣ’ରେ ବିକ୍ରମଦେବଙ୍କ ସମ୍ପର୍କରେ ଲେଖନ୍ତି :

 

ଧନ୍ୟ ହେ ବିକ୍ରମଦେବ ପଣ୍ଡିତ ରାଜନ ।

ମହାରାଜ ଜୟପୁର ଉତ୍କଳ ଭୂଷଣ ॥

ତୁମ୍ଭର କବିତ୍ୱ ରାଧାମାଧବ ନାଟକ ।

ପଢ଼ି ଜ୍ଞାନ କରେ ମୋର ଜୀବନ ସାର୍ଥକ ॥

ବିଶାଖାପଟ୍ଟନ ମଧ୍ୟେ ତୈଲିଙ୍ଗ ଦେଶପ୍ରମୀରେ ।

ଛନ୍ତି ଦେଶୀ ଲୋକେ କେହି ନାହାନ୍ତି ପାଶରେ ॥

ଓଡ଼ିଆ ପଢ଼ିବା ପାଇଁ ସମର୍ପିଛ ପ୍ରାଣ ।

ଧନ୍ୟ ଧନ୍ୟ ତୁମ୍ଭ ମାତୃଭାଷା ପ୍ରତି ଟାଣ ॥

ସଂସ୍କୃତ ଉତ୍କଳ ଆନ୍ଧ୍ର କରିଣ ଆୟାସ ।

ତିନିଭାଷା ଭଲରୂପେ କରିଛ ଅଭ୍ୟାସ ॥

ଆପଣ ବୋଲନ୍ତି ଶୁଣିଅଛି ପରସ୍ପର ।

ଆନ୍ଧ୍ରରୁ ଉତ୍କଳ କାବ୍ୟ ଅଟେ ଶ୍ରେଷ୍ଠତର ॥

 

ଦେଶ, ଜାତି, ସାହିତ୍ୟ, ସଂସ୍କୃତି ପାଇଁ ବହୁ ଜନହିତକର କାର୍ଯ୍ୟକରି ଉତ୍କଳର ଏହି ସୁଯୋଗ୍ୟ ସନ୍ତାନ ୧୯୫୧ ମସିହା ଏପ୍ରିଲ୍‌ ୧୩ ତାରିଖରେ ଇହଧାମ ତ୍ୟାଗକଲେ । ତାଙ୍କର ମରଶରୀର ଆଜି ନ ଥିଲେ ସୁଦ୍ଧା ତାଙ୍କ ସାରସ୍ୱତ କୃତିଗୁଡ଼ିକ ମାଧ୍ୟମରେ ଅଦ୍ୟାବଧି ସହୃଦୟ ପାଠକଙ୍କ ହୃଦ-ସିଂହାସନରେ ବିକ୍ରମଦେବ ବିରାଜମାନ । ତାଙ୍କର ସଂଘର୍ଷମୟ, ନିରାମୟ, ପ୍ରେରଣାଦାୟୀ ଜୀବନ ତଥା ସାହିତ୍ୟ ସଂସ୍କୃତି ଏବଂ ଦେଶ ତଥା ଜନହିତକର କାର୍ଯ୍ୟ ପାଇଁ ଏ ମାଟି ତାଙ୍କୁ ଚିରସ୍ମରଣ କରିବ ଏଥିରେ ସନ୍ଦେହ ନାହିଁ । ଶେଷରେ ପ୍ରଫେସର ଶରତ କୁମାର ମହାନ୍ତିଙ୍କ ମନ୍ତବ୍ୟ ଏଠାରେ ଉଲ୍ଲେଖଯୋଗ୍ୟ “ବିକ୍ରମଦେବ ଓଡ଼ିଆ ସାହିତ୍ୟରେ ଯୁଗପ୍ରବର୍ତ୍ତକ ସ୍ରଷ୍ଟା ନୁହନ୍ତି । ସାହିତ୍ୟ କ୍ଷେତ୍ରରେ ନୂତନ ଦିଗ୍‌ଦର୍ଶନ ଦେଇନାହାନ୍ତି ବା ନୂତନ ଶୈଳୀର ପ୍ରବର୍ତ୍ତନ କରି ନାହାନ୍ତି । କିନ୍ତୁ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ସଙ୍କଟ କାଳରେ ଏକ ଗିରିଗୁମ୍ଫା ପରିବେଷ୍ଟିତ ଝାଡ଼ଖଣ୍ଡ ଭୂଖଣ୍ଡର ପ୍ରାନ୍ତ ଅଞ୍ଚଳରେ ନିରବଚ୍ଛିଭାବେ ଷାଠିଏ ବର୍ଷ ଧରି ସାରସ୍ୱତ ସାଧନା ଅବ୍ୟାହତ ରଖିବା ଏକ ବିଶେଷ ସୃଜନୀ ଶକ୍ତିର ପରିଚାୟକ । ତାଙ୍କର ସାହିତ୍ୟାନୁରକ୍ତି, କଳାପ୍ରେମ, ସଙ୍ଗୀତ ନାଟକ କଳା ପ୍ରତି ଆସକ୍ତି, ଏକ ଚିରଚଞ୍ଚଳ ସ୍ପର୍ଶକାତର ଆବେଗ ବିଧୁର କାବ୍ୟ ପୁରୁଷର ତରଙ୍ଗରୁ ସୃଷ୍ଟି । ତାଙ୍କର ରସିକମନ, କାବ୍ୟାନନ୍ଦ ପାୟୀବିଦଗ୍‌ଧ ହୃଦୟଟିକୁ ସେ ଛଇଳା ଗୁଣବତୀ ରସିକିନୀ କାବ୍ୟ ନାୟିକା ପାଖରେ ବନ୍ଧା ଦେଇଥିଲେ - ମୁକୁଳେଇ ପାରିନାହାନ୍ତି-। ସେ ମହାରାଜା ଲେ ମାତ୍ର କୋଡ଼ିଏ ବର୍ଷ ପାଇଁ (୧୯୩୧-୧୯୫୧) କିନ୍ତୁ ରାଜା ହୋଇରହିଗଲେ ଚିରଦିନ ପାଇଁ ଚିହ୍ନରା ଗ୍ରାହକ ପାଠକମାନଙ୍କ ହୃଦ-ସିଂହାସନରେ ।’’(ଶରତ କୁମାର ମହାନ୍ତି, ସ୍ମରଣିକ, ଗୁପ୍ତେଶ୍ୱର, ନିଖଳ ଉତ୍କଳ ଲେଖକ ସମ୍ମିଳନୀ, ୧୯୯୩, ଜୟପୁର ଅଧିବେଶନ - ‘ସାହିତ୍ୟ ଓ ସଂସ୍କୃତିର ବାର୍ତ୍ତାବହ’ ପୃ- ୩୩)

 

ବିକ୍ରମଦେବଙ୍କ ବିକ୍ରମ ଏ ଜାତି ଏମାଟିର ସନ୍ତାନ ମାନଙ୍କ ମଧ୍ୟରେ ପ୍ରସରି ଯାଉ - ବିକ୍ରମଦେବଙ୍କ ବିକ୍ରମ ଚିରଦିନ ଆୟୁଷ୍ମାନ ହେଉ, ଏହା ହିଁ ଈଶ୍ୱରଙ୍କଠାରେ ପ୍ରାର୍ଥନା ।

Image

 

Unknown

ପରିଶିଷ୍ଟ

 

ଜୟପୁର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ଅନ୍ତର୍ଭୁକ୍ତ ହେବାପରେ ବିକ୍ରମ ଦେବବର୍ମା ପାଇଥିବା ପତ୍ର

 

ପାଟଣା

ତା : ୨୨.୧୧.୩୪

ଶ୍ରୀମାନ୍‌ ମହାରାଜ,

 

ଜୟପୁର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଅନ୍ତର୍ଭୁକ୍ତ ହେଉଅଛି । ଜୟପୁରଯେ, ଓଡ଼ିଆ ରାଜ୍ୟ, ସେ କଥା ଆମ୍ଭମାନଙ୍କୁ ଭୁଲିବାକୁ ଚେଷ୍ଟାକରିବାକୁ ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ସତ୍ୟର ଜୟ ଘଟିଅଛି ।

 

ଭଗବାନ ଛାମୁଙ୍କ ସ୍ୱାସ୍ଥ୍ୟ ସହିତ ଦୀର୍ଘ ଜୀବନ ଦିଅନ୍ତୁ । ତାହା ହେଲେ ଛାମୁ ଉତ୍କଳ ରାଜ୍ୟର ଭାଗ୍ୟ ନିଜ ହାତରେ ଗଠନ କରିବାରେ କୃତକାର୍ଯ୍ୟ ହୋଇପାରିବେ ।

 

ମୁଁ କାର୍ଯ୍ୟ ଉପଲକ୍ଷ୍ୟରେ ଏଠାକୁ ଆସିଛି । ଶୀଘ୍ର ଏଠାରୁ ବାଣପୁର ଫେରିବି । ଛାମୁଙ୍କ କୁଶଳ ଆଶା କରେ ।

 

ଛାମୁଙ୍କର ସ୍ନେହାଧୀ

ଗୋଦାବରୀଶ ମିଶ୍ର

 

To

The Maharaja of Jeypore (Vizag.)

 

Joint Committee Report Recommends inclusion of Jeypore, delighted, hearty congratulation.

 

Shree krishna Mohapatra.

Greet Indian Hotel.

 

To

 

The Maharaja of Jeypore (Vizag.)

Heartiest congratulations on Jeypore's inclusion in Orissa.

Nilakantha Das

 

To

 

Raja Saheb, Jeypore

Congratulations for Jepore inclusion.

Madan Mohan Rath.

 

To

 

Raja Saheb, Jeypore (Vizag.)

Hearty Congratulations

Anantaram Rath.

 

To

 

Maharaja Saheb, Jeypore (Vizag.)

Happy Jeyopre Paralakemundi included Orissa Province.

Dinabandhu Panda.

 

To

 

Maharaja Saheb, Jeypore (Vizag.)

Heartly Congratulation for inclusion Jeypore, Orissa.

New Orissa.

 

To

 

Maharaja Saheb, Jeypore (Vizag.)

Heart leaps with joy at announcement.

Editor, Jubaka fund Oriya.

 

To

 

Kumar Bidyadhar Singh, Jeypore, Vizag.

 

Please accept congratutation, your afforts crowned success.

Pyari Mohan Panigrahi.

 

To

 

Maharaja Jeypore, Vizag.

Hearty Congratulation, Pray co-operation guide.

Madhusudan Panigrahi.

 

To

 

Raja Saheb Jeypore, Vizag.

Jeypore inclusion news in Orissa received with joy

Raja of Dharakote.

 

To

 

Maharaja Jeypore, Vizag.

Welcome, Jeypore, Orissa Province

Balakrishna Rath.

 

To

 

Raja Saheb Jeypore, Vizag.

Thank God Utkal gets her Vikramarka restored to her.

Praharaja.

 

 

To

 

Maharaja Jeypore

 

Orisssa rejoices to secure Jeypore in new province. Jeypore will be brightest jewal of Orissa province. Felicitations.

B. Das.

 

To

 

Maharaja Jeypore

Tikkali Oriyas heartily congratulate Jepore inclusion.

Tikkali Oriyas.

 

To

 

Raja Saheb, Jeypore, (Vizag.)

Utkal Sahitya Samaj hails your entry Orissa.

Secretary, Utkal Sahitya Samaj

 

To

 

His Highness the Maharaja of Jeypore

May it please your Highness.

 

Please accept our heartfelt thanks for kind help rendered in Orissa amalgamation.

We beg to remain. May it please your highness. Your Highness's most obedient Servants inhabitants of Gosaninowgam.

25-11-34

Image

 

କଟକ

୨୪.୧୧.୩୫

ପ୍ରିୟ ଶ୍ରୀ ମହାରାଜ,

 

ଆପଣଙ୍କ ସ୍ନେହଦ୍ମୟ ପତ୍ର ପାଇଅଛି । ଜୟପୁରକୁ ଓ ତହିଁ ସହିତ ଆମ ବିକ୍ରମ ଦେବଙ୍କୁ ପାଇଲୁଁ, ଏହି ସମ୍ବାଦରେ ପ୍ରତ୍ୟେକ ଓଡ଼ିଆ ପୁଅର ମନ କୁଣ୍ଢେମୋଟ ହୋଇଯାଇଅଛି । ବର୍ଷକ ପୂର୍ବେ ଗୋଟାଏ ଉଡ଼ା ଖବର ଶୁଣି ମୁଁ ଜୟପୁର ଓଡ଼ିଶାରେ ମିଶିବା ଯୋଗୁଁ ଆନନ୍ଦ ପ୍ରକାଶ କରି ଆପଣଙ୍କଠାକୁ ଟେଲିଗ୍ରାମ କରିଦେଲି । ପରେ ଏ ଖବର ମୂଳରେ କୌଣସି ସରକାରୀ ନିଦର୍ଶନ ନଥିବାର ଜାଣି ବ୍ୟଥିତ ହୋଇଲି, ପ୍ରଭୁଙ୍କ କୃପାରୁ ମୋର ବର୍ଷକ ପୂର୍ବର ସେହି ଟେଲିଗ୍ରାମର ଶୁଭ ବଚନ ଆଜି ସଫଳ ହେଲା । ଈଶ୍ୱର କୋଟିଏ ଓଡ଼ିଆଙ୍କ ଗୁହାରୀ ଶୁଣିଲେ ଓ ଜୟପୁରବାସୀ ଦଶଲକ୍ଷ ଓଡ଼ିଆଙ୍କ ପ୍ରାଣ ରଖିଲେ । ଶ୍ରୀ ବିକ୍ରମଦେବ ଜୟପୁର ଗାଦିରେ ବସି ନ ଥିଲେ ଜୟପୁର ଓଡ଼ିଶାରେ ମିଶିବା କଥା କେବଳ କଥାରେ ହିଁ ପର୍ଯ୍ୟବସିତ ହୋଇଥାଆନ୍ତା ।

 

ଆଜି ଓଡ଼ିଶା ପ୍ରଦେଶର ରାଜାମହାରାଜାଙ୍କ ମଉଡ଼ମଣିରୂପେ ଉତ୍କଳର ବିକ୍ରମାଦିତ୍ୟ ଶ୍ରୀ ବିକ୍ରମଦେବ ବିରାଜିବେ । ବିଲାତରୁ ପାରଳା ରାଜା ସାହେବ ଛାମୁଙ୍କଠାକୁ ଯେଉଁ ଆଶ୍ୱାସନା ବାଣୀ ଲେଖଲେ, ତାହା ହିଁ ସଫଳ ହେଲା

ଛାମୁଙ୍କର ସ୍ନେହବଦ୍ଧ

ଗୋପାଳଚନ୍ଦ୍ର ପ୍ରହରାଜ

Image

 

ଖରସୁଆଁ, ସିଂହଭୂମ

ତା : ୨୦.୧୧.୧୯୩୪

 

ଓଁ ତତ୍‌ସତ୍‌

 

ସ୍ୱସ୍ତି ଶ୍ରୀ ପ୍ରବଳପ୍ରତାପୋଦିତପ୍ରତାପଦାନ, ସମ୍ପନ୍ନ ଶ୍ରୀମାନ୍‌ ମହାରାଜାଧରାଜ ଉତ୍କଳ ଜାତୀୟ ଜୀବନ ସମ୍ରାଟ କବିବର ଶ୍ରୀମାନ୍‌ ଶ୍ରୀ ଶ୍ରୀ ଶ୍ରୀ ବିକ୍ରମଦେବ ବର୍ମା ମହାତ୍ମସୁ ଜୟପୁରାଧୀଶ୍ୱରରେଷୁ ଶୁଭାଥାଶିଷାଂମାଳା ବିଳସନ୍ତୁତମାମ୍

 

ଶ୍ରୀମନ୍‌ ମହାରାଜାଧରାଜ,

 

ଶ୍ରୀ ଛାମୁଙ୍କ ଅକ୍ଳାନ୍ତ ଯତ୍ନ, ବଦାନ୍ୟତା ଓ ଜ୍ଞାନକର୍ମବୀରତାଦି ହେତୁ ଉତ୍କଳର ଆଜି ସରକାରଙ୍କ ସିଲେକ୍ଟ କମିଟି ରିପୋର୍ଟ ଘୋଷଣାରୁ ଅନେକ ଅଂଶେ ଯୋଡ଼ାଯାଇଅଛି । ଉତ୍କଳର ବର୍ତ୍ତମାନ ଶେଷ ସୀମା ଜୟପୁର ରାଜ୍ୟର ଶ୍ରୀଛାମୁ ଅଧଶ୍ୱର ଥିବାରୁ ସେ ଦକ୍ଷିଣ ସୀମା ଉତ୍କଳ ସହିତ ଯୋଡ଼ା ଗଲା । ଏ ସକାଶେ ଶ୍ରୀଛାମୁଙ୍କୁ ମୁଁ ଉତ୍କଳର ଉତ୍ତରାଂଶ ସିଂହଭୂମ ତରଫରୁ ହୃଦୟର ସହିତ ଅଭିନନ୍ଦିତ କରୁଅଛି ।

 

ଶ୍ରୀ ଛାମୁ ଯେଉଁ ସିଂହଭୂମକୁ ହୃଦୟ ସହିତ ସ୍ନେହ ଓ ଦୟା ଦୃଷ୍ଟିରେ ଦେଖଆସୁଅଛନ୍ତି ସେହି ସିଂହଭୂମର ଉମାର ସାଧନ ଶ୍ରୀଛାଦ୍ଧୁଙ୍କ କରୁଣା ଦୃଷ୍ଟି ଉପରେ ନିର୍ଭର କରୁଅଛି ।

 

ସିଂହଭୂମ ଭାଷା ଇତିହାସ ବହି ଖଣ୍ଡିଏ ଲେଖଅଛି । ଉଦୀୟମାନ କୁମାର ଶ୍ରୀମାନ୍‌ ବିଦ୍ୟାଧର ସିଂହଦେବ B.L. ଏହାର ଭୂମିକା ଲେଖିଅଛନ୍ତି । ବହି ଖଣ୍ଡିକ ବର୍ତ୍ତମାନ ମୁଦ୍ରିତ ହେଉଅଛି । ମୁଦ୍ରଣ ଶେଷ ହେବା ମାତ୍ରକେ ଶ୍ରୀ ଛାମୁଙ୍କ କରକମଳରେ ଅର୍ପଣ କରି ନିଜକୁ ମୁଁ ଧନ୍ୟ ମଣିବି ବୋଲି ଆଶା କରେ । ପ୍ରଭୁକୃପାରୁ ଏପରି ସୁ-ଅବସର ଆସି ଉପସ୍ଥିତ ହେଉ, ଯହଙ୍ଗେର ଶ୍ରୀ ଛାମୁଙ୍କ ସୌମ୍ୟ ମୂର୍ତ୍ତି ଦର୍ଶନ କରି ସିଂହଭୂମ ନିଜକୁ ଧନ୍ୟ ମଣିବ ଓ ସିଂହର ଭୂମି ବୋଲି ଜଗତରେ ଗୌରବାନ୍ୱିତ ହେବ । ପ୍ରଭୁଙ୍କ ଅଶେଷ କୃପାରୁ ଶ୍ରୀଛାମୁ ସ୍ୱାସ୍ଥ୍ୟ ସହ ଦୀର୍ଘଜୀବୀ ହୁଅନ୍ତୁ । ଇତି ।

ଶ୍ରୀମତଃ ଶୁଭାକାଂକ୍ଷୀ

ପଣ୍ଡିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ।

Image

 

The Utkal Samaj, Cuttack

P.O. Cuttack

24-11-1934

 

To

The Raja Saheb of Jeypore

Sir,

 

Pray accept our heartly expressions at the news of Jeypore coming into the ken of new Orissa. Sir, your labours in the past and your constant and silent labours in the past and your constant and silent labours for the cause of Oriya amalgamation are too great for words. Our breasts are rising with a warmth of joy and happiness ever-expending with the thought that though your blessings and good will, the cause of Orissa and speacially Oriya literature will thrive with ever increasing amplitude and move on right lines. Your presence will ever be felt as source of illumination to the Oriya race through literature which really gives tongue to the mute.

 

With sincerest love & gratitude,

Yours sincerely,

Lakshmi Narayan Sahu,

Secretary

Image